Unknown

 

 

 

 

 

 

 

 

 

 

 

ମନଗୁଣେ ଫଳ

ଭୁବନେଶ୍ୱର ମହାପାତ୍ର

 

–ଉତ୍ସର୍ଗ–

 

କ’ଣ ଶୁଣୁଚ ??

 

ବହୁଦିନ ତଳେ ତୁମକୁ ଗୋଟିଏ ନାଟକ ଦେଇଥିଲି । ତୁମେ କିନ୍ତୁ ସେତିକିରେ ତୃପ୍ତି ପାଇ ନ ଥିଲ । ମୋ ଲେଖା ଉପରେ ଅଭିମାନ ନ ଥିଲେ ବି ମୋ ଉପରେ ଅଭିମାନ ଥିଲା । ତୁମ ମନ ମୁତାବକ ଫଳ ତୁମେ ତ ଆମ ସଂସାର ଭିତରେ ପାଇନାହଁ । ତେଣୁ ‘‘ମନଗୁଣେ ଫଳ’’ ନ୍ୟାୟତଃ ତୁମରି ପ୍ରାପ୍ୟ ।

 

ମୁଁ

Image

 

–ନିଜକଥା–

 

ସମସ୍ତେ ଲେଖନ୍ତି ବୋଲି ଲେଖୁନି, ‘‘ମନଗୁଣେ ଫଳ’’ ମନର ଏକ ଅଫୁରନ୍ତ ଅଭିଳାଷର ପରିପ୍ରକାଶ ମାତ୍ର । ବର୍ଷେ, ଦୁଇବର୍ଷର ନୁହେ—ପ୍ରାୟ ଚାରିବର୍ଷ ତଳର କଥା । ନାଟକ ଲେଖେ ବୋଲି ପ୍ରଥମେ ପ୍ରକାଶକ ମହାଶୟ ଏ ଉପନ୍ୟାସର ପାଣ୍ଡୁଲିପି ଦେଖି ନାକ ନ ଟେକି ଆଖି ଟେକିଥିଲେ । ଲେଖା ସଉଦା ତ...ବିକ୍ରି ନ ହେଲେ ମନ ଫିକା ପଡ଼ିଯିବ । ତେଣୁ ବିନମ୍ରରେ କହିଲି–ଆପଣ ଲେଖାଟିକୁ ପଢ଼ନ୍ତୁ–ମନକୁ ପାଇଲେ ଛାପିବେ ।

 

ସ୍ୱଳ୍ପଭାଷୀ ପ୍ରକାଶକ ମହାଶୟ ଏତିକିରେ ପାଣ୍ଡୁଲିପିଟି ନେଲେ । ମୁଁ ମଧ୍ୟ ନିଶ୍ଚିନ୍ତ ହେଲି-। କିନ୍ତୁ ମନଗୁଣେ ଫଳ ନ ମିଳିବାରୁ କେତେଦିନ ପରେ ଗୋବିନ୍ଦ ବାବୁଙ୍କ ସ୍ମରଣ କରାଇବାକୁ ବାଧ୍ୟ ହେଲି । ଅନ୍ୟ ଉପନ୍ୟାସ ଛାପା ଚାଲିଥାଏ । ମୋ ଲେଖା କେବେ ହେବ, ଏଇ ପ୍ରଶ୍ନ କରୁଥାଏ । ଉତ୍ତରରେ ସେ ମତେ କିନ୍ତୁ କେବେ ନିରାଶ କରିନାହାନ୍ତି ।

 

ଆନନ୍ଦର କଥା–ବିଳମ୍ବରେ ହେଲେ ମଧ୍ୟ ‘‘ମନଗୁଣେ ଫଳ’’ ଆତ୍ମପ୍ରକାଶ କରୁଛି । ଭଲ ମନ୍ଦ ପାଠକ କହିବେ ।

 

ଭୁବନେଶ୍ୱର ମହାପାତ୍ର

ଲେଖକ

Image

 

ମନଗୁଣେ ଫଳ

 

...ଡିସେମ୍ବର ମାସର ଏକ ମନୋରମ ସନ୍ଧ୍ୟା...

 

ଯୁଗଳ ଭାଇଙ୍କ ସହିତ ‘ବ୍ଲୁ ରେଷ୍ଟୁରାଣ୍ଟ’ରେ ଚା’ପର୍ବ ଶେଷ କରି ଚେୟାର ଛାଡ଼ି ଠିକ୍‌ ଉଠି ଆସିଲାବେଳକୁ ଦେଖାଦେଲେ ଶଙ୍କର ବାବୁ । ଭଦ୍ରଲୋକଙ୍କୁ ଟାଉନରେ ପ୍ରାୟ ସମସ୍ତେ ଜାଣନ୍ତି । ଚେହେରାରେ ସେପରି କିଛି ଆକର୍ଷଣ ନାହିଁ । ଅତି ସାଧାରଣ ସ୍ୱାସ୍ଥ୍ୟ–ବୟସ ଚାଳିଶରୁ ସାମାନ୍ୟ ବେଶି ।

 

ପାଠର ଦୌଡ଼ ଯଦିବା ଡିଗ୍ରୀ ହାସଲ ପର୍ଯ୍ୟନ୍ତ ଯାଇନାହିଁ, ଶଙ୍କର ବାବୁଙ୍କର ବ୍ୟକ୍ତିତ୍ୱ ନିକଟରେ ହାର ମାନିବାକୁ ହୁଏ । ରେଷ୍ଟୁରାଣ୍ଟରେ ଅଫିସ ସମୟ ଛଡ଼ା ପ୍ରାୟ ସବୁବେଳେ ସେ ଚେଆର ଦଖଲକରି ବସିଥାନ୍ତି । ଚା’, ସିଗାରେଟ୍‌ କେତେବେଳେ ପାଖରୁ ଛାଡ଼ ନ ଥାଏ । କେତେକ କହନ୍ତି... ‘‘ବ୍ଲୁ ରେଷ୍ଟୁରାଣ୍ଟ’’ରେ ତାଙ୍କର କିଛି ସେଆର ଅଛି ।

 

ଶଙ୍କର ବାବୁ ଏକାକୀ ଖାଲି ଖାଲି ବସିବା ଲୋକ ନୁହଁନ୍ତି । ପାଖରେ ତାଙ୍କର ଜଣେହେଲେ କେହି ନିଶ୍ଚୟ ଥିବେ । ବକର ବକର ହେବା ତାଙ୍କର ଅସ୍ଥିମଜ୍ଜାଗତ ଗୁଣ । ସେ କହିବେ–ପାଖରେ ବସିଥିବା ଲୋକ ବିନା ଆପତ୍ତିରେ ସେ ସବୁ ଶୁଣିଯିବେ । ଜାଗା ଛାଡ଼ି ଉଠି ଆସିବାକୁ ଚେଷ୍ଟା କଲେ ଶଙ୍କର ବାବୁଙ୍କର ଆଖି ଦୁଇଟା ହଠାତ୍‌ କାହିଁକି ନାଲ ପଡ଼ିଯାଏ । ତେଣୁ ବକ୍ତାଙ୍କ ନିକଟରେ ଶ୍ରୋତାଙ୍କୁ ଅଗତ୍ୟା ବସିବାକୁ ହୁଏ ।

 

ମୋ ସହିତ ରେଷ୍ଟୁରାଣ୍ଟକୁ ଯାଇଥିଲେ ଯୁଗଳ ଭାଇ–ମୋର ସହକର୍ମୀ...ଘନିଷ୍ଠ ବନ୍ଧୁ । ରାତି ଆଠଟା ଭିତରେ ଘରକୁ ନ ଫେରିଲେ ତାଙ୍କର ନବାଗତା ଶ୍ରୀମତୀ ତାଙ୍କଠାରୁ କୈଫିୟତ୍‌ ତଲବ କରନ୍ତି ।

 

ଆଜି ସେ ତେଣୁ ଖୁବ୍‌ ତରବରରେ ରେଷ୍ଟୁରାଣ୍ଟରୁ ବିଦାୟ ନେଉଥିଲେ ।

 

ଶଙ୍କର ବାବୁଙ୍କର ଅନୁରୋଧ ନୁହେଁ, ଆଦେଶ...ଆହୁରି କିଛି ସମୟ ସିଗାରେଟ୍‌, ଚା’ ଭିତରେ ବୁଡ଼ି ରହିବାକୁ ହେବ । ରାତିରେ ଏତେ ଶୀଘ୍ର ଘରକୁ ଫେରିଲେ ଜୀବନର ସରସତା ଲିଭିଯାଏ ।

 

ଯୁଗଳ ଭାଇ ପ୍ରତିବାଦ କରିବାକୁ ଚେଷ୍ଟା କଲେ–ଶ୍ରୀମତୀ କୋପ କରିବେ ବୋଲି ଇସାରା ମଧ୍ୟ ଦେଲେ । ଶଙ୍କର ବାବୁ କିନ୍ତୁ କୌଣସି ଯୁକ୍ତି ଗ୍ରହଣ କଲେ ନାହିଁ । ଅତି କମ୍‌ରେ ଆଉ ଘଣ୍ଟାଏ ତାଙ୍କ ଗହଣରେ ସମୟ କାଟିବାକୁ ପଡ଼ିବ ।

 

ଯୁଗଳ ଭାଇ ନିରୁପାୟ ଅବସ୍ଥାରେ ତେଣୁ ପ୍ରସ୍ତାବ ଦେଲେ–

 

—ଆଜି କିଛି ବାଜେ କଥାର ଉପକ୍ରମ କରନ୍ତୁ ନାହିଁ ଶଙ୍କର ବାବୁ । ମନଲାଖି ଗଳ୍ପଟିଏ କୁହନ୍ତୁ । ମହାପାତ୍ର ବାବୁ ତ ଜଣେ ପ୍ରତିଷ୍ଠିତ ନାଟ୍ୟକାର । ସେ ଆପଣଙ୍କର ଗଳ୍ପକୁ ମଞ୍ଚ ମାଧ୍ୟମରେ ଠିକ୍‌ ରୁପ ଦେଇ ପାରିବେ ।

 

ପ୍ରସ୍ତାବଟି ଅଧାଅଧି ଶଙ୍କର ବାବୁଙ୍କର ମନକୁ ପାଇଲା । କିନ୍ତୁ ତାଙ୍କର ଗଳ୍ପକୁ ମୁଁ ନାଟକ ଆକାରରେ ରୂପ ଦେବି, ପ୍ରସ୍ତାବର ଏ ଦ୍ୱିତୀୟ ପର୍ଯ୍ୟାୟକୁ ସେ ହୁଏତ ଭିନ୍ନ ଅର୍ଥରେ ନେଲେ ।

 

—ନାଟକ ମୁଁ ମଧ୍ୟ ଲେଖିପାରିବି । ମୋ ଗଳ୍ପକୁ ଅନ୍ୟ କେହି କାମରେ ଲଗେଇ ପାରିବେ ନାହିଁ । କାରଣ ମୋର ଆଜିର ବକ୍ତବ୍ୟ... କୌଣସି ମନଗଢ଼ା ରୂପକଥା ନୁହେଁ—ଆଖି ଆଗର ଘଟଣା—ଏଇ ସହରରେ ଅଙ୍ଗେ ନିଭେଇବା କାହାଣୀ...ଶଙ୍କର ବାବୁ ସାମାନ୍ୟ ଗମ୍ଭୀର ହୋଇ ନିଜର ଆଦ୍ୟ ଟିପ୍‌ପଣୀ ଦେଲେ ।

 

ଶଙ୍କର ବାବୁଙ୍କର କଥାକୁ ମୁଁ ଦୃଢ଼ ଭାବରେ ସମର୍ଥନ କଲି । ଗଳ୍ପର ଯେ’ ସ୍ରଷ୍ଟା, ସେ ତାକୁ ଉପନ୍ୟାସ ବା ନାଟକ ଆକାରରେ ଲୋକଲୋଚନକୁ ଆଣିବା ଉଚିତ । ସ୍ରଷ୍ଟାର ସାର୍ବଭୌମ ଅଧିକାର ଉପରେ କାହାରି ହସ୍ତକ୍ଷେପକୁ ସମର୍ଥନ କରାଯାଇ ନ ପାରେ ।

 

କହିଲି—କାହାଣୀ ଆରମ୍ଭ କରନ୍ତୁ ଶଙ୍କର ବାବୁ । ରାତି ବେଶି ଡେରି ହୋଇଯାଉଚି ।

 

ରେଷ୍ଟୁରାଣ୍ଟର ବଏକୁ ଚା’ ତିନି କପ୍‌ର ବରାଦ ଦେଇ ପକେଟରୁ ସିଗାରେଟ୍‌ ପ୍ୟାକେଟ୍‌ ବାହାର କଲେ ଶଙ୍କର ବାବୁ । ନିଜେ ଖଣ୍ଡେ ସିଗାରେଟ୍‌ ଟାଣିବା ପରେ ପ୍ୟାକେଟ୍‌ଟିକୁ ସେ ମୋ ଆଡ଼କୁ ଆଗେଇ ଦେଲେ ।

 

ଅତି ବିନୀତ ଭାବରେ ମୁଁ ନାହିଁ କଲି । ସିଗାରେଟ୍‌ର ଭକ୍ତ ମୁଁ ନୁହେଁ । ଯୁଗଳ ଭାଇ ମଧ୍ୟ ସେଇ ଯୁକ୍ତି କଲେ ।

 

ଆମେ ଦୁହେଁ ସିଗାରେଟ୍‌କୁ ପ୍ରତ୍ୟାଖ୍ୟାନ କଲୁ ବୋଲି ଶଙ୍କର ବାବୁଙ୍କ ମନରେ କୌଣସି ପ୍ରକାର ଗ୍ଳାନି ନାହିଁ, ନିଜ ଅଭ୍ୟାସରେ ଦୀକ୍ଷିତ ହେବାକୁ ସେ କେତେବେଳେ କାହାକୁ ବାଧ୍ୟ କରନ୍ତି ନାହିଁ । ଏଥର ସେ କଥାର ସ୍ରୋତକୁ ଅନ୍ୟ ଆଡ଼କୁ ଟାଣିଲେ ।

 

ଫରମାସ ମୁତାବକ ତିନି କପ୍‌ ଚା’ ମଧ୍ୟ ଟେବୁଲ ଉପରକୁ ଆସିଗଲା । ଶଙ୍କର ବାବୁ ଏକା ନିଃଶ୍ୱାସରେ ନିଜର ଚା’ କପ୍‌ଟିକୁ ଶେଷ କରିଦେଲେ । ଯୁଗଳ ଭାଇ ଓ ମୁଁ ଟିକିଏ ତଳେ ଚା’ ପାନ କରିଥିଲେ ମଧ୍ୟ ଭଦ୍ରତା ଖାତିରରେ ଦ୍ୱିତୀୟ ଥର ପାଇଁ ଚା’ ପିଇଲୁ ।

 

ଶଙ୍କର ବାବୁ ପୁଣି ଖଣ୍ଡେ ସିଗାରେଟରେ ନିଆଁ ଲଗେଇଲେ । ଆମେ ଦୁହେଁ ଚାତକ ପରି ତାଙ୍କ ମୁହଁକୁ ଅନେଇଁ ଥାଉଁ ।

 

ସାମାନ୍ୟ ବିରତି ପରେ ଶଙ୍କର ବାବୁ ଆରମ୍ଭ କଲେ–

 

–ପ୍ରାୟ ପନ୍ଦର କୋଡ଼ିଏ ମିନିଟ୍‌ ତଳେ ଜଣେ ପାତଳା ରୁଚିସମ୍ପର୍ଣ୍ଣ ଭଦ୍ରଲୋକଙ୍କ ସଙ୍ଗେ ଏଇ ସାମନା ଚେଆରରେ ମୁଁ ଆଳାପ କରୁଥିଲି, ଆପଣମାନେ ନିଶ୍ଚୟ ଲକ୍ଷ୍ୟ କରିଥିବେ ।

 

ଉତ୍ତର ଆଶାରେ ସେ ମୋରି ଆଡ଼କୁ ପ୍ରଶ୍ମିଳ ଆଖିରେ ଚାହିଁ ରହିଲେ । ଶଙ୍କର ବାବୁଙ୍କର ଏ ଧରଣର ଗୌରଚନ୍ଦ୍ରିକାର ପ୍ରକୃତ ମର୍ମ ମୁଁ ହଠାତ୍‌ ବୁଝିପାରିଲି ନାହିଁ ।

 

ସନ୍ଦେହ ମିଶା କଣ୍ଠରେ ମୁଁ କହିଲି—

 

—ସେ ଭଦ୍ରଲୋକଙ୍କୁ ମୁଁ ଦେଖିଚି । ଆପଣ ତାଙ୍କ ସଙ୍ଗେ କଫି ଖାଉଥିଲେ ।

 

ଯୁଗଳ ଭାଇ କାହାଣୀ ଶୁଣିବାକୁ ବୋଧହୁଏ ବିଶେଷ ଉଦ୍‌ଗ୍ରୀବ ହୋଇ ଉଠିଥିଲେ । ସମୟ ଅତି ସୀମିତ । ଶ୍ରୀମତୀଙ୍କର କୈଫିୟତ୍‌ ତଲବ ଭୟରେ ସେ ଚାହୁଁଥିଲେ ଶୀଘ୍ର ସବୁ ଶେଷ ହୋଇଯାଉ । ଶଙ୍କର ବାବୁଙ୍କୁ ଲକ୍ଷ୍ୟ କରି ସେ ତେଣୁ ଟିକିଏ ଚଢ଼ା କଣ୍ଠରେ କହିଲେ–

 

—ଆଉ ସମୟ ନଷ୍ଟ କରନ୍ତୁନି ଶଙ୍କର ବାବୁ । ଆପଣଙ୍କର କଥା ଆପଣ ଶୀଘ୍ର ଶେଷ କରନ୍ତୁ । ପ୍ଲିଜ୍‌...

 

ଶଙ୍କର ବାବୁ ସାମାନ୍ୟ ହସି କହିଲେ–

 

–କଥା ଯେତେବେଳେ ଆରମ୍ଭ ହୋଇନି, ଆପଣ ଶେଷର ସ୍ୱପ୍ନ ଦେଖନ୍ତୁନି ବାବୁ । ତେବେ ମନେରଖନ୍ତୁ, ଯେଉଁ ଭଦ୍ରଲୋକ ମୋ ସହିତ କଫି ଖାଉଥିଲେ, ସେଇ ହେଲେ ମୋ ଗଳ୍ପର ନାୟକ ।

 

ଆଶ୍ଚର୍ଯ୍ୟ ହେଲି । ଶଙ୍କର ବାବୁଙ୍କର କଥା କହିବାର ଚାତୁରୀ ବେଶ୍‌ ଉପଭୋଗ୍ୟ । କାହାଣୀ ପରଷିବା ପୂର୍ବରୁ କାହାଣୀର ନାୟକଙ୍କ ସଙ୍ଗେ ପ୍ରଥମେ ସେ ଆମକୁ ପରିଚିତ କରେଇ ଦେଉଛନ୍ତି ।

 

ଶଙ୍କର ବାବୁ ଅଧାପୋଡ଼ା ସିଗାରେଟ୍‌ଟାକୁ ତଳେ ପକେଇ ଦେଇ ଜୋତା ତଳେ ଚାପି ରଖିଲେ । ଗଳାଟାକୁ ସୁଧାରି ନେଇ ସେ ପୁଣି କହିଲେ–

 

–ମୋ ଗଳ୍ପର ନାୟକକୁ ସାଧାରଣ ଲୋକ ବୋଲି ଭାବିଲେ ଆପଣମାନେ ନିଶ୍ଚୟ ଭୁଲ କରିବେ । ଆମ ପରି ପନ୍ଦର କୋଡ଼ିଏ ଜଣ କିରାଣୀ ବର୍ତ୍ତମାନ ତାଙ୍କର କାରଖାନାରେ କାମ କରୁଛନ୍ତି । ବିଦେଶକୁ ମାଲ ରତ୍ପାନୀ ହେଉଚି । ଟ୍ରକ୍‌, କାର୍‌, ଜିପ୍‌ କାରଖାନାର କାମ ପାଇଁ ସବୁବେଳେ ମହଜୁଦ ।

 

ନାଟକ ଲେଖେ ବୋଲି ଚରିତ୍ର ବିଶ୍ଳେଷଣ କରିବା ମୋର ଏକ ସହଜାତ ପ୍ରବୃତ୍ତି । ଶଙ୍କର ବାବୁଙ୍କର କଥା ଶୁଣି ମୁଁ ଭାବିଲି ଭଦ୍ରଲୋକଙ୍କ ପ୍ରତି ଆମର ଧାରଣାକୁ ଉଚ୍ଚ କରିବା ପାଇଁ ନାୟକଙ୍କର ପ୍ରଶସ୍ତି ଗାଇ ଚାଲିଛନ୍ତି ସେ ।

 

ଶଙ୍କର ବାବୁ କହି ଚାଲିଥାନ୍ତି–

 

—କିନ୍ତୁ ଜୀବନର ଆରମ୍ଭରୁ ଭଦ୍ରଲୋକଙ୍କୁ ଲକ୍ଷ୍ମୀ ଠାକୁରାଣୀ କୃପା ଆଖିରେ ଦେଖିନଥିଲେ । ଅତି ସାଧାରଣ ଘର–ତେଲ ଲୁଣର ସଂସାର ଚଳେଇବାକୁ ଆଣ୍ଠେଇ ପଡ଼ୁଥିଲେ । ଘର ଭିତରେ କୌଣସି ରୋଗ ଦେଖାଦେଲେ ଔଷଧ ଅଭାବରେ ହାହାକାର ପଡ଼ି ଯାଉଥିଲା । ଦାରିଦ୍ର୍ୟ ସଙ୍ଗେ ରୀତିମତ ଯୁଦ୍ଧ କରି ମୋ ନାୟକକୁ ଆଗେଇବାକୁ ପଡ଼ିଥିଲା । ପୁଅକୁ ମଣିଷ କରିବାକୁ ତାଙ୍କର ବାପା ମଧ୍ୟ କମ୍‌ କଷ୍ଟ ସହି ନ ଥିଲେ । କାଠ ଗୋଲାରେ କାମ କରି ସେ ସବୁବେଳେ ସ୍ୱପ୍ନ ଦେଖୁଥିଲେ ପୁଅ ତାଙ୍କର ଉଚ୍ଚଶିକ୍ଷିତ ହୋଇ ସମାଜରେ ପ୍ରତିଷ୍ଠିତ ହେବ । ଆଠହାତି ଲୁଗା ବା କରିଆ ଗାମୁଛାରେ ତାଙ୍କର ଦିନ କଟୁଥିଲା ।

 

ଶଙ୍କର ବାବୁ ପୁଣି ଗୋଟାଏ ସିଗାରେଟ୍‌ର ସଦ୍‌ବ୍ୟବହାର କଲେ । କାହାଣୀର ସାମାନ୍ୟ କଥନ ବେଶ୍‌ ଉପଭୋଗ କରୁଥିଲେ ଯୁଗଳ ଭାଇ । ଏକଲୟରେ ସେ ଚାହିଁ ରହିଥାନ୍ତି ତାଙ୍କ ମୁହଁକୁ ।

 

ଦୁଇ ତିନିଥର ସିଗାରେଟ୍‌ର ଆସ୍ୱାଦ ପାଇବା ପରେ ଶଙ୍କର ବାବୁ ଟେବୁଲ ଉପରେ ସାମାନ୍ୟ ଝୁଙ୍କିପଡ଼ି କହିଲେ–

 

–ତେବେ ହଁ, ବାପାଙ୍କର ସ୍ୱପ୍ନ ସଫଳ ହେବା ପାଇଁ ପୁଅ ମଧ୍ୟ ରକ୍ତକୁ ପାଣି ଫଟେଇ ପାଠ ପଢ଼ାରେ ଲାଗି ଯାଇଥିଲେ । ଅଭାବ ମେଣ୍ଟେଇବାକୁ ସେ ନିଜେ ମଧ୍ୟ ଟିଉସନ କରୁଥିଲେ । କଷ୍ଟ କଲେ ତ କୃଷ୍ଣ ମିଳେ । ତେଣୁ ପ୍ରତି ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ପାସ୍ କରୁଥିଲେ । ଡିଗ୍ରୀ ପାଇବାବେଳେ ସେ ଥିଲେ ଇତିହାସର ଛାତ୍ର । ପରିଶ୍ରମର ଲଘୁତା ଦୃଷ୍ଟିରୁ ନୁହେ, ଭାଗ୍ୟର ବିପର୍ଯ୍ୟାୟ ଯୋଗୁଁ ଏମ୍‌. ଏ ରେ ଫାଷ୍ଟ କ୍ଲାସ ସେକେଣ୍ଡ ହୋଇ ତାଙ୍କର ସବୁ ଆଶା ମଉଳି ଯାଇଥିଲା । ମାତ୍ର ଦୁଇ ନମ୍ବର ପାଇଁ ଅନ୍ୟ ଜଣେ ଛାତ୍ର ତାଙ୍କୁ ଟପି ଯାଇଥିଲା । ନାୟକଙ୍କର ବାପା କିନ୍ତୁ ଏ ଦୁଃଖରେ ଭାଙ୍ଗି ପଡ଼ି ନ ଥିଲେ । ପୁଅକୁ ସେ ପ୍ରେରଣା ଦେଲେ ଡକ୍ଟରେଟ୍‌ କରି ଏ ପରାଜୟର କାଳିମା ଲିଭେଇ ଦେବାକୁ । ନିଃସ୍ୱ, ଦରିଦ୍ର ସନ୍ତାନର ଅବିରତ ସାଧନା ହେଲା ସାଫଲ୍ୟର ଏକମାତ୍ର ଦିଗ ।

 

ପିତୃ ଉପଦେଶକୁ ଶିରୋଧାର୍ଯ୍ୟ କରି ଦ୍ୱିଗୁଣ ଉତ୍ସାହରେ ପୁଣି ସାଧନାରେ ଲାଗିପଡ଼ିଲେ ମୋର ନାୟକ ।

 

ଶଙ୍କର ବାବୁ ଏଥର ଚୁପ୍‌–ଉପରର କଡ଼ି ବରଗାକୁ ଚାହିଁ ନୀରବରେ ସେ ତାଙ୍କର ଅଧାପୋଡ଼ା ସିଗାରେଟ୍‌ଟାକୁ ଶେଷ କରିବାରେ ଲାଗିଲେ ।

 

ମୁଁ ଅପେକ୍ଷା କରିଥିଲି ଗଳ୍ପର ଦ୍ୱିତୀୟ ଅଧ୍ୟାୟକୁ । ମାତ୍ର ଯୁଗଳ ଭାଇ ଅତିଷ୍ଠ ହୋଇଉଠିଥିଲେ । ବ୍ୟଗ୍ରତା ପ୍ରକାଶ କରି ସେ କହିଲେ–

 

–ଏତେ ସମୟ ଆପଣ କେବଳ ଆପଣଙ୍କ ନାୟକଙ୍କ କଥାହିଁ କହି ଚାଲିଛନ୍ତି । କିନ୍ତୁ ନାୟିକା ନ ଥିଲେ ନାୟକର କୌଣସି ମୂଲ୍ୟ ନାହିଁ ଆମ ପାଖରେ । ନାୟିକାହୀନ ନାୟକକୁ କିଏ କ’ଣ କେବେ ସ୍ନେହ ଚକ୍ଷୁରେ ଦେଖେ ?

 

ଶଙ୍କର ବାବୁ ମୁରୁକିହସା ଦେଲେ । ହସି ହସି ସେ କହିଲେ–ଆପଣ ତ ବେଶ ରସିକ ଶ୍ରେଣୀର ଲୋକ ଯୁଗଳ ବାବୁ । ନାୟିକାହୀନ ନାୟକ ! ଉପାଧିଟା ତ ବେଶ୍‌ ମନେରଖିବା ଭଳି । ତେବେ ସେ ନାୟିକା ପାଇଁ ତ ମୋର କାହାଣୀଟା ଏତେ ଚିତ୍ତାକର୍ଷକ ହୋଇ ପାରିବ । ମୁଁ ଏବେ ସେ ନାୟିକା କଥାହିଁ କହିବି । ଆପଣ ଧୈର୍ଯ୍ୟ ଧରନ୍ତୁ ।

 

ସିଗାରେଟ୍‌ର ଶେଷ ଆସ୍ୱାଦ ପାଇ ସାରିଲା ପରେ ଶଙ୍କର ବାବୁ ଅତି ସ୍ୱାଭାବିକ କଣ୍ଠରେ ପ୍ରଶ୍ନ କଲେ–ଆଚ୍ଛା, ଆପଣମାନେ ଜ୍ୟୋତିଷ ଶାସ୍ତ୍ର ବିଶ୍ୱାସ କରନ୍ତି । ଯଦି ବିଶ୍ୱାସ କରନ୍ତି ତା’ହେଲେ କାହାଣୀଟା ପୂରାପୂରି କହିବି । ତା’ ନ ହେଲେ କଥା କୁହା ଏତିକିରେ ଥାଉ ।

 

ଏଭଳି ପ୍ରଶ୍ନ କରିବାର କାରଣ ଆମେ ହଠାତ୍‌ ଠଉରେଇ ପାରିଲୁ ନାହିଁ । ତେବେ ଶଙ୍କର ବାବୁଙ୍କୁ ଉତ୍ସାହ ଦେବା ସକାଶେ ମୁଁ କହିଲି–ଜ୍ୟୋତିଷ ଶାସ୍ତ୍ରକୁ କିଏ ଅସ୍ୱୀକାର କରିବ ଅବା–ସେ ଶାସ୍ତ୍ର ଉପରେ ମୋର ଅଗାଧ ବିଶ୍ୱାସ । ରାଶିଚକ୍ରରେ ଗଣନା ମୁଁ ପ୍ରତି ମାସରେ କରାଏ-

 

–ସେଇ ଗଣନା ମହାପାତ୍ର ବାବୁ...ଗଳାରେ ଜୋର ଦେଇ କଥା ଆରମ୍ଭ କଲେ ଶଙ୍କର ବାବୁ । ...ଜ୍ୟୋତିଷଙ୍କ ଖଡ଼ିପାଠ ଏକାବେଳକେ ମିଳିଗଲା । ଗୋଟିଏ ବର୍ଷ ପରେ ମୋର ନାୟକ ପି. ଏଚ. ଡି. ପାଇ ଧନ୍ୟ ଧନ୍ୟ ହେଲେ–ବିଶ୍ୱବିଦ୍ୟାଳୟରୁ ସଙ୍ଗେ ସଙ୍ଗେ ଡାକରା ଆସିଲା–ମୋଟା ଦରମା–ଉଚ୍ଚ ସମ୍ମାନ ସବୁ ଏକାସଙ୍ଗେ ଅଜାଡ଼ି ହୋଇଗଲା ।

 

ପୁଅର ଗୌରବରେ ବାପାଙ୍କର ଆନନ୍ଦ ଆଉ ଦେଖେ କିଏ ? ତାଙ୍କର କେତେ ଦିନର ସ୍ୱପ୍ନ ସଫଳ ହୋଇଚି ? କେତେ ଦିନର ଆଶା ଆଜି ରୂପ ପାଇଚି ? ରାସ୍ତାଘାଟରେ ଏ ସୁସମ୍ବାଦଟା ସେ ନିଜଆଡ଼ୁ ବଖାଣି ବସିଲେ ।

 

ପୁଅର ସୁଖ୍ୟାତି ବାପ ତୁଣ୍ଡରେ–ସ୍ୱାଭାବିକ ନୁହେଁ କି ଅସ୍ୱାଭାବିକ ନୁହେଁ ।

 

ନାୟକଙ୍କ ପାଇଁ ଏଥର କନ୍ୟା ଖୋଜା ଚାଲିଲା । ସୁନ୍ଦରୀ... ସ୍ୱାସ୍ଥ୍ୟବତୀ, ଶିକ୍ଷିତା–ଏଇ ତିନୋଟି ସହିତ ବଡ଼ ଧରଣର ଯୌତୁକ । ପ୍ରସ୍ତାବ କେତେ ଆଡ଼ୁ ଆସିଲା–ଭାଙ୍ଗିଲା । ସବୁ ଦାବୀ ପୂରଣ କରି ପାରୁଥିବା କନ୍ୟାପକ୍ଷ ସେମିତି ଜଣେ ନାୟିକାଙ୍କର ସନ୍ଧାନ ମିଳିଲା ।

 

ଧନୀର ଦୁଲାଳୀ–ବେକରେ ବି.ଏ. ଡିଗ୍ରୀଟା ମଧ୍ୟ ଝୁଲୁଚି–ରୂପଲାବଣ୍ୟର ପଟାନ୍ତର ନାହିଁ–ଅପୂର୍ବ ଯୋଗାଯୋଗ ।

ଖୁବ୍‌ ଅଳ୍ପଦିନ ଭିତରେ ଶୁଭ ଶଙ୍ଖ ବାଜି ଉଠିଲା–ନାୟକଙ୍କ ପାଖକୁ ନାୟିକା ଆସିଲେ–ବାଜା ରୋଷଣୀରେ ସାଇ ଦୋସାଇ ଦୁଲ୍‌ ଦୁଲ୍‌ କମ୍ପି ଉଠିଲା ।...

 

ଶଙ୍କର ବାବୁ ହଠାତ୍‌ କଥା ବନ୍ଦ କରି ହାଇ ମାରିଲେ । ଲକ୍ଷ୍ୟ କଲି ଅନେକବେଳୁ ତାଙ୍କର ସିଗାରେଟ୍‌ ସରିଯାଇଚି, ଦିନଯାକ ଏମିତି କଥା କହି କହି ହୁଏତ ତାଙ୍କର କ୍ଳାନ୍ତି ବଢ଼ିଯାଉଚି-। ସିଗାରେଟ୍‌ ପ୍ୟାକେଟ୍‌ଟା ତେଣୁ ତାଙ୍କର ଆଗକୁ ଟାଣିଆଣି ମୁଁ କହିଲି–ଆଉ ଖଣ୍ଡେ ସିଗାରେଟ୍‌ ଖାଇ ଆପଣଙ୍କ କାହାଣୀର ଗତିଟା ସାମାନ୍ୟ ବଢେଇ ଦିଅନ୍ତୁ । ତା’ ନ ହେଲେ ଘରକୁ ଫେରିଲେ ଆଜି କୁରୁକ୍ଷେତ୍ର ସୃଷ୍ଟି ହେବା ନିଶ୍ଚିତ ।

 

ସିଗାରେଟ୍‌ ଧୂଆଁ ଛାଡ଼ି ହସି ହସି ଶଙ୍କର ବାବୁ କହିଲେ—

 

—ଶୀଘ୍ର ଶୀଘ୍ର କହିଲେ ଗଳ୍ପର ଗତି କ’ଣ ବଢ଼ିଯାଏ ମହାପାତ୍ର ବାବୁ ? ବୈଚିତ୍ରମୟ ରହିଥିଲେ କାହାଣୀର ଗତି ଆପେ ଆପେ ବଢ଼ିଯାଏ । ଆପଣ ତ ନାଟକ ସୃଷ୍ଟି କରନ୍ତି–ଆପଣଙ୍କୁ ଆଉ ବେଶି କ’ଣ କହିବି ?

 

ଯୁଗଳ ଭାଇଙ୍କର ବ୍ୟସ୍ତତା ପୂର୍ବପରି ଥାଏ । ସେ ତେଣୁ ଶଙ୍କର ବାବୁଙ୍କୁ ପୁଣି ଥରେ ଅନୁରୋଧ କଲେ କାହାଣୀ ଶୀଘ୍ର ଶେଷ କରିବାକୁ ।

 

ଫଳ କିଞ୍ଚିତ୍‌ ମିଳିଲା । ଶଙ୍କର ବାବୁ ସିଗାରେଟ୍‌ଟା ପ୍ରାୟ ଅଧାଅଧି ପୋଡ଼ିଦେଇ ଅତି ହାଲକା ଭାବରେ କହିଲେ–

 

—ହଁ, ନାୟକଙ୍କର ବାହାଘର କଥା କହୁଥିଲି, କୁବେର କନ୍ୟାଙ୍କ ସହିତ ହାତଗଣ୍ଠି ପଡ଼ିଗଲା ପରେ ଆମର ନାୟକ ଆନନ୍ଦ ଉଚ୍ଛ୍ୱାସରେ ଭାସି ଉଠିଲେ । ସବୁ ଦିଗରୁ ନାୟିକା ତ ପସନ୍ଦଯୋଗ୍ୟ–ଖୁସିରେ ଆତ୍ମହରା ନ ହେବେ ବା କାହିଁକି ? ନବବଧୂର ଅଞ୍ଚଳ ତଳେ ସାରା ଜୀବନ ବଞ୍ଚିରହିଲେ ସେ ଭାବିଲେ ତାଙ୍କର ଜୀବନ ଧନ୍ୟ ହେବ । ମଧୁଶଯ୍ୟା ରାତ୍ରି ଜୀବନରେ ଏକ ଚରମ ମୁହୂର୍ତ୍ତ । ଦୁଇଟି ଅପରିଚିତ ପ୍ରାଣ ନିକଟରୁ ନିକଟତର ହେବେ–ନିଥର ରାତ୍ରିରେ ଏକ ଅପୂର୍ବ ରୋମାଞ୍ଚ ଜାତ ହେବାର କଥା ।

 

କିନ୍ତୁ ଆମର ନାୟକଙ୍କର ଜୀବନରେ ଘଟଣାର ଗତି ଭିନ୍ନ ରୂପ ଧରିଲା । ଏଥିପାଇଁ କିଏ ଦାୟୀ, କାହାର ଦୋଷ ପାଇଁ ସେଦିନର ସେଇ ମଧୁରାତ୍ରିଟି ଏପରି ବିଷମୟ ହୋଇ ଉଠିଲା, ସେ ବିଚାର ଆପଣମାନେ କରିବେ । ତେବେ ମୁଁ କହିବି, ଡକ୍ଟରେଟ୍‌ ଉପାଧିରେ ଭୂଷିତ ହୋଇଥିବା ଶିକ୍ଷିତ ଯୁବକ ନାୟିକାଙ୍କ ନିକଟରେ ସାମାନ୍ୟ ଗାମ୍ଭୀର୍ଯ୍ୟ ରକ୍ଷା କରିଥିଲେ ଉଭୟେ ଲାଭବାନ ହୋଇଥାନ୍ତେ ।

 

ଯୁଗଳ ଭାଇଙ୍କର ବୋଧହୁଏ ଧୈର୍ଯ୍ୟଚ୍ୟୁତି ଘଟୁଥିଲା । ବାଧା ଦେଇ ସେ ତେଣୁ ପ୍ରତିବାଦ କଣ୍ଠରେ କହିଲେ–ଆପଣ ସମାଲୋଚନା ବନ୍ଦ କରନ୍ତୁ ଶଙ୍କର ବାବୁ । ନବବିବାହିତ ସ୍ତ୍ରୀ ପୁରୁଷଙ୍କର ଆଦ୍ୟ ରାତ୍ରିରେ ଏମିତି ପ୍ରାୟ ହୋଇଥାଏ । ଆପଣ ଖାଲି ଘଟଣା ପ୍ରବାହକୁ ଠକେ ଠକେ କହିଯାନ୍ତୁ ।

 

ଶଙ୍କର ବାବୁ ପୁଣି ଆରମ୍ଭ କଲେ—

 

—ଡକ୍ଟରେଟ୍‌ ପାଇଲେ ମଧ୍ୟ ନାୟକଙ୍କ ଜୀବନ ତ ସାଧାରଣ ଘରୁ ଆରମ୍ଭ ହୋଇଚି । ତେଣୁ ଆଦାନ୍‌ କାଏଦା ଶିଖିବାର ସେ ସୁଯୋଗ ବା ସମୟ ପାଇ ନ ଥିଲେ ।

 

କୁବେର କନ୍ୟାଙ୍କୁ ନିଭୃତରେ ପାଇବା ସଙ୍ଗେ ସଙ୍ଗେ ଆମ ନାୟକ ତାଙ୍କୁ କୋଳାଗ୍ରତ କରି ଅତି ଆଦର କଣ୍ଠରେ ପ୍ରଶ୍ନ କଲେ–କ’ଣ ତୁମର ନା କହିଲ ?

 

ସହରର ନାମଜାଦା ବାରିଷ୍ଟର ସାହେବଙ୍କର ଝିଅ ଏ ଧରଣର ଗାଁଉଲୀ ପ୍ରଶ୍ନରେ ଚିହିଁକି ଉଠିଲେ । ପାଶ୍ଚାତ୍ୟ ସଭ୍ୟତାର ସେ ହେଲେ ପ୍ରଧାନ ଭକ୍ତ । ସ୍ୱାମୀର ଆଲିଙ୍ଗନକୁ ସେ ତେଣୁ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ନ ଥିଲେ ।

 

ଆଲିଙ୍ଗନରୁ ନିଜକୁ ମୁକ୍ତ କରି ସେ ଅତି ବିଦ୍ରୁପ କଣ୍ଠରେ କହିଲେ–ହାଉ ସିଲି ।

 

ନାୟିକାଙ୍କର ପ୍ରଥମ ସମ୍ଭାଷଣରେ ନାୟକଙ୍କର ଦୁଃଖ ଓ ଆଶ୍ଚର୍ଯ୍ୟର ସୀମା ବଳିଗଲା । କାହାଠୁ ସେ କି ଧରଣର ମନ୍ତବ୍ୟ ଶୁଣୁଚନ୍ତି ? ପ୍ରଥମ ମିଳନରେ ସ୍ତ୍ରୀ କ’ଣ ଏଇ ପୁରସ୍କାର ଦିଏ-??

 

ପରିସ୍ଥିତିକୁ ସୁଧାରିନେବାକୁ ନାୟକ ଆଉ ବାଟ ଖୋଜି ପାଇଲେ ନାହିଁ । ଅତି ମୁଲାଏମ ଗଳାରେ ସେ କହିବାକୁ ବାଧ୍ୟ ହେଲେ–

 

–ମୋ ଉପରେ ରାଗିଲ ବୋଧହୁଏ । ଶୁଭରାତ୍ରିରେ ଆମ ଦୁହିଁଙ୍କୁ ଭିତରେ ଆଳାପ ତ ହେବାର କଥା । ତେଣୁ ପାଞ୍ଚଜଣଙ୍କ ପରି କଥା ଆରମ୍ଭ କରିଥିଲି ।

 

ଏ କଥାରେ ଆହୁରି ରାଗି ଉଠିଲେ ନାୟିକା । କଠୋର କଣ୍ଠରେ ସେ କହିଲେ–ପାଞ୍ଚଜଣଙ୍କ ପରି ନିଜକୁ ଭାବିଲେ ଆମଠାରୁ ଦୂରେଇ ଯିବାର କଥା । ଏତେ ସାଧାରଣ ସ୍ତରର ଲୋକ ବୋଲି ଜାଣିଥିଲେ କେବଳ ଉଚ୍ଚ ଡିଗ୍ରୀର ମୋହରେ ବାପା ମତେ ଏ ଘରକୁ ପଠେଇ ନ ଥାନ୍ତେ । ଆମ ସୋସାଇଟିରେ ଏ ସବୁ ହେଲା ଅସଭ୍ୟତା । ତୁମେ କ’ଣ ଆମ ସୋସାଇଟିରେ କେବେ ମିଳାମିଶା କରିନାହଁ ?

 

ନବବିବାହିତ ସ୍ୱାମୀ ପ୍ରତି ଶିକ୍ଷିତା ସ୍ତ୍ରୀଙ୍କର ଏଭଳି କଟୁକ୍ତି ଓ ନିର୍ଲ୍ଲଜ ପ୍ରଶ୍ନ ଆପଣମାନେ କେବେ ଶୁଣିଥିଲେ ? ତେବେ ପ୍ରକୃତ ସଭ୍ୟତାର ମାପକାଠି କେଉଁଠି, କୁହନ୍ତୁ ।

 

ନାୟକଙ୍କର ଆତ୍ମସମ୍ମାନ ଉପରେ ପ୍ରବଳ ଆଞ୍ଚ ଆସିଲା । ତଥାପି ପ୍ରଥମ ଆଳାପ ଓ ମଧୁଶଯ୍ୟା ରାତ୍ରିରେ ଅପ୍ରୀତିକର ଯୁକ୍ତିତର୍କ କରିବାକୁ ତାଙ୍କର ବିବେକ ତାଙ୍କୁ ବାରଣ କଲା । ନିଜକୁ ଯଥାସମ୍ଭବ ଆୟତ୍ତରେ ରଖି ସେ କହିଲେ–ତୁମ ସୋସାଇଟିରେ ନିଜକୁ ସାମିଲ କରିବାର ସୁଯୋଗ ମୁଁ ଆଗରୁ କେବେ ପାଇନାହିଁ । କେବଳ ପାଠପଢ଼ା ଭିତରେ ମୁଁ ଆଜି ପର୍ଯ୍ୟନ୍ତ ନିଜକୁ ହଜେଇ ଦେଇଥିଲି । ଅନ୍ୟ ଧରଣର ସୁଖ–ସମ୍ଭୋଗରେ ମାତିଥିଲେ ମୁଁ ହୁଏତ ଏ ସ୍ତରକୁ ଆସି ପାରି ନ ଥାନ୍ତି ।

 

ଏ କଥାରେ ନାୟିକା ଆହୁରି ତାତି ଉଠିଲେ । ତାଙ୍କ ଆଖିର ନାଲ ଅଂଶ ଆହୁରି ବଢ଼ିଗଲା । ଉତ୍ତେଜିତ ଅବସ୍ଥାରେ ସେ କହିଲେ–କ’ଣ ତୁମେ କରିବାକୁ ଚାହଁ ? ଆମ ସୋସାଇଟିରେ କ’ଣ ଡିଗ୍ରୀର ଅଭାବ ଅଛି ? ତୁମଠାରୁ ଆହୁରି ଉଚ୍ଚ ? ଡିଗ୍ରୀଧାରୀ ଯୁବକ ଆମ ସୋସାଇଟିରେ ପଣପଣ ବୁଲୁଛନ୍ତି । ପାଠପଢ଼ାର ନିଜର ମତେ ଦେଖେଇବାର ସାହସ କରନି ।

 

ନାୟକଙ୍କର ସାହସ କିନ୍ତୁ କମିଲା ନାହିଁ । ସାମାନ୍ୟ ଚଢ଼ା ଗଳାରେ ସେ ଏଥର କହିଲେ–ଅଧ୍ୟୟନର ସଫଳତା ମୋର ଯାହା ଅଛି, ତା’ ତୁମର ନାହିଁ । ତୁମ ସୋସାଇଟିର ପ୍ରଲୋଭନ କେବଳ ତୁମପାଇଁ ଥାଇପାରେ–ତାକୁ ପରଖ କରିବାକୁ ମୋର ଆଗ୍ରହ କିନ୍ତୁ ବିନ୍ଦୁଏ ମାତ୍ର ନାହିଁ ।

 

ଏହାପରେ ନାୟିକାଙ୍କର ଗମ୍ଭୀର କଣ୍ଠରୁ ଶୁଣାଗଲା—ଆଗ୍ରହ ଯେବେ ନାହିଁ ତେବେ ମତେ ବିବାହ କରୁଥିଲ କାହିଁକି ? ମୋର କୁମାରୀ ଜୀବନକୁ ଜାଳିପୋଡ଼ି ମାଟିରେ ମିଶେଇ ଦେବାକୁ ତୁମେ କ’ଣ ଚକ୍ରାନ୍ତ କରି ମତେ ଏଠାକୁ ଆଣିଚ ??

 

—‘‘ଶିଶିରା’’ !! ଚମକି ଉଠିଲେ ଆମର ନାୟକ । ଗୋଟାଏ ଅଜଣା ଆଶଙ୍କା ଓ ଭୟରେ ତାଙ୍କର ମୁହଁର ରଙ୍ଗ ଏକାବେଳକେ ବଦଳିଗଲା । ଓଜନିଆ କଣ୍ଠରେ ସେ କହିବାକୁ ବାଧ୍ୟ ହେଲେ–

 

ଏ ସବୁ ତୁମେ କ’ଣ କହୁଚ ଶିଶିରା ? ଆମ ଦୁହିଁଙ୍କ ଜୀବନରେ ଆଜିର ଶୁଭଲଗ୍ନ ଆଉ କେବେ ଆସିବ ନାହିଁ । ଆଜିଭଳି ଏକ ସ୍ମୁତିବିଜଡ଼ିତ ଦିନଟିକୁ ତୁମେ ନଷ୍ଟ କରିବାକୁ ଯାଉଛ କାହିଁକି-? ମତେ ବିଶ୍ୱାସ କର ଶିଶିରା । ତୁମ ପ୍ରତି ବା ତୁମର ସୋସାଇଟି ପ୍ରତି ମୋର କୌଣସି ବିଦ୍ୱେଷ ଭାବ ନାହିଁ । ଚାହିଁ ଦେଖ ଶିଶିରା, ମୋ ଆଡ଼କୁ ଥରେ ନଜର ପକାଇ ମତେ ବୁଝିବାକୁ ଚେଷ୍ଟାକର-। ଚିରଦିନ ମୁଁ ପାଠପଢ଼ାକୁ ଭଲ ପାଇ ଆସିଚି । ସେଇ ଅଧ୍ୟୟନ ଭିତରେ ମୁଁ ତୁମକୁ ପାଖକୁ ଟାଣିଆଣି ପାରିବି ।

 

—ବାଃ, ବେଶ୍‌ ନାଟକୀୟ ଢଙ୍ଗରେ କଥା କହି ଶିଖିଚ ତ ? ନାୟିକା ସୁନ୍ଦରୀଙ୍କର ଓଠରେ ହଠାତ୍‌ ହସର ଫୁଆରା ଦେଖାଗଲା । ନାୟକ ଆମର ଏଇ ସୁଯୋଗ ଅପେକ୍ଷାରେ ଥିଲେ-। ହାତ ବଢ଼େଇ ସେ ଶିଶିରା ଦେବୀକୁ ପାଖକୁ ଟାଣିନେଲେ ।

 

ଏତିକି କହି ଶଙ୍କର ବାବୁ ରେଷ୍ଟୁରାଣ୍ଟର ଚାରି ଦିଗକୁ ଆଖି ବୁଲାଇଲେ । ଗଳ୍ପ ଶୁଣିବାର ଆଗ୍ରହ ଆମର କିନ୍ତୁ ବେଳକୁ ବେଳ ବଢ଼ୁଥିଲା । ଯୁଗଳ ଭାଇ କହିଲେ–ମଝିରେ ମଝିରେ ଆପଣ ଅଟକି ଯାଉଛନ୍ତି କାହିଁକି ଶଙ୍କର ବାବୁ ? ଏ କାହାଣୀର ବେଗାବେଗି ଯବନିକା ଟାଣନ୍ତୁ ।

 

ଶଙ୍କର ବାବୁ ତଥାପି ନୀରବ । ତାଙ୍କର ଖୋଜିଲା ଖୋଜିଲା ଆଖି ଦୁଇଟାକୁ ଚାହିଁ ମୁଁ ବେଶ୍‌ ଅନୁମାନ କରି ପାରିଲି ଯେ, ଶଙ୍କର ବାବୁଙ୍କର ବର୍ତ୍ତମାନ କିଛି ପାନୀୟ ଦରକାର । ରେଷ୍ଟୁରାଣ୍ଟର ବଏ ନକୁଳ ପାଖରେ ନଥିଲା । ବାଧ୍ୟ ହୋଇ ମତେ ତା’ ପାଖକୁ ଯାଇ ତିନି କପ୍‌ ଚା’ ବରାଦ କରିବାକୁ ପଡ଼ିଲା ।

 

ଠିକ୍‌ ସମୟରେ ଚା’ ଆସିଲା–ତିନିହେଁ ତାକୁ ବିନା କଥାରେ ଶେଷ କରିନେଲୁ ।

 

ଶଙ୍କର ବାବୁ ପୁଣି ତାଜା ହୋଇ ଉଠିଲେ । ଗଳାକୁ ଥରେ ଝାଡ଼ି ଦେଇ ସେ ପୁଣି କଥା ଆରମ୍ଭ କଲେ–ହଁ, ଶୁଣନ୍ତୁ । ମଧୁର ରାତ୍ରିଟାରେ ନାୟିକାଙ୍କ ନିକଟରେ ନିଜେ ଆତ୍ମସମର୍ପଣ କରି କୌଣସିମତେ ସମ୍ଭାଳି ନେଲେ ଆମର ନାୟକ । କିନ୍ତୁ ପ୍ରଥମ ଆଳାପରୁ ଯେଉଁ ବିସ୍ପୋରଣ ଘଟିଥିଲା, ସେ କ’ଣ ଏତେ ସହଜରେ ଲିଭି ଯାଇପାରେ ? ସ୍ୱାମୀ ସ୍ତ୍ରୀଙ୍କର ଟିକିଏ ଟିକିଏ କଥାରେ ତର୍କର ସୁଅ ଛୁଟେ । ଦିନେ ତାହା ଚରମକୁ ଉଠିଲା–

 

ଆଗରୁ ତ କହିଚି ଆମର ନାୟକ ହେଲେ ମଧ୍ୟବିତ୍ତ ପରିବାରର ଲୋକ । ପୁଝାରୀ, ଚାକର ରଖି ଘର କାମ କରିବାର ଅଭ୍ୟାସ ବା ବାହାଦୂରୀ ତାଙ୍କର ନ ଥିଲା । ନିଜ ଘରର କାମ ନିଜ ହାତରେ କରିବା ତାଙ୍କ ଘରର ସୁସ୍ଥ ପରଂପରା–

 

ବୋହୂ ଆସିଲା ପରେ ଶାଶୁ, ଶଶୁର ମଧ୍ୟ ନିଶ୍ଚିନ୍ତ ହେଲେ । ଘରର କାମ ବିଶେଷକରି ରୋଷେଇ ଘରର ଜଞ୍ଜାଳ ଆଉ ତାଙ୍କୁ ଭାବିବାକୁ ପଡ଼ିବ ନାହିଁ ।

 

ହାୟ, ହାୟ—ବାରିଷ୍ଟର ସାହେବଙ୍କର ଝିଅ । ବବୁର୍ଚ୍ଚି ରନ୍ଧା ପିଲାଟି ଦିନରୁ ଖାଇବାର ଅଭ୍ୟାସ ଥିଲା । ରୋଷେଇ ତ ଦୂରର କଥା, ରୋଷେଇ ଘର ଦେଖିବା ହୁଏତ ତାଙ୍କର ବିଲାତି ସଭ୍ୟତାର ପରିପନ୍ଥୀ । କିନ୍ତୁ ଆମ ଗାଉଁଲୀ ଢଙ୍ଗରେ ଅଛ...ଯେ’ ଦେଶେ ଯାଇ, ସେ ଫଳ ଖାଇ । ଗରୀବ ଘରକୁ ବୋହୂ ହୋଇ ଆସିଲା ପରେ ପ୍ରାକ୍‌ପ୍ରଣାଳୀ ଶିଖିବାରେ ତାଙ୍କରି କିଛି ବାଧା ନ ଥିଲା । ଗୁରୁଜନ ତଥା ନିଜର ସ୍ୱାମୀର ସେବା ହେଲା ତ ନବବଧୂର ଧର୍ମ ଆଉ ମୁଖ୍ୟ କର୍ମ ।

 

ଶିଶିରା ଦେବୀ କିନ୍ତୁ ଭିନ୍ନ ଧାତୁରେ ତିଆରି । ରନ୍ଧା ବିଷୟ ଘେନି ତାଙ୍କର ପ୍ରଥମେ ପୂଜନୀୟା । ଶାଶୁଙ୍କ ସଙ୍ଗେ କନ୍ଦଳ ଆରମ୍ଭ ହେଲା । ସେ କନ୍ଦଳର ଶୀକାର ଶେଷକୁ ଆମର ନାୟକ ମଧ୍ୟ ହେଲେ । ରାଜକର୍ମ ଶେଷକରି ଘରକୁ ଫେରିବା ପରେ ଗୋଟାଏ ମୁହୂର୍ତ୍ତ ବି ସେ ଶାନ୍ତିରେ କଟେଇ ପାରନ୍ତି ନାହିଁ । ସ୍ତ୍ରୀଙ୍କର ଗୁଞ୍ଚାମରା କଥାରେ ରାତିରେ ସେ ଶୋଇ ମଧ୍ୟ ପାରିଲେ ନାହିଁ ।

 

ଶିଶିରା ସ୍ୱଭାବରେ ବଜ୍ର ପରି କଠିଣ । ତାଙ୍କର ଉଗ୍ର ପ୍ରକୃତି ଯୋଗୁଁ ସେ ମୁହେଁ ମୁହେଁ ଜବାବ ଦିଅନ୍ତି । କାଉଁରିଆ କାଠି, ଭାଙ୍ଗିବେ ସିନା ନଇଁବେ ନାହିଁ ।

 

ମୁହଁ ଛିଞ୍ଚାଡ଼ି ଦିନେ ସେ ସ୍ୱାମୀଙ୍କୁ ଭର୍ତ୍ସନା ଗଳାରେ କହିଲେ–ମତେ ତୁମେ କ’ଣ ବୋଲି ମନେ କରିଛ ? ଏ ଘରକୁ ମୁଁ କ’ଣ ପୋଇଲୀ ପରିବାରୀ ହୋଇ ଆସିଚି ? ପକେଟ୍‌ ଜୋର ଥିଲେ ରନ୍ଧା କାମ ପାଇଁ ପୁଝାରୀ ରଖ, ନତୁବା ଉପବାସରେ ରୁହ । ମୋ ବାପା ମତେ ତୁମ ଘରକୁ ବବୁର୍ଚ୍ଚି କାମ ତୁଲେଇବାକୁ ପଠେଇ ନାହାନ୍ତି । କାହିଁକି ଏ ଶାସ୍ତି ମତେ ଦେଉଛ ? କି ଦୋଷ ମୁଁ ତୁମ୍ଭମାନଙ୍କର କରିଛି ?

 

...ଶିଶିରାଙ୍କ ଆଖିରେ ନିଆଁର ଝୁଲ ।

 

ନାୟକ ଆମର ବଡ଼ ଦୋଛକିରେ ପଡ଼ିଲେ । ଗୋଟାଏ ଦିଗରେ ବାପା, ମାଆ–ଅନ୍ୟ ଦିଗରେ ଅର୍ଦ୍ଧାଙ୍ଗିନୀ । କାହାକୁ ସେ କ’ଣ କହବେ ? ଶ୍ୟାମକୁ ରଖିବି ନା କୁଳ ମହତକୁ ରଖିବି...ଏଇ ଜଟିଳ ସମସ୍ୟା । ଏଇ ସମସ୍ୟା ଭିତରେ ଦିନ ଗଡ଼ିବାରେ ଲାଗିଲା ।

 

ଗୋଟାଏ ବର୍ଷ ପୂରିଗଲା ଯୁଗଳ ବାବୁ, ପୂର୍ଣ୍ଣ ତିନିଶହ ଷାଠିଏ ଦିନ ରକେଟ୍‌ ଗତିରେ ବିତିଗଲା । ଦିନ ପରେ ମାସ, ମାସ ପରେ ବର୍ଷ ।

 

ହଠାତ୍‌ ହୋ ହୋ କରି ହସି ଉଠିଲେ ଶଙ୍କର ବାବୁ । ମଝିରେ ମଝିରେ ସିଗାରେଟ୍‌ ଖାଉଥାନ୍ତି–ତଥାପି ତାଙ୍କର ସେ ହସର ବିରାମ ନାହିଁ ।

 

ଆପଣ କାହିଁକି ହସୁଛନ୍ତି ବୋଲି ମୁଁ ତାଙ୍କୁ ପ୍ରଶ୍ନ କରିବାରୁ ସେଇ ହସ ଭିତରେ ସେ ମତେ ଉତ୍ତର ଦେଲେ—

 

—କାରଣ ନ ଥାଇ ମୁଁ କେବେ ହସେ ନାହିଁ ମହାପାତ୍ର ବାବୁ । ଆପଣ ତ ଲେଖକ–ଆପଣଙ୍କର ଅନେକ ପ୍ରେମମୂଳକ ଲେଖା ମୁଁ ପଢ଼ିଚି । ଆପଣ ମତେ ବୁଝେଇ ଦିଅନ୍ତୁ...ପ୍ରେମ ଆଉ ଭଲ ପାଇବାଠାରୁ ଅଧିକ ଶକ୍ତିଶାଳୀ, ତୀବ୍ର ବସ୍ତୁ ଏ ଦୁନିଆରେ ଆଉ କ’ଣ ଅଛି ?

 

ପ୍ରଶ୍ନଟା ମୁଁ ଠିକ୍‌ ବୁଝି ପାରିଲି ନାହିଁ । ମୁଁ ବଲବଲ କରି ଚାହିଁ ରହିଲି ଶଙ୍କର ବାବୁଙ୍କ ମୁହଁକୁ । ଶଙ୍କର ବାବୁ କି ଉତ୍ତର ଚାହାଁନ୍ତି ମୋ ପାଖରୁ ?

 

ମୋର ଅକ୍ଷମତା ଜାଣିପାରି ଶଙ୍କର ବାବୁ ପୁଣି ମୁହଁ ଖୋଲିଲେ—

 

—ଦେଖନ୍ତୁ, ଆପଣମାନେ ମୋ ସହିତ ନିଶ୍ଚୟ ଏକମତ ହେବେ ଯେ, ପ୍ରେମ ହେଉ କି ଭଲ ପାଇବା ହେଉ, ନାରୀ–ପୁରୁଷର ଆଦିମ ସମ୍ପର୍କ ସହିତ ଟକ୍‌କର ଦେଇ କେହି ଆଗକୁ ଟପି ଯାଇ ପାରିବେ ନାହିଁ । ଅଶାନ୍ତି, କନ୍ଦଳ, ଲାଗିଥିବ–ମୁହଁ ଫୁଲାଫୁଲି ରୋଜ ଦେଖିବାକୁ ମିଳୁଥିବ–ସବୁ ଘଟଣ ଅଘଟଣ ଭିତରେ ଘର–ସଂସାରର ଫଳ ନିଶ୍ଚୟ ମିଳେ ।

 

ସେଇ ଫଳ ମିଳିଲା । ଦଶ ମାସ ଦଶ ଦିନର ହିସାବ ଟିକିଏ ହେଲେ ଭୁଲ ହେଲା ନାହିଁ-। ଶିଶିରାଙ୍କର କୋଳ ପୂର୍ଣ୍ଣ କରି ଭୁମିଷ୍ଟ ହେଲା ପୁତ୍ର ସନ୍ତାନ । ବଧୂ ହେଲେ ମାତା...

 

ଶଙ୍କର ବାବୁ ପୁଣି ତାନେ ହସିଲେ । ଆମେ ଦୁଇଜଣ ଶ୍ରୋତା ଇଚ୍ଛା ନ ଥିଲେ ମଧ୍ୟ ସେ ହସରେ ଯୋଗ ଦେବାକୁ ବାଧ୍ୟ ହେଲୁ । କାଲିର ରୁପବତୀ ନାୟିକା ଆଜି ପୁତ୍ରବତୀ–ମନର ଅମେଳ ଭିତରେ–ହୃଦୟର ପାର୍ଥକ୍ୟ ଭିତରେ ଏଇ ଆଦିମ ସମ୍ପର୍କହିଁ ଚିରନ୍ତନ–ସନାତନ ।

ଶଙ୍କର ବାବୁ କଥାର ଖିଅ ପୁଣି ଯୋଡ଼ିଲେ–

...ନୂତନ ଅତିଥି ଆସିବା ପରେ ପୁଣି ଦୁଇ ତିନିବର୍ଷ କଟିଗଲା । ସେଇ ଏକାରକମର ଦାମ୍ପତ୍ୟ କଳହ । ଆମର ନାୟକ ବା ଅନ୍ୟ ପରିଚୟ ଦେଲେ ଅଧ୍ୟାପକ ମହାଶୟଙ୍କର ଦିନକୁ ଦିନ ଶଙ୍କାକୁଳ ହୋଇ ଉଠିଲେ । ଅଙ୍କ ଲକ୍ଷ୍ମୀଙ୍କ ମୁହଁ ଉପରେ ସବୁବେଳେ ଖଣ୍ଡେ କଳାମେଘ । ହାୟରେ ଅଦୃଷ୍ଟ !

ଯୁଗଳ ଭାଇ ଏଇଠି ବାଧା ଦେଇ କହିଲେ–

—କାହାଣୀକୁ ଅଦୃଷ୍ଟ ଆଡ଼କୁ କାହିଁକି ଟାଣୁଛନ୍ତି ? ଯାହା ଦୃଷ୍ଟ, ଆପଣ ସେଇ କଥାହିଁ କୁହନ୍ତୁ ।

ମୁରୁକିହସା ଦେଇ ଶଙ୍କର ବାବୁ କହିଲେ—

—ଘଟଣା ଏହାପରେ ଯାହା ହେଲା, ସେଥିରେ ମୁଁ ଅଦୃଷ୍ଟକୁ ସ୍ୱୀକାର କରିବାକୁ ବାଧ୍ୟ । ନାୟକଙ୍କର ସବୁ ସାଧ୍ୟ ସାଧନା ପାଣି ଫାଟିଗଲା । ଶେଷରେ ବାରିଷ୍ଟର ସାହେବଙ୍କର ଦୁଲାଳୀ ଘରଛାଡ଼ି ନିଜ ଇଚ୍ଛାରେ ଚାଲିଗଲେ । ଅବଶ୍ୟ ସେ ଲୁଚିକରି ଗୋଡ଼ କାଢ଼ି ନ ଥିଲେ । ସେଦିନ ସ୍ୱାମୀ–ସ୍ତ୍ରୀଙ୍କ ଭିତରେ ତୁମୁଳ ତର୍କ–ଶିଶିରା ଦେବୀଙ୍କର ପତି ଶିରାରେ ସେଦିନ ଉଷରକ୍ତ ପ୍ରବାହିତ ହେଉଥିଲା । ପ୍ରବଳ ଉତ୍ତେଜନା ଓ ବିରକ୍ତିରେ ସେ ଅଧ୍ୟାପକଙ୍କୁ କହିଲେ—ମୋ ଜୀବନକୁ କାହିଁକି ତୁମେ ଏମିତି ନଷ୍ଟଭ୍ରଷ୍ଟ କରୁଛ ? ଘରକରଣା ମୋ ପକ୍ଷରେ କ୍ରମେ ଅସହ୍ୟ ହୋଇ ଉଠିଲାଣି । ମୋ ଜୀବନରେ କେତେ ସ୍ୱପ୍ନ, କେତେ ଆଶା—ମୋର ସେ କଳ୍ପିତ ସୁଖ ସମ୍ବୋଗରୁ ତୁମେ କାହିଁକି ମତେ ବଞ୍ଚିତ କରୁଛ ? ତୁମ ନିକଟରେ ରହି ଜାଣି ଜାଣି ମୋ ଜୀବନକୁ ମୁଁ ସମାଧି ଦେବି ନାହିଁ । ଏ ଘରୁ ମତେ ଯିବାକୁ ହବ–ନିଜ ଗୋଡ଼ରେ ମତେ ଛିଡ଼ା ହେବାକୁ ପଡ଼ିବ ।

ନାୟକ—ଅଧ୍ୟାପକଙ୍କର ମଧ୍ୟ ସହିବାର ଗୋଟାଏ ସୀମା ଥିଲା । ସ୍ତ୍ରୀଙ୍କର ଘର ଛାଡ଼ି ଚାଲିଯିବା କଥା ପୁଣି ସେ ମଧ୍ୟ ରାଗରେ ଅସମ୍ଭାଳ ହୋଇ ଉଠିଲେ । ଯାହାର ଘର–ସଂସାର କରିବାକୁ ପ୍ରଥମରୁ ଇଚ୍ଛା ନାହିଁ, ତାକୁ ସେ କେତେଦିନ ଘର ଭିତରେ ବାନ୍ଧି ରଖିବେ ? ତେଣୁ ସେଦିନ ଆମ ନାୟକଙ୍କର କଣ୍ଠସ୍ୱର ମଧ୍ୟ ଅତି କଠୋର ଆଡ଼କୁ ଗତି କରିଥିଲା । ନାୟିକାଙ୍କ ମୁହଁକୁ ନ ଚାହିଁ ସେ କହିଥିଲେ—ଯିବାକୁ ଯେବେ ଚାହୁଁଚ, ତେବେ ଯାଅ—ମୋର କୌଣସି ଆପତ୍ତି ନାହିଁ । କିନ୍ତୁ ତୁମକୁ ଏକା ଏକା ଯିବାକୁ ପଡ଼ିବ । ମୋ ପୁଅକୁ ମୁଁ ତୁମ ସଙ୍ଗରେ ଯିବାକୁ ଦେବି ନାହିଁ ।

ଶିଶିରା ଦେବୀ ମଧ୍ୟ ଏ କଥାରେ ପ୍ରତିବାଦ କଲେ ନାହିଁ । ବରଂ ସ୍ୱାମୀଙ୍କର ସର୍ତ୍ତକୁ ସମର୍ଥନ କରି କରି ସେ କହିଲେ–ମୋର ମଧ୍ୟ ସେଇ ଇଚ୍ଛା—ଏ ଘରକୁ ମୁଁ ଏକା ଆସିଥିଲି–ଏକାହିଁ ଯିବି । ଭବିଷ୍ୟତରେ କୌଣସି ଦିନ ମୋର ଖୋଜଖବର ନେବ ନାହିଁ ।

ଉତ୍ତର ଦେବାକୁ ଅଧ୍ୟାପକଙ୍କର ଆଉ କିଛି ନ ଥିଲା । ସେତେବେଳେ ତାଙ୍କର ମନର ଅବସ୍ଥା ଅତି ସାଘାଂତିକ । ଯାହାକୁ ଧର୍ମକୁ ସାକ୍ଷୀ ରଖି ବିବାହ କଲେ, ସେ ନିଜ ଇଚ୍ଛାରେ ଅନ୍ତର ହୋଇ ଯାଉଚି । ନିଜର ରକ୍ତକଣିକା ପ୍ରତି ତା’ର ମଧ୍ୟ ଲୋଭ ନାହିଁ । ଶିଶୁ ସନ୍ତାନକୁ ତାକୁ ଏକା ଏକା ଲାଳନ ପାଳନ କରିବାକୁ ହେବ । ଭଗବାନଙ୍କର କି କଠୋର ପରୀକ୍ଷା । ଅନ୍ୟ ପକ୍ଷରେ ସେ ମଧ୍ୟ ଭାବୁଥିଲେ, ଏଇ ଶିଶୁ ପାଇଁ ହୁଏତ ଦିନେ ଶିଶିରା ନିଜର ଭୁଲ ବୁଝି ପାରି ପୁଣି ଫେରି ଆସିପାରେ । ଏଇ କେତେଟା ବର୍ଷ ଭିତରେ ସ୍ତ୍ରୀ ପ୍ରତି ସ୍ୱାମୀର ଯେତେଟା ମାୟା ମମତା ରହିବାର କଥା, ଆମ ଅଧ୍ୟାପକ ସେ ସୀମା ସ୍ପର୍ଶ କରି ପାରିଥିଲେ । ସେ ଭାବୁଥିଲେ ଶିଶିରା ଯେଉଁ ଅଜ୍ଞାତ ଜୀବନକୁ ସ୍ୱାଗତ କରିବାକୁ ଯାଉଚି, ସେଥିରେ ତା’ର ଅମଙ୍ଗଳ ଛଡ଼ା ମଙ୍ଗଳ ହୋଇ ପାରେନା । ସେ ମୋହ ତା’ର ନିଶ୍ଚୟ ଦିନେ ଭାଙ୍ଗିଯିବ । ସେ ହୁଏତ ନିଜେ ଜାଣେନା, ପ୍ରକୃତରେ ସେ କ’ଣ ପାଇଲେ ଖୁସି ହେବ ।

 

ମନସ୍ତ୍ୱତ୍‌ ବିତ୍‌ମାନେ କହନ୍ତି, ସ୍ତ୍ରୀଙ୍କର ଏ ଧରଣର ମାନସିକ ବ୍ୟାଧି ଅତି ବିପଦଜନକ ହେଲେ ମଧ୍ୟ ଦିନେ ନା ଦିନେ ତା’ର ଉପଶମ ହୁଏ । ଜୀବନର ଚଲାପଥ ଗୋଲାପଶଯ୍ୟା ନୁହେଁ–ତେଣୁ ସେ ସଂକ୍ରାମକ ମୋହ ଭାଙ୍ଗିଗଲେ ଆପେ ଆପେ କ୍ଳାନ୍ତି ଆସିଯିବ ।

 

ପରିସ୍ଥିତି, ପରିବେଶକୁ ମନେ ମନେ ବିଶ୍ଳେଷଣ କରୁଥିଲେ ଅଧ୍ୟାପକ । ବିଦାୟ ଦୃଶ୍ୟକୁ ନାୟିକା ମଧ୍ୟ ଅତି ନାଟକୀୟ କରି ତୋଳିଲେ । ପୂର୍ବର ସେ ଟାଣ ଟାଣ କଥା କୁଆଡ଼େ ଗଲା । ବିଗଳିତ କଣ୍ଠରେ ଶିଶିରାଙ୍କର ଶେଷ କଥା ଥିଲା—ମତେ ଭୁଲ ବୁଝିବନି । ତୁମେ ଅତି ମହତ୍‌—ଅତି ସରଳ । ଏ ସଂସାରରେ ତୁମେଇ ମୋର ଏକମାତ୍ର ସମ୍ବଳ ଥିଲ । ହେଲେ ଆଉ ବେଶୀ ଦିନ ଏଠି ରହିଲେ ମୋର ଶ୍ୱାସରୁଦ୍ଧ ହୋଇଯିବ । ମୁଁ ପାଗଳ ହୋଇଯିବି । ହସି ହସି ମତେ ତୁମେ ବିଦାୟ ଦିଅ–ଦୁନିଆରେ ମୁଁ ଆଉ କେତେଦିନ ବଞ୍ଚିରହେ ।

 

କଥା ଶେଷଆଡ଼କୁ ନାୟିକାଙ୍କର ଆଖିରୁ ଲୁହଧାର ଗଡ଼ୁଥିଲା ।

 

ଶିଶିରା ଦେବୀଙ୍କର ବିଦାୟ ପର୍ବ ଏତିକିରେ ଶେଷ ହେଲା–ଅର୍ଥାତ୍‌ ଆମର ନାୟକ ନାୟିକାହୀନ ହେଲେ ସେଇ ରାତ୍ରିରେ ।

 

ଯୁଗଳ ଭାଇ ଖୁବ୍ ମନଦେଇ କାହାଣୀ ଶୁଣୁଥିଲେ । ଏଇଠି ସେ ବୋଧହୁଏ ଅଶ୍ୱସ୍ତି ବୋଧ କଲେ । ଶ୍ରୋତା ହେଲେ ମଧ୍ୟ ତାଙ୍କର ରୁଚି ସାଧାରଣ ସ୍ତରର ନଥିଲା । ସାମାନ୍ୟ ବିରକ୍ତ ହୋଇ ସେ କହିଲେ—ମୁଁ ଆପଣଙ୍କୁ ବେରସିକ ତାଲିକାରେ ନେବାକୁ ବାଧ୍ୟ ହେଉଚି ଶଙ୍କର ବାବୁ-। ଆପଣଙ୍କର ନାୟକ ଉପାଖ୍ୟାନ ଏକେ ତ ମାମୁଲି, ବୋରିଙ୍ଗ୍‌ । ସେଥିରେ ଶିଶିରା ଦେବୀ ଥିଲେ ବୋଲି ସ୍ତ୍ରୀଗନ୍ଧ ଆମକୁ କିଛି କିଛି ମିଳୁଥିଲା-। ଏବେ ଆପଣ ସେତକ ମଧ୍ୟ କାଢ଼ିନେଲେ । ନା, ଆଉ ବସିବାର କିଛି ଦରକାର ନାହିଁ ।

 

ତା’ପରେ ଯୁଗଳ ଭାଇ ମତେ ଟିକିଏ ଝୁଙ୍କେଇ ଦେଇ କହିଲେ—ଆଉ କାହିଁକି ବସିଛନ୍ତି ମହାପାତ୍ର ବାବୁ ? ଏ କାହାଣୀର ପରବର୍ତ୍ତୀ ଅବସ୍ଥା କ’ଣ ହୋଇଥିବ, ସେକଥା କ’ଣ ଆପଣ ଅନୁମାନ କରିପାରୁ ନାହାନ୍ତି ? ଉଠନ୍ତୁ, ଆଉ ସମୟ ନଷ୍ଟ କରନ୍ତୁ ନାହିଁ ।

 

ଯୁଗଳ ଭାଇ ପ୍ରଥମେ ଚେଆର ଛାଡ଼ି ଯିବାର ଉପକ୍ରମ କଲେ । କିନ୍ତୁ ଶଙ୍କର ବାବୁ ଅତି ନିର୍ଲିପ୍ତ—ଆମ ଦୁହିଁକୁ ଚାହିଁ ସେ କେବଳ ନୀରବରେ ହସୁଥାଆନ୍ତି । ଟିକିଏ ପରେ ବିଦ୍ରୁପ କଣ୍ଠରେ ସେ କହିଲେ—

 

—କାହାଣୀର ଆରମ୍ଭ ପୂର୍ବରୁ ଆପଣମାନେ ଚେଆର ଛାଡ଼ି ଯିବାକୁ ଚାହୁଁଛନ୍ତି । ମୋର ତ କେବଳ ପ୍ରସ୍ତାବନା ସରିଚି । ୟା’ପରେ ତ ପ୍ରକୃତ ଗଳ୍ପ ଆରମ୍ଭ ହେବ । ଆଉ ଅଳ୍ପ ସମୟ ଅପେକ୍ଷା କରନ୍ତୁ—ଏଣିକି ଯେବେ ଆକର୍ଷଣୀୟ ଖୋରାକ ନ ପାଇବେ, ତା’ହେଲେ ସମସ୍ତେ ରେଷ୍ଟୁରାଣ୍ଟରୁ ବିଦାୟ ନେବା ।

 

ପୁଣି ଆମେ ନିଜ ନିଜର ଚେଆର ଦଖଲ କଲୁଁ ।

 

ଶଙ୍କର ବାବୁ ଏଥର ପକେଟରୁ ମିଠା ପାନ ବାହାର କରି ନିଜେ ଖାଇଲେ, ଆମକୁ ମଧ୍ୟ ଖଣ୍ଡିଏ ଖଣ୍ଡିଏ ବିତରଣ କଲେ ।

 

ଶଙ୍କର ବାବୁ ପୁଣି କଥା ଆରମ୍ଭ କଲେ । କଣ୍ଠସ୍ୱର ପୂର୍ବଭଳି ହାଲକା ନୁହେଁ—ଗୁରୁଗମ୍ଭୀର ସ୍ୱରରେ ସେ କହିଲେ–

 

ଆପଣମାନଙ୍କୁ କାହାଣୀର ଯେଉଁ ଅଂଶତକ ଏ ପର୍ଯ୍ୟନ୍ତ ଶୁଣେଇଲି, ଦିନେ ସେତିକି କହି ହୋଟେଲରୁ ବିଦାୟ ନେଇଥିଲି । ସେଦିନ ଆଉ ବେଶି କିଛି କହିବାକୁ ନ ଥିଲା । ଆଖି ଆଗର ଘଟଣା ତ—ଶିଶିରା ଦେବୀ ଘର ଛାଡ଼ି ଚାଲିଯିବା ପର୍ଯ୍ୟନ୍ତ ଗଳ୍ପର ଅଗ୍ରଗତି ଥିଲା ସେଦିନ-

 

ସମୟ ତ କାହାକୁ ଅପେକ୍ଷା କରେ ନାହିଁ । କିଏ ଦୁଃଖ ପାଉଚି କି ଘୋର ସଂକଟରେ ପଡ଼ିଚି ବୋଲି ତା’ର ଗତି କେବେ ବନ୍ଦ ହୁଏ ନାହିଁ । ଲକ୍ଷ୍ୟ ତା’ର ସବୁବେଳେ ଆଗକୁ ଯିବା ।

 

ଦୁଇ ବର୍ଷ ପୁଣି ବିତିଗଲା । ଦିନେ ଏକ ଉଜ୍ଜ୍ୱଳ ପ୍ରଭାତରେ ଆମର ନାୟକ ମୋ ପାଖରେ ଆସି ହାଜର ହେଲେ । ଘନିଷ୍ଠତା ଆଗରୁ ଥାଏ ବୋଲି ନିଜର ସୁବିଧା ଅସୁବିଧା ସେ ମୋ ଆଗରେ ଖୋଲି କୁହନ୍ତି ।

 

ଘରଣୀଙ୍କ ପ୍ରସ୍ଥାନ ପରେ ଅତି କଷ୍ଟରେ ସେ ପୁଅକୁ ଦୁଇବର୍ଷ ଚଳେଇ ଆଣିଲେ । ଏବେ ଅବସ୍ଥା ଅତି ଶିଖରକୁ ଉଠିଲାଣି । ତା’ର ମାଆକୁ ସେ ସବୁବେଳେ ଖୋଜୁଚି ମାଆର ଫଟୋକୁ ଚାହିଁ କାନ୍ଦଣା ତା’ର ଆଉ ବନ୍ଦ ହେଉ ନାହିଁ । ଏ ବେଳାରେ ଜନ୍ମଦାତ୍ରୀ ଫେରି ନ ଆସିଲେ ପୁଅ ହୁଏତ ଝୁରି ଝୁରି ଶେଷ ହୋଇଯିବ ।

 

ଶିଶିରାଙ୍କର ଖୋଜଖବର ନେବାକୁ ସେଦିନ ଅଧ୍ୟାପକ ମୋ ନିକଟରେ ଅତି ବିକଳ ଆବେଦନ କଲେ । ତେଣୁ ମୋର ଜଣେ ବନ୍ଧୁଙ୍କ ନିକଟରେ ମୁଁ ଏ ଗଳ୍ପର ଅବତାରଣା କରିଥିଲି । ଉଦ୍ଦେଶ୍ୟ ଥିଲା ପାଞ୍ଚଜଣଙ୍କ କାନରେ ପଡ଼ିଲେ କିଏ କେତେବେଳେ ହୁଏତ ନାୟକଙ୍କର ସନ୍ଧାନ ଦେଇ ପାରନ୍ତି ।

 

ବନ୍ଧୁ ଚୌଧୁରୀଙ୍କର ପାରଦର୍ଶିତା ଏ ଦିଗରେ ଖୁବ୍‌ ବେଶୀ । ମୋଠୁ ଏ କାହାଣୀ ଶୁଣିବା ପରେ ପରେ ସେ ଶିଶିରାଙ୍କର ଫଟୋ ମାଗିଲେ । ଅନ୍ୱେଷଣରେ ସଫଳ ହେବା ପାଇଁ ମୁଁ ମଧ୍ୟ ପକେଟରେ ନାୟିକାଙ୍କର ପ୍ରତିଚ୍ଛବି ରଖିଥିଲି ।

 

ଫଟୋଟିକୁ ଦେଖିବା ସଙ୍ଗେ ସଙ୍ଗେ କେଜାଣି କାହିଁକି ଚୌଧୁରୀ ଆନନ୍ଦରେ ଅଧୀର ହୋଇ ଉଠିଲେ । ମତେ କିଛି ନ କହି ସେ ମନକୁ ମନ କହିବାରେ ଲାଗିଲେ...ସଲୀନା, ତୁମେଇ ତା’ ହେଲେ ଅଧ୍ୟାପକଙ୍କ ସହଧର୍ମିଣୀ ଶିଶିରା !! ନାଁ ବଦଳେଇ ଧାତ୍ରୀ ଭୂମିକାରେ ନିଖୁଣ ଅଭିନୟ କରି ଚାଲିଚ ?? ତୁମର ସ୍ୱାମୀ, ତୁମର ଶିଶୁପୁତ୍ରର ଆହ୍ୱାନ ତୁମେ କ’ଣ ଶୁଣି ପାରୁନାହିଁ ?...

 

ଅଭିନୟ ଭଙ୍ଗୀରେ ଶଙ୍କର ବାବୁ ସଂଳାପ ମଧ୍ୟ କହି ଚାଲିଥିଲେ । ପୂର୍ବ ଅପେକ୍ଷା କଥା କହିବାରେ ତାଙ୍କର ଉତ୍ସାହ ବଢ଼ି ଚାଲିଥିଲା ।

 

ସେ ପୁଣି କହିଲେ–

 

—ଚୌଧୁରୀଙ୍କର ସଫେଇ ଶୁଣି ମୋର ଆଗ୍ରହ ମଧ୍ୟ ବଢ଼ିଗଲା । ତାକୁ କୁଣ୍ଢେଇ ପକାଇ ମୁଁ କହିଲି, ‘ଆପଣ ତା’ହେଲେ ଶିଶିରାର ସନ୍ଧାନ ପାଇଚନ୍ତି ଚୌଧୁରୀ ବାବୁ ? ସେ କ’ଣ ଏଇ ସହରରେ ଅଛି ? ସେ ବର୍ତ୍ତମାନ ଯେଉଁଠି, ଯେଭଳି ଅବସ୍ଥାରେ ଥାଉ ନା କାହିଁକି, ମୁଁ ତାକୁ ନିଶ୍ଚୟ ଅଧ୍ୟାପକଙ୍କ ପାଖକୁ ଫେରେଇ ଆଣିବି । ଆପଣ ଶୀଘ୍ର ତା’ର ଠିକଣା ଦିଅନ୍ତୁ ।’

 

ଚୌଧୁରୀ ବାବୁ ଅତି ନିର୍ଲିପ୍ତ ଭଙ୍ଗୀରେ ମୋ ଆଡ଼କୁ ଚାହିଁ ରହିଥିଲେ । କୌଣସି ଆବେଗ ନାହିଁ କି ଉତ୍କଣ୍ଠା ନାହିଁ । ଅତି ସାଧାରଣ ଗଳାରେ ସେ କହିଲେ—

 

ଶିଶିରାକୁ ମୁଁ ଅବଶ୍ୟ ଜାଣେ ନାହିଁ । କିନ୍ତୁ ସଲିଳାକୁ ମୁଁ ଖୁବ୍‌ ଭଲ କରି ଜାଣେ । ଘରୋଇ ଭାବରେ ନର୍ସ କାମ କରି ସେ ପେଟ ପୋଷୁଚି । ମୋ ବାପାଙ୍କର ଦେହ ବ୍ୟସ୍ତବେଳେ ପୂର୍ଣ୍ଣ ଗୋଟାଏ ମାସ ସେ ଆମ ଘରେ ରହି ସେବା ଶୁଶ୍ରୂଷା କରିଥିଲା । କର୍ତ୍ତବ୍ୟରେ ଏତେ ଟିକିଏ ଖିଲାପ ନାହିଁ । ଅତି ବିନୟୀ—ଅତି ଭଦ୍ର—ସେବାର ମହତ୍ୱ ସେ ଠିକ୍‌ରୂପେ ହୃଦୟଙ୍ଗମ କରିଚି । ତୁମର ଶିଶିରା ସଙ୍ଗେ ସଲିଳାର ଚେହେରା ଏକାବେଳେକେ ମିଶିଯିବ । କିଛି ଫରକ ନାହିଁ । ମୋର ଅନୁମାନ, ଦୁହେଁ ହୁଏତ ଯମଜ ଭଉଣୀ ହୋଇ ପାରନ୍ତି । ଫଟୋରେ ଦେଖୁଚି ଶିଶିରାର ସୀମନ୍ତରେ ସିନ୍ଦୂର—ହେଲେ ସଲିଳାର ସେ ଗୌରବ ନାହିଁ ।

 

ଚୌଧୁରୀଙ୍କ କଥାରେ ମୁଁ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଲି । ଭାବିଲି, ଶିଶିରା ହୁଏତ ମୁଣ୍ଡରୁ ସିନ୍ଦୁର ପୋଛି ଆତ୍ମଗୋପନ କରିଚି । କୃତକର୍ମର ପ୍ରାୟଶ୍ଚିତ । ସ୍ୱାମୀ, ପୁତ୍ରର ସ୍ନେହ ଅନୁରାଗକୁ ନିଜ ଇଚ୍ଛାରେ ଜଳାଞ୍ଜଳି ଦେଇ ଯେ’ ପଦାକୁ ଗୋଡ଼ କାଢ଼ିଚି, ତା’ର ତ ଏଇ ଶାସ୍ତି ଦରକାର ।

 

ପ୍ରକାଶ୍ୟରେ ଚୌଧୁରୀଙ୍କୁ କହିଲି—ଯେମିତି ହେଲେ ସଲିଳାରୂପୀ ଶିଶିରାକୁ ଫେରେଇ ଆଣିବାକୁ ପଡ଼ିବ । ଅଧ୍ୟାପକ ପିଲାକୁ ସମ୍ଭାଳି ନ ପାରି ମର ମର ଅବସ୍ଥା । ଦୁହିଁଙ୍କୁ ପୁଣି ଏକ କରି ଦେବାକୁ ହବ ।

 

ମୋର ଅଧୀରତାରେ ବନ୍ଧୁଙ୍କର ଉତ୍ସାହ ଦୁଇଗୁଣ ବଢ଼ିଗଲା । ଫଟୋଟିକୁ ପକେଟରେ ପୂରେଇ ଗଲାବେଳେ ସେ କହିଗଲେ—କାଲି ସକାଳେ ନକଲି ସେବିକାଙ୍କ ପାଖକୁ ଯାଇ ତାଙ୍କର ଆବରଣ ଖୋଲି ଦେବି । ମୋ ଆଖିରେ ଆଜିଯାଏ କେହି ଧୂଳି ଛାଟି ପାରିନାହାନ୍ତି, ସଲିଳାର ତ ଛାର...

 

ନିଶ୍ଚିତ ଭରସା ଦେଇ ସେଦିନ ଚୌଧୁରୀ ବାବୁ ମୋ ପାଖରୁ ବିଦାୟ ନେଇଥିଲେ...

 

ଯୁଗଳ ଭାଇ ଏଇଠି ପଦେ କହିବାକୁ ବାଧ୍ୟ ହେଲେ । କାହାଣୀକୁ ରସଯୁକ୍ତ କରିବା ପାଇଁ ଶଙ୍କର ବାବୁ ବର୍ତ୍ତମାନ ବଡ଼ ଉତ୍ସାହରେ ମାତି ଯାଇଛନ୍ତି । ସେ ଉତ୍ସାହକୁ ଆହୁରି ଦ୍ରୁତଗାମୀ କରିବାକୁ ଯୁଗଳ ଭାଇ କହିଲେ—

 

—ଆପଣଙ୍କ ଚୌଧୁରୀ ବାବୁ ତ ଭଗବାନଙ୍କର ଅବତାର ବୋଲି ଧରିନେବାକୁ ହେବ-। ଗହନ ଅନ୍ଧାରକୁ ସେ’ତ ଆଲୋକର ଶିଖାରେ ଦୂର କରିଦେଲେ । ଆଉ ଆପଣଙ୍କର ଚିନ୍ତା କ’ଣ-?

 

ଶଙ୍କର ବାବୁଙ୍କର ଆଖିରେ କିନ୍ତୁ ବିରକ୍ତିର ଆଭାସ । ସେ କହିଲେ—ମୋର ଚିନ୍ତା କଥା ଆପଣମାନେ ବୁଝିପାରିବେ ନାହିଁ । ସେଦିନ ରାତିରେ ମୋ ଆଖିକୁ ଟିକିଏ ହେଲେ ବି ନିଦ ଆସିଲା ନାହିଁ । ଶିଶିରା ଯେବେ ଘରକୁ ଫେରି ନ ଆସେ, ତେବେ ବିକଳ୍ପପନ୍ଥା ଆଉ କ’ଣ ଅଛି, କେବଳ ଏଇ ଭାବନାରେ ମୋର ସାରାରାତି କଟି ଯାଇଥିଲା ।

 

ସକାଳ ହେଲା । ଚୌଧୁରୀ ବାବୁଙ୍କ ସହିତ ସଲିଳାଙ୍କ ପାଖରେ ହାଜର ହେଲି । କ୍ଷେତ୍ର ଉପରକୁ ଯିବା ପୂର୍ବରୁ ଅଧ୍ୟାପକଙ୍କ ପକ୍ଷରୁ ଅକାଟ୍ୟ ଯୁକ୍ତିଗୁଡ଼ିଏ ମଧ୍ୟ ମନେ ମନେ ଆଉଡ଼େଇ ନେଇଥିଲି ।

 

ସେବିକା ସଲୀଳାଙ୍କୁ ଦେଖୁ ଦେଖୁ ଚୌଧୁରୀ ବାବୁ ଏକ ପ୍ରାଣଖୋଲା ହସ ଭିତରେ କହିଲେ—ଧନ୍ୟ ଶିଶିରା ଦେବୀ, ସେବିକାର ଆବରଣ ଭିତରେ ଆଜିଯାଏ ବେଶ୍‌ ଆତ୍ମଗୋପନ କରି ପାରିଚ...

 

ସଲୀଳା ଏ କଥାର ବିନ୍ଦୁବିସର୍ଗ କିଛି ବୁଝି ପାରିଲେ ନାହିଁ । ଚୌଧୁରୀ ବାବୁ କାହାକୁ କ’ଣ କହୁଚନ୍ତି ? ପୂର୍ବରୁ ଦୁହେଁ ଦୁହିଁଙ୍କୁତ ଠିକ୍‌ରୂପେ ବୁଝି ପାରିଥିଲେ । ତେଣୁ ଯଥା ସମ୍ଭବ ସଂଭ୍ରମ ରକ୍ଷା କରି ସଲୀଳା କହିଲେ—ବେଳେ ବେଳେ ଆପଣଙ୍କର ଏ ପାଗଳାମି କାହିଁକି ଦେଖାଦିଏ କହିଲେ ?

 

—ତୁମର ପାଗଳାମିଠାରୁ ମୋର ନିଶ୍ଚୟ କମ୍‌ । ସ୍ୱାମୀ, ଶିଶୁପୁତ୍ର ପାରିବାରିକ ଜଂଜାଳ ଛାଡ଼ି ସେବିକା ଭୂମିକାରେ ତୁମର ନିଖୁଣ ଅଭିନୟକୁ ବାସ୍ତବିକ ମୁଁ ବଧେଇ ଜଣାଉଚି । ହସର କଲ୍ଲୋଳ ଭିତରେ ଚୌଧୁରୀ ବାବୁ ଏଇ ଉତ୍ତର ଦେଲେ ।

 

ସଲୀଳା ଅବାକ୍‌—ବାରମ୍ବାର ଚୌଧୁରୀ ବାବୁ କାହାକୁ ଏକଥା କହୁଛନ୍ତି । କିଏ ଅଭିନୟ କରୁଚି ? ସ୍ୱାମୀ, ଶିଶୁପୁତ୍ର, ପରିବାର କାହାର ଥିଲା ?

 

ସଲୀଳା କିଛି କହିବା ପୂର୍ବରୁ ଚୌଧୁରୀ ବାବୁ ପକେଟରୁ ଶିଶିରାଙ୍କର ଫଟୋ ବାହାର କରି ତାଙ୍କ ଆଗରେ ଥୋଇଦେଲେ ।

 

—ଦେଖ, ତୁମର ଅସଲ ରୂପ ବର୍ତ୍ତମାନ ଦୁନିଆ ଜାଣି ସାରିଲାଣି । ଏଥର ସନ୍ଧିର ପ୍ରସ୍ତାବ ଆଣ...

 

ଚୌଧୁରୀଙ୍କର କଥା ବୋଧହୁଏ ସଲୀଳାଙ୍କର କାନରେ ପ୍ରବେଶ କଲା ନାହିଁ । କାରଣ ମନଧ୍ୟାନ ଦେଇ ସେ ଫଟୋଟିକୁ ନିରୀକ୍ଷଣ କରୁଥିଲେ... ଅବିକଳ ତାଙ୍କରି ସ୍ୱରୂପ—ତାଙ୍କରି ପ୍ରତିଛବି । ଦୁନିଆରେ ଏକ ଅଲୌକିକ ଘଟଣା । ପୂରାପୂରି ସମାନ ରୂପ ଥାଇ ଦୁଇଜଣ ଏକ ସମୟରେ ଜନ୍ମ ହୋଇଚନ୍ତି ??

 

ସଲୀଳା କିଛିକ୍ଷଣ ପାଇଁ ମୁକ ପାଲଟି ଗଲେ । ଆମ ଆଗରେ ସେ କି ସଫେଇ ଦେବେ ??

 

କାନି ପଣତରେ କଞ୍ଚିଟାକୁ ବାନ୍ଧୁ ବାନ୍ଧୁ ସାମାନ୍ୟ ଥରିଲା କଣ୍ଠରେ ସେ କହିଲେ–ମତେ ବିଶ୍ୱାସ କରନ୍ତୁ ଚୌଧୁରୀବାବୁ । ଶିଶିରା କିଏ, ମୁଁ କିଛି ଜାଣେନା—କୌଣସି ଅଭିନୟ ମୁଁ କରୁନାହିଁ-। କଲ୍ୟାଣପୁରରେ ମୋର ବୋଉ, ଭାଇ, ଭଉଣୀ ଏବେ ବି ମୋରି ବାଟକୁ ଚାହିଁ ବସିଛନ୍ତି-। ଆପଣ ନିଜେ ଯାଇ ସତ ମିଛ ଦେଖି ଆସନ୍ତୁ । ମୋରି ରୋଜଗାର ଟଙ୍କାରେ ସେମାନେ ଢୋକପାଣି କରି ପତର କୁଡ଼ିଆରେ ବଞ୍ଚି ରହିଚନ୍ତି । ବିବାହ, ମୋ ଜୀବନରେ କେବଳ ସୁନେଲୀ ସ୍ୱପ୍ନ ନୁହେଁ—ଏକ ଅବାଞ୍ଛିତ କାମନା ଚୌଧୁରୀ ବାବୁ । ହାଡ଼ଭଙ୍ଗା ପରିଶ୍ରମ ନ କଲେ ଯାହାଙ୍କୁ ଶାଗଭାତ ମୁଠାଏ ମିଳେନା, ତାଙ୍କ ନିକଟରେ ବିବାହର କ’ଣ ଅର୍ଥ ଅଛି କୁହନ୍ତୁ । ମୁଁ ତ କହିବି ମୋ ପରି ହତଭାଗୀ ଝିଅ ପକ୍ଷରେ ବିବାହ ଏକ ବିଳାସ...

 

ଚୌଧୁରୀ ବାବୁ ମନେ ମନେ ଲଜ୍ଜିତ ଓ ଅନୁତପ୍ତ ହେଲେ । ଚେହେରାର ମେଳକ ଦେଖି ପ୍ରକୃତରେ ଯେ ସଲିଳା ପ୍ରତି ଯଥେଷ୍ଟ ଅନ୍ୟାୟ କରିଛନ୍ତି । ଦୁନିଆରେ ତାର ସାହାରା ସେ ନିଜେ । ଗୋଟିଏ ଅନୂଢ଼ା ଝିଅ ମନରେ ଅଯଥା ସେ କାହିଁକି ଦୁଃଖ, ଆଲୋଡ଼ନ ସୃଷ୍ଟି କଲେ ?

 

.....ଗଭୀର ହୃଦୟରେ ଦୁହେଁ ଫେରି ଆସିଲୁ । ସଲୀଳା ପାଖକୁ ଯିବା ପୂର୍ବରୁ ଆମର ଅଧ୍ୟାପକଙ୍କୁ ମୁଁ ଆଶା ଭରସା ଦେଇ ଯାଇଥିଲି । ଏବେ ସବୁ ଆଶା ଶୂନ୍ୟରେ ମିଳେଇ ଗଲା । ୟା’ପରେ କଣ କହି ତାଙ୍କୁ ଦମ୍ଭ ଦେବି ?? ସ୍ତ୍ରୀର ପ୍ରତ୍ୟାବର୍ତ୍ତନର ଯେ’ ଚାତକ ପରି ଚାହିଁ ବସିଥିଲେ, ସେ କ’ଣ ଘଟଣାର ଗୁରୁତ୍ୱ ବୁଝିବାକୁ ସମର୍ଥ ହେବେ ?

 

ଚିନ୍ତାର ଖିଅ ମୋର ବେଳକୁ ବେଳ ବଢ଼ିଲା ସିନା, କମିଲା ନାହିଁ । ଅଧ୍ୟାପକଙ୍କ ପାଖକୁ ମୁଁ ଭୟ କରି ଆଉ ଗଲି ନାହିଁ ।

 

ଯୁଗଳ ଭାଇ ପୁଣି ଥରେ ପ୍ରତିବାଦର ସ୍ୱର ଉଠାଇଲେ । ଶଙ୍କର ବାବୁଙ୍କୁ ମୋର ମଧ୍ୟ କେତେ କଥା ପଚାରିବାକୁ ଥିଲା । କିନ୍ତୁ ସମୟ ତ ଖୁବ୍‌ ଅଳ୍ପ । କାହାଣୀ ପେଡ଼ି ବନ୍ଦ ହେଲା ପରେ ମୋ କଥାର ଉପକ୍ରମ କରିବି ବୋଲି ମୁଁ ସିନା ନୀରବ ରହିଲି, ଯୁଗଳ ଭାଇ କିନ୍ତୁ ନିଜର ଟିପ୍‌ପଣୀ ଦେବାକୁ ପଛେଇଲେ ନାହିଁ ।

 

ସେ କହିଲେ—ଏ କାହାଣୀରେ କେବଳ ଅଧ୍ୟାପକ ମହାଶୟ ନାୟକ ନୁହଁନ୍ତି, ଆପଣ ମଧ୍ୟ ଉପନାୟକ ଭୂମିକାରେ ଅଛନ୍ତି । ଦେଖାଯାଉ, ନାୟକ ଉପନାୟକ ଶେଷରେ ଲକ୍ଷ୍ୟ ହାସଲ କରୁଚନ୍ତି କି ନାହିଁ ?

 

ଯୁଗଳ ଭାଇଙ୍କ କଥାକୁ ଶଙ୍କର ବାବୁ ସମର୍ଥନ କରି କହିଲେ—

 

—ମତେ ଉପନାୟକ ଆଖ୍ୟା ଦେଲେ ମୁଁ ଅନ୍ତତଃ ସନ୍ତୁଷ୍ଟ ହେବିନାହିଁ । କାରଣ ନାୟକଙ୍କ ସୁଖଶାନ୍ତି ପାଇଁ ମୁଁ ଯେଉଁ କଠିନ ପରିଶ୍ରମ କରିଚି, ସେଥିରେ ମୁଁ ‘ନାୟକ’ ଉପାଧି ପାଇବା ଯୋଗ୍ୟ । ଏ ଯୁଗର ନିୟମ ହେଲା ବେଶି ପରିଶ୍ରମ ନ କରି ନାୟକ ନିଜର ଅଭୀଷ୍ଟ ପାଇଯାନ୍ତି–ଛଟପଟ ହୁଅନ୍ତି ପାର୍ଶ୍ୱଚର ବା ଆପଣଙ୍କ ଭାଷାରେ ଉପନାୟକ । ଏ କଥାର ପ୍ରମାଣ ମୁଁ ଆପଣଙ୍କୁ ଦେଉଚି—ବିଚାର କରି ଠିକ୍‌ କି ଭୁଲ୍‌ ମତେ କୁହନ୍ତୁ ।......

 

......ସଲୀଳା ଘରୁ ଫେରି ଅଧ୍ୟାପକଙ୍କୁ ମୁଁ ଗୋଟିଏ ରୁଚିକର ପ୍ରସ୍ତାବ ଦେଲି । ପ୍ରସ୍ତାବରେ ରାଜି ହେବା ଦୁରେ ଥାଉ, ଓଲଟି ସେ ମତେ ଏପରି କଡ଼ା ମନ୍ତବ୍ୟ ଶୁଣେଇଲେ ଯେ, ଆଜିଯାଏ ସେକଥା ମୋର ଠିକ୍‌ ମନେଅଛି । ‘‘ଜୀବନଟା ଜୁଆଖେଳ ନୁହେଁ–କଣ୍ଢେଇଖେଳ ନୁହେଁ ଯେ, ଆପଣ ଯାହାକୁ କହିବେ, ମୁଁ ତାକୁ ସଂସାର ଭିତରକୁ ଟାଣି ଆଣିବି’’ ଏଇଥିଲା ମୋ ପ୍ରତି ତାଙ୍କର କଟୁକ୍ତି ।

 

ମୁଁ କିନ୍ତୁ ନଛୋଡ଼ବନ୍ଧା । ପ୍ରସ୍ତାବ ଯେତେବେଳେ ଦେଇଚି, ତାକୁ କାର୍ଯ୍ୟକାରି କରେଇବାକୁ ମୋର ଯୁକ୍ତି ମୁଁ ସାଇତି ରଖିଥିଲି । ଅଧ୍ୟାପକଙ୍କୁ ଏକାନ୍ତରେ କହିଲି–ତୁମ ପୁଅର ଭବିଷ୍ୟତ କଥା ତୁମେ ଥରେ ଚିନ୍ତାକର । ମାଆକୁ ଝୁରି ଝୁରି ତା’ର ଯେଉଁ ବିକଳ କାନ୍ଦଣା, ସେଥିରେ ତୁମେ ତାକୁ ଆଉ କେତେଦିନ ବଞ୍ଚେଇ ରଖି ପାରିବ ? ଏ କ୍ଷେତ୍ରରେ ସଲୀଳାହିଁ ତୁମର ଏକମାତ୍ର ଭରସା । ଧାତ୍ରୀ ହିସାବରେ ତାର କର୍ତ୍ତବ୍ୟ ସେ କରିଯିବ । ସ୍ତ୍ରୀର ସମ୍ମାନ ତୁମେ ତାକୁ ଦେବ ନାହିଁ । ପରିସ୍ଥିତି ଦୃଷ୍ଟିରୁ କେବଳ ଅଭିନୟ କରିବାକୁ ମୁଁ ତୁମକୁ କହୁଚି । କେତୋଟି ବର୍ଷ ସକାଶେ ଘରକୁ ମଞ୍ଚ ବୋଲି ମନେ କଲେ ତୁମର ସବୁ ଅସୁବିଧା ଦୂର ହୋଇଯିବ ।

ଏତେ କଥା ଶୁଣିବା ପରେ ମଧ୍ୟ ଆମର ଦ୍ୱିଧାରେ ପଡ଼ିଲେ । ପର ସ୍ତ୍ରୀଙ୍କୁ ଏଡ଼େଇ ଚାଲିବା ତାଙ୍କର ଏକ ସହଜାତ ଗୁଣ ଥିଲା । ସେବିକା ସଲୀଳା ପୁଅର ଦାୟିତ୍ୱ ନେଲେ ତାଙ୍କର ମାନସିକ ଯନ୍ତ୍ରଣା କେତେକ ପରିମାଣରେ ଲାଘବ ହୋଇ ଯାଇପାରେ—ହେଲେ ସ୍ୱାମୀ ସ୍ତ୍ରୀର ଅଭିନୟ କରିବା ତାଙ୍କ ପକ୍ଷରେ ଏକ ଅଗ୍ନି–ପରୀକ୍ଷା ।

ଅଧ୍ୟାପକ ହଠାତ୍ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିଲେ ନାହିଁ । ମୋର ପରିକଳ୍ପନାକୁ ଖୋଲାଖୋଲି ନାକଚ କରି ଦେବାକୁ ତାଙ୍କର ମନର ଜୋର ମଧ୍ୟ ନ ଥିଲା । କିଂକର୍ତ୍ତବ୍ୟବିମୂଢ଼ ହୋଇ ଥକ୍‌କା ମାରି ବସି ରହିଲେ ସେ ।

ମୁଁ ପୁଣି କହିଲି—ସଲୀଳାକୁ ଅବିଶ୍ୱାସ କରିବାର କିଛି କାରଣ ନାହିଁ । ଅତି ସରଳ ସେ-। ନିଜର କର୍ତ୍ତବ୍ୟ ଛଡ଼ା ଅନ୍ୟ ଦିଗରେ ମନ ବଳେଇବା ଝିଅ ସେ ନୁହେଁ । ଥରେ ତାକୁ ପରୀକ୍ଷା କର—ପୁଅର ଦାୟିତ୍ୱ ସଲୀଳା ହାତରେ ଟେକିଦିଅ...

ଯୁଗଳ ଭାଇ ଆନନ୍ଦରେ ବିଭୋର ହୋଇ ଉଠିଲେ । କାହାଣୀର କ୍ରମୋନ୍ନତି ତାଙ୍କର ମନକୁ ଛୁଇଁ ପାରିଚି ବୋଧହୁଏ ।

ହସି ହସି ସେ କହିଲେ—

—ବାଃ...ଶଙ୍କର ବାବୁ ଏତେବେଳକୁ ଆମର ମନମାଫି ଖୋରାକ ଯୋଗାଇ ଦେଲେ । କାହାଣୀକୁ ସେ ଏବେ ଦୁର୍ଗମ ଅରଣ୍ୟ ଭିତରୁ ଠିକ୍‌ ବାଟକୁ ନେଇ ଆସି ପାରିଚନ୍ତି ।

ଶଙ୍କର ବାବୁ ପୂର୍ବଭଳି ନିର୍ଲିପ୍ତ ଗଳାରେ ଉତ୍ତର ଦେଲେ—

—ଆପଣମାନଙ୍କୁ ପୁଣି ଥରେ ମନେ ପକାଇ ଦେଉଚି, ଏଇଟା କାହାଣୀ ନୁହେଁ—ଆଖି ଆଗର ସତ ଘଟଣା । ଏଥିରେ କୌଣସି କଳ୍ପନା ନାହିଁ କି ମିଛ ନାହିଁ । କାହାଣୀକୁ ସରସସୁନ୍ଦର କରିବା ପାଇଁ କଳ୍ପନାର ଆଶ୍ରୟ ନିଅନ୍ତି ଏଇ ମହାପାତ୍ର ବାବୁ ମୋର ସେ କାମ ନୁହେଁ-। ମୁଁ ଯାହା ଦେଖିଚି, ଯାହା ଅଙ୍ଗେ ଲିଭେଇଚି, ସେଇ କଥାହିଁ କହୁଚି ।

–କୁହନ୍ତୁ...ଯୁଗଳ ଭାଇ ଅନୁରୋଧ କଲେ । ଶଙ୍କର ବାବୁଙ୍କର ସିଗାରେଟ୍‌ ଟାଣିବା ବୋଧହୁଏ ଦରକାର ପଡ଼ୁଥିଲା । ସେ କିଛି ସମୟ ନୀରବରେ ସିଗାରେଟ୍‌ ଟାଣିଲେ । ତା’ପରେ ଗଳା ପରିଷ୍କାର କରି କହିଲେ—

—ହଁ ଶୁଣନ୍ତୁ । ସଲୀଳା ଅଧ୍ୟାପକଙ୍କ ଘରକୁ ଆସିବାର ସବୁ ବ୍ୟବସ୍ଥା ହୋଇଗଲା । ଶେଷରେ ସେ ମୋ କଥାରେ ରାଜି ହେବାକୁ ବାଧ୍ୟ ହେଲେ ।

ନାୟକ ସିନା ରାଜି ହେଲେ, ନାୟିକା ଭୂମିକାରେ ଯେ’ ଅଭିନୟ କରିବେ ତାଙ୍କୁ ବୁଝେଇବା ଆହୁରି ଏକ ସମସ୍ୟା ସୃଷ୍ଟି କଲା । ମୋର ପ୍ରସ୍ତାବ ଶୁଣି ସଲୀଳାଙ୍କର ମୁହଁର ରଙ୍ଗ ଏକାବେଳକେ ବଦଳିଗଲା । ଗମ୍ଭୀର ହୋଇ ସେ କହିଲେ—ଦେଖନ୍ତୁ, ସେବିକାର ଧର୍ମ ପାଳନ କରୁଚି ବୋଲି ଆପଣ ମତେ ଏ ଧରଣର ବିପଦ ଭିତରକୁ ଠେଲି ଦିଅନ୍ତୁନି । ଅଭିନୟ କ’ଣ ମୁଁ କିଛି ଜାଣେନା । ଏ ଗୁରୁଦାୟିତ୍ୱ ଆପଣ ଜଣେ ପୋଖତ ଅଭିନେତ୍ରୀଙ୍କ ଉପରେ ଦିଅନ୍ତୁ, ଯେ’ ଶିଶୁପୁତ୍ର ଆଗରେ ମାଆର ଅଭିନୟ ବର୍ଷ ବର୍ଷ ଧରି କରି ଚାଲିବ ।

 

ସଲୀଳାଙ୍କର ଅସମ୍ମତି ଅତି ବାସ୍ତବ ଓ ସମୟୋପଯୋଗୀ ଥିଲା । କୁମାରୀ ଅବସ୍ଥାରେ ଜଣେ ବିବାହିତ ତରୁଣ ନିକଟରେ ‘ସ୍ତ୍ରୀ’ର ଅଭିନୟ କରିବା କେବଳ ଅସଙ୍ଗତ ନୁହେଁ, ବିପଦଜନକ ମଧ୍ୟ । ତଥାପି ଫୁଟନ୍ତ ଶିଶୁପୁତ୍ରର ଜୀବନରକ୍ଷା ପାଇଁ ସଲୀଳାଙ୍କୁ ଏ ଗୁରୁଦାୟିତ୍ୱ ବହନ କରିବାକୁ ହେବ–ମୋର ଏଇ ସିଦ୍ଧାନ୍ତରେ ମୁଁ ଅଟଳ ଥିଲି ।

 

ସଲୀଳାଙ୍କୁ ମୁଁ କହିଲି—

 

—ସେବିକା ଜୀବନରେ ତୁମକୁ ମଧ୍ୟ ସ୍ଥାନ ବିଶେଷରେ ରୋଗୀଙ୍କ ନିକଟରେ ଅଭିନୟ କରିବାକୁ ପଡ଼ୁଚି । ଏ କ୍ଷେତ୍ରରେ ତୁମକୁ ସେମିତି କିଛି କରିବାକୁ ହେବ । ପିଲାଟିର ମା’ ନାହିଁ । ମାତୃତ୍ୱ ଦେଇ ଶିଶୁଟିକୁ ତୁମେ ବଡ଼ କରି ତୋଳିବ । ଅଭିନୟ ହେଲେ ମଧ୍ୟ ତୁମର ଏ ମହନୀୟ ସେବା ପାଇଁ ଈଶ୍ୱରଙ୍କର ଆଶୀର୍ବାଦ ନିଶ୍ଚୟ ମିଳିବ । ରାଜି ହୋଇଯାଅ ସଲୀଳା—ଅଧ୍ୟାପକଙ୍କୁ ମୁଁ କଥା ଦେଇ ଆସିଚି ।

 

...ଶେଷରେ ସଲୀଳା ରାଜି ହେଲେ । ଅପୂର୍ବ ବେଶବିନ୍ୟାସରେ ସଜେଇ ହୋଇ ବୋହୂ ରୂପରେ ସେ ଅଧ୍ୟାପକଙ୍କ ଘରକୁ ଯିବେ । ଆହତ ଶିଶୁପୁତ୍ର ଦେଖିବ, ତା’ର ହଜିଲା ମାଆ ପୁଣି ଫେରି ଆସିଚି ତା’ ପାଖକୁ ।

 

ବନ୍ଧୁ ଚୌଧୁରୀଙ୍କର ପରାମର୍ଶରେ ଦିନ, ବାର ଠିକ୍‌ ହୋଇଗଲା । ସଲୀଳା ଇଚ୍ଛା ଅନିଚ୍ଛାର ଦ୍ୱନ୍ଦ୍ୱ ଭିତରେ ହାଜର ହେଲେ ଅଧ୍ୟାପକଙ୍କର ଘରେ । ସେବିକା ଭୂମିକାରେ ନୁହେଁ ରୂପବତୀ ଶିଶିରାଙ୍କର ସ୍ଥାନ ପୂରଣ କରିବାକୁ ସେ ସାଜିଥିଲେ ଆଭିଜାତ୍ୟ ଥିବା ଓଡ଼ିଆ ଘରଣୀ ।

 

କାହାଣୀ ବର୍ଣ୍ଣନାରେ ପୁଣି ବ୍ରେକ୍‌ ଦେଲେ ଶଙ୍କର ବାବୁ । ଯୁଗଳ ଭାଇଙ୍କୁ ସମୟ, ସୁବିଧା ମିଳିଲା ନିଜର ଟିପ୍‌ପଣୀ ଦେବାକୁ । ମନରେ ତାଙ୍କର ଅସନ୍ତୋଷର ଭାବ । ସେ କହିଲେ–ଆପଣ ଖୁବ୍‌ ତରତର ହେଉଛନ୍ତି ଶଙ୍କର ବାବୁ । କାହାଣୀ ପରିବେଷଣରେ ଗଲ୍‌ତି ରହିଯାଉଚି । ଠିକ୍‌ କନ୍‌ଭିନ୍‌ସିଂ ହେଉନି । ସଲୀଳାଙ୍କର ଶିଶିରା ଆସନରେ ଅଧିଷ୍ଠିତା ହେବା ତ କାହାଣୀର ଏକ କ୍ଲାଇମେକ୍‌ସ ସିନ୍‌ । ଆପଣଙ୍କର ବର୍ଣ୍ଣନା ଚାତୁରୀ ମଧ୍ୟ ତଦନୁରୂପ ହେବାର ଥିଲା ।

 

ଶଙ୍କର ବାବୁ ଏ କଥାରେ ହଠାତ୍ ଚିଡ଼ି ଉଠିଲେ । ସେ କହିଲେ—ଦେଖନ୍ତୁ, ବର୍ଣ୍ଣନା ମୁଁ ଠିକ୍‌ କରୁଚି । ମୁଁ ତ ଗଳ୍ପ, ଉପନ୍ୟାସ ଲେଖୁନି ଯେ ‘କ୍ଲାଇମେକ୍‌ସ’ ସିନ୍‌କୁ ମନେ ରଖିବାକୁ ବାଧ୍ୟ ହେବି । ସେ କାମ ଆପଣଙ୍କର ଏଇ ନାଟ୍ୟକାର ବନ୍ଧୁ ମହାପାତ୍ର ବାବୁଙ୍କର । କାଗଜର ଫୁଲ ତ ନୁହେଁ ଯେ ରଙ୍ଗ ବୋଳି ଆକର୍ଷଣୀୟ କରିବି । ସତ ଘଟଣରକୁ ବେଶୀ ଫେଣେଇ ନ କହିଲେ ମଧ୍ୟ ଚଳିବ ।

 

ଶଙ୍କର ବାବୁ ବିରକ୍ତିରେ ଆହୁରି କେତେକ ଆକ୍ଷେପପୂର୍ଣ୍ଣ କହିଥାନ୍ତେ । ଚାଟୁ ବାକ୍ୟରେ ତାଙ୍କୁ ପୁଣି ପୂର୍ବ ଅବସ୍ଥାକୁ ଫେରେଇ ଆଣିଲୁ ।

 

ଶଙ୍କର ବାବୁ ପୁଣି ଆରମ୍ଭ କଲେ–

 

—ସଲୀଳାଙ୍କର ଅଧ୍ୟାପକଙ୍କ ଘରେ ପ୍ରଥମେ ପାଦ ଦେବା ବାସ୍ତବିକ୍‌ ଏକ ନାଟକୀୟ ପରିବେଶ । ପୁଅ ମାଆକୁ ପାଇ ଆନନ୍ଦରେ ବିଭୋର । ପାଞ୍ଚ ବର୍ଷର ପୁଅ ମନରେ ଅଭିମାନର ଜୁଆର ଏତେ ବେଶୀ ଥିଲା ଯେ, ମାଆରୂପୀ ସଲୀଳାକୁ ଦେଖୁ ଦେଖୁ ସେ କାନ୍ଦିଲା କଣ୍ଠରେ କହିଲା...ତୁମେ ମତେ ଏକା ଛାଡ଼ିଦେଇ କୁଆଡ଼େ ଯାଇଥିଲ ମା’—କାହିଁକି ତୁମେ ମତେ ଭୁଲିଗଲ-?

 

ଏ ପ୍ରଶ୍ନର କି ଜବାବ ଦେବେ ସଲୀଳା ?? ଘରେ ଗୋଡ଼ ଦଉ ଦଉ ଅଭିନୟର ପ୍ରଥମ ପରୀକ୍ଷା ! ପୂର୍ବର ଅନୁଭୂତି ନାହିଁ—ଅଭିଜ୍ଞତା ନାହିଁ—ଏ ପରୀକ୍ଷାରେ ସେ କିପରି ଉତ୍ତୀର୍ଣ୍ଣ ହେବେ-? କେତେଦୂର ସଫଳ ହୋଇ ପାରିବେ ମାତୃତ୍ୱ ଦାନରେ ?? ...ଖୁବ୍‌ ଅଳ୍ପ ସମୟ ଭିତରେ ସଲୀଳା କିନ୍ତୁ ନିଜକୁ ସଜାଡ଼ି ନେଲେ । ମଝି ଦରିଆରେ ବୁଡ଼ି ଯାଉଥିବା ଲୋକ ହାତ ଗୋଡ଼ ବାଡ଼େଇ କୂଳକୁ ଆସିବାକୁ ଯେପରି ଆପ୍ରାଣ ଚେଷ୍ଟାକରେ, ସଲୀଳାର ଅବସ୍ଥା ଠିକ୍‌ ସେଇ ପର୍ଯ୍ୟାୟରେ ଥିଲା ।

 

ପୁଅର ଦେହ ମୁଣ୍ତରେ ହାତ ବୁଲାଇ ଆଣି ଅତି ଦରଦୀ କଣ୍ଠରେ ପ୍ରଥମେ କଥା ଆରମ୍ଭ କଲେ ସଲୀଳା—

 

—ଆଉ କାହିଁକି କାନ୍ଦୁଚୁ କୁନା ? ମୁଁ ତ ଫେରି ଆସିଚି ।

 

ପୁଅର ମନ କିନ୍ତୁ ମାନିଲା ନାହିଁ । ଅମାନିଆ ସ୍ୱରରେ ସେ ପୁଣି କହିଲା—

 

—ମୋ ନାଁ କୁନା ନୁହେ—ଏଡ଼େ ବେଗି ମୋ ନାଁଟା ମଧ୍ୟ ଭୁଲିଯାଇଚି ମାଆ ? ମୁଁ ପରା ତୁମର ସେଇ ଟୁକୁ...

 

ପରିସ୍ଥିତିକୁ ପୁଣି ସମ୍ଭାଳି ନେଲେ ସଳୀଳା । ତାଙ୍କର ଉପସ୍ଥିତି ବୁଦ୍ଧିକୁ ବାସ୍ତବିକ୍‌ ତାରିଫ୍‌ କରିବାର କଥା । ହସି ହସି ପୁଅକୁ କୋଳକୁ ଆଉଜେଇ ନେଇ ସେ କହିଲେ—ନାଁ ଯାହା ଥାଉ, ସବୁ ମାଆ ପୁଅକୁ ‘କୁନା’ ବୋଲି ଗେଲରେ ଡାକନ୍ତିରେ । ତୋ ନାଁ ମୁଁ କାହିଁକି ଭୁଲିଯିବି ?

 

କଅଁଳିଆ ଶିଶୁମନ, ଛନ୍ଦ କପଟର ବହୁତ ଦୂରରେ । ପ୍ରତିବାଦ କରିବାକୁ ଆଉ ଭାଷା ନାହିଁ କି ଜ୍ଞାନ ନାହିଁ ।

 

ଏଥର ଆସନ୍ତୁ ଅଧ୍ୟାପକଙ୍କ ନିକଟକୁ । ସଲୀଳା କାମରେ ଯୋଗ ଦେବାର ତିନିଦିନ ହୋଇ ଗଲାଣି । କଥା କହିବା ତ ଦୂରର କଥା, ସାମନାସାମନି ହେବାକୁ ମଧ୍ୟ ତାଙ୍କର ସାହସ ନାହିଁ ।

 

ଟୁକୁର ସତର୍କ ଆଖିକୁ ଫାଙ୍କି ଦେବା ଏତେ ସହଜ ନୁହେଁ । ଏତେ ଦିନ ପରେ ମାଆ ଫେରିଲେ ଘରକୁ—ବାପା କିନ୍ତୁ ତାଙ୍କ ସହିତ କଥାବାର୍ତ୍ତା କରୁନାହାନ୍ତି କାହିଁକି ? ଦିନ ଯେତିକି ଗଡ଼ିଲା, ତା’ର ସନ୍ଦେହ ସେତିକି ବଢ଼ିଲା । ଦିନେ ସେ ବାପାଙ୍କୁ ଖୋଲାଖୋଲି ସେଇ ପ୍ରଶ୍ନ କଲା-। ...ମାଆଙ୍କୁ ତୁମେ କଥା କହୁନାହଁ କାହିଁକି ?

 

ଏ ପ୍ରଶ୍ନର ଉତ୍ତର ଶୁଣିବାକୁ ମଧ୍ୟ ତା’ର ଧୈର୍ଯ୍ୟ ନାହିଁ । ବାପାଙ୍କର ହାତ ଧରି ଏକାଥରକେ ଟାଣି ଆଣିଲା ମାଆଙ୍କ ପାଖକୁ ।

...କଥା କୁହ—ମାଆଙ୍କୁ କଥା କୁହ ବାପା..ଅଝଟିଆ କଣ୍ଠରେ ବାରମ୍ୱାର ଏଇ କଥାକୁ ଘୋଷି ହେଲା ଟୁକୁ ।

ଆମ ଅଧ୍ୟାପକ ମହାଶୟ ବଡ଼ ସଂକଟରେ ପଡ଼ିଲେ । ସମ୍ପର୍କ ନ ଥିବା ଜଣେ ସୁଶ୍ରୀ ତରୁଣୀ ପ୍ରତି ତାଙ୍କର ପ୍ରଥମ ସମ୍ଭାଷଣ କ’ଣ ହେବ ଡକ୍ଟରେଟ୍‌ ଉପାଧି ପାଇଥିଲେ ମଧ୍ୟ ଅଧ୍ୟାପକ ହଠାତ୍ କିଛି ଠିକ୍‌ କରି ପାରିଲେ ନାହିଁ । ତା’ହେଲେ କ’ଣ ସେ ଟୁକୁ ନିକଟରେ ଧରା ପଡ଼ିଯିବେ-??

ସଲୀଳା ମୁହଁକୁ ତଳକୁ ପୋତି ଠିଆ ହୋଇଥାନ୍ତି । ଏଇ ତିନିଦିନ ଭିତରେ ମନର ବଳ ତାଙ୍କର ଭାଙ୍ଗି ଗଲାଣି । ଧାତ୍ରୀ ହିସାବରେ ଶିଶୁପୁତ୍ରର ଦାୟିତ୍ୱ ନେଇଥିଲେ ତାଙ୍କୁ ଏଇ ସନ୍ଧିକ୍ଷଣରେ ପହଞ୍ଚିବାକୁ ହୋଇ ନ ଥାନ୍ତା । ସେ ଅବିବାହିତା କୁମାରୀ । ଜନ୍ମିତ ମାଆର ଅଭିନୟ ତାଙ୍କ ପକ୍ଷରେ ଅତି କଷ୍ଟକର ବ୍ୟାପାର ।

ଭଗବାନ ଆମ ଅଧ୍ୟାପକଙ୍କୁ ସହାୟ କଲେ । ତାଙ୍କ ଉର୍ବର ମୁଣ୍ତକୁ ହଠାତ୍ ଗୋଟାଏ ବୁଦ୍ଧି ଦିଶିଲା । ଟୁକୁର ପାଖକୁ ଟାଣି ଆଣି ତା’ କାନ ପାଖରେ ଅତି ମୃଦୁ କଣ୍ଠରେ ସେ କହିଲେ–ତୁ ତୋର ବଡ଼ମାଆ ପାଖକୁ ଯା’ ଟୁକୁ—ମୁଁ ତୋର ମାଆଙ୍କ ସଙ୍ଗେ କଥା କହୁଚି ।

ଯେତେହେଲେ ଶିକ୍ଷିତ ବାପାର ପ୍ରଥମ ସନ୍ତକ–ଅସୁବିଧାଟା ଟୁକୁ ବେଶ୍‌ ବୁଝି ପାରିଲା-

—ବଡ଼ମା’ ପାଖକୁ ଯାଉଚି । ତୁମେ ମୋ ମାଆଙ୍କୁ ଆଉ ଗାଳି ଦେବନି...ଜଣେ ବିଜ୍ଞ ଲୋକ ଭଳି ବାପାଙ୍କୁ ଏଇ ଚେତାବନି ଶୁଣେଇ ଦେଇ ଟୁକୁ ଜାଗା ଛାଡ଼ି ଚାଲିଗଲା ...

ଦେଖାଦେଲା ପୁଣି ଏକ ସଂକଟ ମୁହୂର୍ତ୍ତ । ଏଥର ନାୟକ ଓ ନାୟିକା ଉଭୟେ ଖୁବ୍‌ ପାଖାପାଖି ଛିଡ଼ା ହୋଇଛନ୍ତି । କିଏ ନୀରବତା ଭଙ୍ଗ କରିବ ??

ଅଧ୍ୟାପକ ଆଖିରେ ଇସାରା ଦେଲେ ସଲୀଳାଙ୍କୁ ନିଜର ବିଶ୍ରାମ କକ୍ଷକୁ ଯିବାକୁ । ବିନା ବାକ୍ୟବ୍ୟୟରେ ଆଗ ପଛ ହୋଇ ଦୁହେଁ ମଧ୍ୟ ଶୟନ କକ୍ଷରେ ପ୍ରବେଶ କଲେ ।

...ନୂଆ ଘର, ନୂଆ ଲୋକ । ସମସ୍ତଙ୍କ ସହିତ ଚିହ୍ନାଜଣା ମଧ୍ୟ ହୋଇନାହିଁ ସଲୀଳାଙ୍କର-। ହଠାତ୍ ବିଶ୍ରାମଗାରକୁ ନାୟକଙ୍କର ନିମନ୍ତ୍ରଣ । ନବବଧୂର ଲଜ୍ଜ୍ୟା, ସଙ୍କୋଚ ହୁଏତ ସଲୀଳାଙ୍କର ନାହିଁ—ତଥାପି ସମ୍ଭ୍ରମତା ରକ୍ଷା କରିବାକୁ ହେବ ତ ।

ପାଦ ଚିପି ଚିପି ସେ ଆଗୋଉଥିଲେ ।

ଅଧ୍ୟାପକ ତାଙ୍କର ସୁସଜ୍ଜିତ ପଲଙ୍କରେ ଆସୀନ–ଟିକିଏ ଦୂରରେ ଆମର ଛଦ୍ମବେଶୀ ନାୟିକା ଦଣ୍ତାୟମାନ । ଘର ଭିତରେ ଆଉ ତୃତୀୟ ବ୍ୟକ୍ତି କେହି ନାହାନ୍ତି ।

ଦୁଇ ମିନିଟ୍‌ ପୁଣି ନୀରବରେ କଟିଗଲା । କଥାର ଉପକ୍ରମ ପ୍ରଥମେ କିଏ କରିବ ଆଉ କେମିତି କରିବ ?

...ବସନ୍ତୁ—ଠିଆହେଲେ କାହିଁକି ? ଅଧ୍ୟାପକଙ୍କର ଶଙ୍କିତ କଣ୍ଠସ୍ୱର ପ୍ରଥମେ ଶୁଣାଗଲା-

 

ଧାତ୍ରୀ ସଲୀଳାଙ୍କୁ ଗୃହକର୍ତ୍ତାଙ୍କର ଏଇ ଆଦେଶ–ନିଭୃତ କକ୍ଷରେ ଏକ ପଲଙ୍କରେ ବସିବାକୁ ହେବ ।

 

ସଲୀଳା ମଧ୍ୟ ପ୍ରତିବାଦ କଲେ ନାହିଁ । ପିନ୍ଧିଥିବା ଶାଢ଼ୀଟାକୁ ଭଲ କରି ଆଉ ଥରେ ସଜାଡ଼ି ନେଇ ପଲଙ୍କରେ ଲାଜ ଲାଜ ହୋଇ ସେ ବସିଲେ ।

 

—ସିନ୍‌ଟା ଠିକ୍‌ ଜମିଚି ଶଙ୍କର ବାବୁ—ଆପଣ ଆଉ ସିଗାରେଟ୍‌ ନ ଖାଇ ଦୃଶ୍ୟ ପରେ ଦୃଶ୍ୟ ଖାଲି କହିଯାନ୍ତୁ..ହଠାତ୍ ଯୁଗଳ ଭାଇ ପାଟିକରି ଉଠିଲେ ।

 

ଶଙ୍କର ବାବୁ ସତକୁ ସତ ସିଗାରେଟ୍ ନ ଖାଇ ହସି ହସି ପୁଣି କେହି ଚାଲିଲେ–

 

—ଅତି ରୋମାଞ୍ଚକର ପରିବେଶ । ନାୟିକାଙ୍କର ମନ ଭିତରେ ପ୍ରବଳ ଆନ୍ଦୋଳନ...ନାୟକଙ୍କର ସ୍ପର୍ଶ ହୁଏତ ସେ ଆଉ ଟିକିଏ ପରେ ଅନୁଭବ କରିବାକୁ ଯାଉଛନ୍ତି ।

 

କିନ୍ତୁ ସ୍ପର୍ଶ ନୁହେଁ–ସେଇ ଶଙ୍କିତ ଅନୁରୋଧ ନାୟକଙ୍କ ମୁହଁରୁ ପ୍ରଥମେ ଶୁଣାଗଲା—

 

—ଟୁକୁ ଆଗରେ ମୁଁ ଆପଣଙ୍କୁ ଶିଶିରା ବୋଲି ଡାକିବି । ସେତେବେଳେ ‘ଆପଣ’ ନ କହି ‘ତୁମେ’ ରେ ଆମ ଦୁହିଁଙ୍କୁ କାମ ଚଳେଇବାକୁ ପଡ଼ିବ । ଆପଣ ଟୁକୁକୁ ସ୍ନେହ ଡୋରିରେ ବାନ୍ଧିରଖି ତା’ର ମାଆର ଅଭାବ ଦୂର କରନ୍ତୁ । ବାସ୍‌, ଏତିକି ।

 

ନତମୁଖୀ ସଲୀଳା ଧୀରେ ଧୀରେ ମୁହଁ ଟେକି ଅଧ୍ୟାପକଙ୍କୁ ଚାହିଁବାରେ ଲାଗିଲେ । ସେ ଭାବିଲେ, ପ୍ରକୃତରେ ଶିକ୍ଷାହିଁ ମଣିଷକୁ ବିନୟୀ କରେ, ବଡ଼ କରେ । ସେ ଯେତେବେଳେ ବେତନଭୋଗୀ ସେବିକା, ଏତେଟା ସମ୍ଭ୍ରମତା, ଭଦ୍ରତା ରକ୍ଷା ନ କରିଥିଲେ ମଧ୍ୟ ଚଳିଥାନ୍ତା ।

 

ଅତି ଧୀର ଶାନ୍ତ ଗଳାରେ ଉତ୍ତର ଦେଲେ ସଲୀଳା—ମୋ କର୍ତ୍ତବ୍ୟରେ ଏତେ ଟିକିଏ ଖିଲାପ ଦେଖିବେନି ଆପଣ । ଏ ଘରେ ମତେ କ’ଣ କରିବାକୁ ହେବ, ସେ କଥା ଶଙ୍କର ବାବୁ ମତେ ବହୁ ଆଗରୁ ସତର୍କ କରେଇ ଦେଇଚନ୍ତି । ମୋ ତରଫରୁ କୌଣସି ତ୍ରୁଟି ବିଚ୍ୟୁତି ଦେଖିବେନି, ଏ ପ୍ରତିଶ୍ରୁତି ଆପଣଙ୍କୁ ଦେଇପାରେ ।

 

—ଠିକ୍ ଅଛି । ଆପଣଙ୍କ ତୁଣ୍ତର କଥାହିଁ ଯଥେଷ୍ଟ...ଅଧ୍ୟାପକ ବିଚଳିତ କଣ୍ଠରେ କହିବାରେ ଲାଗିଲେ...ମେଘଲୋକରେ ଘର ବାନ୍ଧି କୁହୁଡ଼ି ପହଁରୁଚି ତ..ତେଣୁ ଆପଣଙ୍କୁ ବାରମ୍ୱାର ସୂଚେଇ ଦେବାକୁ ହେଉଚି ।

 

ସେଦିନର ସାକ୍ଷାତ ଏତିକିରେ ଶେଷ ହୋଇଥିଲା । ନାୟକ ଇଙ୍ଗିତରେ କହିଲେ—ନାୟିକା ବି ଇଙ୍ଗିତରେ ସେ ସବୁ ହଜମ କଲେ..

 

ଶଙ୍କର ବାବୁ କାହାଣୀରେ ଅଳ୍ପକ୍ଷଣ ପାଇଁ ବିରତି ସୃଷ୍ଟି କରିବାକୁ ସିଗାରେଟ୍‌ଟାକୁ ପୂରା ଦମରେ ଟାଣିଲେ । ପ୍ୟାକେଟ୍‌ଟା ଶେଷ କରିବାକୁ ସେ ଯେପରି ବୀରତ୍ୱର ସହିତ ଲାଗି ପଡ଼ିଲେ ।

 

—ସତ କୁହନ୍ତୁ ମହାପାତ୍ର ବାବୁ...ଆପଣମାନଙ୍କୁ କାହାଣୀ ଶୁଣେଇ କେତେ ଧୂଆଁ ମୁଁ ଆଜି ପିଇ ସାରିଲିଣି । ...ଶଙ୍କର ବାବୁ ଲଘୁକଣ୍ଠରେ ପ୍ରଶ୍ନ କଲେ ମତେ ।

 

ଉତ୍ତର ଦେବା ପାଳି କିନ୍ତୁ ଥିଲା ଯୁଗଳ ଭାଇଙ୍କର । ସେ କହିଲେ—

 

—ହଁ, ଧୂଆଁ ପିଇ ପିଇ କାହାଣୀଟାକୁ ଆପଣ ତ ଧୂଆଁଳିଆ ଅବସ୍ଥାରେ ରଖିଛନ୍ତି । ୟା’ର ଶେଷ କେଉଁଠି, ମୁଁ ତ କିଛି ଅନୁମାନ କରି ପାରୁନି ।

 

ଶଙ୍କର ବାବୁ ଏ କଥାରେ ହୋ ହୋ କରି ହସି ଉଠିଲେ । ଖାଲି ପ୍ୟାକେଟ୍‌ଟାକୁ ତଳକୁ ଫୋପାଡ଼ି ଦେଇ ଟେବୁଲ ଉପରେ ସାମାନ୍ୟ ଝୁଙ୍କିପଡ଼ି ସେ କହିଲେ—

 

—ଶ୍ରୀମାନ ଯୁଗଳ ନିଶ୍ଚୟ ଜଣେ ସୁରସିକ । ମୋ ଗଳ୍ପରେ ସେ ଏକବାରେ ମଜ୍ଜି ଗଲେଣି । ଅପେକ୍ଷା କରନ୍ତୁ ବନ୍ଧୁ— ଧୂମାୟିତ ପରିବେଶ ଧୀରେ ଧୀରେ ଅପସରି ଯିବ ।

 

ହଁ—ମୋ କାହାଣୀର ତୃତୀୟ ଅଧ୍ୟାୟ ହେଲା ନକଲି ସଂସାରରେ ସଲୀଳା ଆପେ ଆପେ ହଜିଗଲେ । ତାଙ୍କର ଚାଲିଚଳନ ଦେଖିଲେ କିଏ କହିବ ସେ ଅଭିନୟ କରି ମାତୃତ୍ୱ ବିତରଣ କରୁଛନ୍ତି ? ସେବା କରିବାରେ ସେ ତ ଆଗରୁ ଧୁରନ୍ଧର ଥିଲେ । ଟୁକୁର ଯାବତୀୟ ଅଳି, ଅର୍ଦ୍ଦଳୀ ସେ ତେଣୁ ଅତି ସହଜରେ ପୂରଣ କରି ପାରୁଥିଲେ । ପୁଅକୁ ଗାଧୋଇ ଦେବା, ପ୍ୟାଣ୍ଟ ଜାମା ପିନ୍ଧେଇ ଦେବା, ବୁକୁ ଉପରକୁ ଟାଣିଆଣି ଶୁଆଇ ଦେବା, ଏ ସବୁରେ କୃତ୍ତିତ୍ୱର ସହିତ ପାସ୍ କରିଗଲେ ସଲୀଳା ।

 

ମାଆକୁ ପାଇ ପୁଅ ମଧ୍ୟ ଆନନ୍ଦରେ ମସ୍‌ଗୁଲ । ଏକ ମିନିଟ୍‌ ପାଇ ପାଖଛଡ଼ା କରିବାକୁ ତା’ର ଆଉ ଇଚ୍ଛା ହୁଏ ନାହିଁ । କାଳେ ପୁଣି ମାଆ କୁଆଡ଼େ ଚାଲିଯିବେ, ଏଇ ଭୟରେ ସଲୀଳାଙ୍କର କାନିପଣତକୁ ଟୁକୁ ସବୁବେଳେ ଧରିଥାଏ ।

 

ଏଣେ କିନ୍ତୁ ଅଧ୍ୟାପକଙ୍କର ଅବସ୍ଥା ଜଟିଳରୁ ଜଟିଳତର ହେବାରେ ଲାଗିଲା । ପୂର୍ବରୁ ସେ ଟୁକୁକୁ ପାଖରେ ଶୁଆଇ ଶାନ୍ତି ପାଉଥିଲେ । ଏବେ ସେ ସୁବିଧା ଆଉ ନାହିଁ ।

 

ଲଗାଲଗି ଦୁଇଟି ଘର । ଗୋଟିକରେ ସଲୀଳା ପୁଅକୁ ଧରି ଶୁଅନ୍ତି—ଅନ୍ୟ ଘରଟିରେ ଅଧ୍ୟାପକଙ୍କର ବିଛଣା । ଦୁଇ ଘରକୁ ସଂଯୋଗ କରୁଥିବା କବାଟ ଖୋଲା ରହେ ଟୁକୁ ଚେଇଁଥିବା ପର୍ଯ୍ୟନ୍ତ । ବାପାଙ୍କ ପ୍ରତି ପୁଅର ମଧ୍ୟ ସମାନ ଆକର୍ଷଣ । ମଝିରେ ମଝିରେ ସଲୀଳାଙ୍କର କୋଳରୁ ସେ ଧାଇଁଆସେ ଅଧ୍ୟାପକଙ୍କ ପାଖକୁ ।

 

ଶିଶୁର ଅମୃତମୟ ପ୍ରାଣରେ କି ଗଭୀର ତୃପ୍ତି ! ଏ ଘରେ ମାଆ, ସେ ଘରେ ବାପା । ବିନା ବାଧାରେ ସେ ଦୁହିଁଙ୍କ ପାଖକୁ ଯାଇ ପାରୁଚି ମମତାର ଡୋରି ବାନ୍ଧି ପାରୁଚି ।

 

ଅଦୃଷ୍ଟର କି ନିର୍ମମ ପରିହାସ !! ସ୍ୱାମୀ, ସ୍ତ୍ରୀର ନିବିଡ଼ ସମ୍ପର୍କ ଅଭିନୟ ଛଳରେ ପ୍ରତିଭାତ କରିବାକୁ ହେବ ? ଜଣେ ଯୌବନରେ ଢଳ ଢଳ ସୁନ୍ଦର ଯୁବତୀ ଅନ୍ୟ ଜଣେ ସ୍ତ୍ରୀ ପରିତ୍ୟକ୍ତା ବିରହୀ..ଟୁକୁ ଶୋଇପଡ଼ିଲା ପରେ କବାଟର ଦୁଇପଟେ ଥାଇ ଦୁହେଁ ଯେତେବେଳେ ଛିଟ୍‌କିଣି ଲଗାନ୍ତି, ଆପଣମାନେ କୁହନ୍ତୁ—ଦୁହିଁଙ୍କ ମନରେ କି ପ୍ରତିକ୍ରିୟା ସୃଷ୍ଟି ହେଉଥିବ ? ପ୍ରାଣ କ’ଣ ଚାହୁଁ ନ ଥିବ ପାଖକୁ ଆସିବାକୁ ? ସାନ୍ନିଧ୍ୟ ଆଶାରେ ମନ କ’ଣ ବିକଳ ହେଉ ନ ଥିବ ?

 

ଯୁଗଳ ଭାଇ ହସି ହସି ପୁଣି ବାଧା ସୃଷ୍ଟି କଲେ—

 

—ଆପଣ ତ ଅତି ସାଘାଂତିକ ଲୋକ ଶଙ୍କର ବାବୁ । କୁମାରୀ ଝିଅଟାକୁ ଭୁଲେଇ ଆଣି ବନ୍ଦିନୀ ରାଜକନ୍ୟା କରି ରଖିଲେ । ପ୍ରକୃତରେ ଆପଣ ବଡ଼ ନିଷ୍ଠୁର...

 

ଯୁଗଳ ଭାଇଙ୍କର ଟିପ୍‌ପଣୀ ପ୍ରତି ଭ୍ରୁକ୍ଷେପ ନାହିଁ ଶଙ୍କର ବାବୁଙ୍କର । ସେ କହିଲେ—ଧୈର୍ଯ୍ୟ ଧରନ୍ତୁ ଯୁଗଳ ବାବୁ, ଆଉ କିଛିଟା ଶୁଣିବା ପରେ ମନ୍ତବ୍ୟ ଦେବେ ।...କେବଳ ଟୁକୁ ପାଇଁ ଅଧ୍ୟାପକ ସଲୀଳାଙ୍କର ପାଖକୁ ରୋଜ ଆସିବାକୁ ବାଧ୍ୟ ହୁଅନ୍ତି । କେବଳ ଆସନ୍ତିନି, ପାଖକୁ ପାଖ ଲାଗି ଦୁହେଁ ଏକତ୍ର ବସି ଦାମ୍ପତ୍ୟ–ସୁଲଭ କଥାବାର୍ତ୍ତା ମଧ୍ୟ କରନ୍ତି । ଦିନେ ଏଥିରେ ବ୍ୟତିକ୍ରମ ହେଲେ ଶିଶୁପୁତ୍ରର କଡ଼ା ତାଗିଦା ।

 

ସଲୀଳାଙ୍କ ପାଖରେ ଉଲ୍‌ ସୂତା ସବୁବେଳେ ମହଜୁଦ ଥାଏ । ସେ ତେଣୁ ବୁଣାବୁଣି କରୁଥାଆନ୍ତି, ଆଉ ମୁହଁ ସାମନାରେ ଖଣ୍ତେ ବହି ଧରି ବସିଥାଆନ୍ତି ଆମର ବିରହୀ ନାୟକ । ଆଳାପ ହୁଏ—ଅତି ମାମୁଲି କଥା ବସ୍ତୁକୁ କେନ୍ଦ୍ର କରି ସ୍ୱାମୀ–ସ୍ତ୍ରୀର ଅଭିନୟ ଆରମ୍ଭ ହୁଏ ।

 

ଅଧ୍ୟାପକ ପ୍ରଥମେ ଆରମ୍ଭ କରନ୍ତି—

 

‘‘କ’ଣ ବୁଣୁଚ ?’’

 

‘‘ସ୍ୱେଟର’’...ଉତ୍ତର ଦିଅନ୍ତି ସଲୀଳା ।

 

‘‘ସ୍ୱେଟର ତ ନିଶ୍ଚୟ–କିନ୍ତୁ କାହା ପାଇଁ ବୁଣୁଚ ?’’

 

‘‘ତୁମ ପାଇଁ’’ ସଲୀଳାଙ୍କର ମୁହଁରେ ଲାଜମିଶା ହସ ଦେଖାଇଦିଏ ।

 

‘‘ମୋ ପାଇଁ କାହିଁକି ? ଟୁକୁ ପାଇଁ ବୁଣି ପାରିଥାନ୍ତି ।

 

‘‘ଟୁକୁର ଦି’ଟା ସ୍ୱେଟର ବୁଣା ସରିଚି ।’’

 

କିଛିକ୍ଷଣ ପାଇଁ ନୀରବତା ଦେଖାଦିଏ । ଆଗରେ ହସଖୁସିରେ ପଏଁନ୍ତରା ମାରୁଥାଏ ସତର୍କ ପ୍ରହରୀ ଟୁକୁ । ଏଥର ନାୟିକା ପ୍ରଶ୍ନ ଆରମ୍ଭ କରନ୍ତି...

 

‘‘କି ବହି ପଢ଼ା ଚାଲିଚି ?’’

 

‘‘କବିତା’’—ସଂକ୍ଷେପରେ ଉତ୍ତର ଦିଅନ୍ତି ଅଧ୍ୟାପକ ।

 

‘‘ଶୁଣୁଚି, ଇତିହାସ ତୁମର ଏକମାତ୍ର ପ୍ରିୟ ବହି । କବିତା’ର କାହିଁକି ଦରକାର ହେଲା-?’’

 

ମୃଦୁ କଣ୍ଠରେ ପୁଣି ପ୍ରଶ୍ନ କରନ୍ତି ସଲୀଳା ।

 

ଅଧ୍ୟାପକ ଟିକିଏ ଭାବି ଉତ୍ତର ଦିଅନ୍ତି–

 

‘‘ଦୁନିଆ ବଦଳିଚି –ତା’ ସଙ୍ଗେ ମୋର ମନ ମଧ୍ୟ ବଦଳୁଚି । କବିତାର କିଛି ଅଂଶ ଶୁଣନା—

 

‘‘ଶୁଣେଇଲେ ନିଶ୍ଚୟ ଶୁଣିବି ।’’ ସ୍ୱେଟର ବୁଣା କିଛି ସମୟ ବନ୍ଦ ରଖନ୍ତି ସଲୀଳା ।

 

ଦ୍ୱିଗୁଣ ଉତ୍ସାହରେ ଅଧ୍ୟାପକ କବିତା ବହିରୁ ଆବୃତ୍ତି କରନ୍ତି...

 

‘‘ଅୟୁତ ଯୁଗର ଏହି ଅଭିଶପ୍ତ

ଧୂମାୟିତ ମନ

କେତେ ତାର ସମାରୋହ, ଚାହିଁ ଦେଖ

କେତେ ଆବର୍ତ୍ତନ ।

କେତେ ଆଶା, କେତେ ଲିପ୍‌ସା—ଉଦ୍‌ବେଳିତ

ବର୍ଣ୍ଣହୀନ ଆଜି

ସମୟର ରଥଚକ୍ର ତଳେ ଅବଲୁପ୍ତ

ଯାଏ ମରି ହଜି ।

ଦୁର୍ଗମ ଅରଣ୍ୟ, ନାହିଁ ପଥ

ନିଶ୍ଚିତ ବିଲୟ

ଆମନ୍ତ୍ରଣ କର କିମ୍ପା ଥରଥର

ଦୁର୍ବଳ ହୃଦୟ ।’

 

କବିତା ଶୁଣୁ ଶୁଣୁ ହଠାତ୍ ଏକ କମ୍ପନ ସୃଷ୍ଟି ହେଲା ସଲୀଳାଙ୍କର ମନରେ । ହାତଠାରି ସେ ଅଧ୍ୟାପକଙ୍କୁ କହିଲେ—

 

—ଥାଉ...କବିତା ପଢ଼ା ବନ୍ଦ କର ।

 

—କାହିଁକି ? ଭଲ ଲାଗୁନି ଶୁଣିବାକୁ ? ପ୍ରଶ୍ନ କଲେ ଅଧ୍ୟାପକ ।

 

—ନା–ନା ଭଲ ଲାଗୁଚି ବୋଲି ତ ବନ୍ଦ କରିବାକୁ କହୁଚି । ଅଶାନ୍ତ ଗଳାରେ ଉତ୍ତର ଦେଲେ ସଲୀଳା ।

 

କ୍ରମେ ଅଶ୍ୱସ୍ତି ବୋଧ କଲେ ସଲୀଳା । ହଠାତ୍ ଚେଆର ଛାଡ଼ି ସେ ଯିବାର ଉପକ୍ରମ କରନ୍ତି । ପାଖରେ ଟୁକୁ ମଧ୍ୟ ନାହିଁ । ଖେଳୁ ଖେଳୁ ଅନ୍ୟ କୁଆଡ଼େ ବୋଧହୁଏ ଚାଲି ଯାଇଚି ।

 

—‘ଚେଆର ଛାଡ଼ିଲ କାହିଁକି ? ବସ...

 

ଅଧ୍ୟାପକଙ୍କ ଅନୁରୋଧରେ ଅନ୍ତରର ଆହ୍ୱାନ ଥିଲା ବୋଧହୁଏ । ସଲୀଳା ତେଣୁ ତାକୁ ଏଡ଼ି ଦେଇପାରିଲେ ନାହିଁ ।

 

ପାଖ ଚେଆରରେ ପୁଣି ବସିବାକୁ ବାଧ୍ୟ ହେଲେ ସେ । ମନ ଭିତରେ ତାଙ୍କର ପ୍ରବଳ ଦ୍ୱନ୍ଦ୍ୱ ଓ ଭାବନା । ମୁହଁକୁ ତଳକୁ ପୋତି ସେ କହିଲେ—

 

—ଟୁକୁ କେତେବେଳୁ ଏ ଜାଗା ଛାଡ଼ି ଚାଲି ଗଲାଣି । ମୁଁ ଦେଖେ ସେ କୁଆଡ଼େ ଗଲା-?

 

—କୁଆଡ଼େ ଆଉ ଯିବ ? ଯାଇ ଯାଇ ସେଇ ବଡ଼ ମା’ ପାଖକୁ, ତାକୁ ଖୋଜିବା କିଛି ଦରକାର ନାହିଁ ।

 

ଅଧ୍ୟାପକଙ୍କ ଉତ୍ତରରୁ ଜଣାଗଲା ସେ ଯେପରି ଟୁକୁର ଉପସ୍ଥିତିକୁ ସେ ସମୟରେ ଆଦୌ ଚାହୁଁ ନାହାନ୍ତି । ଏବେ ନିଜର ଚେଆରଟିକୁ ସେ ସଲୀଳାଙ୍କର ପାଖକୁ ଇଚ୍ଛାକରି ଘୁଞ୍ଚେଇ ନେଲେ ।

 

...ଏକ ଆବେଗମୟ ମୁହୂର୍ତ୍ତ—ନାୟକ କ୍ଷେତ୍ର ପ୍ରସ୍ତୁତି କରୁଥାଆନ୍ତି କିଛି କହିବାକୁ । ନାରୀ ଜାତି ସହିତ ମଧୁର ସଂପର୍କ ସ୍ଥାପନ କରିବା ତାଙ୍କ ଅଭ୍ୟାସର ବାହାରେ । ତଥାପି ସେ ଚେଷ୍ଟା କଲେ ସୁଯୋଗକୁ ହାତ ମୁଠାରେ ରଖିବାକୁ । କୋମଳ କଣ୍ଠରେ ସେ କହିଲେ—

 

ତୁମକୁ ଦେଖି ମୋର କ’ଣ ମନେହେଉଛି ଜାଣ ?

 

—କ’ଣ ମନେ ହେଉଛି ?? ଅଜଣା ଆଶଙ୍କାରେ ସଲିଳାଙ୍କର ସ୍ୱର କମ୍ପି ଉଠିଲା ।

 

ଏଥର ନାୟକଙ୍କର କଣ୍ଠସ୍ୱର ଭାବୋନ୍ନତ୍ତି ହୋଇ ଉଠିଲା । ସେ କହିଲେ—

 

ମଧୁରାତ୍ରିର ଶିଶିରା ଶୁଭ୍ର ଆଲୋକରେ ସଲୀଳା ରୂପରେ ମୋତେ ଦେଖା ଦେଉଚି ।

 

ତୀର ବେଗରେ ଏ କଥାଟା ସଲୀଳାଙ୍କର ବୁକୁରେ ଲାଗିଲା । ଭୟ ଓ ଆତଙ୍କରେ ସେ ପାଟି କରି ଉଠିଲେ—ନା—ନା—ଆପଣ ଏସବୁ କ’ଣ କହି ଚାଲିଚନ୍ତି ? ମୋର ପରିଚୟ ସେଇ ସେବିକା ।

 

ଏକ ମିନିଟ୍‌ ପାଇଁ ସଲୀଳା ଆଉ ଅପେକ୍ଷା କଲେ ନାହିଁ । କ୍ଷିପ୍ର ଗତିରେ ‘ଟୁକୁ’ ‘ଟୁକୁ’ ଡାକି ଚାଲିଗଲେ ଅନ୍ୟ ଦିଗକୁ ।

 

ଆମ ନାୟକଙ୍କର ମଧ୍ୟ ଚେତନା ଫେରି ଆସିଲା । ଏ ପର୍ଯ୍ୟନ୍ତ ସେ ହୁଏତ ଅନ୍ୟ ଏକ ରାଜ୍ୟରେ ବିଚରଣ କରୁଥିଲେ । ସଲୀଳାଙ୍କର ତଡ଼ିତ୍ ପ୍ରସ୍ଥାନ ତାଙ୍କୁ ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରେଇ ଆଣିଲା । ମନ ଭିତରେ ଯେଉଁ ଭଉରୀ ଖେଳୁଥିଲା, ସେ ହେଲା ଶାନ୍ତ–ଗତିହୀନ...

 

ଯୁଗଳ ଭାଇଙ୍କର ଟୀକା ଟିପ୍‌ଣୀ ଦେବାର ଏଇ ହେଲା ପ୍ରକୃଷ୍ଟ ସମୟ । ଶଙ୍କର ବାବୁଙ୍କ ପ୍ରତି ଏକ କୌତୁକ ମିଶା ଚାହାଣୀ ନିକ୍ଷେପ କରି ହସି ହସି ସେ କହିଲେ—

 

—ବାଃ, ଗୁପ୍ତ ପ୍ରେମର ଲହରୀ ଛୁଟେଇବାକୁ ଆପଣଙ୍କ ଉଦ୍ୟମ ଶେଷରେ ସଫଳ ହେଲା ଦେଖୁଛି । ବିବାହିତ ନାୟକଙ୍କ ଘରେ ଅବିବାହିତା ନାୟିକା—ଘଟଣା ପ୍ରବାହ ଅନେକ ଦୂର ଆଗେଇଯିବ ବୋଧହୁଏ ।

 

ଶଙ୍କର ବାବୁ ହସିଲେ । କିନ୍ତୁ ପ୍ରତିବାଦ କରି କହିଲେ—ନା–ନା ଆପଣ ଏଠି ଚୋରା ପ୍ରେମର ସନ୍ଧାନ ପାଇଲେ କେଉଁଠୁ ? ମନ ସାମାନ୍ୟ ଚହଲି ଯାଇଥିଲା ନାୟକଙ୍କର । ଠିକ୍‌ ସମୟରେ ସେ ତାକୁ ସଜାଡ଼ି ନେଲେ । ମାତ୍ର ଗୁପ୍ତ ପ୍ରେମର ଅସଲ ସ୍ୱରୂପ ତ ପ୍ରକାଶ ପାଇଲା ନାୟକଙ୍କର ସାନଭାଇ ସାଙ୍ଗରେ ।

 

ଆଶ୍ଚର୍ଯ୍ୟ କଣ୍ଠରେ ଯୁଗଳ ଭାଇ ପୁଣି ପ୍ରଶ୍ନ କଲେ–ଆରେ—ନାୟକଙ୍କର ସାନଭାଇ ଆସିଲା କେଉଁଠୁ ? ଆଗରୁ ତ ଆପଣ ତାର କିଛିମାତ୍ର ସୁରାକ୍‌ ଦେଇ ନାହାନ୍ତି ।

 

ଶଙ୍କର ବାବୁ ସାମାନ୍ୟ ରାଗିଗଲେ । ତୀକ୍ଷ୍‌ଣ ଗଳାରେ ସେ ଉତ୍ତର ଦେଲେ—ଆଗରୁ ସୁରାକ୍‌ ଦେବି କାହିର୍କି ? ମୁଁ କ’ଣ ନାଟକ ଲେଖିଛି ଯେ ପାତ୍ର ପାତ୍ରୀଙ୍କର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରଥମ ପୃଷ୍ଠାରେ ଦେଇ ପରେ ବିଷୟ ବସ୍ତୁର ଅବତାରଣା କରିବି ?

 

ରାଗ ଅଭିମାନରେ କିଛି ସମୟ ପାଇଁ କଥା ବନ୍ଦ କରିଦେଲେ ଶଙ୍କରବାବୁ । କିନ୍ତୁ ପରିସ୍ଥିତିକୁ ପୁଣି ସୁଧାରି ନେଲେ ଯୁଗଳ ଭାଇ । କାହାଣୀର ପର ଅଧ୍ୟାୟ କହି ଚାଲିଲେ ଶଙ୍କରବାବୁ–

 

ଅଧ୍ୟାପକଙ୍କର ଜଣେ ମାତ୍ର ଅନୁଜ—ବୃତ୍ତି..ସରକାରୀ ଦପ୍ତରର କିରାଣୀ । ସୁନ୍ଦର ସ୍ୱାସ୍ଥ୍ୟ—ଯାହାକୁ କହନ୍ତି ସ୍ମାର୍ଟ ୟଙ୍ଗ୍ ମ୍ୟାନ । ସଲୀଳାଙ୍କର ରୂପ ଲାବଣ୍ୟରେ ସେ ଏକାବେଳକେ ବିଭୋର ।

 

ପ୍ରଥମେ କେତେଦିନ ବଡ଼ ଭାଇଙ୍କର ଚଏସକୁ ସାନ ଭାଇଙ୍କର ଅନୁମୋଦନ ନ ଥିଲା । ସମାଲୋଚନା ଭଙ୍ଗୀରେ ସେ କହୁଥିଲେ—ଭାଉଜଙ୍କୁ ଫେରେଇ ନ ଆଣି ଘର ଭିତରେ ଜଣେ ଅଜଣା ଅଶୁଣା ସ୍ତ୍ରୀ ଲୋକକୁ ସ୍ଥାନ ଦେବା ଭାଇଙ୍କର ନିହାତି ଅନ୍ୟାୟ ହୋଇଚି । ଘରେ ବୋଉ ଅଛି, ବାପା ଅଛନ୍ତି—ମୁଁ ଅଛି । ଆମେ କ’ଣ ପିଲାର ଦାୟିତ୍ୱ ନେଇ ପାରି ନ ଥାନ୍ତୁ ।’’

 

ଅନୁଜଙ୍କର ଏ ସାଧୁ ମନ୍ତବ୍ୟ ଆମ ଅଧ୍ୟାପକ ମୁହାଁମୁହିଁ ଶୁଣିବାର କେବେ ସୁଯୋଗ ପାଇ ନ ଥିଲେ । ଫଳରେ ଏକ କଟୁତିକ୍ତ ମାଧୁର୍ଯ୍ୟର କୌଣସି କ୍ଷୟକ୍ଷତି କରି ପାରି ନ ଥିଲା ।

 

ଆପଣ ମନେ ରଖନ୍ତୁ ଯୁଗଳ ବାବୁ, ଫୁଲର ମହକ ସମସ୍ତଙ୍କୁ ଦିନେ ଦିନେ ସମ୍ମୋହନ କରେ । ସାନ ଭାଇର ମନର ଭାବ ପରିବର୍ତ୍ତନ ହେବାକୁ ବେଶୀ ଦିନ ଲାଗିଲା ନାହିଁ । ସଲୀଳାଙ୍କର ସ୍ରୋତରେ ସେ ମଧ୍ୟ ଭାସି ବୁଲିଲେ । ବ୍ୟବହାରରେ ସ୍ନିଗ୍‌ଧତା ଓ କୋମଳତା ଥିଲେ ବଣର ପଶୁ ପକ୍ଷୀ ମଧ୍ୟ ପୋଷା ମାନି ଯାଆନ୍ତି । ଏ’ ତ ସହଜରେ ମଣିଷ ।

 

ରୋଜ୍‌ ଲୁଚେଇ ଛପେଇ ସଳୀଳାଙ୍କ ସଙ୍ଗେ କଥାବାର୍ତ୍ତା କଲେ ସାନ ଭାଇଙ୍କର ମନର ଓରମାନ ମେଣ୍ଟିଯାଏ । ଅଫିସରୁ ଫେରି ଦିନେ ସେ ସଲୀଳାଙ୍କୁ କହିଲେ—

 

ଆପଣ ଯେ କ’ଣ ମୁଁ କିଛି ବୁଝି ପାରୁନି ।

 

ମାଟିର ପିତୁଳା ନା ଆଉକିଛି ?

 

ମ୍ଳାନ ହସ ହସି ସଲୀଳା ଉତ୍ତର ଦେଲେ—

 

—ମାଟିର ପିତୁଳା ନୁହେଁ—କୁହନ୍ତୁ ପଥରର...

 

—କାହିଁକି ଆପଣ ଜୀବନକୁ ଏମତି ନଷ୍ଟ କରି ଦେଉଛନ୍ତି ? ନିଜର ଯୌବନକୁ ନିଜେ ବିଦ୍ରୁପ କଲେ ଭଗବାନ ଆପଣଙ୍କୁ କ୍ଷମା ଦେବେନାହିଁ । ...ଅତି ସ୍ପଷ୍ଟ ଗଳାରେ ସମବେଦନା ଜଣାଇଲେ ଆମର କନିଷ୍ଠ ।

 

ପୂର୍ବପରି ଧୀର ଗଳାରେ ସଲୀଳା କହିଲେ

 

—ଚାକିରି କଲେ ଜୀବନ କ’ଣ ନଷ୍ଟ ହୋଇଯାଏ ? କର୍ତ୍ତବ୍ୟକୁ ଆପଣ ବିଦ୍ରୁପ ବୋଲି କହୁଚନ୍ତି କାହିଁକି ?

 

—ଚାକିରି ! କର୍ତ୍ତବ୍ୟ ! ଏସବୁ ଦୁର୍ବଳ ମନକୁ ବୁଝେଇବାକୁ କେତୋଟି ସବଳ ଶବ୍ଦ । ଆପଣ ନିଜର ଜୀବନକୁ ତିଳ ତିଳ କରି ଶେଷ କରିବାରେ ଲାଗିଛନ୍ତି... ଅନୁଜ ପୁଣି ଯୁକ୍ତି ଛଳରେ କହିଲେ ।

 

କେଜାଣି କାହିଁକି ସଲୀଳାଙ୍କର ଆଖି ଛଳ ଛଳ ହୋଇଗଲା । ସ୍ତ୍ରୀ ଜନ୍ମ ପାଇ ପର ଘରେ ଚାକିରି କରିବା ବାସ୍ତବିକ ବଡ଼ ଦୁଃସହ ଯନ୍ତ୍ରଣା । ସଂସାର ପାତିବାର ସାମର୍ଥ୍ୟ ଥିଲେ ସେ ହୁଏତ ଏ ବୟସରେ ସୁଗୃହିଣୀର ମାନ ମର୍ଯ୍ୟାଦା ପାଇ ପାରୁଥାଆନ୍ତେ । କିନ୍ତୁ ତାଙ୍କ ପକ୍ଷରେ ସେ ଆଶା ବର୍ତ୍ତମାନ ଆକାଶ କୁସୁମ ।

 

ନିଜର ଉଦ୍‌ଗତ ଅଶ୍ରୁଧାରାକୁ ଚାପି ରଖି ମୁହଁରେ ଯଥାସମ୍ଭବ ଶୁଖିଲା ହସ ଆଣି ସଲୀଳା କହିଲେ—ଆପଣ ହୁଏତ ଭୁଲ୍‌ କହୁଚନ୍ତି । କମ୍ ପରିଶ୍ରମ କରି ମୁଁ ଏଠି ଯାହା ଦରମା ପାଉଚି, ସେଥିରେ ମୋ ବୋଉ, ଭଉଣୀଙ୍କର ଅଭାବ ମୁଁ ଦୂର କରି ପାରିଚି । ସେମାନଙ୍କୁ ଠିକ୍ ସମୟରେ ମୁଁ ଦାନା କନା ଯୋଗାଇ ପାରୁ ନ ଥିଲି । ଦିନେ ଖାଇ ଦିନେ ହୁଏତ ସେମାନେ ଉପବାସରେ ରହୁଥିଲେ । ଆଜି ସେ ଚିନ୍ତା ମୋର ଆଉ ନାହିଁ । ଆପଣଙ୍କ ଘରେ ଚାକିରି କରି ମୋର ମାସିକ ଆୟ ଏତେ ବେଶୀ ବଢ଼ିଯାଇଚି ଯେ, ମୋର ଗାଉଁଲୀ ପରିବାରଙ୍କ ମୁହଁରେ ଫୁଟି ଉଠିଚି ସୁଖଶାନ୍ତିର ଏକ ଗଭୀର ତୃପ୍ତି । ଆଉ ମୋର କ’ଣ ଦରକାର କୁହନ୍ତୁ ?

 

ସଲୀଳା ଏତେ କଥା କହିବା ପରେ ମଧ୍ୟ ନାୟକଙ୍କ ସାନଭାଇ ରାଗରେ ଆହୁରି କମ୍ପି ଉଠିଲେ । ସଲୀଳାଙ୍କର ମୁହଁକୁ ଚାହିଁ ସେ ପୁଣି କହିଲେ—

 

—ମୋ ଆଖିକୁ ଫାଙ୍କିବାର ଚେଷ୍ଟା କରନ୍ତୁନି । ନିଜେ କାନ୍ଦି ଅପରକୁ ହସେଇବା ନୀତିର ମୁଁ ଘୋର ବିରୋଧୀ । ଆପଣ ରକ୍ତ ମାଂସର ମଣିଷ । ଆପଣଙ୍କ ମନର ପ୍ରତ୍ୟେକଟି ରେଖା ମତେ ଆଉ ଅଜଣା ନାହିଁ । ମାନସିକ କ୍ଳାନ୍ତି ଆପଣଙ୍କୁ ଏକ ସ୍ଥାଣୁ ଅବସ୍ଥାକୁ ଟାଣି ନେଉଚି, ଏକଥା ମୁଁ ବେଶ ଲକ୍ଷ୍ୟ କରି ପାରୁଚି ।

 

ଏପରି ଆନ୍ତରିକ ଆଗ୍ରହ କେଉଁ ଯୁବତୀର ମନକୁ ସ୍ପର୍ଶ ନ କରିବ କୁହନ୍ତୁ ? କେଉଁ ନାରୀ ନ ଚାହେଁ ଉପାର୍ଜନ–କ୍ଷମ ତରୁଣ ସ୍ୱାମୀ ପାଇବାକୁ ?? ବିଶେଷକରି ସେ ସୁଯୋଗଟା ଯେତେବେଳେ ହାତମୁଠାରେ ଅଛି, ତାକୁ କାମରେ ଲଗେଇବାକୁ..

 

ସଲୀଳା ଦେବୀ ତଥାପି ଧରା ଦେଲେ ନାହିଁ । ଭୋଗ ବିଳାସର ପ୍ରଲୋଭନ ଏତେ ଶୀଘ୍ର ତାଙ୍କୁ ପଥଚ୍ୟୁତ କରିବା ସମ୍ଭବ ନୁହେଁ । ସେ ତେଣୁ ଖୋଲାଖୋଲି ଜଣେଇ ଦେଲେ ଅନୁଜଙ୍କୁ—ଏ ଆଲୋଚନା ନ କଲେ ମୁଁ ସୁଖୀ ହେବି । ସବୁଦିନ କର୍ତ୍ତବ୍ୟକୁ ମୁଁ ଉଚ୍ଚ ଆସନ ଦେଇ ଆସିଚି । ମୋର କର୍ତ୍ତବ୍ୟ ମତେ କରିବାକୁ ଦିଅନ୍ତୁ...

 

ସଲୀଳା ଦେବୀ ଚଞ୍ଚଳ ପଦକ୍ଷେପରେ ସେ ଜାଗା ଛାଡ଼ି ଚାଲିଗଲେ । ଆଉ କୌଣସି ଆଲୋଚନା କରିବା ତାଙ୍କର ହୁଏତ ଦରକାର ନ ଥିଲା...

 

...ଶଙ୍କର ବାବୁଙ୍କର ବକ୍ତବ୍ୟ କିଛି ସମୟ ପାଇଁ ମୁଲତବି ରହିଲା । କାରଣ ଧୂମ୍ରପାନ ପାଇଁ ସେ ଅନେକବେଳୁ ଅପେକ୍ଷା କରିଥିଲେ । ରେଷ୍ଟୁରାଣ୍ଟର ବଏ ସିଗାରେଟ୍‌ ପ୍ୟାକେଟ୍‌ ଆଣି ଦେବାରୁ ତରବରରେ ଶଙ୍କର ବାବୁ ତା’ର ସଦ୍‌ବ୍ୟବହାର କଲେ ।

 

ସଂପୂର୍ଣ୍ଣ ନୀରବତା କିଛିକ୍ଷଣ ପାଇଁ ଦେଖାଦେଲା । ଭାବନାରେ ବୁଡ଼ିରହି ଯୁଗଳ ଭାଇ ସନ୍ଦେହ ମିଶା କଣ୍ଠରେ ପ୍ରଶ୍ନ କଲେଆପଣଙ୍କ ନାୟକଙ୍କ ସାନଭାଇ ପ୍ରକୃତରେ କ’ଣ ଚାହାଁନ୍ତି, ସେ ବିଷୟରେ ଆପଣ କିଛି କହି ନାହାନ୍ତି । ସଲୀଳାଙ୍କ ନିକଟରେ ସେ କ’ଣ ବିଶୁଦ୍ଧ ପ୍ରେମ ନିବେଦନ କରିବାକୁ ଚେଷ୍ଟା କରୁଥିଲେ ??

 

ବକ୍ର ହସ ଦେଖାଗଲା ଶଙ୍କରବାବୁଙ୍କ ମୁହଁରେ । ସେ କହିଲେ—ରକ୍ତର ଉତ୍ତାପ, ନିଶାର ଉତ୍ତାପଠାରୁ ବେଶୀ ଉଷ୍ମ । ସାନ ଭାଇଙ୍କର କାମନାର ମାନସୀ, ପ୍ରୀତିର ପ୍ରିୟମ୍ୱଦା ଥିଲେ ଏଇ ସଲୀଳା ଦେବୀ । ପାତ୍ରୀ ତ ଘରେ ମହଜୁଦ୍‌—ସେ ଦିଗରେ ମନ ନ ବଳିବ ବା କାହିଁକି ?

 

—ତା’ହେଲେ ଅଧ୍ୟାପକଙ୍କର କାନରେ ଏ ପ୍ରେମ ଖବର ପହଞ୍ଚିଲା ଶେଷରେ...? ଯୁଗଳ ଭାଇ ପୁଣି ପ୍ରଶ୍ନ କଲେ ।

 

ଗୋଟାଏ ବଡ଼ ଧରଣର ହାଇମାରି ଶଙ୍କର ବାବୁ କହିଲେ—ଏ ଖବର ତାଙ୍କ କାନକୁ ଦେବ କିଏ ? ହେଲେ ବା ସେ ଖବର ଶୁଣିବାକୁ ତାଙ୍କର ସମୟ ବା କାହିଁ ? ସେତେବେଳେ ଖୋଦ୍ ଅଧ୍ୟାପକ ତ ପକାଉଠା ଅବସ୍ଥାରେ ଥିଲେ ।

 

ଯୁଗଳ ଭାଇ ମୃଦୁ ହସି କହିଲେ—ତା’ହେଲେ ଦୁଇଭାଇ ଏକା ନାଆରେ ପାଦ ଦେଇ ଟଳମଟଳ ଅବସ୍ଥା ? ପ୍ରେମ ଯୁଦ୍ଧରେ କିଏ ତେବେ ଜିତାପଟ ହେଲେ କୁହନ୍ତୁ । ଅଧ୍ୟାପକ ନିଶ୍ଚୟ ସଲୀଳାଙ୍କର ପାର୍ଟନର ହେବାକୁ ରାସ୍ତା ପରିଷ୍କାର କରି ଦେଇଥିବେ ।

 

ହୋ ହୋ କରି ହସି ଉଠିଲେ ଶଙ୍କର ବାବୁ । ସେ କହିଲେ

 

—ହଁ, ଅଧ୍ୟାପକ ପାର୍ଟନର ହେଲେ ସତ, ହେଲେ ସଲୀଳାଙ୍କର ନୁହେଁ ।

 

ଯୁଗଳ ଭାଇଙ୍କର ଧୈର୍ଯ୍ୟବନ୍ଧ ଏକାବେଳେକେ ଭାଙ୍ଗିଗଲା । ରୁକ୍ଷ କଣ୍ଠରେ ସେ କହିଲେ—

 

—ଆପଣଙ୍କର କଥା ଆମେ କିଛି ବୁଝିପାରୁ ନାହୁଁ । ଏତେଟା ଆବରଣ ଭିତରେ ବିଷୟବସ୍ତୁ ବର୍ଣ୍ଣନା କରିବା ଆପଣଙ୍କର ଠିକ୍‌ ହେଉନି । ଯାହା କହିବାର କଥା, ଆମକୁ ବୁଝେଇ କୁହନ୍ତୁ ।

 

ବକ୍ତବ୍ୟକୁ ସରଳ କଲେ ଶଙ୍କର ବାବୁ । ଚାପା ହସ ଭିତରେ ସେ କହିଲେ—ଆପଣମାନେ ଯାହା ଭାବୁଚନ୍ତି, ଘଟଣା ତା’ ନୁହେଁ । ୟାକୁଇ କହନ୍ତି..କପାଳ ଲିଖନ, କେ’ କରିବ ଆନ । ମା’ ଲକ୍ଷ୍ମୀ ଅଧ୍ୟାପକଙ୍କ ଉପରେ ହଠାତ୍ ସୁପ୍ରସନ୍ନ ହୋଇ ଉଠିଲେ । ଗୋଟାଏ ଅର୍ଥକାରୀ ବ୍ୟବସାୟ ଆପେ ଆପେ ତାଙ୍କ ହାତମୁଠାକୁ ଆସିଗଲା । ଏକ ଲାଭଜନକ କାରଖାନାର ସେ ହେଲେ ମୁଖ୍ୟ ପାର୍ଟନର...

 

ଆମେ କ’ଣ ଶୁଣିବାକୁ ଆଶା କରିଥିଲୁ ? ହେଲେ ଶଙ୍କର ବାବୁ କାହାଣୀର ଗତିକୁ କେଉଁଆଡ଼େ ନେଲେ ? କାହିଁ ଶୁଭ ଶଙ୍ଖ, ସାହାନାଇର ମଧୁର ଗୁଞ୍ଜନ, କାହିଁ କାରଖାନାର ସତର୍କ ଘଣ୍ଟି ?

 

ଯୁଗଳ ଭାଇ ହତାଶିଆ କଣ୍ଠରେ କହିଲେ—ନାମର ସାର୍ଥକତା ଆମର ଶଙ୍କର ବାବୁ ଠିକ୍‌ ରଖି ପାରିଚନ୍ତି । ପ୍ରକୃତରେ ସେ ଭୋଳାନାଥ । ଗଙ୍ଗା ନଦୀର କଳ–ଗୁଞ୍ଜନ କହିବାକୁ ଯାଇ ସେ ପହଞ୍ଚି ଗଲେ ହିମାଳୟର ଅତ୍ୟୁଚ୍ଚ ଶିଖର ପାଦଦେଶରେ । ଧନ୍ୟ ଆପଣ ଶଙ୍କର ବାବୁ । କୁହେଳିକା ଭିତରେ ଆଉ କେତେ ସମୟ ରଖିବେ, ରଖନ୍ତୁ । ହଉ, ଏ ଦୁନିଆରେ ଟଙ୍କା ତ ହେଲା ସବୁ ଅଗ୍ରଗତିର ମୂଳ ମଞ୍ଜି । ମାନ, ସମ୍ମାନ, ପ୍ରତିଷ୍ଠା, ସବୁ ସେଇ ଟଙ୍କାରୁ ଉତ୍ପତ୍ତି । ସେଇ ଟଙ୍କାର ଅଧୀଶ୍ୱର ଆପଣଙ୍କ ନାୟକ କେମିତି ହେଲେ, ଆହ୍ଲାଦ୍ଦିନର ଆଶ୍ଚର୍ଯ୍ୟ ପ୍ରଦୀପ ତାଙ୍କର କେମିତି ହସ୍ତଗତ ହେଲା, ଏବେ ସେଇ କଥା ବିସ୍ତାରି କହନ୍ତୁ—

 

ଶଙ୍କର ବାବୁ ଉତ୍ସାହିତ ହୋଇ କହିଲେ—

 

—ପ୍ରକୃତରେ ଆହ୍ଲାଦ୍ଦିନର ଆଶ୍ଚର୍ଯ୍ୟ ପ୍ରଦୀପ ଅଧ୍ୟାପକଙ୍କର ଭାଗ୍ୟକୁ ମିଳିଲା । ଜନୈକ ମାରଓ୍ୱାଡ଼ୀ ବ୍ୟବସାୟୀଙ୍କର ଏକମାତ୍ର କୁଳନନ୍ଦନକୁ ପାଠ ପଢ଼େଇବାର ଦାୟିତ୍ୱ ନେଇ ଅଧ୍ୟାପକ ଏପରି ଉଜ୍ଜ୍ୱଳ ପରିବେଶ ସୃଷ୍ଟି କଲେ ଯେ, ଅଶିକ୍ଷା ଅନ୍ଧକାରର ଜଡ଼ତା ତା’ର ଏକାବେଳେକେ ଘୁଞ୍ଚିଗଲା । ଛାତ୍ରଟି ବିଶ୍ୱବିଦ୍ୟାଳୟର ସମ୍ମାନ ସୂଚକ ଡିଗ୍ରୀ ପାଇଲା ପରେ ଉକ୍ତ ମାରଓ୍ୱାଡ଼ି ବ୍ୟବସାୟୀ ଗୁରୁଦକ୍ଷିଣା ସ୍ୱରୂପ ନିଜର ଚଳନ୍ତି ବ୍ୟବସାୟର ଆଠ ଅଣା ଅଂଶ ଅଧ୍ୟାପକଙ୍କୁ ଦାନ କରି ଦେଲେ ।

 

ମହାଭାରତରେ ଏକଲବ୍ୟ ଗୁରୁଙ୍କୁ ଯେଉଁ ଦକ୍ଷିଣା ଦେଇ ଯୁଗ ଯୁଗ ପାଇଁ ଅମର ହୋଇଛନ୍ତି, ଏ ଦକ୍ଷିଣା ବିଦ୍ୟାର୍ଥୀଙ୍କର ସେମିତି ଏକ ଆବେଗ ଉଚ୍ଛ୍ୱାସ ବୋଲି ଧରି ନେବାକୁ ହେବ-। ଅଧ୍ୟାପକ ପ୍ରଥମେ ରାଜି ହେଲେ ନାହିଁ ଏ ଦାନ ଗ୍ରହଣ କରିବାକୁ । ବ୍ୟବସାୟୀ କିନ୍ତୁ ନଛୋଡ଼ବନ୍ଧା, ଅତି ବିନୟର ସହିତ ସେ କହିଲେ—ଆପଣଙ୍କ ଉପକାର ମୁଁ ଏ ଜନ୍ମରେ ଶୁଝିପାରିବି ନାହିଁ । ପ୍ରତିଦାନରେ ମୁଁ ଯାହା ଦେଉଛି, ତା’ର ସାଂସରିକ ମୂଲ୍ୟ ଯାହା ଥାଉନା କାହିଁକି, ଆପଣଙ୍କ ପରିଶ୍ରମ ତୁଳନାରେ ସେ କିଛି ନୁହେଁ । ଆପଣଙ୍କୁ କିଛି କଷ୍ଟ କରିବାକୁ ପଡ଼ିବ ନାହିଁ । ବ୍ୟବସାୟ ମୁଁ ଚଳେଇବି—ଆପଣ କେବଳ ଆଠଅଣା ଅଂଶର ଲାଭ ନେବେ-

 

ପ୍ରତିବାଦ ଜଣେଇବାକୁ ଆଉ ଭାଷା ନ ଥିଲା ଆମ ଅଧ୍ୟାପକଙ୍କର...

 

—ଏ କ୍ଷେତ୍ରରେ ତ ଆନନ୍ଦରେ କୁଦାମାରି ଦେଶସାରା ବୁଲିବାର କଥା—ଅଧ୍ୟାପକ ଆଉ ପ୍ରତିବାଦ କରିବେ କ’ଣ ? ଯୁଗଳ ଭାଇ ମୋ ଆଡ଼କୁ ଚାହିଁ ଟିପ୍‌ଣୀ ଦେଲେ ।

 

ଶଙ୍କର ବାବୁ କିନ୍ତୁ କହିବାରେ ଲାଗିଥାନ୍ତି—ଆନନ୍ଦ ଆପଣ କାହାକୁ କହୁଛନ୍ତି ? କ୍ଷୀରଖିଆ ପୁଅକୁ ଛାଡ଼ି ଯାହାଙ୍କର ସ୍ତ୍ରୀ ଘରଛାଡ଼ି ଚାଲିଯାଇଚି, ତାଙ୍କର ପୁଣି ଆନନ୍ଦ କ’ଣ ? ଏତେବଡ଼ ସୁ–ଖବରଟା ଘରେ ଯାଇ ସେ କାହାକୁ ଶୁଣେଇବେ ? ଅଚିନ୍ତକୀୟ ସୁଖ–ଐଶ୍ୱର୍ଯ୍ୟରେ ଭାଗୀଦାର କିଏ ହେବ, କୁହନ୍ତୁ ।

 

ଅଧ୍ୟାପକଙ୍କର ଯନ୍ତ୍ରଣା ବଢ଼ିଲା ସିନା କମିଲା ନାହିଁ ।

 

...ତାଙ୍କ ସଂସାରରେ ସ୍ୱାଚ୍ଛଲ୍ୟ ଥିଲା, ଏବେ ଆସିଲା ପ୍ରାଚୁର୍ଯ୍ୟ । ବସ୍, ରିକ୍‌ସାରେ ସେ ଯିବା ଆସିବା କରୁଥିଲେ—ଏବେ କାରଖାନା ତରଫରୁ ମିଳିଲା ଆମ୍ୱାସାଡ଼ାର କାର୍‌ ।

ମନଲାଖି ପରିବେଶ ଯେ ପାଆନ୍ତି, ସେ’ ତ ନିଶ୍ଚୟ ସୁଖୀ । କିନ୍ତୁ ନିଜର ଚେଷ୍ଟାରେ ଯେ’ ସେ ପରିବେଶକୁ ଆହୁରି ଲୋଭନୀୟ କରି ପାରନ୍ତି, ତାକୁଇ ଭାଗ୍ୟବାନ ବୋଲି କହିବାକୁ ହେବ ।

ନାୟକ ଆମର ଏବେ ସେଇ ଚେଷ୍ଟାରେ ରହିଲେ...

ରାତି ଏଗାରଟା—ଟୁକୁକୁ ପାଖରେ ଶୁଆଇ ସଲୀଳା ବୁଣାବୁଣିରେ ବ୍ୟସ୍ତ । ମଝି ଦରଜାଟା ଘରଆଉଜା ଅଛି । ଆଉ ଟିକିଏ ପରେ ହୁଏତ ତାକୁ ବନ୍ଦ କରିବାର ଆବଶ୍ୟକତା ପଡ଼ିଥାଆନ୍ତା । ରାତ୍ରିର ନିଥରତା କ୍ରମେ ବଢ଼ି ବଢ଼ି ଚାଲିଚି । ଅଧ୍ୟାପକ ନିଜର ବିଛଣାରେ ବହି ପଢ଼ାରେ ମନ ଦେଇଥିଲେ । କେଜାଣି କାହିଁକି ପାଦ ଚିପି ଚିପି ସେ ହାଜର ହେଲେ ସଲୀଳାଙ୍କ କକ୍ଷରେ ।

ଘୁମନ୍ତ ଶିଶୁ ନଜର ପକେଇ ଅତି ସାଧାରଣ କଣ୍ଠରେ ସେ ପ୍ରଶ୍ନ କଲେ—

—ଦୁଷ୍ଟାମି ତ ବଢ଼ି ବଢ଼ି ଚାଲିଚି ଟୁକୁର । କେତେବେଳୁ ଶୋଇଲାଣି ?

ନିଜର ଅଞ୍ଚଳକୁ ଆଗକୁ ସାମାନ୍ୟ ଟାଣିଆଣି ସଲୀଳା ଉତ୍ତର ଦେଲେ—

—ଏଇ ତ ଶୋଇଲା–ପ୍ରାୟ ଅଧଘଣ୍ଟାଏ ହେବ ।

—ହରଲିକ୍‌ସ ଖାଇଚି ? ପୁଣି ଏକ ପ୍ରଶ୍ନ ।

—ଖାଇଚି ।

ପ୍ରଶ୍ନର ଉତ୍ତର ପାଇବା ପରେ ଅଧ୍ୟାପକଙ୍କର ନିଜ ବିଛଣାକୁ ବାହୁଡ଼ି ଯିବାର କଥା–କିନ୍ତୁ ସେ ଗଲେ ନାହିଁ । ଦୁଇ ମିନିଟ୍‌ ନୀରବରେ ଠିଆ ହେବା ପରେ ସଲୀଳାଙ୍କର ଟିକିଏ ଦୂରରେ ସେ ମନକୁ ମନ ବସି ପଡ଼ିଲେ ।

ଦୁହିଁଙ୍କ ତୁଣ୍ତରେ କଥା ନାହିଁ । ଏକ ଅଭାବନୀୟ ପରିସ୍ଥିତି । ନିଥର ରଜନୀରେ ଘୁମନ୍ତ ଶିଶୁ ନିକଟରେ ତରୁଣ ମୂକ–ତରୁଣୀର ଦୃଷ୍ଟି ସିଲେଇ ଛୁଞ୍ଚି ଆଡ଼କୁ ।

ଶେଷରେ କିନ୍ତୁ ଆମର ନାୟକ ତୁଣ୍ତ ଖୋଲିଲେ–ଗୋଟାଏ କଥା କହିବି ବୋଲି ଭାବୁଚି ।

କି କଥା କହିବେ ଏତେ ରାତିରେ ? ଯାହା ପଚାରିବାର କଥା, ସେ’ତ ଆଉ ବାକି ନାହିଁ-। ବର୍ତ୍ତମାନ ତ ସୁଖନିଦ୍ରା ଉପଭୋଗ କରିବା କଥା, ପୁଣି କଥା କ’ଣ ?

ଛାତି ଭିତରଟା ଦୁଲୁକି ଉଠିଲା ସଲୀଳା ଦେବୀଙ୍କର । କଥା କହିବାକୁ ଅନୁମତି ଅପେକ୍ଷାରେ ଅଛନ୍ତି ଅଧ୍ୟାପକ । ଲଜ୍ଜ୍ୟା, ସଙ୍କୋଚ ଏ କ୍ଷେତ୍ରରେ ଅତି ଅସୁନ୍ଦର ହେବ । କମ୍ପିତ କଣ୍ଠରେ ସେ କହିଲେ—

 

—ଭାବୁଛନ୍ତି କାହିଁକି ? କୁହନ୍ତୁ—

 

ଦୁଇ ତିନିଥର ଛେପ ଢୋକି ନାୟକ କହିଲେ—କାରଖାନାରେ ସେଆର୍‌ କିଣିବା କଥା ତୁମେ ନିଶ୍ଚୟ ଜାଣିଥିବ...

 

—ଜାଣିଚି ।

 

ସଲୀଳାଙ୍କର ଉତ୍ତର ଛୋଟିଆ ହେଲେ ମଧ୍ୟ ଅଧ୍ୟାପକଙ୍କର ପୂର୍ବର ଇତସ୍ତତଃ ଭାବ ଧୀରେ ଧୀରେ ଅପସରି ଗଲା । ଅଧିକ ଉତ୍ସାହିତ ହୋଇ ସେ କହିଲେ—ମୋର ମାସିକ ଆୟ ଯେତେବେଳେ ବଢ଼ିଗଲା, ମୁଁ ଚାହୁଁଚି ତୁମର ପାରିଶ୍ରମିକଟା ମଧ୍ୟ ଦୁଇଗୁଣ ବଢ଼େଇ ଦେବାକୁ । ଅର୍ଥାତ୍ ଦେଢ଼ଶ’ ଟଙ୍କା ବଦଳରେ ଏଇ ମାସରୁ ତୁମେ ତିନିଶହ ପାଇବ ।

 

ଏ ଅଭିନବ ପ୍ରସ୍ତାବରେ ପୁରୁଷ ହେଉ କି ସ୍ତ୍ରୀ ହେଉ ଯେ କୌଣସି ବୃତ୍ତିଜୀବୀ ଲଟେରୀର ପୁରସ୍କାର ବିଜେତା ଭଳି ଗର୍ବ, ଆନନ୍ଦ ଅନୁଭବ କରିବା କଥା । କିନ୍ତୁ ସଲୀଳା ଲାଜରେ ସଢ଼ିଗଲେ କାହିଁକି କୁହନ୍ତୁ ? ପରିଚୟରେ ପେଶାଦାରୀ ନର୍ସ ହେଲେ ମଧ୍ୟ ଘରୋଇ ପରିବେଶ ତଥା ଘରୋଇ ଅର୍ଥନୀତି ଭିତରେ ସେ ନିଜକୁ ଏତେ ବେଶୀ ସାମିଲ୍‌ କରି ନେଇଥିଲେ ଯେ, ହଠାତ୍ ନିଜର ଦରମା ବୃଦ୍ଧି ପ୍ରସ୍ତାବକୁ ସେ ସମର୍ଥନ କରି ପାରିଲେ ନାହିଁ । ଅତି ନିର୍ଲିପ୍ତ ଗଳାରେ ସେ କହିଲେ—

 

—କାହିଁକି ଅଯଥାରେ ଖର୍ଚ୍ଚ ବଢ଼େଇବେ ? ରୋଜଗାର ବଢ଼ିଚି ବୋଲି ବେହିସାବୀ ହେବା ଆପଣଙ୍କ ପକ୍ଷେ ସୁନ୍ଦର ନୁହେଁ...

 

ଅଧ୍ୟାପକଙ୍କର ଅବଶୋଷରର ମାତ୍ରା ବଢ଼ିଗଲା । ହୃଦୟର ସଞ୍ଚିତ ପ୍ରସ୍ତାବଟି ଏପରି ଭାବରେ ପ୍ରତ୍ୟାଖ୍ୟାନ ହେବ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ । ଏଥର ବକ୍ତବ୍ୟକୁ ଅନ୍ୟ ଭାବରେ ପ୍ରକାଶ କରିବାକୁ ସେ ନିଜର ଧୀମତ୍ତାର ଆଶ୍ରୟ ନେଲେ । ଯେତେହେଲେ ବିଦ୍ୟାବାଗୀଷତ । କଥାର ସୁଅକୁ ବଦଳେଇ ଦେଇ ସେ କହିଲେ—ମୋର ସନ୍ତୋଷ ପାଇଁ ଘରର ଏତେ ବଡ଼ ଦାୟିତ୍ୱ କରିଚ ତୁମେ । ଅଥଚ ମୋର ଆୟରେ ସାମାନ୍ୟ ଭାଗିଦାର ହେବାକୁ ତୁମର ଆପତ୍ତି ?

 

ସଲୀଳାଙ୍କ ଜାଗାରେ ଆଉ କେହି ସେବିକା ଥିଲେ ହୁଏତ ଏତିକିରେ ଆତ୍ମସମର୍ପଣ କରି ଭବିଷ୍ୟତରେ ରାସ୍ତା ପରିଷ୍କାର କରି ଦେଇ ପାରିଥାନ୍ତେ । କିନ୍ତୁ ସଲୀଳାଙ୍କର ଆହୁରି ଯୁକ୍ତି ଥିଲା ପ୍ରସ୍ତାବକୁ ଅଗ୍ରାହ୍ୟ କରିବାକୁ । ଦାୟିତ୍ୱ ତୁଳନାରେ ସେ ଯେତିକି ପାରିଶ୍ରମିକ ପାଉଥିଲେ, ତାକୁ ତ ଆଉ କମ୍ ବୋଲି କହି ହେବ ନାହିଁ । ତେଣୁ ସ୍ଥିର କଣ୍ଠରେ ସେ ପୁଣି ନିଜର ଆପତ୍ତି ଜଣେଇଲେ—

 

—ଆପଣଙ୍କର ଦାୟିତ୍ୱ ବଢ଼ିଚି ସତ, ହେଲେ ମୋର କାମ ଯାହା ଥିଲା, ଠିକ୍‌ ସେଇଯା ଅଛି । ହଠାତ୍ ଦେଢ଼ଶ ଟଙ୍କା ଦରମା ବଢ଼େଇ ଦେଲେ ଆପଣ ସମାଲୋଚନାର ସମ୍ମୁଖୀନ ହେବେ-। ପାଞ୍ଚ ଟଙ୍କା ପାଇବାକୁ ଯେ’ ହକ୍‌ଦାର, ତାକୁ ଆପଣ ପଚାଶ ଟଙ୍କା ଦେବେ କାହିଁକି-?

 

ଅଧ୍ୟାପକଙ୍କର ମନେ ହେଲା....ଏ ଚେତାବନୀ ସଲୀଳାଙ୍କର ନୁହେଁ—ଶିଶିରା ଦେବୀ ପାଖରେ ବସି ଭବିଷ୍ୟତ ପାଇଁ ଯେପରି ସତର୍କ କରି ଦେଇଛନ୍ତି ।

 

...ଅଧ୍ୟାପକଙ୍କର ସବୁ ଗୋଳମାଳ ହୋଇଗଲା । ନିର୍ଜନ ରାତିରେ ସଲୀଳାଙ୍କ କକ୍ଷକୁ ଆସି ସେ କ’ଣ କହିଲେ, କାହିଁକି କହିଲେ କିଛି ସ୍ଥିର କରି ପାରିଲେ ନାହିଁ । ତାଙ୍କର ବିଚାର ଶକ୍ତି ହୁଏତ ଲୋପ ପାଇ ଆସିଥିଲା । ତା’ ନ ହେଲେ ସଲୀଳାଙ୍କ ପାଖକୁ ଘୁଞ୍ଚିଯାଇ ତାଙ୍କର ହାତମୁଠାକୁ ନିଜର ହାତମୁଠା ଭିତରେ ଚାପି ରଖିବାର ଦୁଃସାହସ ସେ କେବେହେଲେ କରି ନ ଥାନ୍ତେ । ସ୍ଥାନ, କାଳ ପାତ୍ର ବିବେଚନା କରିବାର ମନର ଜୋର ହୁଏତ ତାଙ୍କର ଭାଙ୍ଗିଗଲା । ସଲୀଳାଙ୍କୁ ଶିଶିରା ଦେବୀ ବୋଲି ଭାବି ସେ ଚେଷ୍ଟାକଲେ ତାଙ୍କୁ ନିଜର ବକ୍ଷଯୁକ୍ତ କରିବାକୁ ।

 

ହାୟ, ହାୟ—କୁମାରୀ ସଲୀଳାକୁ କିଏ ଆସି ଏ ବିପଦରୁ ମୁକ୍ତ କରିବ ? ଅନ୍ନଦାତା ନ ହୋଇ ଯଦି ଅନ୍ୟ କୌଣସି ଯୁବକ ଏ କୁତ୍ସିତ ବ୍ୟବହାର କରିଥାନ୍ତେ, ସେବିକାଙ୍କର ନୈତିକ ସାହାସର ଏକ ନମୁନା ସେ ହୁଏତ ଆଜି ଦେଖିଥାନ୍ତେ । କିନ୍ତୁ ଏ’ ଯେ ଅଧ୍ୟାପକ...ଟୁକୁର ଜନକ...

 

...ସଙ୍କଟ ମୁହୂର୍ତ୍ତ ଦୂରହେଲା ହଠାତ୍ ଟୁକୁର ନିଦ୍ରାଭଗ୍ନରେ । ପାଖରେ ମାଆକୁ ନ ଦେଖି ସେ ଚିତ୍କାର କରି ଉଠିଲା । ଦ୍ରୁତଗତିରେ ସଲୀଳା ଧାଇଁଗଲେ ଟୁକୁ ପାଖକୁ । ଅଧ୍ୟାପକ ମଧ୍ୟ ହୋସ୍‌କୁ ଫେରି ଆସିଲେ...

 

...ପ୍ୟାକେଟରୁ ସିଗାରେଟ୍‌ ବାହାର କରି ଶଙ୍କର ବାବୁଙ୍କ ହାତକୁ ବଢ଼େଇ ଦେଉ ଦେଉ ଯୁଗଳ ଭାଇ ହସି ହସି କହିଲେ—ଟୁକୁର ମାରଫତ୍‌ରେ ଆପଣ ଏକ ଧ୍ୟାନମୂଳକ ଦୃଶ୍ୟକୁ ଏପଟସେପଟ କରିଦେଇ ପାରିଲେ । ମୁଁ ତ ଭାବିଥିଲି ସେଇ ରାତିର ଚିତାକର୍ଷକ ଘଟଣା, କାହାଣୀର ଗତିକୁ ପୂରାପୂରି ବଦଳେଇ ଦେବ । କିନ୍ତୁ ଆପଣ ପୁଣି ସେଇ ସ୍ଥିତାବସ୍ଥା ଫେରେଇ ଆଣିଲେ ।

 

ଶଙ୍କର ବାବୁ ଉତ୍ତର ଦେଲେ—କିଛି ମନେ କରିବେନି ଯୁଗଳ ବାବୁ । ପର୍ଯ୍ୟାୟ କ୍ରମେ ଯାହା ଘଟିଚି, ମୁଁ ସେଇ କଥାହିଁ କହୁଚି । ଆପଣଙ୍କୁ ଯେବେ ବୋରିଙ୍ଗ୍ ଲାଗୁଥାଏ, କୁହନ୍ତୁ ମୁଁ ଚଟାପଟ୍ କାହାଣୀର ଶେଷଅଂଶ ଆଡ଼କୁ ଚାଲିଯିବି ।

 

ଯୁଗଳ ଭାଇ ପ୍ରତିବାଦ କଲେ । କାରଣ କାହାଣୀକୁ ସେ ବର୍ଣ୍ଣେ ବର୍ଣ୍ଣେ ଉପଭୋଗ କରୁଥିଲେ । ସେ କହିଲେ—ନା–ନା, ଏତେଟା ଡେଇଁ ପଡ଼ିବା ଠିକ୍ ହେବନି । କିନ୍ତୁ ରାତି ଯେତେବେଳେ ବେଶୀ ହେଇଗଲାଣି, କାହାଣୀକୁ ଆଉ ଫେଣେଇଲେ ହୁଏତ ଏଇଠି ରାତି ପାହିଯିବ ।

 

ଭ୍ରୁକୁଞ୍ଚନ କରି ଶଙ୍କର ବାବୁ ଉତ୍ତର ଦେଲେ–ଅନ୍ୟ କିଛି ଉପାୟ ନାହିଁ, ଯୁଗଳ ବାବୁ—ମୋର ନାୟକ ନାୟିକା ଏମିତି ଗଣ୍ଠି ପକେଇ ଦେଉଛନ୍ତି ଯେ, ତାକୁ ଖୋଲିବାକୁ ହେଲେ ସବୁ ବିଷୟର ଟିକିନିଖି ବର୍ଣ୍ଣନା ଦରକାର । ଏଇ ଦେଖନ୍ତୁ ନା—ଶ୍ରୀମାନ ନାୟକ ସିନା ମଧ୍ୟରାତ୍ରରେ ଟୁକୁକୁ ଦେଖିବା ବାହାନାରେ ନାୟିକାଙ୍କ ପାଖକୁ ଯାଇ ରୋମାଞ୍ଚକର ଦୃଶ୍ୟ ସୃଷ୍ଟି କରି ପାରିଲେ, କିନ୍ତୁ ଏ ମହାଶୟଙ୍କର କ’ଣ ଦରକାର ଥିଲା ସଲୀଳାଙ୍କର ପିଛା ଧରିବାକୁ ? ଟିକିଏ ଅବସର ମିଳିଲେ ସେ କାହିଁକି ନାୟିକାଙ୍କର ଓର ଊଣ୍ଡିବେ କୁହନ୍ତୁ ତ ?

 

—ଆପଣ କାହା କଥା, କହୁଚନ୍ତି ? ଯୁଗଳ ଭାଇ ଆଶ୍ଚର୍ଯ୍ୟରେ ପ୍ରଶ୍ନ କଲେ ।

 

—କାହିଁକି ? ଏତେ କମ୍ ସମୟ ଭିତରେ କନିଷ୍ଠ ଭ୍ରାତାଙ୍କର ପ୍ରେମରେ ଜରଜର ରେଫେରେନସଟା ଭୁଲିଗଲେ ପରା ? ...ଶଙ୍କର ବାବୁ କହି ଚାଲିଲେ । –ବେଶୀ ନୁହେଁ, ମାତ୍ର ତିନିଦିନ ପରେ...ସାନଭାଇ ଫେରିଥାନ୍ତି ଅଫିସରୁ–ଟୁକୁ ଯାଇଚି ପାର୍କକୁ ଖେଳିବାକୁ । ଘରେ ସଲୀଳାଦେବୀ ଏକା–ଅଗଣା ଭିତରେ ହଠାତ୍ ଚାରିଚକ୍ଷୁ ଏକ ହୋଇଗଲା । ସଲୀଳା ବାଟକାଟି ତାଙ୍କ କାମରେ ଚାଲିଯାଉଥିଲେ । ଏକା ଘର ଭିତରେ ରହିଲେ ନଜର ପଡ଼ିବା ତ ଅତି ମାମୁଲି ଘଟଣା–ତେଣୁ ସେ ବା କାହିଁକି ପୁରୁଷ ପୁଙ୍ଗବଙ୍କଠାରୁ କିଛି ଶୁଣିବାକୁ ଅପେକ୍ଷା କରିଥାନ୍ତେ ? ପଛରୁ କିନ୍ତୁ କନିଷ୍ଠ ନାୟକ ଗଳା ଫଟେଇ ଡାକିବାରେ ଲାଗିଲେ—ଟିକିଏ ଶୁଣିବେ କି ?

 

ସଲୀଳା ଶୁଣି ନ ଶୁଣିଲା ପରି ଚାଲି ଯାଉଥାନ୍ତି । ପୁଣି ଥରେ ସେଇ ଆହ୍ଵାନ । ବାଧ୍ୟ ହୋଇ ଅଟକିଗଲେ ନାୟିକା । ଭାବେ ଦ୍ୱିପକ ଚାହାଣୀରେ କିଛି ସମୟ ବିତେଇଲା ପରେ ଅତି ହାଲ୍କାରେ ସେ କଥା ଆରମ୍ଭ କଲେ—

 

କିଛି ଗୋଟାଏ ସମ୍ବୋଧନ କରି ନ ଡାକିଲେ ଆପଣ ମତେ ଡାକୁଛନ୍ତି ବୋଲି ମୁଁ କେମିତି ଜାଣିବି ? ଅଫିସରେ ଫାଇଲ ଚାଷ କରି ଅଭିଜ୍ଞତା ତ ଯଥେଷ୍ଟ ଥିବ । ତେଣୁ ସବୁ କଥା ବିଚାର କରି ଏଣିକି ସମ୍ବୋଧନ କରିବେ ।

 

ହଠାତ ଏ କି ଆକ୍ରମଣ !! ସାନଭାଇଙ୍କର ଭୟ ହେଲା ଯେତିକି, ଚିନ୍ତା ହେଲା ସେତିକି-

 

ଜିଜ୍ଞାସୁ ଆଖିରେ ସେ କହିଲେ—

 

—କ’ଣ ବୋଲି ସମ୍ବୋଧନ କରିବି, ଆପଣ ନିଜେ କୁହନ୍ତୁ ।

 

—ମୁଁ କହିଲେ ଆପଣଙ୍କର ବାହାଦୁରୀ ଆଉ ରହିଲା କେଉଁଠି ? ମତେ ନୂଆବୋଉ ଡାକନ୍ତୁନା, ବେଶ୍ ସୁନ୍ଦର ଶୁଣାଯିବ...

 

ବକ୍ତବ୍ୟ ଶେଷକରି ସଲୀଳା ଲାଜରେ ପୂରାପୂରି ଝାଉଁଳି ଗଲେ । ସାନଭାଇ କିନ୍ତୁ ତାତି ଉଠିଲେ ରାଗରେ । ତୀକ୍ଷ୍‌ଣ ଗଳାରେ ସେ କହିଲେ–ରସିକତାର ଗୋଟାଏ ସୀମା ଥାଏ ସଲୀଳା ଦେବୀ । ଅପଣଙ୍କର ପରିହାସର ପାତ୍ର ମୁଁ ନୁହେଁ–ଥଟ୍ଟା ନକଲର ବହୁତ ଦୁରରେ ମୁଁ ଥାଏ ।

 

ପରିସ୍ଥିତିକୁ ସମ୍ଭାଳି ନେବାକୁ ସଲୀଳା ପୂର୍ବ ଅପେକ୍ଷା ଆହୁରି କୋମଳ କଣ୍ଠରେ କହିଲେ–

 

—କାହିଁକି, କ’ଣ ହେଲା ? ନୂଆବୋଉର ଅଭିନୟ କରି ମୁଁ ତ ମାସକୁ ତିନିଶହ ଟଙ୍କା ପୁରସ୍କାର ପାଉଚି ।

 

—ପ୍ଲିଜ ସଲୀଳା ଦେବୀ, ପ୍ଲିଜ....ଆପଣ ଅଉ ଗୋଟାଏ ପାଦ ବି ଆଗକୁ ଯାଆନ୍ତୁନି–ଗର୍ଜି ଉଠିଲେ କନିଷ୍ଠ । ....ଗୋଟାଏ ମିଥ୍ୟା, ଭିତ୍ତିହୀନ ସମ୍ପର୍କ ଉପରେ ଆଲୋଚନା କରିବାକୁ ଆପଣ ଦ୍ୱିଧାବୋଧ କରୁନାହାନ୍ତି କିପରି ? ଆପଣଙ୍କର ତ କଣ୍ଠରୋଧ ହୋଇ ଯିବାର କଥା...

 

ସାନଭାଇଙ୍କର କଟୁକ୍ତିକୁ ହଜମ କରିବାକୁ ସଲୀଳାଙ୍କର ଧୈର୍ଯ୍ୟ ଖୁବ୍ ଥିଲା । ହସି ହସି ସେ ପୁଣି କହିଲେ—ଆପଣଙ୍କ ଘରେ ମୋର ଅସଲ ପରିଚୟର ତ କୌଣସି ମୂଲ୍ୟ ନାହିଁ କି ମର୍ଯ୍ୟାଦା ନାହିଁ । ତେଣୁ ମୁଁ ନକଲ୍ ପରିଚୟରେ ବଳବତୀ ।

 

ସାନଭାଇଙ୍କର ବିରକ୍ତି ଭାବର କୌଣସି ପରିବର୍ତ୍ତନ ହେଲା ନାହିଁ । ସଲୀଳାଙ୍କୁ ସେ କେଉଁ ଆଖିରେ ଦେଖୁ ଥିଲେ କେଜାଣି, ତାଙ୍କର ସମ୍ମାନହାନି ଦେଖିଲେ ସେ ମର୍ମାନ୍ତ୍ରିକ ବେଦନା ଅନୁଭବ କରୁଥିଲେ । ଉତ୍ତେଜିତ କଣ୍ଠରେ ସେ ପୁଣି କହିଲେ—

 

—ଆପଣଙ୍କର ମାନମର୍ଯ୍ୟାଦା ଏ ଘରେ ନାହଁ ବୋଲି ତ ମୁଁ କହୁଚି । ଏ ଦହନ, ଏ ଜ୍ୱାଳା ଆପଣ କାହିଁକି ସହୁଛନ୍ତି ? ଆଉ କେତେଦିନ ଆପଣ ଏ ଅଭିନୟ କରି ନିଜକୁ ନିଜେ ଆଘାତ ଦେବେ ?

 

—ଅଭିନୟ ନ କଲେ ମୋର ମାସୁଆରୀ ପାଉଣାଟା ବନ୍ଦ ହୋଇଯିବ—ମୁଠାଏ ଭାତ ବି ମୋ ପେଟକୁ ଜୁଟିବନି । ତେଣୁ ଏଇ ଅର୍ଥକରୀ ଅଭିନୟ ମତେ ଚାଲୁ ରଖିବାକୁ ହେବ । ...ଅତି ସ୍ପଷ୍ଟ ଗଳାରେ ଉତ୍ତର ଦେଲେ ସଲୀଳା ।

 

ସାନଭାଇ ଆହୁରି କିଛି ସମୟ ଚେଷ୍ଟା କଲେ ସଲୀଳାଙ୍କର ଯୁକ୍ତିଖଣ୍ଡନ କରିବାକୁ । କୌଣସିମତେ ତାଙ୍କର ମନକୁ ଭାରାକ୍ରାନ୍ତ କରିପାରିଲେ ତାଙ୍କର ଉଦ୍ଦେଶ୍ୟ ହୁଏତ ଫଳବତୀ ହୋଇପାରେ, ଏଇ ଆଶାରେ ସେ ଲାଗିପଡ଼ିଥିଲେ । ଜୀବନରେ ଟଙ୍କାର ପ୍ରୟୋଜନୀୟତା ଅଛି, ହେଲେ ନିଜର ମାନସମ୍ମାନକୁ ସେଥିପାଇଁ ବିକ୍ରି କରି ଦିଆଯାଇ ନ ପାରେ, ଏଇ ଅଭ୍ରାନ୍ତ ସତ୍ୟ କଥାକୁ ଜାହିର କରିବାକୁ ସାନଭାଇ ତାତ୍ସଲ୍ୟଭରା କଣ୍ଠରେ କହିଲେ—ଟଙ୍କା ପାଇଁ ଆପଣ ନାରୀତ୍ୱକୁ ସମାଧି ଦେଉଛନ୍ତି, ବିବାହ ନ କରି ଆପଣଙ୍କ ସୁନ୍ଥାରେ ସିନ୍ଦୂର, ମୁଣ୍ଡରେ ଓଢ଼ଣା—ଜଣେ ନାରୀ ପକ୍ଷରେ ପେଟ ପୋଷିବା ପାଇଁ ଏତେ ତଳକୁ ଖସିଯିବା ଅତି ଦୁର୍ଭାଗ୍ୟର କଥା ।

 

ଏ ପର୍ଯ୍ୟନ୍ତ ସଲୀଳାଙ୍କର ମନର ଅବସ୍ଥା ଠିକ୍ ଥିଲା । “ନାରୀତ୍ୱକୁ ସମାଧି ଦେଉଛନ୍ତି” ଆକ୍ଷେପରେ ସେ ଚିହିଁକି ଉଠିଲେ । ସାମାନ୍ୟ ରାଗରେ ସେ କହିଲେ—ମତେ ଅପମାନ ଦେବା ସଙ୍ଗେ ସଙ୍ଗେ ଆପଣ ଦେବପ୍ରତିମ ବଡ଼ଭାଇଙ୍କୁ ନଷ୍ଟଚରିତ୍ର ବୋଲି ପ୍ରଚ୍ଛନ୍ନ ଭାବରେ ଘୋଷଣା କରୁଚନ୍ତି । ଆଜିଯାଏ ନିଜର ଭାଇଙ୍କୁ ଆପଣ ଚହ୍ନି ପାରିଲେ ନାହିଁ ?

 

ସାନଭାଇଙ୍କର ତୁଣ୍ଡରେ ଆଉ କଥା ନାହିଁ । କଥା ଏତେ ଶିଖରକୁ ଉଠିଯିବ ବୋଲି ସେ କଳ୍ପନା କରି ନ ଥିଲେ । ଭାଇଙ୍କ ପ୍ରତି ଭକ୍ତି, ମମତା ତାଙ୍କର ଅଫୁରନ୍ତି । ଅନୁଶୋଚନାରେ ତାଙ୍କର ମୁଖର ଦୀପ୍ତି ଏକାବେଳେକେ ମଉଳିଗଲା । ସଲୀଳାଙ୍କର ହାତ ଦୁଇଟି ହଠାତ୍ ଧରି ପକାଇ ଅତି ଅନୁନୟ କଣ୍ଠରେ ଶେଷକୁ ସେ କହିଲେ—ଏ ଆଲୋଚନା ଏଇଠି ବନ୍ଦ ରଖନ୍ତୁ ସଲୀଳା ଦେବୀ । ପ୍ରଥମ ସାକ୍ଷାତ ଦିନରୁ ଆପଣଙ୍କ ପ୍ରତି ମୋର ମମତା ଅତି ଦ୍ରୁତଗତିରେ ବଢ଼ି ବଢ଼ି ଚାଲଚି । ମୁଁ ଆପଣଙ୍କୁ ଏତେ ବେଶୀ ଭଲ ପାଇ ବସିଚି ଯେ, ଆପଣଙ୍କର ଏତେ ଟିକିଏ ଅମର୍ଯ୍ୟାଦା ମୁଁ ସହ୍ୟ କରି ପାରୁନି...

 

ଦ୍ଵିତୀୟ ଥର ପାଇଁ ସଲୀଳା ଅଗ୍ନି ପରୀକ୍ଷାର ସମ୍ମୁଖୀନ ହେଲେ । ପ୍ରଥମେ ବଡ଼ଭାଇ, ନିର୍ଜନ ଗଭୀର ରାତ୍ରିରେ—ଆଜି କନିଷ୍ଠ, ଘରେ କେହି ନ ଥିବା ଅବସ୍ଥାରେ….

 

ବଳପୂର୍ବକ ହାତ ଦୁଇଟିକୁ ଛଡ଼େଇ ନେଇ ଦୂରକୁ ଘୁଞ୍ଚିଗଲେ ସଲୀଳା । ଛାତିରେ ଛନକା—ନାକରେ ଖରଖର ଦୀର୍ଘଶ୍ୱାସ । ପ୍ରେମିକ ବୋଲାଇବା ପୁରୁଷ ଜାତି ପକ୍ଷରେ କେଡ଼େ ସହଜ ?

 

ସାନଭାଇଙ୍କୁ ସତର୍କ କରିବା ଉଦ୍ଦେଶ୍ୟରେ ସେଦିନ ସଲୀଳାଙ୍କର ଶେଷ କଥା ଥିଲା—

 

—ଆପଣଙ୍କ ବୟସ ଆଉ ଆପଣଙ୍କ କାମ ଠିକ୍ ତାଳ ଦେଇ ଗତି କରୁନାହିଁ । ପ୍ରେମିକ ହେବା ଆପଣଙ୍କୁ ଅବଶ୍ୟ ସାଜେ,

 

କିନ୍ତୁ ପ୍ରେମିକାର ଗୌରବ ମୋର ବର୍ତ୍ତମାନ ଆଦୌ ଦରକାର ନାହିଁ ...

 

ଚେତାବନୀ ଦେବା ପରେ ପରେ ସଲୀଳା ଜାଗା ଛାଡ଼ି ଚାଲି ଯାଇଥିଲେ । କାଠପିତୁଳା ପରି କନିଷ୍ଠ ଚାହିଁ ରହିଥିଲେ ତାଙ୍କର ଯିବା ବାଟକୁ....

 

ଶଙ୍କର ବାବୁ ମିନିଟ୍‌କ ପାଇଁ କଥାକୁହା ବନ୍ଦ କରିଦେଲେ । ତାଙ୍କର ଉଦ୍ଦେଶ୍ୟ ଯାହା ଥାଉ, ଏଇ ଅବସରରେ ଯୁଗଳଭାଇ କିନ୍ତୁ ରିମାର୍କ ପାଶ୍ କରିବାକୁ ସୁବିଧା ପାଇଲେ । ମୁରୁକିହସା ଦେଇ ସେ କହିଲେ—

 

—ବେଶ୍ ଧନ୍ଦା ଆପଣ ସୃଷ୍ଟି କରୁଛନ୍ତି ଶଙ୍କର ବାବୁ । ନାୟିକାଙ୍କର ଦୁଇ ବାହୁକୁ ଦୁଇଭାଇ ଟାଣିବାରେ ବ୍ୟସ୍ତ । ବିଚାରୀ ଶେଷକୁ କେଉଁଆଡ଼କୁ ଢଳିବ, କେଜାଣି ?

 

ଶଙ୍କର ବାବୁ ମୁଣ୍ଡ ହଲେଇ ଆପତ୍ତି କଲେ ଯୁଗଳ ଭାଇଙ୍କର ଟିପ୍‌ପଣୀକୁ । ସେ କହିଲେ–ନା–ନା, ଆପଣଙ୍କ ଧାରଣା ସଂପୂର୍ଣ୍ଣ ଠିକ୍ ନୁହେଁ । ଅଧ୍ୟାପକଙ୍କୁ ଦୋଷ ଦିଆଯାଇ ନ ପାରେ । ଶିଶିର ଓ ସଲୀଳାଙ୍କର ଚେହେରାର ଅବିକଳ ସାମଞ୍ଜସ୍ୟ ହୁଏତ କିଛି ସମୟ ସକାଶେ ତାଙ୍କୁ ଦୁର୍ବଳ କରି ଦେଇଥିଲା । ତା’ ନ ହେଲେ ନିଜ ପରିବାର, ପରିସ୍ଥିତି ପ୍ରତି ସେ ତ ସବୁବେଳେ ସଚେତନ ଥିଲେ । କିନ୍ତୁ କନିଷ୍ଠଙ୍କର ସେ ଦିଗ ପ୍ରତି ନଜର ନ ଥିଲା । ସଲୀଳଙ୍କର ମୋହ ତାଙ୍କୁ ସଂପୂର୍ଣ୍ଣ ଦିଗଭ୍ରାନ୍ତ କରିଥିଲା । କାହାକୁ କେଉଁ ଜାଗାରେ କିଭଳି କଥାବାର୍ତ୍ତା କରିବାକୁ ହୁଏ ସେ ଜ୍ଞାନ ସେ ହରେଇ ବସିଥିଲେ ।

 

ଆଉ ଗୋଟାଏ ଦିନର କଥା କହୁଚି...ଗାଧୁଆ ଘରୁ ଓଦାଲୁଗା ପିନ୍ଧି ଫେରି ଆସୁଥିଲେ ରାଜକିଶୋରୀ–ବାଟ ଜଗି ଚାହିଁ ବସିଥିଲେ ସାନଭାଇ । ମନ ଟଳଟଳ । ହୃଦୟ ଥରଥର । କଣ୍ଠସ୍ୱର ଓଜନିଆ...

 

—ଆପଣଙ୍କ ସଙ୍ଗେ କଥା ଅଛି କହିବାକୁ । ଆପଣ ଦୃଶ୍ୟଟାକୁ ଅନୁମାନ କରନ୍ତୁ ଯୁଗଳ ବାବୁ—ଯୁବତୀ ସଦ୍ୟସ୍ନାତା—ସମସ୍ତ ଶାଢ଼ୀଟା ଜଡ଼ିଯାଉଛି ଦେହରେ । ଏ ସମୟରେ କ’ଣ ଆଳାପ କରି ହୁଏ ? ଏ ଧରଣର ନିର୍ଲ୍ଲଜ ଆହ୍ଵାନକୁ ଯେ’ କେହି ଘୃଣା କରିବାର କଥା । ସଲ୍ଲୀଳା କିନ୍ତୁ ଅତି ସରଳ ଭାବରେ ଡାକରାଟାକୁ ଗ୍ରହଣ କରିନେଲେ । ଭିଜା ଶାଢ଼ୀଟାକୁ ଯଥାସମ୍ଭବ ସଜାଡ଼ି ନେଇ ଲଘୁ କଣ୍ଠରେ ସେ କହିଲେ—ସାମାନ୍ୟ ଅପେକ୍ଷା କରନ୍ତୁ ମୁଁ ଆସୁଚି...

 

ଏ ପର୍ଯ୍ୟନ୍ତ ଯୁଗଳ ଭାଇ କାହାଣୀ ଉପରେ କଡ଼ା ମିଠା ମନ୍ତବ୍ୟ ଦେଇ ଆସୁଥିଲେ । ମୁଁ ତ ଏକରକମ ନୀରବରେ କାହାଣୀ ଶୁଣୁଥିଲି । କିନ୍ତୁ ହଠାତ୍ ଓ୍ୱାଲ ବ୍ଳକ୍ ଉପରେ ନଜର ପଡ଼ିଗଲା...ଘଣ୍ଟା ଓ ମିନିଟ୍ କଣ୍ଟା ଆଗେଇ ଆଗେଇ ଚାଲିଚି–ରାତି ବହୁତ ହୋଇ ଗଲାଣି । କାହାଣୀ ପରିବେଷଣ ଯେବେ ଏପରି ମନ୍ଥର ଗତିରେ ଚାଲେ, ରାତି ପାହିଯିବ ସିନା, ଗଳ୍ପ ସରିବ ନାହଁ । ମୋର ଧୈର୍ଯ୍ୟଚ୍ୟୁତ ହେଲା—“ଚମକି ଉଠି ମୁଁ କହିଲି—

 

—ଶଙ୍କର ବାବୁଙ୍କର ଅସରନ୍ତି କାହାଣୀର ଆଉ ଶେଷ ନାହିଁ । ଏଇଠି କ୍ରମଶଃ ରଖି ଆଜିର ବୈଠକ ଶେଷ ହେଉ...

 

ଚେଆରରୁ ମୁଁ ଉଠି ପଡ଼ୁଥିଲି, ଯୁଗଳ ଭାଇ ମତେ ବଳପୂର୍ବକ ବସେଇ ଦେଇ କହିଲେ–କାହାଣୀ ଅଧା ରହିଗଲେ ମତେ ରାତିରେ ଭଲ ନିଦ ହେବ ନାହିଁ । ତେଣୁ ଏ ବୈଠକ ଆହୁରି କିଛି ସମୟ ଚାଲୁ ରହିବ ।

 

ମୋ ମନରେ ତଥାପି ସନ୍ତୋଷ ଆସିଲା ନାହିଁ । ଯୁଗଳ ଭାଇ ମୋ ମୁହଁର ଭାବ ଲକ୍ଷ୍ୟ କରି ଶଙ୍କର ବାବୁଙ୍କୁ ଅନୁନୟ ଗଳାରେ କହିଲେ—ଆପଣ ଏଣିକି ଚୁମ୍ୱକରେ ଗଳ୍ପର ବାକି ଦୃଶ୍ୟଗୁଡ଼ାକୁ କହିଯାନ୍ତୁ । ଆପଣଙ୍କ ନାଟ୍ୟକାର ବାବୁ ଘରକୁ ଫେରିବାକୁ ଅତିଷ୍ଠ ହୋଇ ଉଠିଲେଣି-

 

ଶଙ୍କର ବାବୁ ଏଥର ନୂତନ ପ୍ରଣାଳୀରେ କଥା କୁହା ଆରମ୍ଭ କଲେ । ସିଗାରେଟରେ ନିଆଁ ଲଗାଇ ସେ କହିଲେ—ହଁ, ସାନଭାଇଙ୍କର ଘନିଷ୍ଠତା ସଲୀଳା ଦେବୀଙ୍କ ସଙ୍ଗେ କ୍ରମଶଃ ବଢ଼ିବାରେ ଲାଗିଲା । ରାତି ପାହି ସକାଳ ହେଲେ କନିଷ୍ଠ ପ୍ରଥମେ ଚେଷ୍ଟା କରିବେ ନାୟିକାଙ୍କ ସଙ୍ଗେ ମଧୁର ଆଳାପ ଜମେଇବାକୁ । ଅବସର ଥିଲେ ମଧ୍ୟ ସାନଭାଇଙ୍କ ସଙ୍ଗେ ବେଶୀ ସମୟ କଥା କହିବାକୁ ସଲୀଳାଙ୍କର ଇଚ୍ଛା ନ ଥାଏ । ତେଣୁ ସେ ବାଧ୍ୟ ହୋଇ ଟୁକୁକୁ ପାଖେ ପାଖେ ରଖନ୍ତି ।

 

ଟୁକୁର ବିଦ୍ୟାରମ୍ଭ ଅନେକ ଦିନୁ ସରିଯାଇଚି । ପାଠ ପଢ଼ାରେ ତା’ର ନାହିଁ ନ ଥିବା ଆଗ୍ରହ । କଥାରେ କହିଚି ପରା, ଯା’ ବାପ ଚଢ଼େ ଘୋଡ଼ା, ତା’ ପୁଅ ଥୋଡ଼ା ଥୋଡ଼ା....ଅଧ୍ୟାପକଙ୍କର ଏକୋଇରବାଳା ବିଶିକେଶନ ଗୁଲୁ ଗୁଲୁ କଣ୍ଠରେ ନାୟିକାଙ୍କୁ କହନ୍ତି, ମା’ ତୁମେ ମୋ ପାଖରୁ ଆଉ କୁଆଡ଼େ ଯାଅ ନାହିଁ । ତୁମେ ରହିଲେ ମୋର ଚାରିଦିନର ପାଠ ଦିନକରେ ସରିଯାଉଚି ।

 

ମାଆ ପୁଅଙ୍କର ଏକ ନିଗୂଢ଼ ବନ୍ଧନ !! ଦୁହେଁ ଦୁହିଁଙ୍କୁ ଏତେ ବେଶୀ ଭଲ ପାଇ ବସିଲେ ଯେ କ୍ଷଣିକ ଆଦର୍ଶନ ଯୁଗ ପରି ବୋଧ ହେଲା । ପୁଅର ବିଶ୍ୱାସରେ ଆହୁରି ଇନ୍ଧନ ଯୋଗେଇ ଦିଅନ୍ତି ସଲୀଳା । ହସି ହସି ସେ କହନ୍ତି—ତୋ ପାଖରେ ମୁଁ ସବୁବେଳେ ରହିଚି । ତୁ ଖାଲି ମନଦେଇ ପାଠ ପଢ଼ିଯା’–କ୍ଲାସ୍‌ରେ ଫାଷ୍ଟ୍‌ ହୋଇ ପାସ୍ କଲେ, ଏ ଘରେ ସମ୍ମାନ ରହିବ–ତୋ ବାପା, ମାଆଙ୍କର ବୁକୁ ଆନନ୍ଦରେ ଫୁଲି ଉଠିବ ।

 

ସଲୀଳାଙ୍କର କଥାରେ ଟୁକୁର ଉତ୍ସାହ ଆହୁରି ବଢ଼ିଯାଏ । ହସି ହସି ସେ ଲୋଟିଯାଏ ତାଙ୍କରି କୋଳରେ । ଅଜଣା ବେଦନାରେ ହଠାତ୍ ସଲୀଳାଙ୍କର ଛାତିଟା ଥରିଉଠେ । ଆଉ କେତେଦିନ ସେ ଏ କୋମଳ ଶିଶୁ ନିକଟରେ ଅଭିନୟ କରି ଚାଲିବେ ? ବେଳେ ବେଳେ ସେ ଭାବନ୍ତି...ଟୁକୁ ଯେବେ ପ୍ରକୃତରେ ତାଙ୍କ ଜୀବନକୁ ଆଲୋକିତ କରି ଥାଆନ୍ତା...ପରେ ପରେ କିନ୍ତୁ ଭାବନାରେ ବାଧା ଦେଖାଦିଏ—ଅନ୍ତରରୁ କିଏ ଯେପରି କହେ...ତୁ ଜଣେ ସାଧାରଣ ଧାତ୍ରୀ—ଟଙ୍କା ନେଇ ଦାୟିତ୍ୱ ତୁଲୋଉଚୁ—ଏ ସବୁ କଳ୍ପନା ବିଳାସ ତତେ ଅନ୍ତତଃ ସାଜେନା-। ....ଭାବନାରେ ମଜ୍ଜିଯାଇ ସଲୀଳାଙ୍କର ଆଖିରୁ ଝରିପଡ଼େ ବିନ୍ଦୁ ବିନ୍ଦୁ ଲୁହ—ଟୁକୁ ତାକୁ ଦେଖିବା ଆଗରୁ ସେ ଜୋରକରି ମୁହଁରେ ହସ ଫୁଟେଇ ସେ ଲୁହଧାରାକୁ ପଣତ କାନିରେ ପୋଛି ପକାନ୍ତି-

 

ଟୁକୁ ପରୀକ୍ଷାରେ ପ୍ରଥମ ହୋଇ ପାସ୍ କଲା । ଖବର ଶୁଣି ଖୋଦ୍‌ ଅଧ୍ୟାପକ ଯେତିକି ଖୁସି ନ ହେଲେ, ତା’ଠୁ ଶତଗୁଣରେ ଖୁସି ହେଲେ ସଲୀଳା । ନିଜର ସ୍ଥିତି, ନିଜର ପରିଚୟ ଭୁଲିଯାଇ ଆନନ୍ଦବିଭୋର ହୋଇ ସେ ଦଉଡ଼ି ଆସିଲେ ଅଧ୍ୟାପକଙ୍କ ପାଖକୁ । ହସି ହସି କହିଲେ...

 

—ଟୁକୁର ରେଜଲଟ୍‌ ଶୁଣିଲେ ତ ?

 

ଅଧ୍ୟାପକଙ୍କର କଣ୍ଠରେ ଭାଷା ନାହିଁ । ଟୁକୁର ସାଫଲ୍ୟ କେବଳ ସଲୀଳାଙ୍କର ପାଇଁ ସମ୍ଭବ ହୋଇଚି । ସେ ନ ଥିଲେ ଟୁକୁକୁ ସେ ହୁଏତ ବଞ୍ଚେଇ ରଖି ପାରି ନ ଥାନ୍ତେ ।

 

ଟୁକୁର ଆନନ୍ଦ ମଧ୍ୟ କହିଲେ ନ ସରେ । ସଲୀଳାଙ୍କୁ ଯାକି କୁଣ୍ଢେଇ ସେ ଆଜି ନାଚିବାରେ ଲାଗିଚି । ଶିଶୁସୁଲଭ କଣ୍ଠରେ ସଲୀଳାଙ୍କୁ ସେ କହିଲା—

 

—ତୁମରି ଆଶୀର୍ବାଦରେ ମୁଁ ଆଜି ଫାଷ୍ଟ ହୋଇ ପାସ୍‌ କରିଚି ମାଆ । ତୁମେ ମୋ ପାଖେ ପାଖେ ଥିଲେ ପ୍ରତି ପରୀକ୍ଷାରେ ମୁଁ ଏମିତି ଫାଷ୍ଟ ହୋଇ ପାସ୍ କରିବି ।

 

ସଲୀଳା ନୀରବ । କି ଉତ୍ତର ଦେବେ ସେ ଟୁକୁକୁ ?

 

ଟୁକୁର ଚପଳ ମନ କିନ୍ତୁ ଏତିକିରେ ଶାନ୍ତ ହେଲା ନାହିଁ । ସଲୀଳାଙ୍କର କାନ୍ଧରେ ଝୁଲିପଡ଼ି ଅଝଟିଆ କଣ୍ଠରେ ସେ ପୁଣି ଆରମ୍ଭ କଲା—

 

—ମୁଁ ଯେତେ ମନଦେଇ ପାଠ ପଢ଼ିଲେ କ’ଣ ହେବ, ବାପା ମତେ ଦୂରକୁ ଦୂରକୁ ଠେଲି ଦଉଛନ୍ତି ମାଆ । ରାତିରେ ସେ ମତେ ଛାଡ଼ି, ତୁମକୁ ଛାଡ଼ି ଅନ୍ୟ ଘରେ ଶୋଉଛନ୍ତି । ଆମଠାରୁ ସେ କାହିଁକି ଏମିତି ଦୂରେଇ ଦୂରେଇ ରହୁଚନ୍ତି ମାଆ ? ଆମେ ତାଙ୍କର କି ଦୋଷ କଲୁ ଯେ...

 

ଟୁକୁ ଆହୁରି କିଛି କହିଥାନ୍ତା । ସଲୀଳା କୁତ୍ରିମ ଧମକରେ ତା’ର କଥା ବନ୍ଦ କରିଦେଲେ-। ସେ କହିଲେ—ବାପା କ’ଣ କରୁଛନ୍ତି, କ’ଣ ନ କରୁଛନ୍ତି ସେ କଥା ତୋର ବୁଝିବା ଦରକାର ନାହିଁ । ତୋର ବର୍ତ୍ତମାନ ପାଠ ପଢ଼ିବାର ସମୟ ଟୁକୁ । ମନଦେଇ ଲେଖାପଢ଼ା କଲେ ତୋ ବାପାଙ୍କଠାରୁ ତୁ ଆହୁରି ବଡ଼ ହେବୁ ।

 

ସଲୀଳା ଟୁକୁକୁ ପ୍ରତିଦିନ ଏମିତି ଉପଦେଶ ଦିଅନ୍ତି । ଆଜିର ଉପଦେଶକୁ ସେ କାହିଁକି ଠିକ୍‌ ରୂପେ ଗ୍ରହଣ କରି ପାରିଲା ନାହିଁ । ସଲୀଳାଙ୍କ ଉପରେ ତା’ର ଦୂରନ୍ତ ଅଭିମାନ । ମୁହଁକୁ ତଳକୁ ପୋତି ସାମାନ୍ୟ କାନ୍ଦିଲା କାନ୍ଦିଲା କଣ୍ଠରେ ସେ କହିଲା—

 

—ବାପାଙ୍କ କଥା ସିନା ମନରେ ଆଣିବିନି । ହେଲେ ମୁଁ ତୁମରି କଥାହିଁ ଭାବୁଚି । ସାତଦିନକାଳ ତୁମେ ମତେ ଛାଡ଼ି କେଉଁଆଡ଼େ ଚାଲିଗଲ । ଗଲାବେଳେ ମତେ ଟିକେ କହିକରି ଗଲନି ? ମା’ମାନେ କ’ଣ ଏମିତି ପୁଅକୁ ଛାଡ଼ି ଲୁଚି ଲୁଚି ଚାଲିଯାଆନ୍ତି ?

 

ସଲୀଳାଙ୍କ ତୁଣ୍ତରେ କଥା ନାହିଁ । ପ୍ରକୃତରେ ସେ ଟୁକୁକୁ ଛାଡ଼ି ସାତଦିନ ପାଇଁ ଚାଲି ଯାଇଥିଲେ ।

 

ଟୁକୁର ଅଭିମାନପୂର୍ଣ୍ଣ କଥାରେ ସଲୀଳା ନିଜର ଉଦ୍‌ଗତ ଅଶ୍ରୁକୁ ଚାପିରଖି ପୁଅକୁ ଛାତି ଉପରକୁ ଟାଣିନେଲେ । କେତେ ଆଦର ସୋହାଗବୋଳା କଥାରେ ସେଦିନ ସେ ଟୁକୁକୁ ବୁଝେଇଥିଲେ, ତା’ର ଆଉ ପୁନରାବୃତ୍ତି କରିବିନି ।

 

ଟୁକୁ ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଲା ।

 

ହଠାତ୍ ଶଙ୍କର ବାବୁ କଥା ବନ୍ଦ କରିଦେଲେ ।

 

ଯୁଗଳ ଭାଇ ସାମାନ୍ୟ ବିରକ୍ତିରେ ଏଥର କହିଲେ—ଆପଣ କେବେ ଏମିତି ଚୁମ୍ୱକରେ କଥା ସାରିଦିଅନ୍ତି, ତେବେ ଗଳ୍ପର କେତେକ ମୂଲ୍ୟବାନ ଅଂଶ ନିଶ୍ଚୟ ଅକୁହା ରହିଯିବ-। ସଲୀଳା ଦେବୀ ସାତଦିନ ପାଇଁ କେଉଁଠିକି ଯାଇଥିଲେ, ସେ କଥାକୁ ଏଯାଏ ଆମ ନିକଟରେ ଗୁପ୍ତ ରଖିଛନ୍ତି କାହିଁକି ?

 

ଶଙ୍କର ବାବୁ ନିଜର ଚିନ୍ତା ରାଜ୍ୟରୁ ପୁଣି ଓହରି ଆସିଲେ । ହସ ହସ ମୁହଁରେ ସେ କହିଲେ—ମୋ ଗଳ୍ପକୁ ମୁଁ ତ ବିସ୍ତାର କରି କହୁଥିଲି । ରାତି ଡେରି ହେଇ ଯାଉଚି ବୋଲି ଆପଣମାନେ ଯେତେବେଳେ ଅସ୍ଥିର ହୋଇ ଉଠୁଛନ୍ତି, ଇଚ୍ଛାକରି ମତେ ଗଳ୍ପର ସାରାଂଶ କହିବାକୁ ହେଉଚି ।

 

—ନା–ନା, ସଲୀଳାଙ୍କର କୌଣସି କଥା ଆପଣ ଅକୁହା ରଖନ୍ତୁନି । ...ଯୁଗଳ ଭାଇ ତୀର୍ଯ୍ୟକ କଣ୍ଠରେ ଅନୁରୋଧ କଲେ ।

 

ଶଙ୍କର ବାବୁଙ୍କ ମୁହଁରେ ଏଥର ବିଜୟ ଉଲ୍ଲାସର ଚିହ୍ନ । ହସି ହସି ସେ କହିଲେ—

 

—ଆମ ସଲୀଳାଙ୍କର ଗାଁ ଥିଲା, ମାଆ ବି ଥିଲେ । ଝିଅକୁ ଅନେକ ଦିନ ହେଲା ନ ଦେଖି ମାତୃହୃଦୟ ନିଶ୍ଚୟ କାନ୍ଦି ଉଠିଥିବ । ମାସକୁ ମାସ ମନିଅର୍ଡର ଯୋଗେ ଟଙ୍କା ସିନା ପାଉଥାନ୍ତି, ହେଲେ ଝିଅର ଅଦର୍ଶନ ସେ ଆଉ ସହ୍ୟ କରି ପାରିଲେ ନାହିଁ । ଚିଠି ଲେଖି ତୁରନ୍ତ ଆସିବାକୁ ଏକରକମ ବାଧ୍ୟ କଲେ ସେ ।

 

ତେଣୁ କିଂକର୍ତ୍ତବ୍ୟବିମୂଢ଼ ହୋଇ ସଲୀଳା କେତେଦିନ ଛୁଟି ନେଇ ଅଗତ୍ୟା ଧାଇଁଲେ କଲ୍ୟାଣପୁର ।

 

କଲ୍ୟାଣପୁରର ଛୋଟ ସଂସାରରେ ଆନନ୍ଦର ଜୁଆର ଖେଳିଗଲା । ସାନଭାଇ, ଭଉଣୀମାନେ କୋଟିନିଧି ପାଇଲା ପରି ସଲୀଳାଙ୍କ କୋଳରେ ଲୋଟିଗଲେ ।

 

ସଲୀଳାଙ୍କର ମାଆଙ୍କ ଆଖିରେ ଆନନ୍ଦାଶ୍ରୁ । ଦୀର୍ଘଦିନ ପରେ ସେ ଆଜି ଝିଅକୁ ଦେଖୁଛନ୍ତି...ଛନ୍ଦମଡ଼ୁର–ଗତିମୁଖର—ଚଳଚଞ୍ଚଳ ।

 

ବିଚଳିତ କଣ୍ଠରେ ପ୍ରଥମେ ମାଆ କହିଲେ—

 

—ଟଙ୍କା ଖର୍ଚ୍ଚ କରି ସହରକୁ ଯିବାକୁ ଆମର ସିନା ବଳ ନାହିଁ, ହେଲେ ତୋ ବାଟକୁ ଏଇ ଗାଁ ଭୂଇଁରେ ଯେଉଁମାନେ ଚାତକ ପରି ଅନାଇଁ ରହିଛନ୍ତି, ତୁ ସେମାନଙ୍କୁ ଭୁଲିଗଲୁ କିପରି ? ଏଇ କ’ଣ ଚାକିରି ?

 

ମାଆଙ୍କୁ ବୁଝେଇବାକୁ ଯାଇ ସଲୀଳା କହିଲେ–ମୋର ବର୍ତ୍ତମାନ ଚାକିରିରେ ଗୋଟାଏ ଘଣ୍ଟା ବି ଛୁଟି ନାହିଁ । କେତେ କଷ୍ଟରେ ମୁଁ ଯେ ଆସିଚି, ସେ କଥା ତୁମେମାନେ କେହି ବୁଝି ପାରିବ ନାହିଁ ।

 

ସଲୀଳାଙ୍କର ଆପାଦମସ୍ତକ ନିରୀକ୍ଷଣ କରୁ କରୁ ହଠାତ୍ ତାଙ୍କର ମାଆ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଲେ । ଝିଅର ବେଶଭୂଷା ପ୍ରତି ତାଙ୍କର ଏ ପର୍ଯ୍ୟନ୍ତ ଦୃଷ୍ଟି ପଡ଼ି ନ ଥିଲା । ଆଶ୍ଚର୍ଯ୍ୟ ଗଳାରେ ସେ ପ୍ରଶ୍ନ କଲେ—‘‘ଏ ସବୁ ମୁଁ କ’ଣ ଦେଖୁଚି ଝିଅ ? ତୋ ମୁଣ୍ତରେ ସିନ୍ଦୂରର ଦାଗ ?

 

ଯାତ୍ରା ଆରମ୍ଭ ପୂର୍ବରୁ ସଲୀଳା ମୁଣ୍ତରୁ ସିନ୍ଦୂର ଭଲ କରି ପୋଛି ଦେଇ ଆସିଥିଲେ । ତଥାପି ସେ ଦାଗ ପୂରାପୂରି ଲିଭି ନାହିଁ । ଅଧ୍ୟାପକଙ୍କର ସ୍ତ୍ରୀର ଅଭିନୟ କରି ସେ ଯେ ଟଙ୍କା ରୋଜଗାର କରୁଛନ୍ତି, ଏକଥା ସେ ଇଚ୍ଛାକରି ଗୁପ୍ତ ରଖିଥିଲେ । ମାଆଙ୍କର ଏପରି ପ୍ରଶ୍ନରେ ପ୍ରଥମେ ସଲୀଳା ଭୟରେ ଶିହରି ଉଠିଲେ । କିନ୍ତୁ ପରେ ପରେ ସେ ନିଜକୁ ସମ୍ଭାଳି ନେଇ ହସ ହସ ମୁହଁରେ ଉତ୍ତର ଦେଲେ—ସେ କିଛି ନୁହେଁ ମା, ଯାହାଙ୍କ ଘରେ ଚାକିରି କରୁଛି, ସେ ଘରର ଜଣେ ଅବୁଝା ଝିଅର ଏ କାମ । ମୁଁ ଯେତେ ମନା କଲେ ବି ସେ ମୋ ମୁଣ୍ତରେ ଜୋରକରି ସିନ୍ଦୂର ଦେଇଦିଏ ।

 

କୈଫିୟତ୍‌ଟା ହୃଦୟଗ୍ରାହୀ ହେଲା ନାହିଁ ମାଆଙ୍କର ।

 

ବିମର୍ଷ ମୁହଁରେ ସେ ଏଥର କହିଲେ—

 

—ସତକୁ ମିଛ କରିବାର ଚେଷ୍ଟା ଆଉ କରନା ଝିଅ । ମୁଁ ସବୁ ଶୁଣିଚି, ସବୁ ଜାଣିଚି । ସେଦିନ ବୁରୁନ୍ଦି ଦାଦା ସହରରୁ ଫେରି ମତେ ସତ କଥାଇ କହିଥିଲେ ।

 

ସଲୀଳା ଏଥର ନିରୂପାୟ । ପ୍ରକୃତରେ ବୁରୁନ୍ଦି ଦାଦା ତାଙ୍କୁ ସହରରେ ଅନେକଥର ଦେଖିଛନ୍ତି । ଅଧ୍ୟାପକଙ୍କର ନକଲି ଗୃହିଣୀ ସାଜିବାର ଗୌରବ ସେ ସିନା ତାଙ୍କୁ ଜଣେଇ ନାହାନ୍ତି–ହେଲେ ସେ ଅଭିନୟ ତାଙ୍କ ଦୃଷ୍ଟିରେ ନିଶ୍ଚୟ ପଡ଼ିଥିବ ।

 

ସଲୀଳା ସହଜ ଗଳାରେ ଉତ୍ତର ଦେଲେ–

 

—ମୁଁ ତୁମ କଥା କିଛି ବୁଝି ପାରୁନି ମାଆ । ବୁରୁନ୍ଦି ଦାଦା କ’ଣ ସବୁ ସତ କଥା ତୁମ ଆଗରେ କହିଛନ୍ତି ? ମୁଁ ସେମିତି କିଛି ଦୋଷ କରିନି ମାଆ, ମତେ ବିଶ୍ୱାସ କର...

 

ସଲୀଳାଙ୍କର ଉତ୍ତର ଶୁଣିବା ପୂର୍ବରୁ ମାଆଙ୍କ ଆଖିରେ ଲୁହ ଜକେଇ ଆସୁଥିଲା । ଭଙ୍ଗା ଗଳାରେ ସେ ଏଥର କହିଲେ—କାହିଁକି ମତେ ଲୁଚୋଉଛୁ ଝିଅ ? ମୁଁ କ’ଣ ମନା କରିଥାନ୍ତି-? ତୋର ଯେଉଁଥିରେ ଆନନ୍ଦ, ମୁଁ ତ ସେଇ କଥା କରିଥାନ୍ତି । କାହିଁକି ତୁ ଲୁଚେଇ ଛପେଇ ଏ କାମ କଲୁ ? ମୁଁ ତ ତୋର ସାବତ ମାଆ ନୁହେଁ—ତତେ ହାତକୁ ଦି’ହାତ କରିବା ପାଇଁ ମୋର କ’ଣ ପ୍ରାଣ କାନ୍ଦୁ ନ ଥିଲା ?

 

ସଲୀଳା ମାଆଙ୍କର କାନ୍ଦ ଦେଖି କିଛିକ୍ଷଣ ପାଇଁ ସ୍ତବ୍‌ଧ ହୋଇ ବସି ରହିଲେ ।

 

ଘରେ ଗୋଡ଼ ଦଉ ଦଉ ପରିସ୍ଥିତି ଯେ ଏପରି ଘନେଇ ଆସିବ, ଏ କଥା ତାଙ୍କର କଳ୍ପନାରେ ନ ଥିଲା । କ’ଣ କହି ସେ ମାଆଙ୍କର ଭୁଲ୍‌ ଭାଙ୍ଗିବେ ?

 

ସାମାନ୍ୟ ରୁକ୍ଷଗଳାରେ ସଲୀଳା କହିଲେ—କାହିଁକି ତୁମେ ବାଜେ କଥାର ଉପକ୍ରମ କରୁଛ ମାଆ ? ବୁରୁନ୍ଦି ଦାଦା ତୁମକୁ କ’ଣ କହିଛନ୍ତି, ମତେ ଖୋଲିକରି କୁହ ।

 

ମାଆଙ୍କର କଣ୍ଠସ୍ୱର ମଧ୍ୟ କୋମଳ ନୁହେଁ । ଚଢ଼ା ଗଳାରେ ସେ ବି କହିଲେ—

 

—ତୋରି ଟଙ୍କାରେ ଖାଇ ପିଇ ବଞ୍ଚିଛି ବୋଲି ମୁଁ କ’ଣ ତୋ ଆଖିରେ ଏତେ ଅଦରକାର ? ବାହା ହେବା ପୂର୍ବରୁ ଗୋଟାଏ ଖବର ଦେବାକୁ ମଧ୍ୟ ତୁ ପଛେଇ ଗଲୁ ?

 

ମାଆଙ୍କର କଥାରେ ସଲୀଳା ମଧ୍ୟ ରାଗରେ ଚିହିଁକି ଉଠିଲେ । ଜନ୍ମଦାତ୍ରୀଙ୍କ ମୁଖରେ ନିଜର ଅପବାଦ ସେ ବା ସହ୍ୟ କରନ୍ତେ କିପରି ? ଉତ୍ତେଜିତ ଅବସ୍ଥାରେ ସେ କହିଲେ—

 

—ଲାଜରେ ମୋର ମୁଣ୍ତ ଛିଡ଼ି ପଡ଼ୁଚି ମାଆ । ତୁମରି ଝିଅ ତୁମକୁ ନ ଜଣେଇ ବିବାହ କରିଚି ବୋଲି ତୁମେ ଯେ କିପରି ସ୍ଥିର ସିଦ୍ଧାନ୍ତରେ ପହଞ୍ଚି ଯାଇଚ, ଏକଥା ମୁଁ ଚିନ୍ତା ମଧ୍ୟ କରି ପାରୁନି । ପର ଘରେ ଉଦୟଅସ୍ତ ଯେ’ ଦାୟିତ୍ୱ ତୁଲାଇବାରେ ବ୍ୟସ୍ତ ଥାଏ, ସେ ପୁଣି କରିବ ବିବାହ-? କିଏ କହୁଚି...ତୁମକୁ ନ ଜଣେଇ ମୁଁ ବାହା ହେଇଚି ? ଡାକ ସେ ବୁରୁନ୍ଦି ଦାଦାଙ୍କୁ...

 

ଏଥର ଅଭିମାନିଆ କଣ୍ଠରେ ମାଆ କହିଲେ—

 

—ମାଆ ମନର ଜ୍ୱାଳା ତୁ କ’ଣ ବୁଝିବୁ ଝିଅ ? ପର ତୁଣ୍ତରେ ତୋର ଅପନିନ୍ଦା ଖବର ମୁଁ କ’ଣ ସହଜରେ ବିଶ୍ୱାସ କରୁଥିଲି । ତୋ ସୁନ୍ଥାରେ ସିନ୍ଦୂର ବୁରୁନ୍ଦି ଦାଦା ନିଜେ ଦେଖି ଆସିଛନ୍ତି-। ମୁଣ୍ତରେ ପଣତ ଦେଇ କାଳୀ ମନ୍ଦିରରେ ତୁ ଭୋଗ ଲଗେଇବାକୁ ଯାଇଥିଲୁ । ସୁନ୍ଥାରେ ସିନ୍ଦୂର, ମୁଣ୍ତରେ ପଣତ ଏସବୁ କ’ଣ ମିଛ ଝିଅ ? କହ, ଏସବୁ କ’ଣ ବୁରୁନ୍ଦି ଦାଦାର ମନଗଢ଼ା କଥା ?

 

ସଲୀଳା ନୀରବ । ଉତ୍ତର ଦେବାକୁ ତାଙ୍କର ସମୟ ଦରକାର । ଅଭିଯୋଗ ଗୁରୁତର–ସେଥିରୁ ମୁକ୍ତ ହେବାକୁ ହେଲେ ମାଆଙ୍କ ଆଗରେ ପ୍ରକୃତ କଥା କହିବାକୁ ହେବ । କଣ୍ଠରେ ଯଥାସମ୍ଭବ ସ୍ଥିରତା ଓ ଗାମ୍ଭୀର୍ଯ୍ୟ ଆଣି ସେ କହିଲେ—

 

—ସୁନ୍ଥାରେ ସିନ୍ଦୂର, ମୁଣ୍ତରେ ପଣତ, କାଳୀ ମନ୍ଦିରରେ ଭୋଗ, ଏସବୁ ସତ କଥା ମାଆ । ହେଲେ ବାହାହେବା କଥାଟି ଏକାବେଳେକେ ମିଛ ।

 

ତା’ପରେ ସଲୀଳା ମାଆଙ୍କ ଆଗରେ ଅତି ଖୋଲାଖୋଲି ଭାବରେ ସବୁ ଘଟଣା ବର୍ଣ୍ଣନା କରିଗଲେ । ଏବେ ତାଙ୍କର ମନ ଖୁବ୍‌ ହାଲ୍‌କା...ମୁଣ୍ତରୁ ପଥର ବୋଝ ଓହ୍ଲେଇଗଲା ।

 

ଘଟଣାର ରୂପରେଖ ତଥାପି ମାଆଙ୍କର ଅବୋଧ୍ୟ ରହିଲା । ସେ ପୁଣି ପଚାରିଲେ—

 

—ବାହା ନ କରି ସ୍ୱାମୀ, ସ୍ତ୍ରୀ ଭଳି ଚଳପ୍ରଚଳ କରିବାକୁ ହେବ, ଏମିତି ସୃଷ୍ଟିଛଡ଼ା ସର୍ତ୍ତରେ ତୁ କାହିଁକି ଚାକିରି କଲୁ ଝିଅ ? ଏଥିରେ ଭଲ ଯେତିକି, ମନ୍ଦ ମଧ୍ୟ ସେତିକି ରହିଚି ।

 

ମାଆଙ୍କର ଆଶଙ୍କାକୁ ହସରେ ଉଡ଼େଇ ଦେଲେ ସଲୀଳା । ସେ କହିଲେ—

 

—ସୃଷ୍ଟିଛଡ଼ା ସର୍ତ୍ତକୁ ମାନି ନେଇଚି ବୋଲି, ଏମିତି ମୋଟା ଦରମା ମତେ ମିଳୁଚି । ତୁମେ କିଛି ଚିନ୍ତା କରନି ମାଆ— କୌଣସି କଳଙ୍କରୁ ତୁମ ଝିଅ ସ୍ପର୍ଶ କରିବନି ।

 

ଅବିବାହିତା ଝିଅ ପର ଘରେ ଚାକିରି କରୁଚି—ସେଥିରେ ପୁଣି ଅଭିନବ ସର୍ତ୍ତ—ବାହା ନ ହେଇ ସ୍ତ୍ରୀ ଭଳି ଚଳିବାକୁ ହେବ ...ମାଆର ସ୍ନେହ ଦାନ କରିବାକୁ ହେବ...

 

ସଲୀଳାର ଉତ୍ତରରେ ମାଆ ତେଣୁ କୌଣସିମତେ ସନ୍ତୁଷ୍ଟ ହୋଇ ପାରିଲେ ନାହିଁ । ସନ୍ଦେହମିଶା କଣ୍ଠରେ ସେ ତେଣୁ କହିଲେ—

 

—ଦୁନିଆକୁ ତୁ ଯେଉଁ ଆଖିରେ ଦେଖୁଚୁ, ମୁଁ ସେଇ ଆଖିରେ ଦେଖୁନି ଝିଅ । ଏ ସଂସାର ବଡ଼ ଦଗାଦିଆ । ବିଶ୍ୱାସରେ ବିଷ ଦେଇ ସମସ୍ତେ ଚାହାନ୍ତି ନିଜର ସ୍ୱାର୍ଥ ହାସଲ କରିବାକୁ-। ଏତେ ଦିନ ପର ଦୁଆରେ ଚାକିରି କରି ତୁ ନିଜର କିଛି ଉନ୍ନତି କରି ପାରିଲୁ ନାହିଁ । ଯାହା ରୋଜଗାର କଲୁ, ସବୁ ଆମରି ଢୋକ ପାଣି ପାଇଁ ଖର୍ଚ୍ଚ ହୋଇଗଲା । ତୋର ଭବିଷ୍ୟତ ତୁ ନିଜେ ଗଢ଼ିବା ଦରକାର । ମାସକୁ ମାସ କିଛି ଟଙ୍କା ଜମେଇ ରଖି ପାରିଲେ, ଦିନେ ତୁ ତୋର ସୁଖର ସଂସାର ଗଢ଼ିବାରେ ସମର୍ଥ ହୁଅନ୍ତୁ । ତା’ ନ କରି ମାଲିକର ନକଲି ସ୍ତ୍ରୀ ହୋଇ ପିଲା ଜଞ୍ଜାଳ କଲେ ଭବିଷ୍ୟତରେ ‘ଆନନ୍ଦ’ ବୋଲି କିଛି ଜିନିଷ ତୁ ଆଉ ପାଇବୁ ନାହିଁ । ପରର ସ୍ୱାମୀ, ପରର ପୁଅକୁ ଧରି ତୁ ଆଉ ନିଆଁ ଭିତରେ ଖେଳିବାକୁ ଚେଷ୍ଟା କରନା । ଏ ଚାକିରି ଛାଡ଼ିଦେ । କମ୍‌ ଟଙ୍କା ହେଲେ ହେଉ ପଛେ ଅନ୍ୟ କେଉଁଠି କାମ କଲେ ତୋର ମଙ୍ଗଳ ହୁଅନ୍ତା ।

 

ମାଆ ସିନା ଝିଅର ଭବିଷ୍ୟତ ସୁଖ ଐଶ୍ଚର୍ଯ୍ୟ ପାଇଁ ଏତେ କଥା କହିଗଲେ । ହେଲେ ସଲୀଳାଙ୍କର ସେଥିପ୍ରତି ତିଳେ ହେଲେ ଅନୁରକ୍ତି ପ୍ରକାଶ ପାଇଲା ନାହିଁ । ଅତି ସହଜ କଣ୍ଠରେ ହସି ହସି ସେ ଉତ୍ତର ଦେଲେ—

 

—ଟୁକୁର ସ୍ନେହ, ଆଦର ମୁଁ ଭୁଲି ପାରିବିନି ମାଆ । ତାକୁ ଛାଡ଼ି ଅନ୍ୟ କେଉଁଠି କାମ କରିବା କେବଳ ଅନୁଚିତ ନୁହେଁ, ମୋ ପକ୍ଷରେ ଅସମ୍ଭବ ମଧ୍ୟ ।

 

...ଏତିକି କହି ଶଙ୍କର ବାବୁ ହଠାତ୍ ମୌନ ହୋଇଗଲେ । ଯୁଗଳ ଭାଇ ତାଙ୍କ ମୁହଁକୁ ଏକଲୟରେ ଚାହିଁ ଥାଆନ୍ତି । ଘଟଣାର ପର ଅଧ୍ୟାୟ ସେ ହୁଏତ ଭାବିଚିନ୍ତି କହିବାକୁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ କାହିଁ ? ତାଙ୍କ ତୁଣ୍ତରେ ତ କୌଣସି କଥା ନାହିଁ ।

 

Unknown

ଯୁଗଳ ଭାଇ ଅସହିଷ୍ଣୁ ଗଳାରେ କହିବାକୁ ବାଧ୍ୟ ହେଲେ–ତା’ପରେ କ’ଣ ହେଲା କୁହନ୍ତୁ-। ଏକାବେଳେକେ ଚୁପ୍‌ ହୋଇ ରହିଗଲେ ଯେ...

 

ଶଙ୍କର ବାବୁଙ୍କର ମୁହଁରେ ସ୍ମିତହାସ୍ୟ । ସେ କହିଲେ–କ’ଣ ଆଉ ହେବ ? ସଲୀଳା ନିଜର ନିଷ୍ପତ୍ତିରେ ଅଟଳ ରହି ପୁଣି ଫେରି ଆସିଲେ ତାଙ୍କର ହାତ ଗଢ଼ା ସଂସାର ଭିତରକୁ ।

 

ଏଥର ମୁଁ କହିବାକୁ ବାଧ୍ୟ ହେଲି ।

 

ଶଙ୍କର ବାବୁଙ୍କୁ ଲକ୍ଷ୍ୟ କରି କହିଲି

 

—ତାଙ୍କର ହାତଗଢ଼ା ସଂସାରକୁ ବୋଲି କାହିଁକି କହୁଚନ୍ତି ।...କୁହନ୍ତୁ ଅଧ୍ୟାପକଙ୍କର ସଂସାର ଭିତରକୁ ।

 

ମୋର ଟିପ୍‌ପଣୀ ବୋଧହୁଏ ଶଙ୍କର ବାବୁଙ୍କୁ ରୁଚିକର ବୋଧ ହେଲା ନାହିଁ । ସାମାନ୍ୟ ଚଢ଼ା କଣ୍ଠରେ ସେ ଉତ୍ତର ଦେଲେ—ଆପଣମାନେ କଥାର ଖିଅକୁ ଏପରି ଭାବରେ ଧରିବସିଲେ ମୁଁ ହୁଏତ ଆଉ ଆଗେଇ ପାରିବି ନାହିଁ । ମୁଁ ତ ଆଉ ଆପଣଙ୍କ ପରି ନାଟକ ଲେଖୁନି ଯେ ପ୍ରତ୍ୟେକ ଶବ୍ଦ ଆଉ ବାକ୍ୟକୁ ତଉଲି କରି କହିବି । ମୋର କହିବାର କଥା...ମୁଁ ଯାହା କହୁଚି, ତାକୁ ଆପଣ ଦେଖିଲାବେଳେ ଭୁଲ ଠିକ୍ ବିଚାର କରି ସୁଧାରି ନେବେ ।

 

ଯୁଗଳ ଭାଇ ହୁଏତ ଏ ଆଲୋଚନାକୁ ଅନ୍ୟ ଦିଗକୁ ଟାଣି ନେଇଥାନ୍ତେ । କିନ୍ତୁ ରେଷ୍ଟୁରାଣ୍ଟର ମାଲିକ ଅରବିନ୍ଦ ବାବୁ ହଠାତ୍ ଆମ ପାଖରେ ହାଜର ହୋଇ ଅନୁରୋଧ କଲେ—

 

—ଖାଲି ଚା’, କଫି, ସିଗାରେଟରେ କ’ଣ ଏ ଗଳ୍ପ ଆମର ଶେଷ ହେବ ? ଉଦରର କ୍ଷୁଧା ତ ପୁଣି ଅଛି । ସେ ଦୃଷ୍ଟିରୁ ମୁଁ ଆପଣମାନଙ୍କ ପାଇଁ କିଛି ଲଘୁପାକର ବ୍ୟବସ୍ଥା କରିଚି ।

 

ଅରବିନ୍ଦ ବାବୁଙ୍କର କଥା ସରିଚି କି ନାହିଁ, ଆମେ ଦେଖିଲୁ ରେଷ୍ଟୁରାଣ୍ଟ୍‍ର ମୁଖ୍ୟ ପାଚକ ଟ୍ରେ’ ସାହାଯ୍ୟରେ ଖାଦ୍ୟସାମଗ୍ରୀ ଆଣି ଟେବୁଲ ଉପରେ ରଖିଦେଲା ।

 

ସମ୍ମତି ଅସମ୍ମତି ଜଣେଇବାର ଆଉ ଅବକାଶ ନାହିଁ । ରାତି ବଢ଼ିବା ସଙ୍ଗେ ସଙ୍ଗେ ପେଟ ମଧ୍ୟ ଖାଲି ହୋଇ ଆସୁଥିଲା ।

 

ଶ୍ରୋତା ବକ୍ତା ସମସ୍ତେ ବିନା ବାକ୍ୟ ବ୍ୟୟରେ ଅରବିନ୍ଦ ବାବୁଙ୍କର ଆୟୋଜିତ ଲଘୁପାକକୁ ସଦ୍‌ବ୍ୟବହାର କରିବାରେ ଲାଗିଲୁ ।

 

କିଛି ସମୟ ନୀରବରେ କଟିଗଲା ।

 

ଖାଇବା ପରେ ପରେ ରୁମାଲରେ ହାତପୋଛା ସରିଚି କି ନାହିଁ, ହଠାତ୍ ଶଙ୍କର ବାବୁ କଥା ଆରମ୍ଭ କରିଦେଲେ—

 

—ଦିନ ତ ସବୁଦିନ କାହାରି ସମାନ ଯାଏ ନାହିଁ । ଦିନେ ହଠାତ୍ ଟୁକୁ ସ୍କୁଲରୁ ଫେରି ବିଛଣା ଧରିଲା । ଦେହରେ ଶହେ ପାଞ୍ଚ ଡିଗ୍ରୀ ଜର ।

 

ଯୁଗଳ ଭାଇ ଅତି ଆଶ୍ଚର୍ଯ୍ୟ ଗଳାରେ ପ୍ରଶ୍ନ କଲେ—ଏ ପୁଣି କ’ଣ ? ଆପଣ ହଠାତ୍ କାହାଣୀକୁ କୋଉ ଦିଗକୁ ଟାଣିନେଲେ ?

 

ଶଙ୍କର ବାବୁ ଉତ୍ତର ଦେଲେ—

 

—ଆପଣମାନଙ୍କୁ କାହାଣୀ ଶୁଣେଇବା ମୋ ଦ୍ୱାରା ହୁଏତ ଆଉ ସମ୍ଭବ ହେବ ନାହିଁ । ବିସ୍ତାର କରି କହିଲେ, କହୁଚନ୍ତି...ସଂକ୍ଷେପରେ କୁହନ୍ତୁ । କଥାବସ୍ତୁକୁ ସଂକ୍ଷିପ୍ତ କଲେ ପ୍ରଶ୍ନ କରୁଛନ୍ତି...କାହାଣୀକୁ କୋଉ ଦିଗକୁ ଟାଣି ନେଉଚନ୍ତି ? ଏତେ ଫର୍ମୁଲା ଜଗି ଗଳ୍ପ ଶୁଣେଇବା ଲୋକ ମୁଁ ନୁହେଁ ।

 

ଶଙ୍କର ବାବୁ ହୁଏତ ସାମାନ୍ୟ ଉତ୍‌କ୍ଷିପ୍ତ ହୋଇ ଉଠିଲେ । ତାକୁ ସ୍ୱାଭାବିକ ଅବସ୍ଥାକୁ ଫେରେଇ ଆଣିବାକୁ ଯୁଗଳ ଭାଇ ହସି ହସି କହିଲେ—

 

—ନା–ନା, ଆପଣଙ୍କୁ ତ ‘‘କଥା ସାଗର’’ ଉପାଧି ଦେବା ପାଇଁ ଆମ୍ଭମାନେ ଠିକ୍‌ କରିଛୁ । ତେବେ ଶ୍ରୋତା ହିସାବରେ ଆମର ଯେଉଁଠି ଅସୁବିଧା ହେଉଚି, ଆମେ ଆପଣଙ୍କୁ କହିବୁନି କେମିତି ? ଘଟଣା ତ ଆପଣଙ୍କର ଅଙ୍ଗେ ଲିଭେଇବା କାହାଣୀ । ତେଣୁ ଶ୍ରୋତା ବୁଝି ପାରିବା ଭଳି ବକ୍ତାଙ୍କର କହିବା ଉଚିତ ନୁହେଁ କି ?

 

ଶଙ୍କର ବାବୁ ଆଉ ପ୍ରତିବାଦ ନ କରି କହିଲେ—ସଲୀଳା ଦେବୀ ଗାଁରୁ ଫେରିବାର କିଛିଦିନ ପରେ ଟୁକୁ ହେଲା ଶଯ୍ୟାଶାୟୀ । ଦେହରେ ପୂରା ତାତି ।

 

ସଲୀଳା ଲାଗି ପଡ଼ିଲେ ସେବା ଶୁଶ୍ରଷାରେ । ଡାକ୍ତର ଡାକିବା, ଥର୍ମୋମିଟରରେ ଜର ଦେଖିବା, ମୁଣ୍ତରେ ଆଇସ୍‌ ବ୍ୟାଗ୍ ଦେବା, ଘଣ୍ଟାକୁ ଘଣ୍ଟା ଔଷଧ ଦେବା ଆଦି ସବୁ କାମ ସେ ଏକା ଏକା ତୁଲେଇ ନେଲେ । ଟାଇଫଏଡ୍‍ ଜର–ରୋଗୀକୁ ସବୁବେଳେ ଆଖି ନଜରରେ ରଖିବାକୁ ହେବ । ତେଣୁ ଖାଇବା, ଶୋଇବା ସବୁ ଭୁଲିଗଲେ ସଲୀଳା । ସହଜରେ ତ ସେବିକା ଆସନରୁ ମାଆର ଆସନକୁ ଆସିଛନ୍ତି । ସେବା, ଶୁଶ୍ରୂଷା ର ଚରମ ପରୀକ୍ଷା ତାକୁ ଟୁକୁ ନିକଟରେ ଦେବାକୁ ହେଲା ।

ଅସ୍ଥିର ହୃଦୟରେ ଅଧ୍ୟାପକ ସବୁ ଦେଖିଲେ, ସବୁ ଅନୁଭବରେ ଆଣିଲେ । ଟୁକୁକୁ ଆରୋଗ୍ୟ କରିବାକୁ ସଲୀଳାଙ୍କର କି ପ୍ରାଣମୂର୍ଚ୍ଛା ପରିଶ୍ରମ ! ନିଜର ସୁଖ ସ୍ୱାଚ୍ଛନ୍ଦକୁ, ନିଜର ଜୀବନକୁ ସେ ତୁଚ୍ଛ କରି ଦେଇଛନ୍ତି କେବଳ ଟୁକୁକୁ ରୋଗମୁକ୍ତ କରିବାକୁ ।

ଦିନେ ରାତ୍ରିର ଏକ ନିଝୁମ ପ୍ରହରରେ ଟୁକୁର ରୋଗଶଯ୍ୟା ନିକଟରେ ସଲୀଳାଙ୍କୁ ଲକ୍ଷ୍ୟ କରି ଅଧ୍ୟାପକ ଅତି ଆବେଗଭରା କଣ୍ଠରେ କହିଲେ—

–ତୁମର ଏ ଉପକାର ମୋର ଚିରଦିନ ମନେ ରହିବ ସଲୀଳା । ତୁମର ଏ ନିଃସ୍ୱାର୍ଥ ସେବା ଟୁକୁ ମଧ୍ୟ କୌଣସି ଦିନ ଭୁଲି ପାରିବ ନାହିଁ ।

ସଲୀଳାଙ୍କ ମୁହଁରେ ସାମାନ୍ୟ ଶୁଖିଲା ହସ ଦେଖାଗଲା । ଅଧ୍ୟାପକ ମହାଶୟ ଦାୟରେ ପଡ଼ି ପ୍ରଶଂସା ଓ କୃତଜ୍ଞତା ଜଣେଇବାକୁ ବାଧ୍ୟ ହେଉଛନ୍ତି । ମୁହଁକୁ ତଳକୁ ପୋତି ସେ କହିଲେ—ଟୁକୁ ନିଶ୍ଚୟ ଜାଣିବ, ତା’ର ମାଆର ହେପାଜତରେ ସେ ସୁସ୍ଥ ହୋଇ ଉଠିଛି । କିନ୍ତୁ ଅନ୍ୟ ସମସ୍ତଙ୍କ ନିକଟରେ ତ ମୋର ପରିଚୟ ନର୍ସ । ଖାଲି ଟୁକୁ ନିକଟରେ ମୋର ମାନ, ମର୍ଯ୍ୟାଦା ଯାହା ଟିକିଏ ଉପରେ ।

ଅଧ୍ୟାପକ ସଙ୍ଗେ ସଙ୍ଗେ ନିଜକୁ ଆହୁରି ସହଜ ଓ ସରଳ କରି ତୋଳିଲେ । ସେ କହିଲେ–ମତେ ଭୁଲ୍‌ ବୁଝନା ସଲୀଳା । କୃତଜ୍ଞତା ଜଣେଇ ତୁମର ମହତ୍ୱର ପ୍ରଶଂସା କରୁଥିଲି । ଟୁକୁର ଜୀବନରକ୍ଷା ପାଇଁ ତୁମେ ଯେଉଁ ସେବା, ଯତ୍ନ କଲ, ସେ କ’ଣ କେବେ ଟଙ୍କାର ବିନିମୟରେ ମିଳିପାରେ ? ଟୁକୁର ଜନ୍ମଦାତ୍ରୀ ମଧ୍ୟ ଏ କ୍ଷେତ୍ରରେ ଏତେଟା ସଫଳ ହୋଇ ପାରି ନ ଥାନ୍ତା ।

ମ୍ଳାନ ହସ ଭିତରେ ସଲୀଳା ଏଥର ଉତ୍ତର ଦେଲେ—ଦେଖନ୍ତୁ, ମାଟି ଯେତେ ଶକ୍ତ ଓ ମଜଭୁତ ହେଲେ ମଧ୍ୟ ଇଟା, ପଥରର ସମକକ୍ଷ କେଉଁଦିନ ହୋଇ ପାରେନା । ପେଶାଦାର ନର୍ସର ସେବା କ’ଣ ମାଆର ସ୍ନେହକୁ କେବେ ଟପି ଯାଇପାରେ ?

 

ସଲୀଳା ଦେବୀ ଯୁକ୍ତି ଛଳରେ ଆଉ କିଛି କହିଥିଲେ ଅଧ୍ୟାପକଙ୍କର ମନର ବଳ ଆହୁରି ଭାଙ୍ଗି ପଡ଼ିଥାଆନ୍ତା । ତେଣୁ ସେ କଥାର ଗତି ବଦଳେଇବାକୁ ବାଧ୍ୟ ହେଲେ । ଟେବୁଲ ଉପରୁ ଔଷଧ ଶିଶିଟା ଆଣୁ ଆଣୁ ସେ କହିଲେ–କଥା ଭିତରେ ବୁଡ଼ିରହିଲେ ପ୍ରକୃତ କାମ କରି ହୁଏନା । ଏଇ ଦେଖନ୍ତୁ, ଟୁକୁକୁ ଔଷଧ ଦେବାକୁ ମୁଁ ଭୁଲିଯାଇଚି ।

 

ଏତିକି କହି ସେ ମିକ୍‌ସଚର ସହିତ ଟୁକୁ ଆଡ଼କୁ ଝୁଙ୍କି ପଡ଼ିଲେ । କଣ୍ଠରେ ଯଥାସମ୍ଭବ କୋମଳତା ଆଣି ସେ ଡାକିଲେ—ଟୁକୁ ଟିକିଏ ଆଁ କର ବାପା—ଏଇ ପାନକ ଔଷଧ ଖାଇଦେଲେ, ତତେ ଆଉ କିଛି ଖାଇବାକୁ ପଡ଼ିବନି । ନେ...ସୁନାପୁଅ ପରି ଢୋକିଦେଲୁ...

 

ବିଛଣାରେ ପଡ଼ିରହି ଟୁକୁ ବେକଳ ଅଧାମେଲା ଆଖିରେ ସଲୀଳାଙ୍କୁ ଚାହିଁ ରହିଥାଏ । ଔଷଧ ଖାଇବାକୁ ତା’ର ଯେପରି ଆଦୌ ସ୍ପୃହା ନାହିଁ । ଆହୁରି ଆଦର, ଆହୁରି ଆଶ୍ୱସନାରେ ଟୁକୁ ପାଟି ମେଲା କଲା ଓ ସଲୀଳା ଔଷଧ ଦେଇ ନିଶ୍ଚିନ୍ତ ହେଲେ ।

 

ସଲୀଳାଙ୍କର ସ୍ନେହ ଆଦର ପୂର୍ଣ୍ଣ ସେବା ଯତ୍ନକୁ ସ୍ଥିର ଦୃଷ୍ଟିରେ ଚାହିଁ ରହିଥିଲେ ଅଧ୍ୟାପକ । ମନେ ମନେ ଚିନ୍ତା କରୁଥିଲେ..ସଲୀଳା ଯେବେ ପ୍ରକୃତରେ ଟୁକୁର ମା’ ହୋଇଥାନ୍ତେ–ସଭ୍ୟତାର ମୋହରେ ଅନ୍ଧ ନ ହୋଇ ସେ ଯେବେ ଏହି ସେବିକାଙ୍କୁ ବିବାହ କରିଥାନ୍ତେ...ଚିନ୍ତାଧାରା ଆଉ ଦୂରକୁ ଯାଇ ପାରେନା । ଅଧ୍ୟାପକଙ୍କର ମୁଣ୍ତ ଭିତରଟା ହଠାତ୍ ଓଜନିଆ ହୋଇ ଉଠେ । ସଲୀଳାଙ୍କର ଶାନ୍ତଶ୍ରୀ କମନୀୟ ରୂପ ତାଙ୍କର ହୃଦୟର ସ୍ପନ୍ଦନକୁ ଆହୁରି ବଢ଼େଇ ଦିଏ । ଫଳରେ ସେ ଟଳମଳ ଅବସ୍ଥାରେ ସେ ଜାଗା ଛାଡ଼ି ଚାଲିଯାଆନ୍ତି...

 

ଯୁଗଳ ଭାଇ ମନ୍ତବ୍ୟ ଦେବା ପାଇଁ ତୁଣ୍ତ ଖୋଲିଲାବେଳକୁ ଶଙ୍କର ବାବୁ ବାଧା ଦେଇ କହିଲେ—

 

—ମୁଁ ଜାଣେ, ଆପଣମାନଙ୍କୁ ବୋରିଂ ଲାଗୁଚି । ତେବେ ଆଉ ଟିକିନିଖି କରି କହିବା ଦରକାର ପଡ଼ିବନି । ମୋଟାମୋଟି ଭାବରେ କହିଲେ ସଲୀଳା ଦେବୀ ପୂର୍ଣ୍ଣ ଏକମାସ ଆହାର, ନିଦ ପୂରାପୂରି ଭୁଲିଯାଇ ଟୁକୁକୁ ସୁସ୍ଥ କରି ତୋଳିଲେ । ଟୁକୁ ନୂଆ ଜୀବନ ପାଇଲା ।

 

ରୋଗମୁକ୍ତ ହେବା ପରେ ଟୁକୁ ଆଉ ସଲୀଳାଙ୍କର ପାଖ ଛାଡ଼ିଲା ନାହିଁ । ବେଳେ ବେଳେ ସେ ମଧ୍ୟ ହୁକୁମ ଗଳାରେ ତାଙ୍କୁ କହେ—

 

—ତୁମେ ଆଉ ଏତେ ପରିଶ୍ରମ କରନି ମାଆ—ମୋ ପରି ତୁମକୁ ଯେବେ ଜର ହୁଏ, ତେବେ କଥା ସରିଲା । ଡାକ୍ତର ଖାଇବା ପିଇବା ସବୁ ବନ୍ଦ କରିଦେବେ ।

 

—ଧନ୍ୟରେ ପେଟୁ–ତୋର ଖାଲି ଖାଇବା ଚିନ୍ତା ..ହସି ହସି ସଲୀଳା ପୁଅକୁ କୋଳକୁ ଟାଣି ନିଅନ୍ତି ।

 

ସଲୀଳାଙ୍କ ପ୍ରତି ଆଉ ଜଣକର ପ୍ରକୃତରେ ସହାନୁଭୂତି ଥାଏ । ସେ ହେଲେ ଅଧ୍ୟାପକଙ୍କର ମାଆ । ଦିନେ ସେ ସଲୀଳାଙ୍କୁ ବଗିଚାପଟକୁ ଡାକିନେଇ ଛଳ ଛଳ ଆଖିରେ କହିଲେ—ତୁ ସାଧାରଣ ଝିଅ ନୋହୁ ସଲୀଳା । ଈଶ୍ୱରଙ୍କର କଳା ନେଇ ଜନ୍ମ ହୋଇଚୁ । ମୋ ଆଖିରେ ତୁ ସାକ୍ଷାତ ଦେବୀ । ଟୁକୁର ଭାଗ୍ୟ, ସେ ତତେ ପାଇଚି । କଷ୍ଟ ସହି ଯେ ଜନ୍ମ କଲା, ପୁଅର ମମତା ତାକୁ ବାନ୍ଧି ରଖି ପାରିଲା ନାହିଁ । ଉଡ଼ନ୍ତା ଚଢ଼େଇ ସେ, ଉଡ଼ିଗଲା । ରକ୍ତର ସମ୍ପର୍କ ନ ଥାଇ ତୁ ଯାହା କଲୁ, ତାକୁ ପାଞ୍ଚଜଣକ ଆଗରେ କହିବାକୁ ମୋର ଛାତି ଫାଟିଯାଏ । ମୋର ପୂର୍ବଜନ୍ମର ଫଳ ମୁଁ ଭୋଗ କରୁଚି । ମୋର ପ୍ରାୟଶ୍ଚିତ ଏବେ ବି ସରିନି–ଆହୁରି ଅନେକ ବାକି ଅଛି ।

 

ଆଉ କହି ପାରିଲେ ନାହିଁ ଅଧ୍ୟାପକଙ୍କର ମାଆ । କୋହ ପରେ କୋହ ଉଠିଲା ତାଙ୍କର-

 

ଏ ଦୃଶ୍ୟକୁ ମଧ୍ୟ ସଲୀଳା ହସି ହସି ସହିନେଲେ । ଅଧ୍ୟାପକଙ୍କର ପରିବାର ଭିତରେ ନିଜକୁ ସାମିଲ କରିବା ଦିନଠାରୁ ତାଙ୍କୁ ଏପରି ବହୁ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ୁଚି ।

 

ହଠାତ୍ ଆଉ ଗୋଟିଏ ପରୀକ୍ଷା ଦେବାର ଦୁର୍ଯ୍ୟୋଗ କୁହନ୍ତୁ ବା ସୁଯୋଗ କୁହନ୍ତୁ ତାଙ୍କୁ ମିଳିଗଲା ।

 

ସଲୀଳାଙ୍କୁ ଏକଲା ଦେଖି ଦିନେ ଅଧ୍ୟାପକଙ୍କର ସାନଭାଇ ବାଟ ଓଗାଳି ଦରଦିଆ କଣ୍ଠରେ କହିଲେ—ଟିକିଏ ଶୁଣିବେ ?

 

ମୁହଁ ନ ଫେରାଇ ସଲୀଳା ଉତ୍ତର ଦେଲେ–ଆପଣ କ’ଣ ମତେ କିଛି କହୁଚନ୍ତି ?

 

—କାହାକୁ ଆଉ କହିବି ? ଏଠି ତ ଆଉ କେହି ନାହାନ୍ତି । ପୂର୍ବପରି ସାନଭାଇଙ୍କର କଣ୍ଠସ୍ୱର ଓଜନିଆ...

 

ସଲୀଳାଙ୍କର ଆଉ ବୁଝିବାକୁ ବାକି ନାହିଁ । ପୂର୍ବ ରୋଗ ପୁଣି ଦେଖା ଦେଇଚି କନିଷ୍ଠଙ୍କଠାରେ । ତେଣୁ ପରିବେଶକୁ ଏଡ଼େଇ ଦେବା ପାଇଁ ଅତି ସହଜ କଣ୍ଠରେ ସେ କହିଲେ—

 

—ଦେଖନ୍ତୁ...ଟୁକୁ ବର୍ତ୍ତମାନ ଶୋଇ ପଡ଼ିଚି । ସେ ଉଠିବା ପୂର୍ବରୁ ମତେ କେତେଗୁଡ଼ିଏ କାମ ସାରିଦେବାକୁ ପଡ଼ିବ । ବିଶେଷକରି ତା’ର ଡ୍ରେସ୍‌ଗୁଡ଼ାକ ମତେ ସଜେଇ ରଖିବାକୁ ପଡ଼ିବ ।

 

ଏତିକି କହି ସଲୀଳା ଜାଗା ଛାଡ଼ି ଚାଲିଯିବାକୁ ପାଦ ବଢ଼େଇଲେ ।

 

କିନ୍ତୁ କନିଷ୍ଠ କ’ଣ ଏତେ ସହଜରେ ତାଙ୍କୁ ଛାଡ଼ି ଦେବାପାଇଁ ଡାକିଥିଲେ ? ସେ ଏଥର ସଲୀଳାଙ୍କର ସାମନାକୁ ଆସି ଅନୁଯୋଗ କଣ୍ଠରେ ଆରମ୍ଭ କଲେ—

 

—ଆପଣଙ୍କର ପଥର ମନ କ’ଣ ତଥାପି ତରଳିବ ନାହିଁ ସଲୀଳା ଦେବୀ ? ମୁଁ ଆପଣଙ୍କର କି କ୍ଷତି କରିଚି, ମୋର କେଉଁ ଭୁଲ୍‌ ଦେଖି ଆପଣ ମତେ ସବୁବେଳେ ଏଡ଼େଇ ଏଡ଼େଇ ଚାଲିଛନ୍ତି ?

 

ସଲୀଳା କ’ଣ ଉତ୍ତର ଦେବେ ପ୍ରଥମେ କିଛି ଠିକ୍ କରି ପାରିଲେ ନାହିଁ । ବହୁ କଷ୍ଟରେ ସେ କହିଲେ—ଆପଣ ଯାହା କହିବାକୁ ଚାହୁଁଚନ୍ତି, ସେ ତ ବର୍ତ୍ତମାନ ହେବା ସମ୍ଭବ ନୁହେଁ । ଯେଉଁ କାମ ପାଇଁ ମୁଁ ଏଠାକୁ ହୋଇଥିବି । ଆସିଚି, ତାକୁ ସମାପ୍ତ ନ କରିବା ପର୍ଯ୍ୟନ୍ତ ମୋର ଛୁଟି କାହିଁ ?

 

ଦୃଢ଼ କଣ୍ଠରେ ସାନଭାଇ ଉତ୍ତର ଦେଲେ –

 

—ଆପଣ ଛୁଟି ପାଇବା ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିବାକୁ ପ୍ରସ୍ତୁତ ଅଛି ।

 

ସଲୀଳା ପୁଣି କଥାର ସ୍ରୋତକୁ ଭିନ୍ନ ଦିଗକୁ ଟାଣିବାକୁ ଚେଷ୍ଟା କଲେ । ସେ କହିଲେ–ନା–ନା, ସାରାଜୀବନ ମୁଁ ହୁଏତ ଏଇ କାମରେ ବାନ୍ଧି ମୃତ୍ୟୁ ପର୍ଯ୍ୟନ୍ତ ମତେ ହୁଏତ ଛୁଟି ନ ମିଳିପାରେ । ଆପଣ ବରଂ...

 

କଥାର ଶେଷ ଅଂଶଗୁଡ଼ାକ ସଲୀଳା ଆଉ ପୂରଣ କରି ପାରିଲେ ନାହିଁ । ତାଙ୍କର କଣ୍ଠରୋଧ ହୋଇ ଆସିଲା ।

 

ସାନଭାଇ ଆହୁରି ଅନେକ କଥା କହିଥାନ୍ତେ । କିନ୍ତୁ ହଠାତ୍ ଏକ ବାଧା ଦେଖାଦେଲା । ଅଧ୍ୟାପକଙ୍କର ପାଦ ଶବ୍ଦ ସିଡ଼ି ଉପରୁ ଶୁଣାଯିବା ସଙ୍ଗେ ସଙ୍ଗେ ଦୁହେଁ ଦୁଇ ଦିଗକୁ ଚାଲିଯିବାର ବାଧ୍ୟ ହେଲେ ।

 

ଏଇ ଲୁଚକାଳି ଖେଳ କେଜାଣି କାହିଁକି ସଲୀଳାଙ୍କୁ ଖୁବ୍‌ ଭଲ ଲାଗିଲା । ଗୋଟିଏ ଅଜଣା ସହାନୁଭୂତି ସେ ଯେପରି ମନେ ମନେ ଉପଲବ୍‌ଧି କଲେ । ସେ ଅନୁଭବ କଲେ, ଦୃଷ୍ଟିର ଅନ୍ତରାଳକୁ ଯିବାକୁ ହୁଏ ବୋଲି ବୋଧହୁଏ ପ୍ରେମ ଜିନିଷଟା ଏତେ ମଧୁର—

 

ଯୁଗଳ ଭାଇ ଆଉ ଥୟ ଧରି ରହି ପାରିଲେ ନାହିଁ । ଟିପ୍‌ପଣୀ ଦେବା ତାଙ୍କର ସହଜାତ ଗୁଣ । ସେ କହିଲେ—

 

—ଦେଖନ୍ତୁ ଶଙ୍କର ବାବୁ..ପ୍ରେମ ମିଠା କି ଖଟା, ଏକଥା ତ ସଲୀଳା ଦେବୀ ଆପଣଙ୍କୁ ମୁହଁ ଖୋଲି ମୁହଁ ଖୋଲି କହି ନ ଥିବେ । ଆପଣ ତାଙ୍କର ଅନୁଭୂତି କଥା କାହିଁକି କହୁଚନ୍ତି ?

 

—ସଲୀଳାଙ୍କର ମନର ଅବସ୍ଥା ସେତେବେଳେ ଯାହା ଥିଲା, ମୁଁ କେବଳ ସେଇ କଥା କହିଚି । ରହି ରହି ଉତ୍ତର ଦେଲେ ଶଙ୍କର ବାବୁ ।

 

ଯୁଗଳ ଭାଇ ପୁଣି କହିଲେ—

 

—ଘଟଣା ଯାହା ଘଟିଥିଲା, ଆପଣ ଖାଲି ସେଇ କଥା କହିବେ । ଆପଣ ତ ଲେଖକ ନୁହଁନ୍ତି ଯେ ନାୟକ ନାୟିକାଙ୍କର ମନଗହନକୁ ସ୍ପର୍ଶ କରି ପାରିବେ ? ଏ ପାସପୋର୍ଟ କେବଳ ଲେଖକ, ଲେଖିକାମାନଙ୍କର ଅଛି । ମହାପାତ୍ର ବାବୁ ଯେତେବେଳେ ଏ ଘଟଣାକୁ ନାଟକ ଶ୍ରେଣୀଭୁକ୍ତ କରିବେ, ସେତେବେଳେ ସେ ପାରିବେ, ଜଣେ ଅବାହିତା ଯୁବତୀର ମନ ତଳର ଅକୁହା କଥାକୁ ରୂପାୟନ ଦେଇ । ଘଟଣା ବର୍ଣ୍ଣନା କରିବାକୁ ଗଲାବେଳେ ଆପଣ ଏତେ ଗଭୀର ଭିତରକୁ ଯାଉଚନ୍ତି କାହିଁକି ?

 

ଶଙ୍କର ବାବୁ ନୀରବ ।

 

ଏପରି ଆକ୍ଷେପପୂର୍ଣ୍ଣ ତିକ୍ତ ଟିପ୍‌ପଣୀରେ ସେ ଯେତେଟା ଉତ୍ତେଜିତ ଓ ଉତ୍‌କ୍ଷିପ୍ତ ହେବାର କଥା, ତା’ର କୌଣସି ସୂଚନା ତାଙ୍କ ମୁହଁରେ ପ୍ରକାଶ ପାଇଲା ନାହିଁ । ଆମ ପ୍ରତି ତାଙ୍କର ଚାହାଣୀ ବେଳକୁ ବେଳ କିନ୍ତୁ ଘନ ଓ ଅର୍ଥପୂର୍ଣ୍ଣ ହୋଇ ଉଠୁଥାଏ ।

 

ଯୁଗଳ ଭାଇ ଗଳ୍ପ ଶୁଣିବାକୁ ବେଶୀ ଆଗ୍ରହୀ । ତେଣୁ ଉତ୍‌କଣ୍ଠାର ସହିତ ଅପେକ୍ଷା କରିଥାନ୍ତି ।

 

ତଥାପି ଶଙ୍କର ବାବୁ କଥା ଆରମ୍ଭ କଲେ ନାହିଁ । ମୁଁ ଭାବିଲି କାହାଣୀର ପୂର୍ଣ୍ଣଚ୍ଛେଦ ବୋଧହୁଏ ଏଇଠି ପଡ଼ିଲା ।

 

ନୀରବତା ବେଳକୁ ବେଳ ବୃଦ୍ଧି ପାଇଲା । ଯୁଗଳ ଭାଇ ବାଧ୍ୟ ହୋଇ ଏଥର କହିଲେ–

 

—ଯୁକ୍ତିଛଳରେ ମୁଁ ଯାହା କହିଲି, ତାକୁ ଆପଣ ସହଜ ଭାବରେ ବୋଧହୁଏ ଗ୍ରହଣ କରି ପାରିଲେ ନାହିଁ । ହୁଏତ ଆପଣ ମନରେ କଷ୍ଟ ଅନୁଭବ କରିଛନ୍ତି । ଏବେ ଶ୍ରୀମୁଖରୁ କାହାଣୀ ଆରମ୍ଭ ହେଉ ।

 

ଶଙ୍କର ବାବୁ ଏ କଥାରେ ସାମାନ୍ୟ ହସିଲେ । ନିଜ ମୁଣ୍ତରେ ହସ୍ତ ସଞ୍ଚାଳନ କରୁ କରୁ ଅତି ନିର୍ଲିପ୍ତ ଭାବରେ ସେ ଉତ୍ତର ଦେଲେ—

 

—ଆପଣଙ୍କ ପ୍ରତିବାଦକୁ ମୁଁ ଠିକ୍ ଭାବରେ ଗ୍ରହଣ କରିଚି ଯୁଗଳ ବାବୁ ! ମୋର ସେଥିରେ କୌଣସି ଦୁଃଖ ନାହିଁ । ଗଳ୍ପର କିଛି ଅଂଶ ବାଦ୍‌ ଦେଇ ମୁଁ ଆଗେଇ ଯାଇଥିଲି । ଏ ପର୍ଯ୍ୟନ୍ତ ମୁଁ ଭାବୁଥିଲି, ପୁଣି ଆପଣମାନଙ୍କୁ ପଛକୁ ଫେରେଇବି କି ନାହିଁ ।

 

ଆମେ ଦୁହେଁ ଏ କଥାର ଉତ୍ତର ଦେବା ପୂର୍ବରୁ ସେ ପୁଣି କହିଲେ—

 

—ଟୁକୁକୁ ନିରୋଗ କରିବା ପାଇଁ କେବଳ ସଲୀଳା ଦେବୀ ସେବା, ଶୁଶ୍ରୂଷା କରି ନ ଥିଲେ । ତାଙ୍କ ସାଙ୍ଗକୁ ଆଉ ଜଣେ ସାହାଯ୍ୟକାରୀ ଥିଲେ, ସେ ହେଉଚନ୍ତି ଅଧ୍ୟାପକଙ୍କର ସାନଭାଇ । ଟୁକୁର ରୋଗଶଯ୍ୟା ନିକଟରେ ଦୁହେଁ ଦୁହିଁଙ୍କ ପ୍ରତି ଆକୃଷ୍ଟ ହୋଇ ପଡ଼ିଥିଲେ । ରୋଗ ସଂକ୍ରାନ୍ତରେ ଆଳାପ, ଆଲୋଚନା ହେଲେ ମଧ୍ୟ ବେଳେ ବେଳେ ବ୍ୟକ୍ତିଗତ କଥାବାର୍ତ୍ତା ମଧ୍ୟ ହୋଇଥାଏ ।

 

ଦିନେ ସାନଭାଇ ମୁହଁକୁ ତଳକୁ ପୋତି ସଲୀଳାଙ୍କୁ କହିଥିଲେଆପଣଙ୍କୁ ଦେଖିଲେ ମନେହୁଏ, ଯେପରି ଚଳଚିତ୍ରର ଧଳା ପରଦା ଉପରେ ମୁଁ ଦେଖୁଚି ଜଣେ ଅନୂଢ଼ା ଯୁବତୀର ଜୀବନ ଆଲେଖ୍ୟ । ପରିଚାଳକଙ୍କର ନିର୍ଦ୍ଦେଶ ମୁତାବକ ଆପଣ ଯେପରି ଏ କାହାଣୀର ପରିଣତି ପାଇଁ ଆଗେଇ ଚାଲିଛନ୍ତି ।

 

ସଲୀଳା ମୁରୁକିହସା ଦେଇ ସେଦିନ କହିଥିଲେ–ପରିଚାଳକ ବୋଲି ଆପଣ କାହାକୁ ଉଦ୍ଦେଶ୍ୟ କରି କହୁଚନ୍ତି, ମୁଁ ଅବଶ୍ୟ ଜାଣେନା । ଦୁନିଆର ପରିଚାଳକ ହିସାବରେ ମୁଁ ଜଣକୁ ଜାଣେ, ଆଉ ତାଙ୍କରି ନିର୍ଦ୍ଦେଶରେ ମୁଁ କାହିଁକି, ଆପଣ ମଧ୍ୟ ତାଙ୍କରି ଇଙ୍ଗିତରେ ଚାଳିତ ।

 

ସାନଭାଇ ସଲୀଳାଙ୍କର ଏ କଥାରେ ଆହୁରି ଉତ୍ସାହିତ ହୋଇ କହିଲେ—

 

—ଆପଣଙ୍କ କଥାକୁ ମୁଁ ପୂରାପୂରି ସମର୍ଥନ କରୁଚି । ଯେଉଁ ଈଶ୍ୱରଙ୍କର ଆଦେଶରେ ଆପଣ କାମ କରି ଚାଲିଚନ୍ତି, ସେଇ ଅଦୃଶ୍ୟ ଶକ୍ତିର ପ୍ରଭାବରେ ମୁଁ ଆପଣଙ୍କୁ ନିଜର କରିବାକୁ ଆଗେଇ ଚାଲିଚି । ମୋର ଆଶା ଓ ବିଶ୍ୱାସ...ସର୍ବଶକ୍ତିମାନ ସେ ପରିଚାଳକଙ୍କର ହୁକୁମନାମାକୁ ଆପଣ ନିଶ୍ଚୟ ପୂରଣ କରିବେ ।

 

ଏ କଥାରେ ସଲୀଳାଙ୍କର ସାରା ମୁହଁଟି ଲାଜରେ ଗଲା । ଯେତେହେଲେ ସ୍ତ୍ରୀ ଜାତି ତ–ପୁରୁଷ କଣ୍ଠରୁ ଖୋଲାଖୋଲି ପ୍ରଣୟ ନିବେଦନ ଶୁଣିଲା ପରେ ସେମାନେ ପ୍ରାୟ ମୂକ ପାଲଟି ଯାଆନ୍ତି । କିନ୍ତୁ ସଲୀଳା ଦେବୀ ସେଦିନ ଖାଲି ଏତିକି କହିଥିଲେ—

 

ଏ ଆଲୋଚନା ଏତିକିରେ ବନ୍ଦ ହେଉ । ଆଉ ଆଗେଇବା ଆମ ଦୁହିଁଙ୍କ ପକ୍ଷରେ ଶୁଭ ସୂଚକ ନୁହେଁ ।

 

ଏ ଘଟଣା ସଲୀଳାଙ୍କୁ କିଛି ଦିନ ପାଇଁ ଭାବନାରେ ପକେଇଥିଲା ସତ; କିନ୍ତୁ ଟୁକୁର ପରିଚର୍ଯ୍ୟାରେ ଏତେ ବେଶୀ ଜଡ଼ିତ ରହୁଥିଲେ ଯେ, ସେ ଭାବନାର ପ୍ରତିକ୍ରିୟା ବାହାରକୁ କିଛି ମାତ୍ର ଜଣା ପଡ଼ୁ ନ ଥିଲା ।

 

ସୁସ୍ଥ ହେବା ପରେ ଟୁକୁର ବୃତ୍ତି ପରୀକ୍ଷା ପାଖେଇ ଆସିଲା । ସ୍କୁଲର ଶିକ୍ଷକମାନେ ତା’ ଉପରେ ସବୁଠାରେ ବେଶୀ ଭରସା ରଖିଥିଲେ । ପିଲାଟାର ମଧ୍ୟ କି ଅସାଧାରଣ ବୃଦ୍ଧି । ଅତି ଅଳ୍ପ ସମୟ ମଧ୍ୟରେ ସେ ମଧ୍ୟ ବୃତ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ପଡ଼ିଲା । ସଲୀଳାଙ୍କର ମନରେ ଭୟ ଥାଏ—ସଦ୍ୟ ରୋଗରୁ ଉଠି ଟୁକୁ ଯେବେ ଏ ପ୍ରତିଯୋଗିତାରେ ସଫଳ ନ ହୁଏ...

 

କିନ୍ତୁ ଈଶ୍ୱରଙ୍କର କି ବରାଦ୍‌ ଦେଖନ୍ତୁ, ବୃତ୍ତି ପରୀକ୍ଷାରେ ଟୁକୁ ହେଲା ପ୍ରଥମ । ପୂର୍ବର ସବୁ ରେକର୍ଡ ଭାଙ୍ଗି ସେ ଏତେ ବେଶୀ ନମ୍ୱର ରଖିଲା ଯେ, ସ୍କୁଲର ସବୁ ଶିକ୍ଷକ ଅଧ୍ୟାପକଙ୍କର ଘରକୁ ଆସି ଟୁକୁକୁ ଅନ୍ତରର ଶୁଭେଚ୍ଛା ଓ ଆଶୀର୍ବାଦ ଜଣେଇ ଦେଇ ଯାଇଥିଲେ । ଛାତ୍ର ଜୀବନର ଏ ଗୌରବରେ ଟୁକୁ ମଧ୍ୟ ଅଭିଭୂତ ହୋଇ ପଡ଼ିବାର କଥା । ଆନନ୍ଦରେ ସେ ପ୍ରଥମେ ଦୌଡ଼ି ଯାଇଥିଲା ସଲୀଳାଙ୍କ ପାଖକୁ । ତାଙ୍କୁ କୁଣ୍ଢେଇ ଧରି ସେ ହସି ହସି କହିଲା—

 

—ଦେଖିଲ ମା’, ତୁମରି ପାଇଁ ମୁଁ ବୃତ୍ତି ପରୀକ୍ଷାରେ ଫାଷ୍ଟ ହୋଇ ପାସ୍‌ କଲି । ଖାତାରେ ଉତ୍ତର ଲେଖିଲାବେଳେ ମୁଁ ଆଗେ ତୁମ କଥାଇ ଭାବେ—ତୁମେ ଥିଲେ ମୋର କୌଣସି ପରୀକ୍ଷାକୁ ଡର ନାହିଁ ।

 

ପାଖରେ ଥାଇ ଅଧ୍ୟାପକ ସବୁ ଶୁଣୁଥାଆନ୍ତି । ଟୁକୁର ଅଦଭୁତ ସାଫଲ୍ୟ ତାଙ୍କ ମନରେ ମଧ୍ୟ ଆଲୋଡ଼ନ ସୃଷ୍ଟି କରିଛି । ଏତେ ବଡ଼ ହର୍ଷ ଆନନ୍ଦର ଉଚ୍ଛ୍ୱାସ ଭିତରେ ତାଙ୍କ ଆଖିରେ ଦେଖାଦେଲା ଲୁହ । ମନର କେଉଁ ଏକ ନିଭୃତ କୋଣରେ ଚେଇଁ ଉଠିଲା ଶିଶିରାଙ୍କର ମଧୁର ସ୍ମୃତି-। ଆଜିର ଏଇ ଆନନ୍ଦମୁଖରିତ ଘରଟାରେ ଶିଶିରାଙ୍କର ଅନୁପସ୍ଥିତି ତାଙ୍କୁ ଅନ୍ୟମନସ୍କ କରି ତୋଳିଲା । ସେ ଭାବିଲେ...ଆକାଶରେ ଅଗଣନ ତାରକା ଥିଲେ ମଧ୍ୟ ଚନ୍ଦ୍ରର ଅଭାବରେ ସବୁ ଆଜି ନିଷ୍ପ୍ରଭ–ବର୍ଣ୍ଣହୀନ ।

 

ଅଧ୍ୟାପକଙ୍କର ଆଖିର ଲୁହକୁ ଅନ୍ୟ କେହି ଦେଖି ପାରିଲେ ନାହିଁ । ନିଜର ବୈଠକଖାନାକୁ ଯାଇ ଶିଶିରାଙ୍କର ସ୍ମୃତିକୁ ସେ ପଖାଳିବାରେ ଲାଗିଲେ ।

 

କିନ୍ତୁ ଟୁକୁ କ’ଣ ଛାଡ଼ିବା ପିଲା ? ବାପାଙ୍କୁ ପାଖରେ ନ ଦେଖି ସେ ସଲୀଳାଙ୍କର କାନି ପଣତ ଛାଡ଼ି ଧାଇଁଲା ସେଇ ବୈଠକଖାନାକୁ । ଅଧ୍ୟାପକଙ୍କ ନିକଟରେ ତା’ର ଜିଦ୍‌...ଆଜି ସେ ନଦୀର ବନ୍ୟା ଦେଖିବାକୁ ଯିବ । ତା’ର ସାଙ୍ଗ ସାଥୀମାନେ ସମସ୍ତେ ଯାଇଛନ୍ତି—ସେ ଏ ସୁଯୋଗ ଛାଡ଼ିବ ନାହିଁ ।

 

ପୁଅ ତ କିଛି ଅନ୍ୟାୟ ଜିଦ୍ କରୁନାହିଁ । ବନ୍ୟାର କରାଳ ଦୃଶ୍ୟ ଶୈଶବ ଅବସ୍ଥାରୁ ନିଜ ଆଖିରେ ଦେଖିବାର କଥା—ତେଣୁ ଟୁକୁର ଫରମାସ୍ ନିଶ୍ଚୟ ସମୟୋପଯୋଗୀ ।

 

କୌଣସି ପ୍ରକାର ବିରକ୍ତି ପ୍ରକାଶ ନ କରି ଅଧ୍ୟାପକ ଟୁକୁକୁ ଧରି ନଈବଢ଼ି ଦେଖିବାକୁ ସେଦିନ ସେଇ ମୁହୂର୍ତ୍ତରେ ଗସ୍ତ ଆରମ୍ଭ କରିଦେଲେ ।

 

ଅଧ୍ୟାପକଙ୍କର ଗର୍ଭଧାରିଣୀ ମାତା ନାତିର ଏ ସାଫଲ୍ୟରେ ସବୁଠାରୁ ବେଶୀ ଖୁସି । ଏ ଖବର ପାଇବା ସଙ୍ଗେ ସଙ୍ଗେ ସେ ସାହିରେ ବୁଲି ବୁଲି ଟୁକୁର ପ୍ରଶଂସା କରିବାରେ ଲାଗିଥାନ୍ତି । ଘର ଭିତରେ ତାଙ୍କର କାମ ବା କ’ଣ ?

 

ଏବେ ଅନୁମାନ କରନ୍ତୁ ଯୁଗଳ ବାବୁ, ନାୟକଙ୍କ ଉଆସରେ ବର୍ତ୍ତମାନ କିଏ କିଏ ରହିଲେ ?

 

...ସଞ୍ଜ ନଇଁ ଆସୁଚି । ଘର ଭିତରେ କେହି ନାହାନ୍ତି । ସଲୀଳା ଟୁକୁର ଅନୁପସ୍ଥିତିରେ ଫୁରୁସତ୍ ଦେଖି ଦର୍ପଣ ଆଗରେ ଠିଆ ହୋଇ କେଶବିନ୍ୟାସରେ ନିଜକୁ ହଜେଇ ଦେଇଛନ୍ତି । ଟୁକୁର ସଫଳତା ପାଇଁ ତାଙ୍କର ମନରେ ଆଜି ଅପାର ଆନନ୍ଦ । ତେଣୁ ସେ ମନକୁ ମନ ଗୁଣୁଗୁଣୁ ସ୍ୱରରେ ଗୀତ ମଧ୍ୟ ଗାଉଥାନ୍ତି । ହଠାତ୍ ଦର୍ପଣରେ ଅନ୍ୟ ଜଣଙ୍କର ପ୍ରତିବିମ୍ୱ ଦେଖି ତାଙ୍କର ମତ୍ତ ବିଭୋରତା ଭାଙ୍ଗିଗଲା । ପଛକୁ ଚାହିଁ ଦେଖିଲେ ଅଧ୍ୟାପକଙ୍କର ସାନଭାଇ ତାଙ୍କର ଅତି ନିକଟକୁ ପ୍ରାୟ ଚାଲି ଆସିଲେଣି । ଆଶ୍ଚର୍ଯ୍ୟମିଶା କଣ୍ଠରେ ସେ ତେଣୁ ପ୍ରଶ୍ନ କଲେ—

 

—ଆରେ, ଏ ସମୟରେ ଆପଣ ମୋ ପାଖକୁ କାହିଁକି ଚାଲିଆସିଲେ ?

 

ସାନଭାଇ କହିଲେ—ଆପଣଙ୍କ କଣ୍ଠସ୍ୱରର ଯାଦୁକାରୀ ଶକ୍ତି ମତେ ଟାଣି ଆଣିଚି ଏଠିକି । ଆପଣ ଭୟ କରୁଚନ୍ତି କାହିଁକି ? ଗାଆନ୍ତୁ ନା.....

 

ସଲୀଳା ଦେବୀ ଏ କଥାରେ ଆହୁରି ଅପ୍ରତିଭ ହୋଇ ଉଠିଲେ । କାହାକୁ ଶୁଣିବା ଉଦ୍ଦେଶ୍ୟରେ ସେ ଆଜି ଗାୟିକା ସାଜି ନ ଥିଲେ । ଅତି ଧୀର ଗଳାରେ ସେ କହିଲେ—ଆପଣ ଘର ଭିତରେ ଅଛନ୍ତି ବୋଲି ପ୍ରକୃତରେ ମୋର ଖିଆଲ ନ ଥିଲା । ଆପଣଙ୍କ କଥା ମୁଁ ପୂରାପୂରି ଭୁଲି ଯାଇଥିଲି ।

 

–ଅତି ସତ କଥା—ଆପଣଙ୍କ ଆଖିରେ ମନେରଖିବା ଭଳି ଲୋକ ମୁଁ ନୁହେଁ । ଏ ଘରେ ମୁଁ କେଉଁ ମଣିଷରେ ଗଣା ଯେ ଆପଣ ମତେ ମନେ ରଖିବେ ? ...ବ୍ୟଥା ଭରା କଣ୍ଠରେ ଉତ୍ତର ଦେଲେ ସାନଭାଇ ।

 

ସଲୀଳା ଅନୁଭବ କଲେ...କଥା କଟାକଟି କଳେ ପରିସ୍ଥିତି ହୁଏତ ଭିନ୍ନ ଆଡ଼କୁ ଗତି କରିବ ସହନାୟକଙ୍କର ଭଅିମାନ ହୁଏତ ଆହୁରି ବଢିଯିବ । ସେ ତେଣୁ ହସି ହସି ଅତି ହାଲ୍‌କା ସ୍ୱରରେ କହିଲେ—ଆପଣ ହୁଏତ ଆଜି ମୋ ସହିତ ଝଗଡ଼ା କରିବାକୁ ଆସିଛନ୍ତି । କିନ୍ତୁ ଆପଣ ଯେତେ ରଗେଇଲେ ବି ମୁଁ ଆଜି ରାଗିବି ନାହିଁ ।

 

ଏତିକିରେ ସାନଭାଇ କୋଟିନିଧି ପାଇଗଲେ । ଯାହାପାଇଁ ତାଙ୍କର ତାରୁଣ୍ୟ ସବୁବେଳେ ଆନ୍ଦୋଳିତ, ସେ ଆଜି ହସି ହସି ଲୋଟିଯାଉଚି ତାଙ୍କରି ଆଗରେ । ସାନଭାଇଙ୍କର ସାହସ ଓ ଦମ୍ଭ ଆହୁରି ବଢ଼ିଗଲା । ସଲୀଳାଙ୍କର ଅତି ନିକଟକୁ ଘୁଞ୍ଚିଯାଇ ଅତି ଆବେଗଭରା କଣ୍ଠରେ ସେ ଏଥର କହିଲେ—ହସ ବନ୍ଦ କରନ୍ତୁନି ସଲୀଳା ଦେବୀ—ଆପଣଙ୍କ ହସ ଭିତରେ ମୁଁ ଦେଖୁଚି ସ୍ୱର୍ଗର ପାରିଜାତ—ପ୍ଳିଜ୍—ଆଉ ଥରେ ହସନ୍ତୁ ।

ଏ କଥାରେ ସଲୀଳାଙ୍କର ମୁହଁଟି ହଠାତ୍ କାହିଁକି ପାଣ୍ତୁର ହୋଇଗଲା । ନିଜକୁ ସମ୍ଭାଳି ନେଇ ସେ କହିଲେ–ଆପଣଙ୍କର ମନେ ରଖିବା ଉଚିତ...ମୁଁ ଅଭିନେତ୍ରୀ ନୁହେଁ କି ଅଭିନୟର ସୂକ୍ଷ୍ମ କଳା ମତେ ଜଣା ନାହିଁ । ତେଣୁ ଆପଣଙ୍କ ଫରମାସ ମୁତାବକ ମୁହଁରେ ହସ ଆଣିବା ମୋ ପକ୍ଷରେ ସମ୍ଭବ ନୁହେଁ ।

ୟାର ଉତ୍ତର ସାନଭାଇ ବୋଧହୁଏ ଆଗରୁ ସଜାଡ଼ି ରଖିଥିଲେ । ସାମାନ୍ୟ ଚଢ଼ା କଣ୍ଠରେ ସେ କହିଲେ—ଆପଣଙ୍କ ପରି ଜଣେ ପୋଖତ ଅଭିନେତ୍ରୀ ଆଜି ପର୍ଯ୍ୟନ୍ତ ମୋ ଆଖିରେ ଆଉ ପଡ଼ିନାହାନ୍ତି । ମଞ୍ଚ ଉପରେ ମୁଖସ୍ତ କରା ସଂଳାପଠାରୁ ଆପଣଙ୍କ କଥାଚାତୁରୀ ଆହୁରି ସାବଲୀଳ ଓ ରଙ୍ଗଭରା । ତଥାପି ଆପଣ ନିଜକୁ ଅଭିନେତ୍ରୀ ବୋଲି ଅସ୍ୱୀକାର କରୁଛନ୍ତି ?

ଏ କଥାରେ ଚାବୁକ୍‌ ମାଡ଼ଠାରୁ ଆହୁରି ଯନ୍ତ୍ରଣା ଦାୟକ ଆଘାତ ପାଇଲେ ସଲୀଳା ଦେବୀ । ଆଖିରେ ଲୁହଧାର ଜକେଇ ଆସିଲା । ଦୁଃଖ ଅପମାନରେ ସେ ମୂକ ପାଲଟିଗଲେ । ଅତି ଅଳ୍ପ ସମୟ ମଧ୍ୟରେ ଲୁହଧାର ଛୁଟି ଚାଲିଲା ତାଙ୍କ ଆଖିରୁ ।

ଟିକିଏ ତଳେ ହସର ବନ୍ୟା ଯାହାଙ୍କ ମୁଖରେ ଉଛୁଳି ଉଠୁଥିଲା, ହଠାତ୍ ତାଙ୍କ ଆଖିରେ ଲୁହର ଗଙ୍ଗାଧାର ଦେଖି କନିଷ୍ଠଙ୍କର ବୁଦ୍ଧି ବଣା ହୋଇଗଲା । ପରିସ୍ଥିତି ଏ ଦିଗକୁ ଗତି କରିବ ବୋଲି ତାଙ୍କର ଆଦୌ ଆଶଙ୍କା ନ ଥିଲା । କିଛି ଉପାୟ ନ ଦେଖି ସେ ପକେଟରୁ ରୁମାଲ ବାହାର କରି ସଲୀଳାଙ୍କର ଲୁହ ପୋଛି ଦେଉ ଦେଉ କହିଲେ—

—କଥା କଥାରେ ଆପଣ ଯେବେ କାନ୍ଦି ପକେଇବେ, ତେବେ ମୁଁ ନାଚାର । ଯୁକ୍ତି ଛଳରେ ମୁଁ ଯାହା କହିଲି, ସେଥିରେ ଏତେ ବିବ୍ରତ ବିଚଳିତ ହେବାର କିଛି ନାହିଁ । ସାମାନ୍ୟ କଥାରେ ଆପଣ ଭାଙ୍ଗି ପଡ଼ୁଚନ୍ତି କାହିଁକି ?

—କାହାକୁ ଆପଣ ସାମାନ୍ୟ ବୋଲି କହୁଚନ୍ତି ? ଗଦଗଦ କଣ୍ଠରେ ଆରମ୍ଭ କଲେ ସଲୀଳା ଦେବୀ ।

—ଏତେ ବଡ଼ ଆଘାତ ଆପଣ ମତେ କାହିଁକି ଦେଲେ ? ମୁଁ କ’ଣ ଅଭିନେତ୍ରୀ ? ଆପଣମାନଙ୍କ ନିକଟରେ ଅଭିନୟ କରି ମୋର ମୁନାଫା ମୁଁ ଉଠେଇ ଚାଲିଚି ? ମୁଁ କ’ଣ ଠକ, ପ୍ରତାରକ ?

—ଏତେ କଥା ମୁଁ କହିନି ସଲୀଳା ଦେବୀ, ଆପଣ ପ୍ରକୃତିସ୍ଥ ହୁଅନ୍ତୁ—ଶାନ୍ତ ହୁଅନ୍ତୁ ।

ସାନଭାଇଙ୍କର ସହୃଦୟ ନିବେଦନକୁ ସଲୀଳା କିନ୍ତୁ ଗ୍ରାହ୍ୟ କଲେ ନାହିଁ । କୋହ ମିଶା କଣ୍ଠରେ ସେ ପୁଣି କହିଲେ—

—ମତେ ଅପମାନ ଦେବାକୁ ଆପଣ ବହୁ ଦୂରକୁ ଆଗେଇ ଯାଇଚନ୍ତି । ଅଭିନୟ କରି ଆପଣଙ୍କ ପରିବାରକୁ ମୁଁ ଠକେଇ ଚାଲିଚି । ଏଇତ ଆପଣଙ୍କ କଥାର ଅର୍ନ୍ତନିହିତ ଅର୍ଥ । କୋଉ କଥା ଆପଣ ଆଉ ବାକି ରଖିଚନ୍ତି କୁହନ୍ତୁ...

 

ଶେଷ ଆଡ଼କୁ ସଲୀଳାଙ୍କର କଣ୍ଠସ୍ୱର ରୁଦ୍ଧ ହୋଇଗଲା । ସେ ଆଉ କିଛି କହି ପାରିଲେ ନାହିଁ ।

 

ସାନଭାଇ ହାତଯୋଡ଼ି ଅନୁନୟ ବିନୟ କଣ୍ଠରେ ଯେତେ ଚେଷ୍ଟା କଲେ, ସଲୀଳାଙ୍କର ମନର କମ୍ପନ ବେଳକୁ ବେଳ ବଢ଼ିଲା ସିନା କମିଲା ନାହିଁ ।

 

ସାନଭାଇ ମିନତିଭରା କଣ୍ଠରେ କହିଲେ—

 

—ମତେ ବିଶ୍ୱାସ କରନ୍ତୁ ସଲୀଳା ଦେବୀ । ମୋର କଥା କହିବାର ଅର୍ଥକୁ ଆପଣ ଅନର୍ଥ କରନ୍ତୁନି । ଆପଣ ହୁଏତ ଜାଣିନାହାନ୍ତି...ମୁଁ ଆପଣଙ୍କୁ କେତେ ଭଲ ପାଏ...ଦୀର୍ଘଦିନ ହେଲା ମୁଁ କେବଳ ଆପଣଙ୍କ ଅପେକ୍ଷାରେ ରହିଚି ।

 

ଉତ୍ତର ଦେବାକୁ ସଲୀଳା ପାଖରେ ନାହାନ୍ତି । ଗୋଟାଏ ଦୌଡ଼ରେ ସେ ଯାଇ ବାଥ୍‌ରୁମ୍‌ ଭିତରେ । ଯିବା ସଙ୍ଗେ ସଙ୍ଗେ ଭିତରୁ ସେ ମଧ୍ୟ ଛିଟିକିଣି ଦେଇଦେଲେ ।

 

ବାହାରେ ଥାଇ ସାନଭାଇ ଆହୁରି କାତର କଣ୍ଠରେ କହିଲେ—ଦୁଆର ଖୋଲନ୍ତୁ ସଲୀଳା ଦେବୀ । ଦୟା କରନ୍ତୁ । ମୋର ଆହୁରି ଅନେକ କଥା ଅଛି କହିବାକୁ....

 

କୌଣସି ଉତ୍ତର ନ ଦେଇ ସଲୀଳା ସ୍ନାନ କରିବାରେ ଲାଗିଲେ ।

 

ସ୍ନାନାଗାର ଭିତରେ ସଲୀଳା ଦେବୀ—କିନ୍ତୁ ବାହାରେ ଅସ୍ଥିର ହୃଦୟରେ ପଦଚାରଣା କଲେ ସାନଭାଇ ।

 

କିଛି ସମୟ ବିତିଗଲା । ସ୍ନାନସାରି ସଲୀଳା ଯେତେବେଳେ ଫେରିଲେ, କୌଣସି ପରିଣାମକୁ ଭ୍ରୁକ୍ଷେପ ନ କରି ସାନଭାଇ ତାଙ୍କର ବାଟ ଓଗାଳି ବସିଲେ ।

 

ଦେହରେ ଓଦାଲୁଗା—ଶରୀରର କେତେକ ଅଂଶ ମଧ୍ୟ ଅନାବୃତ–ଏପରି ଅବସ୍ଥାରେ ସଲୀଳା କ’ଣ କୌଣସି ପୁରୁଷ ସଙ୍ଗେ କଥାବାର୍ତ୍ତା କରିବା ସମ୍ଭବ ? ସେ ଚେଷ୍ଟା କଲେ ବାଟକାଟି ଘର ଭିତରକୁ ଯିବାକୁ । କିନ୍ତୁ ସାନଭାଇ ସାମନାରୁ କୌଣସିମତେ ଘୁଞ୍ଚିଲେ ନାହିଁ । ତେଣୁ ସଲୀଳାଙ୍କୁ ବାଧ୍ୟ ହୋଇ କହିବାକୁ ହେଲା—

 

—ଆପଣଙ୍କର ସୌଜନ୍ୟତା କ’ଣ ଏକାବେଳେକେ ଲୋପ୍‌ ପାଇଗଲା ? ବାଟ ଛାଡ଼ନ୍ତୁ–ମୁଁ ଘରକୁ ଯାଏ ।

 

ସାନଭାଇ ତଥାପି ବାଟ ନ ଛାଡ଼ି କହିଲେ—

 

—ଆପଣ ମୋ ପ୍ରଶ୍ନର ଉତ୍ତର କିଛି ନ ଦେଇ କାହିଁକି ଏମିତି ଦୌଡ଼ି ଚାଲିଗଲେ ? ମତେ କ’ଣ ଆପଣ ମଣିଷ ତାଲିକାରେ ନ ନେଇ ହିଂସ୍ର ଜାନୁଆର ବୋଲି ମନେ କରୁଛନ୍ତି ?

 

ସଲୀଳା ସଂକ୍ଷେପରେ ଉତ୍ତର ଦେଲେ—

 

—ଆପଣଙ୍କ କଥାର ଶେଷ ନାହିଁ, ଏକଥା ଆପଣ ଜାଣନ୍ତି, ମୁଁ ମଧ୍ୟ ଜାଣେ । ତେଣୁ ଅଗତ୍ୟା ମତେ ଜାଗାଛାଡ଼ି ଚାଲିଯିବାକୁ ହେଲା ।

 

ସଲୀଳାଙ୍କର କଥା ସରୁ ନ ସରୁଣୁ ସାନଭାଇ ଭାବବିହ୍ୱଳିତ କଣ୍ଠରେ କହିବାରେ ଲାଗିଲେ—

 

—ଆପଣ କେବଳ ‘‘ହଁ’’ ବୋଲି କହିଲେ ମୋର ସବୁ କଥାର ସମାପ୍ତି ହୋଇଯିବ । ମୋର ସବୁ ଭାବନାର ଉତ୍ସ ହେଲେ ଆପଣ । ତେଣୁ ଥରକ ପାଇଁ ‘‘ହଁ’’ ବୋଲି କୁହନ୍ତୁ ସଲୀଳା ଦେବୀ...

 

ଏତିକି କହି ସାନଭାଇ ସଦ୍ୟସ୍ନାତା ସଲୀଳାଙ୍କର ହାତ ଦୁଇଟିକୁ ଧରିବାକୁ ଖୁବ୍‌ ନିକଟକୁ ପାଖେଇ ଆସିଲେ ।

 

ସଲୀଳା ବର୍ତ୍ତମାନ ନିରୂପାୟ । ପୁରୁଷର କାତର କଣ୍ଠ, ପ୍ରେମ ନିବେଦନ ଅବଳା ନାରୀ ଜାତିକୁ ଏମିତି ମହା ସଙ୍କଟର ସମ୍ମୁଖୀନ କରାଏ । ମନରେ ଦୃଢ଼ ବଳ ନ ଥିଲେ ସ୍ତ୍ରୀଜାତି ଏପରି ଅବସ୍ଥାରେ ହଳାହଳ ବିଷ ପାନ କରିବାକୁ ଆଗେଇ ଯାଆନ୍ତି । ଟାଣି ନିଅନ୍ତି କୁମାରୀ ଜୀବନର ପବିତ୍ରତାକୁ ପାଉଁଶ ଅଙ୍ଗାର ଭିତରକୁ ।

 

କିନ୍ତୁ ସଲୀଳା ଦେବୀ ଏ ସବୁ ଦୁର୍ବଳତାର ବହୁ ଉଚ୍ଚରେ । ମୁହଁରେ ଯଥାସମ୍ଭବ କ୍ରୁରତା ଓ କଣ୍ଠରେ ବିଦ୍ରୁପର ଛଟା ଆଣି ସେ ଉତ୍ତର ଦେଲେ—ଏଇ କ’ଣ ଆପଣଙ୍କର ଭଲ ପାଇବାର ଶେଷ ନିଦର୍ଶନ । ଜଣେ ନାରୀର ଅନାବୃତ ଅବସ୍ଥାର ସୁଯୋଗ ନେଇ ଉତ୍ସୃଙ୍ଖଳ ଆଚରଣ କରିବା କ’ଣ ଆଧୁନିକ ପ୍ରେମର ପାସ୍‌ପୋର୍ଟ ? ମୋର ଶେଷ କଥା—ଭବିଷ୍ୟତରେ ଆଉ କୌଣସି ଦିନ ମତେ ଆପଣ ଏମିତି ବିରକ୍ତ କରିବେ ନାହିଁ । ଯାହା ହବାର ନୁହେଁ, ସେଥିପାଇଁ ବାରମ୍ୱାର ଆପଣ ମୋ ଉପରେ ଏପରି ଜୁଲମ୍‌ କରୁଛନ୍ତି କାହିଁକି ? ଓଡ଼ିଶା ମାଟିରେ ଆପଣଙ୍କ ପାଇଁ ତ ଝିଅର ଅଭାବ ନାହିଁ । ଯାଆନ୍ତୁ–ମାଆଙ୍କୁ କହି ଜଣେ ସୁନ୍ଦରୀ ଶିକ୍ଷିତା କନ୍ୟାକୁ ଏ ଘରକୁ ବରଣ କରି ନେଇ ଆସନ୍ତୁ ।

 

ଏ ଉକ୍ତିର ଜବାବ୍‌ ହୁଏତ ସାନଭାଇ ଦେଇଥାନ୍ତେ । କିନ୍ତୁ ସଦର ଦରଜାରେ ମାଆଙ୍କର କଣ୍ଠସ୍ୱର ଶୁଣି ସେ ଜାଗା ଛାଡ଼ି ଚାଲିଯିବାକୁ ବାଧ୍ୟ ହେଲେ । ସଲୀଳା ମଧ୍ୟ ନିଜର ପ୍ରକୋଷ୍ଠକୁ ଯାଇ ସ୍ୱସ୍ତିର ନିଃଶ୍ୱାସ ମାଇଲେ...

 

ଯୁଗଳ ଭାଇ ଏଠି ମନ୍ତବ୍ୟ ଦେଲେ । ଗୋଟାଏ ଦୀର୍ଘନିଃଶ୍ୱାସ ପକାଇ ସେ କହିଲେ—

 

—କୂଳର ଏତେ ନିକଟକୁ ଆସି ମଧ୍ୟ ନୌକାକୁ ହାତରୁ ଛାଡ଼ିଦେଲେ ? ନା, ଶଙ୍କର ବାବୁ ଆପଣଙ୍କ ଦେଇ କାହାଣୀ ଲେଖା ହୋଇ ପାରିବିନି । ପାଠକମାନେ ପାଖରେ ଥିଲେ ଆପଣଙ୍କୁ ନିଶ୍ଚୟ ମାର୍‌ଧର କରିଥାନ୍ତେ ।

 

ଶଙ୍କର ବାବୁ ସ୍ୱାଭାବିକ ଗଳାରେ ଉତ୍ତର ଦେଲେ—ମନଗଢ଼ା କାହାଣୀ ଓ ବାସ୍ତବତା ଭିତରେ ଏତିକି ମାତ୍ର ତଫାତ୍–ନିଜର ଇଚ୍ଛା ଅନୁଯାୟୀ ଗଳ୍ପକୁ ସିଧା ରାସ୍ତାକୁ ନେଇ ହୁଏ ନାହିଁ । ମନରୁ ସୃଷ୍ଟି କରିଥିଲେ ବହୁ ଆଗରୁ ମୁଁ ସାନଭାଇ ସହିତ ସଲୀଳାଙ୍କୁ ମିଳେଇ ଦେଇଥାନ୍ତି—କାହାଣୀ ଶେଷ ହୋଇ ଯାଇଥାନ୍ତା ।

 

ଯୁଗଳ ଭାଇ ଉତ୍ତର ଦେବା ପୂର୍ବରୁ ମୁଁ କହିଲି–ଏଇଟା କିନ୍ତୁ ଆପଣଙ୍କର ଚରମ ଅନ୍ୟାୟ ଶଙ୍କର ବାବୁ । ମନଗଢ଼ା ଗଳ୍ପ ହୋଇଥିଲେ ଆପଣ ସଲୀଳା ଦେବୀଙ୍କୁ କାହିଁକି ସାନଭାଇ ସହିତ ସଂଯୋଗ କରିଥାନ୍ତେ ? ଅଧ୍ୟାପକ ହେଲେ ଗଳ୍ପର ନାୟକ । ତାଙ୍କ ସହିତ ସଲୀଳାଙ୍କର ବିବାହ ଦେଲେ କାହାଣୀର କମନୀୟତା ଯଥେଷ୍ଟ ବୃଦ୍ଧି ପାଆନ୍ତା । ଆପଣ ଅଧ୍ୟାପକଙ୍କର କଥା ଭୁଲି ଯାଉଚନ୍ତି କାହିଁକି ?

 

ଶଙ୍କର ବାବୁ ମୋର ଉତ୍ତର ଶୁଣି କେବଳ ମୁରୁକିହସା ଦେଲେ । ଗୋଟାଏ ସିଗାରେଟ୍‌ର କିଛି ଅଂଶ ସଦ୍‌ବ୍ୟବହାର କରି ଟିକିଏ ପରେ ସେ କହିଲେ—ଦେଖନ୍ତୁ ମହାପାତ୍ର ବାବୁ, ଅଧ୍ୟାପକଙ୍କୁ ମୁଁ ଭୁଲିଗଲେ କ’ଣ ହେବ ? ତାଙ୍କର ପରା ଗର୍ଭଧାରିଣୀ ମାଆ ଅଛନ୍ତି ? ପୁଅର ଭାଗ୍ୟ ବିପର୍ଯ୍ୟୟ କଥା ସେ ଅହରହ ଚିନ୍ତା କରୁଥିଲେ । ଅଧ୍ୟାପକଙ୍କ ସହିତ ସଲୀଳାଙ୍କର ବିବାହ ପ୍ରସ୍ତାବ ସେଇ ମାଆଙ୍କ ମୁହଁରୁ ପ୍ରଥମେ ଆସିଲା ।

 

ଯୁଗଳ ଭାଇ ବଡ଼ ପାଟିରେ କହିବାରେ ଲାଗିଲେ—ମୁଁ ଜାଣେ ଶଙ୍କର ବାବୁ । ବହୁ ଆଗରୁ ମୁଁ ଜାଣିଚି—ଆପଣ ନକଲି ଘରଣୀକୁ ଅସଲ କରିବା ମତଲବରେ ଅଛନ୍ତି । ବର କନ୍ୟା ଖେଳ ଖେଳୁ ଖେଳୁ ପ୍ରକୃତ ବନ୍ଧନର ସୂତ୍ରପାତ ।

 

ଶଙ୍କର ବାବୁ ହାତଠାରି ଯୁଗଳ ଭାଇଙ୍କୁ ନୀରବ ରହିବାକୁ ଇସାରା ଦେଲେ । ସେ କହିଲେ—ହଠାତ୍ ଏପରି ଏକ ନିଷ୍ପତ୍ତିରେ ପହଞ୍ଚିଯିବା ଆପଣଙ୍କର ଭୁଲ୍‌ ହେବ ଯୁଗଳ ବାବୁ—ଘଟଣା କେଉଁ ଦିଗକୁ ଗତି କଲା, ଆପଣ ଆଗ ଧୈର୍ଯ୍ୟଧରି ଶୁଣନ୍ତୁ...

 

ଶଙ୍କର ବାବୁ ସିଗାରେଟ୍‌ଟାକୁ ଶେଷ କରିବାରେ ଲାଗିଲେ । ଆମେ ଦୁହେଁ ତାଙ୍କ ମୁହଁକୁ କଲବଲ କରି ଚାହିଁ ରହିଲୁ ।

 

ସାମାନ୍ୟ ବିରତି ପରେ ସେ ଆରମ୍ଭ କଲେ—ସାହିରୁ ଫେରି ସେଦିନ ଅଧ୍ୟାପକଙ୍କର ମାଆ ସଲୀଳାଙ୍କୁ ପାଖକୁ ଡାକିଲେ । ସେ ପର୍ଯ୍ୟନ୍ତ ଟୁକୁ ସହିତ ଅଧ୍ୟାପକ ମଧ୍ୟ ନଈବଢ଼ି ଦେଖି ଘରକୁ ଫେରି ନ ଥାନ୍ତି । ପାଖକୁ ଡାକି ସେ ସଲୀଳାଙ୍କ ସହିତ କିଛି ସମୟ ସୁଖ ଦୁଃଖ ହେବା ପରେ ମନର ଗୋପନ କଥା ପ୍ରକାଶ କଲେ । ଆଦ୍ୟରୁ ସେ ସଲୀଳାଙ୍କୁ ସ୍ନେହ ଚକ୍ଷୁରେ ଦେଖୁଥିଲେ । କିନ୍ତୁ ସେଦିନର ସ୍ନେହ ସହାନୁଭୂତି ତାଙ୍କର ଅତି ଅଦଭୁତ ଭାବରେ ବଢ଼ି ଯାଇଥିଲା । ଚାରିଆଡ଼କୁ ସତର୍କ ଦୃଷ୍ଟି ନିକ୍ଷେପ କରି ଅତି ନିମ୍ନକଣ୍ଠରେ ମାଆ କହିଲେ—ଆଉ ଲୁଚକାଳି ଖେଳିବା ଦରକାର ନାହିଁ । ଶିଶିରା ଆଉ ଫେରିବନି । ତେଣୁ ତୁ ତା’ ଆସନ ଦଖଲ କରିନେଲେ, ମୋର ସବୁ ଚିନ୍ତା ଦୂର ହୋଇଯାନ୍ତା ।

 

ସଲୀଳା ଏ କଥାରେ ଚମକି ଉଠିଲେ । ପ୍ରସ୍ତାବର ପ୍ରକୃତ ଅର୍ଥ ବୁଝି ନ ପାରିବା ଭଳି ଭାବ ଦେଖାଇ ସେ କହିଲେ—କେଉଁ ଆସନ ଦଖଲ କରିବାକୁ କହୁଚ ମାଆ ?

 

ମାଆଙ୍କର ଉତ୍ତର ହେଲା—ଦେଖ୍‌ ଝିଅ, ସବୁ ଐଶ୍ଚର୍ଯ୍ୟ ଥାଇ ମଧ୍ୟ ମୋର ପୁଅ ମୁହଁରେ ଟିକିଏ ହେଲେ ହସ ନାହିଁ କି ତୃପ୍ତି ନାହିଁ । ସବୁ ଥାଇ ମଧ୍ୟ ସେ ଆଜି କାଙ୍ଗାଳ ପରି ଦିନ କାଟୁଚି । କେତେବେଳେ ଯେ ଘରଛାଡ଼ି ଚାଲିଯିବ, ତା’ର ମଧ୍ୟ ଠିକ୍ ଠିକଣା ନାହିଁ । ବିଧାତାର ସୃଷ୍ଟିରେ ପୁରୁଷ ପାଖକୁ ସ୍ତ୍ରୀ ନ ଥିଲେ ସବୁ ଗଣ୍ତଗୋଳ ହୋଇଯାଏ । ତା’ର ଘରସଂସାର ନ ଦେଖିଲେ ଶାନ୍ତିରେ ମୁଁ ଆଖି ବୁଜି ପାରିବିନି ମାଆ—ତୁ ମୋ ପ୍ରସ୍ତାବରେ ରାଜି ହୋଇଯା...

 

ସଲୀଳା ମହାଚିନ୍ତାରେ ପଡ଼ିଲେ । ଟିକିଏ ତଳେ ସାନଭାଇଙ୍କୁ ସେ କଟୁକଥା କହି ଦୂରେଇ ଦେଇଛନ୍ତି । ପରେ ପରେ ଆଉ ଏକ ଜଟିଳ ସମସ୍ୟା । ଷାଠିଏ ବର୍ଷର ବୁଢ଼ୀକୁ ସେ କି ଉତ୍ତର ଦେବେ ? କିଛି ସମୟ ନୀରବ ରହିବା ପରେ ବିବ୍ରତ କଣ୍ଠରେ ସେ କହିଲେ—

 

—ଆପଣଙ୍କ ଘରେ କେତେଟା ସର୍ତ୍ତରେ ମୁଁ ଚାକିରି କରିଚି ମାଆ—ଆପଣଙ୍କ କଥା ଅନୁଯାୟୀ କାମ କଲେ ଚୁକ୍ତିଭଙ୍ଗ ପାଇଁ ମୋ ଉପରେ ସବୁ ଦୋଷ ଅଜାଡ଼ି ହୋଇଯିବ । ସମସ୍ତଙ୍କ ଆଖିରେ ମୁଁ ଛୋଟ ହୋଇଯିବି । ମୋର ଅପରାଧର ସୀମା ରହିବନି—ନା–ନା, ଏ କାମ ମୁଁ ବଞ୍ଚିଥିବା ଯାଏ କରି ପାରିବିନି ମାଆ—ଆପଣ ମତେ କ୍ଷମା କରନ୍ତୁ ।

 

ଏ କଥାରେ ମାଆ ସାମାନ୍ୟ ତାତି ଉଠିଲେ । ସେ କହିଲେ—

 

—କେହି ତତେ କିଛି ଦୋଷ ଦେଇ ପାରିବେନି—ଏ ଘର ମୋର । ମୁଁ ଯାହା ଭଲ ଭାବିବି, କରିବି । ତୁମେ ଦୁହେଁ କିଛି ଦିନ ପାଇଁ ବାହାରକୁ ଯାଇ ମାଳା ବଦଳ କରି ଫେରିଆସ—ସବୁ ଠିକ୍‌ ହୋଇଯିବ ।

 

ସଲୀଳା ଅନୁଭବ କଲେ ଅବସ୍ଥା ବେଳକୁ ବେଳ ଘନେଇ ଆସୁଚି । ପୁଅର ସୁଖ ସମ୍ପଦ ପାଇଁ ମାଆଙ୍କର ଆକୁଳ ଅନୁରୋଧ...ପୁଣି ଜଣେ ବେତନଭୋଗୀ ଧାତ୍ରୀ ନିକଟରେ ?

 

ତଥାପି ଛାତିକୁ ଟାଣ କରିବାକୁ ହେଲା ସଲୀଳାଙ୍କୁ । କଣ୍ଠରେ ସ୍ଥିରତା ଆଣି ସେ ଉତ୍ତର ଦେଲେ—ବାବୁଙ୍କର ସ୍ତ୍ରୀ ଏପର୍ଯ୍ୟନ୍ତ ବଞ୍ଚିଛନ୍ତି ମାଆ । ଜଣେ ବଞ୍ଚି ଥାଉ ଥାଉ ଜଣକୁ ସ୍ତ୍ରୀର ଅଧିକାର ଦେବା ଆଇନ୍‌ ଆଖିରେ ଅମାର୍ଜନୀୟ ଅପରାଧ–ସମାଜ ଆଖିରେ ଅନ୍ୟାୟ । ସେଥିରେ ଆପଣଙ୍କର ଅକଲ୍ୟାଣ ହେବ—ତିନିପୁରରେ ମତେ ମଧ୍ୟ ଠାବ ମିଳିବନି ।

 

ମାଆ ଏଥିରେ ଗର୍ଜି ଉଠିଲେ । ନିଜର ନିଷ୍ପତ୍ତିକୁ ସେ କୌଣସିମତେ ଜାହିର କରିବାକୁ ଚାହାନ୍ତି । ଉତ୍ତେଜିତ ଅବସ୍ଥାରେ ସେ କହିଲେ—

 

—ନୀତିଶାସ୍ତ୍ରର ନଜିର ମତେ ତୁ ଆଉ ଦେଖାନା ଝିଅ । କ୍ଷୀରଖିଆ ପିଲାକୁ ଛାଡ଼ି ଯେଉଁ ମାଆ ରାଗରେ ଘରଛାଡ଼ି ଚାଲିଯାଏ, ସେ ବଞ୍ଚିଗଲେ ମଧ୍ୟ ଆମ ଆଖିରେ ମଲା ପରି । ପୁରୋହିତର ବେଦମନ୍ତ୍ରରେ ସେ’ତ ଏ ଘରକୁ ବୋହୂ ହୋଇ ଆସିଥିଲା । ସ୍ୱାମୀ, ପୁଅକୁ ଛାଡ଼ି ସେ ଯେତେବେଳେ ଚୁକ୍ତି ଭଙ୍ଗ କରି ଦୂରେଇଗଲା, ତୋ ସମାଜ ସେତେବେଳେ କେଉଁଠି ଥିଲା ? କାହିଁ, କେହି ଜଣେ ତ ଆସି ତା’ର ଦୋଷ ଅପରାଧ କଥା କହିଲେ ନାହିଁ । ସେପରି ଲଗାମଛଡ଼ା ସ୍ତ୍ରୀକୁ ଶାସ୍ତି ଦରକାର—ଶିକ୍ଷା ଦରକାର । ଚଳନ୍ତି ସମାଜକୁ ମୁଁ ଭୟ କରେନି ସଲୀଳା—ତୁ ମତେ କଥା ଦେ’ ଏ ଘରେ ଶୁଭ ଶଙ୍ଖ ପୁଣି ଥରେ ବାଜିଉଠୁ...

 

ଆଉ କିଛି ସମୟ ମିଳିଥିଲେ ସଲୀଳାଠାରୁ ଜୋର କରି ସମ୍ମତି ଆଦାୟ କରି ନେଇଥାନ୍ତେ ମାଆ । କିନ୍ତୁ ଅଧ୍ୟାପକ ଟୁକୁ ସହିତ ହଠାତ୍ ଘରକୁ ଫେରି ଆସିବାରୁ ସେ ଆଲୋଚନା ବନ୍ଦ ହୋଇଗଲା ।

 

ଘର ଭିତରକୁ ପଶୁ ପଶୁ ଟୁକୁର ଚିତ୍କାର ଆରମ୍ଭ ହୋଇଗଲା । ଅତି ଆନନ୍ଦରେ ସେ କହୁଥାଏ—ମା’, ମା—ବାପା ଆଜି କେତେ ଜିନିଷ ବଜାରରୁ କିଣି ଆଣିଛନ୍ତି, ଆସ ଦେଖିବ । ମୁଁ ଆଜି ଯାହା କହିଲି, ବାପା ସବୁ କିଣିଦେଲେ । ତୁମ ପାଇଁ ବନାରସୀ ଶାଢ଼ି ଆସିଚି । ନିଅ..ଦେଖ ।

 

ଟୁକୁର କଥା ଶୁଣି ଲାଜରେ ସଲୀଳାଙ୍କର ମୁହଁ ଲାଲ୍‌ ହୋଇଗଲା । ପୂର୍ବର ଆଲୋଚନା ସଙ୍ଗେ ବନାରସୀ ଶାଢ଼ିର ଯୋଗାଯୋଗଟା ତାଙ୍କ ମନରେ ସୃଷ୍ଟି କଲା ଏକ ଅପୂର୍ବ ଆଲୋଡ଼ନ...

 

ଟୀକାଟିପ୍‌ପଣୀ ଦେବା ତ ଯୁଗଳ ଭାଇଙ୍କର ସହଜାତ ଗୁଣ । ଶଙ୍କର ବାବୁଙ୍କ କଥାରେ ବାଧା ଦେଇ ସେ କହିଲେ–ଆପଣଙ୍କ ନାୟିକା ସଲୀଳା ବଡ଼ ଦୋଘାଇରେ ପଡ଼ିଲେ ତ । କାହାକୁ ସେ ଏବେ ବିବାହ କରିବେ ? ପ୍ରେମରେ ଜରଜର ସାନଭାଇଙ୍କୁ ନା ଦୁଃଖରେ ଥରଥର ଅଧ୍ୟାପକଙ୍କୁ ?

 

ଶଙ୍କର ବାବୁ ପୂର୍ବପରି କହିବାରେ ଲାଗିଲେ—ଏ ସଂସାର ବଡ଼ ବିଚିତ୍ର ଯୁଗଳ ବାବୁ । ଝିଅକୁ ପାରଉତ୍ତର କରିବାକୁ କେତେ ବାପା, ମାଆ ଆମ ଦେଶରେ ଧାଁ ଦଉଡ଼ କରି ବରପାତ୍ର ଅଭାବରେ ନିରାଶ ହୋଇ ଫେରୁଛନ୍ତି—ଏଠି କିନ୍ତୁ ଦୁଇଟି ବରପାତ୍ର ପାଣିଗ୍ରହଣ ପାଇଁ ପ୍ରସ୍ତୁତ ଥିଲାବେଳେ କନ୍ୟାର ମନରେ ପ୍ରବଳ ଦ୍ୱନ୍ଦ୍ୱ....

 

ଯୁଗଳ ଭାଇ ପ୍ରଶ୍ନ କଲେ–ନିଜର ବାହା କଲା ସ୍ତ୍ରୀ ଥାଉ ଥାଉ ଅଧ୍ୟାପକ ମହାଶୟ ତା’ହେଲେ ଦ୍ୱିତୀୟ ସ୍ତ୍ରୀ ପାଇଁ ସମ୍ମତି ଦେଲେ ତ ?

 

—ନା–ନା, ତାଙ୍କୁ ତ କେହି ଏ ବିଷୟରେ କିଛି ପଚାରି ନାହାନ୍ତି । ସମ୍ମତିର ପ୍ରଶ୍ନ ଆସୁଚି କେଉଁଠୁ ? ଏତିକି କହି ଶଙ୍କର ବାବୁ ପୁଣି ଖଣ୍ତେ ସିଗାରେଟ୍‌ର ଉଷ୍ମତା ଅନୁଭବ କରିବାକୁ ପ୍ୟାକେଟ୍‌ ଖୋଲିଲେ ।

 

କାହାଣୀର ଅଗ୍ରଗତି ପାଇଁ ଯୁଗଳ ଭାଇ ଯେତିକି ବ୍ୟସ୍ତ ଥିଲେ, ମୁଁ ସେତିକି ବ୍ୟଗ୍ର ଥିଲି ଘରକୁ ଫେରିଯିବାକୁ । ପ୍ୟାକେଟ୍‌ ପ୍ୟାକେଟ୍‌ ସିଗାରେଟ୍‌କୁ ପାଉଁଶ କରି ଗୋଟାଏ ରେଷ୍ଟୁରାଣ୍ଟ ଭିତରେ ଘଣ୍ଟା ଘଣ୍ଟା ଧରି ସମୟ କାଟିବା ପ୍ରକୃତରେ ମୋର ଅସହ୍ୟ ହୋଇ ଉଠୁଥିଲା । କିନ୍ତୁ ମୋର ଆପତ୍ତି ଶୁଣୁଚି କିଏ ? ଜଣେ ଗଳ୍ପ କହିବାରେ ବିଭୋର—ଆଉ ଜଣେ ତାକୁ ହଜମ କରିବାକୁ ବିଶେଷ ଆଗ୍ରହୀ ।

 

ବିରତି ପରେ ଶଙ୍କର ବାବୁ ଗଳା ସଫା କରି କହିଲେ—ସେଦିନ ଏଇ ବନାରସୀ ଶାଢ଼ିଟି ସଲୀଳାଙ୍କୁ ବଡ଼ ଅଡ଼ୁଆରେ ପକେଇଲା । ପୁଅ ନାତିଙ୍କର ହଠାତ୍ ଆବିର୍ଭାବ ପରେ ମାଆ ଅନ୍ୟଆଡ଼େ ଚାଲିଗଲେ । ଅଧ୍ୟାପକ ସଲୀଳାଙ୍କ ହାତକୁ ଶାଢ଼ିଟି ଟେକି ଦେଇ ହସି ହସି କହିଲେ–ଏଇ ନିଅ ତୁମର ଉପହାର । ଥରଥର ହାତରେ ସଲୀଳା ଶାଢ଼ିଟି ନେଲେ ସତ, ହେଲେ ଏ ଅଚିନ୍ତନୀୟ ପରିସ୍ଥିତିରେ ତାଙ୍କର ସାରା ଶରୀର କମ୍ପିବାରେ ଲାଗିଲା । ମାଆଙ୍କର ବିବାହ ପ୍ରସ୍ତାବ ସାଙ୍ଗକୁ ପୁଅଙ୍କର ବନାରସୀ ଉପହାର ଏକ ଅପୂର୍ବ ସମନ୍ୱୟ ନିଶ୍ଚୟ ।

 

ସଲୀଳାଙ୍କର ଟଳମଳ ଅବସ୍ଥା ଦେଖି ଅଧ୍ୟାପକ ଆଶ୍ଚର୍ଯ୍ୟରେ ପ୍ରଶ୍ନ କଲେ—

 

—କ’ଣ ହେଲା ସଲୀଳା ? ତୁମର କ’ଣ ଦେହ ଖରାପ ?

 

ସଲୀଳାଙ୍କ ମୁହଁରେ କୌଣସି ଉତ୍ତର ନାହିଁ ।

 

ଅଧ୍ୟାପକ ଅବସ୍ଥାର ଗୁରୁତ୍ୱ ଉପଲବ୍‌ଧି କରି ସଲୀଳାଙ୍କୁ ସୋଫା ଉପରେ ବସେଇ ଦେଇ ନିଜର କକ୍ଷକୁ ଚାଲିଗଲେ । ଏଥର ଟୁକୁର ପାଳି । ସଲୀଳାଙ୍କୁ ଜାକି କୁଣ୍ଢେଇ ସେ ପ୍ରଶ୍ନ କଲା—ବାପାଙ୍କୁ ତୁମେ ଏତେ ଭୟ କର କାହିଁକି ମା’ ? ସେ ତ କାହାକୁ କେବେ ଗାଳି ଦିଅନ୍ତିନି । ମୁଁ ତ କହିବି, ଏମିତି ବାପା ଆଉ କାହାର ନାହାନ୍ତି ।

 

ଟୁକୁକୁ ଭୁଲେଇ ଦେବାପାଇଁ ସଲୀଳା ହସି ହସି କହିଲେ—ତୋ ବାପାଙ୍କର କିନ୍ତୁ ଟଙ୍କା ଖର୍ଚ୍ଚ କଲାବେଳେ କିଛି ବାଛବିଚାର ନ ଥାଏ । ଏତେ ଟଙ୍କା ଦେଇ କାହିଁକି ସେ ଏ ବନାରସୀ ଶାଢ଼ି କିଣୁଥିଲେ ?

 

ଉତ୍ତରରେ ଟୁକୁ କହିଲା—ବା’ରେ ବାପାଙ୍କର କ’ଣ ଶାଢ଼ି କିଣା କଥା ମନେଥିଲା ? ମୁଁ ତାଙ୍କୁ ଦୋକାନରେ ମନେ ପକେଇ ଦେଲିନା । ଶାଢ଼ିଟା ତ ମୁଁ ପସନ୍ଦ କରି ଆଣିଚି । ସତ କହୁଚି ମା’, ଏ ଶାଢ଼ି ତୁମେ ପିନ୍ଧିଲେ ସ୍ୱର୍ଗର ଅପ୍‌ସରା ପରି ଦେଖାଯିବ । ମୋରି ଆଗରେ ଏ ଶାଢ଼ିଟା ତୁମେ ପିନ୍ଧ ମା’—ମୁଁ ଦେଖେ, କେମିତି ମାନୁଚି ।

 

ସଲୀଳା ଯେତେ ଓଜର ଆପତ୍ତି କଲେ, ଟୁକୁର ସେଇ ଗୋଟିଏ ଜିଦ୍‌–ଧଳା ଲୁଗା ତୁମକୁ ଆଉ ପିନ୍ଧିବାକୁ ହେବ ନାହିଁ । ମୋ ମାଆ ଯେତେବେଳେ ସୁନ୍ଦର, ଶାଢ଼ିଟା ବି ସୁନ୍ଦର ହେବା ଦରକାର ।

 

ସେ ଆହୁରି ଯୁକ୍ତି ଦେଖେଇ କହିଲା—ବୃତ୍ତି ପରୀକ୍ଷାରେ ମୁଁ ଫାଷ୍ଟ ହେଲି–ବାପା ଯେମିତି ଆନନ୍ଦରେ ସବୁ ଜିନିଷ କିଣିଦେଲେ, ତୁମେ ସେମିତି ଆନନ୍ଦରେ ଶାଢ଼ିଟି ପିନ୍ଧି ପକାଅ । ମୋ ସୁନା ମାଆଟି ପରା..

 

ଅଭିମାନୀ ଟୁକୁର ଇଚ୍ଛା ପୂରଣ ପାଇଁ ବାଧ୍ୟ ହୋଇ ସଲୀଳା ବନାରସୀ ଶାଢ଼ିଟି ପିନ୍ଧିଲେ-। ମନ ଓ ଦେହରେ ଅପୂର୍ବ ତନ୍ମୟତା । ଦାମୀ ଶାଢ଼ି ପିନ୍ଧିବାର ଅବକାଶ ପୂର୍ବରୁ ମିଳି ନ ଥିଲା ସଲୀଳାଙ୍କୁ । ତେଣୁ ଦର୍ପଣ ଆଗରେ ନିଜର ପ୍ରତିବିମ୍ୱ ଦେଖି ସେ ନିଜେ ମଧ୍ୟ ଚମକି ଉଠିଲେ-। ଏ ବେଶ ପରିପାଟୀ କି ସୁନ୍ଦର ମାନୁଚି ତାଙ୍କୁ ? ଇଚ୍ଛା ନ ଥିଲେ ବି ନିଜର ଅଯତ୍ନ କେଶରାଶିକୁ ସଜାଡ଼ି ନେବାକୁ ତାଙ୍କୁ ବେଶୀ ସମୟ ଲାଗିଲା ନାହିଁ । କିଛି ସମୟ ପାଇଁ ସେ ନିଜର ସ୍ଥିତି, ବୃତ୍ତି ମଧ୍ୟ ଭୁଲି ଯାଇଥିଲେ ।

 

ସଲୀଳାଙ୍କର ସମ୍ମୋହନ ଭାଙ୍ଗିଲା ଅଧ୍ୟାପକଙ୍କର ଉପସ୍ଥିତିରେ । ମାଆଙ୍କୁ ଶାଢ଼ି ପିନ୍ଧେଇ ବାପାଙ୍କୁ ଡାକି ଆଣିଥିଲା ଟୁକୁ । ଅଧ୍ୟାପକଙ୍କୁ ଦେଖିବା ସଙ୍ଗେ ସଙ୍ଗେ ସଲୀଳାଙ୍କର ପୂର୍ବର ସେଇ ଦୋଦୁଲ୍ୟମାନ ଅବସ୍ଥା ପୁଣି ଆରମ୍ଭ ହୋଇଗଲା । ଲଜ୍ୟା ଓ ସଙ୍କୋଚରେ ସେ ମୁହଁକୁ ତଳକୁ ପୋତି ଘନ ଘନ ନିଃଶ୍ୱାସ ଛାଡ଼ିଲେ ।

 

ଅଧ୍ୟାପକ ମହାଶୟ ପରିବେଶକୁ ଆହୁରି ହାଲ୍‌କା କରିଦେବା ପାଇଁ ହସି ହସି କହିଲେ–ନା, ଟୁକୁର ପସନ୍ଦ ମୋଠାରୁ ଯଥେଷ୍ଟ ବେଶୀ । ଏ ଧରଣର ଶାଢ଼ି କେବଳ ତୁମକୁ ହିଁ ସାଜେ-। ବାଃ—ଅତି ଚମତ୍କାର...

 

ବାପାଙ୍କର କଥାରେ ଟୁକୁ ଆନନ୍ଦରେ ନାଚି ଉଠି କହିଲା—ମୋ କଥା ଠିକ୍‌ ହେଲା ବାପା ଶାଢ଼ି ପିନ୍ଧି ମାଆ କେମିତି ଦୁର୍ଗା ଠାକୁରାଣୀ ପରି ଦିଶୁଚନ୍ତି । ଆଉ କେତେବେଳେ ବଜାରକୁ ଗଲେ ଆଉ ଦୁଇଟି ବନାରସୀ ଶାଢ଼ି ମାଆଙ୍କ ପାଇଁ କିଣି ଆଣିବା ।

 

ସେଇ ନାଚିବା ଅବସ୍ଥାରେ ଟୁକୁ ଘର ଛାଡ଼ି ବାହାରକୁ ଚାଲିଗଲା । ଏବେ ନାୟକ ନାୟିକା ଦୃଶ୍ୟ ସୃଷ୍ଟି କରିବାକୁ କିଛି ବାଧା ନାହିଁ ।

 

ସଲୀଳାଙ୍କର ପୂର୍ବର ନୀରବତା ରହିଥାଏ । ଟୁକୁର ପ୍ରସ୍ଥାନ ପରେ ସେ ଅସହାୟ ହୋଇ ପଡ଼ିଲେ । ଅବସ୍ଥାକୁ ଲକ୍ଷ୍ୟ କରି ଅଧ୍ୟାପକ ଅତି ଉଦ୍‌ବିଘ୍ନ କଣ୍ଠରେ ପ୍ରଶ୍ନ କଲେ —

 

—କ’ଣ ତୁମର ହୋଇଚି ସଲୀଳା ? ମୁଁ ବାହାରୁ ଆସିବା ପରଠାରୁ କାହିଁକି ତୁମେ ଏମିତି ଅସ୍ୱସ୍ତି ବୋଧ କରୁଚ ?

 

ଏ ପ୍ରଶ୍ନରେ ସଲୀଳାଙ୍କର ସଂବିତ୍‌ ଫେରି ଆସିଲା । ସେ କହିଲେ—କାହିଁ, ମୋର ତ କିଛି ହୋଇନି । ମୁଁ ଠିକ୍‌ ଅଛି ।

 

—ଭୁଲେଇବାର ଚେଷ୍ଟା କରନି, କୁହ କ’ଣ ତୁମର ହୋଇଚି...ଅଧ୍ୟାପକଙ୍କ କଣ୍ଠରେ ଦରଦ । ନିଜକୁ ଯଥା ସମ୍ଭବ ଆୟତ୍ତରେ ରଖି ସଲୀଳା ଉତ୍ତର ଦେଲେ–ଏ ଆପଣଙ୍କର ବୃଥା ଭାବନା । ମୁଁ ଯେମିତି ଥିଲି, ସେମିତି ଅଛି । କିଛି କହିଲା ଭଳି ପରିବର୍ତ୍ତନ ମୋର ହୋଇ ନାହିଁ ।

 

ଦୁଇ ମନର ଦୂରତ୍ୱକୁ ଘୁଞ୍ଚେଇବା ପାଇଁ ଅଧ୍ୟାପକ ଖୁବ୍‌ ପାଖକୁ ଲାଗି ଆସିଲେ ସଲୀଳାଙ୍କର । ଅତି ନିଜର ଲୋକ ଭଳି ହସ ହସ ମୁହଁରେ ସେ କହିଲେ—

 

ତୁମର ପରିବର୍ତ୍ତନ ମୁଁ ବେଶ୍ ଲକ୍ଷ୍ୟ କରି ପାରୁଚି ସଲୀଳା । ମୋ ପାଖରେ ତୁମେ ବର୍ଷ ବର୍ଷ କଟେଇ ଆସିଲ । ତୁମର ଅଭାବ, ଅସୁବିଧା ଜାଣିବାକୁ ମୋର କ’ଣ ଆଉ ବାକି ଅଛି ? କଥାଟା ମନଭିତରେ ଚାପି ନ ରଖି ଖୋଲିଦେଲେ ସବୁ ଦିଗରୁ ମଙ୍ଗଳ । ହୁଏତ ମୁଁ ତୁମକୁ ସାହାଯ୍ୟ ବି କରିପାରେ ।

 

ସଲୀଳା ଜବାବଟାକୁ ସାମାନ୍ୟ ବଙ୍କେଇ ଦେଲେ । ସେ କହିଲେ—ଆପଣ ତ ସବୁବେଳେ ମତେ ସାହାଯ୍ୟ କରି ଆସୁଚନ୍ତି । ଆଉ ନୂତନ ସାହାଯ୍ୟର କ’ଣ ବା ଦରକାର ଅଛି ?

 

ଉଚ୍ଚ ଡିଗ୍ରୀଧାରୀ ଅଧ୍ୟାପକ । ସେ କ’ଣ ଏ ପ୍ରକାର ଜବାବରେ ସନ୍ତୁଷ୍ଟ ହେବା ଲୋକ ? ପ୍ରକୃତ ଘଟଣା ଜାଣିବା ପାଇଁ ସେ ଏତେ ଜୋର ଦେଲେ ଯେ, ସଲୀଳା ବାଧ୍ୟ ହୋଇ ମୁହଁକୁ ତଳକୁ ପୋତି କହିଲେ–ମୋର ଆଜିର ପରିବର୍ତ୍ତନର କାରଣ ଶୁଣିଲେ ଆପଣ ନିଶ୍ଚୟ ହସିବେ । ଦେଖନ୍ତୁ, ମୋର ମାଆ, ଭାଇ, ଭଉଣୀଙ୍କୁ ବହୁତ ଦିନ ହେଲା ଦେଖି ନାହିଁ । ଆଜି ସେଇମାନଙ୍କ କଥା ମନେ ପଡ଼ିବାରୁ ମନ ମରିଯାଇଚି ।

 

ଏ କଥା ଶୁଣି ଅଧ୍ୟାପକ ସତକୁ ସତ ହସି ଉଠିଲେ । ସଲୀଳାଙ୍କର ପିଠିରେ ମୃଦୁ ଆଘାତ ଦେଇ କହିଲେ–ସଫେଇଟା ସତ ହେଲେ ବି ମନକୁ ପାଉନି ସଲୀଳା । ଟୁକୁକୁ ବେଳେ ବେଳେ ସାନ୍ତ୍ୱନା ଦେଲାଭଳି ତୁମେ ମତେ ଭୁଲେଇବାରେ ଲାଗିଚ । ବାସ୍ତବିକ ତୁମେ ଅପୂର୍ବ...

 

ଲାଜେଇ ଗଲେ ସଲୀଳା ଦେବୀ । ଅଧ୍ୟାପକଙ୍କୁ ଛାତ୍ର ବୋଲି ଭାବିବା ପ୍ରକୃତରେ ତାଙ୍କର ଭୁଲ୍‌ ହୋଇଚି । ମନଗଢ଼ା କୈଫିୟତ୍‌ ମନରେ ହିଁ ଥାଆନ୍ତା ।

 

ଅଧ୍ୟାପକ ଆଜି ଖୁବ୍‌ ନିରୀକ୍ଷଣ କରି ଦେଖୁଛନ୍ତି ସଲୀଳାଙ୍କୁ । ଚାହାଣୀଟା ବକ୍ର କୁହନ୍ତୁ କି ସରଳ କୁହନ୍ତୁ ସଲୀଳାଙ୍କର ବେଶଭୂଷା ଉପରୁ ତାଙ୍କର ଆଜି ଆଖି ଅନ୍ୟ ଦିଗକୁ ଫେରୁନାହିଁ ।

 

କିଛି ସମୟ ନୀରବ ରହିବା ପରେ ଅଧ୍ୟାପକ ପୁଣି ଆରମ୍ଭ କଲେ—ତୁମର ଆଜିର କେଶବିନ୍ୟାସ ମତେ ଏକାବେଳକେ ମୁଗ୍‌ଧ କରିଚି ସଲୀଳା । ମନେ ହେଉଚି ତୁମେ ଯେମିତି ମୋର ବହୁଦିନରୁ ପରିଚିତ, ବହୁଦିନରୁ ଜଣାଶୁଣା...

 

—ଯେଉଁଦିନ ଆପଣଙ୍କ ଘରେ ଚାକିରି କରିବାକୁ ପ୍ରଥମେ ଆସିଲି, ଆପଣ ସେିଦିନୁ ମତେ ଜାଣିଛନ୍ତି । ଆପଣଙ୍କ ବହୁଦିନ ନିଶ୍ଚୟ ଏଇ ଚାକିରି କାଳ ମଧ୍ୟରେ ସୀମିତ ।

 

ସଲୀଳାଙ୍କର ସହଜ ସୁଲଭ ଉତ୍ତରରେ ଅଧ୍ୟାପକ ଖୁସି ହେଲେ ସତ, ହେଲେ ‘‘ଚାକିରି’’ ଶବ୍ଦଟା କେଜାଣି କାହିଁକି ତାଙ୍କୁ ବେଖାପିଆ ଲାଗିଲା । କଣ୍ଠରେ ସାମାନ୍ୟ ବିରକ୍ତି ପ୍ରକାଶ କରି ସେ କହିଲେ—ଆଳାପ, ଆଲୋଚନାର ମଧୁରତାକୁ ତୁମେ ଜାଣି ଜାଣି ଅନେକ ସମୟରେ ନଷ୍ଟ କରିଦିଅ ସଲୀଳା । ‘ଚାକିରି’, ‘ଚାକିରି’ କହି ତୁମେ ନିଜକୁ ଏତେ ଛୋଟ ବୋଲି ଭାବୁଚ କାହିଁକି ?

 

—ଚାକିରି କଲେ କ’ଣ ଲୋକ ପ୍ରକୃତରେ ଛୋଟ ହୋଇଯାଏ ? ଚାକିରିଆ କ’ଣ ବଡ଼ ହେବାର ସ୍ୱପ୍ନ ଦେଖେ ନାହିଁ ?...ସଲୀଳାଙ୍କର ପ୍ରଶ୍ନରେ ଜିଜ୍ଞାସୁ ଭାବ ନ ଥିଲେ ମଧ୍ୟ, ଥିଲା ଅଧ୍ୟାପକଙ୍କୁ ଆହୁରି ଉତ୍ତେଜିତ କରିବା ।

 

କିନ୍ତୁ ଅଧ୍ୟାପକ ଏଥର ଖୁବ୍ ନରମି ଗଲେ । ସେ କହିଲେ—ନା–ନା, ତୁମେ ମୋର କଥାଟା ଠିକ୍‌ ରୂପେ ବୁଝି ପାରିଲ ନାହିଁ । ଚାକିରି ଛୋଟ ନୁହେଁ–କିନ୍ତୁ ସ୍ଥାନ ବିଶେଷରେ ସେ ଶବ୍ଦଟା ଉଚ୍ଚ ସମ୍ମାନର ଅଧିକାରୀ ନୁହେଁ । ଏଇ ମନେକର..କେତେକ ପରିବାରରେ ସମ୍ପର୍କୀୟା ନିରାଶ୍ରୟା ବିଧବା ପିଉସୀ, ମାଉସୀ ଘରର ଯାବତୀୟ କାମ କରି ରହିଥାନ୍ତି । ଯଥାର୍ଥରେ ସେଇଟା ଚାକିରି ହେଲେ ମଧ୍ୟ କେହି କ’ଣ ସେ କଥା ତୁଣ୍ତରେ ଉଚ୍ଚାରଣ କରନ୍ତି ?

 

ସଲୀଳା କଥାକୁ ଆହୁରି ଘନ ଓ ରସଯୁକ୍ତ କରିବା ପାଇଁ କହିଲେ—ପିଉସୀ, ମାଉସୀ ଘରେ ରହି କେବଳ ପେଟ ପୋଷନ୍ତି ସିନା, ମାସକୁ ମାସ ଦରମା ନିଅନ୍ତିନି । ମୁଁ ଯେତେବେଳେ ଖାଇପିଇ ମାସ ଶେଷରେ ମୋଟା ଧରଣର ଦରମା ନେଉଚି, ମୋର ଏଇଟା ନିଶ୍ଚୟ ଚାକିରି ।

 

—ତୁମେ କ’ଣ ଆଜି ଯୁକ୍ତିତର୍କର ଅସରନ୍ତି ଭଣ୍ତାର ସାଇତି ରଖିଚ ସଲୀଳା ? ଅଧ୍ୟାପକ ଅତି ହତାଶିଆ କଣ୍ଠରେ କହି ଚାଲିଲେ...ମାସକୁ ମାସ ଟଙ୍କା ନେଲେ ବି ମୁଁ କହିବି, ତୁମେ ଏ ଘରେ ଚାକିରି କରୁନାହଁ । ସେପରି ମନୋଭାବ ଥିଲେ ତୁମେ କ’ଣ ଆମ ଘରେ ସମସ୍ତଙ୍କୁ ଏମିତି ଆପଣାର କରି ପାରିଥାନ୍ତ ?

 

ସଲୀଳା ତଥାପି ତର୍କର ସୁଅକୁ ବନ୍ଦ କଲେ ନାହିଁ । ଆଡ଼ହସା ଦେଇ ସେ କହିଲେ—

 

—ଚାକିରି ମୁଁ ଠିକ୍ କରୁଚି । ଆଉ ସମସ୍ତଙ୍କୁ ଆପଣାର କଥା ଯାହା କହିଲେ, ସେଇଟା ମୋ ତରଫରୁ ଯେତେଟା ନ ହୋଇଚି, ଆପଣମାନଙ୍କ ତରଫରୁ ତା’ର ବୁଦ୍ଧି ହୋଇଚି ଅନେକ ବେଶୀ ।

 

ମୁହଁରେ ଶୁଖିଲା ହସ ଆଣି ଅଧ୍ୟାପକ ଉତ୍ତର ଦେଲେ—ଆପଣାର କରିବା ଏକତରଫା କାମ ନୁହେଁ । ଉଭୟ ପକ୍ଷର ସହଯୋଗୀତା ନ ଥିଲେ ସେ କାମ ସମ୍ଭବ ହୋଇ ପାରେନା । ଶିଶିରାକୁ ନିଜର କରିବାକୁ ମୁଁ ଆପ୍ରାଣ ଚେଷ୍ଟା କରିଥିଲି । କିନ୍ତୁ ସବୁ ଚେଷ୍ଟା ମୋର ବ୍ୟର୍ଥ ହୋଇଗଲା । ସେ ମତେ ନିଜର କରି ପାରିଲା ନାହିଁ—ଶେଷକୁ ମତେ ଛାଡ଼ି, ତା’ର ପୁଅକୁ ଛାଡ଼ି ସେ ଏ ଘରୁ ବିଦାୟ ନେଇ ଚାଲିଗଲା ।

 

ଶେଷ ଆଡ଼କୁ ଅଧ୍ୟାପକଙ୍କର କଣ୍ଠସ୍ୱର ଓଜନିଆ ହେଶି ଉଠିଲା–ଆଖି କୋଣରେ ଦେଖା ଦେଲା ବିନ୍ଦୁ ବିନ୍ଦୁ ଲୁହ ।

 

ସେ ଦିଗକୁ କିନ୍ତୁ ସଲୀଳାଙ୍କର ନଜର ନାହିଁ । ଶିଶିରାଙ୍କର ପ୍ରସଙ୍ଗକୁ ଏଡ଼େଇ ଦେବା ଉଦ୍ଦେଶ୍ୟରେ ସେ କହିଲେ—

 

—ଜଗତରେ କିଏ ଆପଣାର, କିଏ ପର, ଏକଥା ବିଚାର କରିବା ବଡ଼ କଷ୍ଠ । ସେଥିଲାଗି ମନ ଦୁଃଖ କଲେ କିଛି ଫଳ ନାହିଁ ।

 

ଏ କଥାର ଖିଅ ଧରି ଗଦଗଦ କଣ୍ଠରେ ଅଧ୍ୟାପକ କହିଲେ—ଠିକ୍‌ କହିଚି ସଲୀଳା, ନିଜର ଲୋକ ପର ହୋଇଗଲା । ଆଉ ପର ହେଲେ ଆପଣାର ।

 

ଏହା ପରେ ପରେ ସଲୀଳା ଅନୁଭବ କଲେ ଅଧ୍ୟାପକ ତାଙ୍କ କାନ୍ଧରେ ଦୁଇ ହାତ ରଖି ଭାବବିଭୋର ହୋଇ କହି ଚାଲିଛନ୍ତି—

 

—ଟିକିଏ ତଳେ ମୁଁ ତୁମକୁ ଅତି ପରିଚିତ ଆଉ ଜଣାଶୁଣା ବୋଲି ଯାହା କହିଥିଲି, ତୁମେ ତା’ର ପ୍ରକୃତ ଅର୍ଥ ବୁଝି ପାରିଲ ନାହିଁ । ଆଜି ତୁମେ ଯେଉଁ ବନାରସୀ ଶାଢ଼ିଟି ମଣ୍ତନ କରିଛ, ଠିକ୍‌ ସେମିତି ଗୋଟିଏ ସୁନ୍ଦର ବନାରସୀ ଶାଢ଼ି ପିନ୍ଧି ଶିଶିରା ପ୍ରଥମେ ଏ ଘରେ ପାଦ ଦେଇଥିଲା । ଠିକ୍‌ ତୁମରି ପରି ସେ ମଧ୍ୟ ଦର୍ପଣ ଆଗରେ ଠିଆ ହୋଇଥିଲା । ସେଦିନ ମୁଁ ତାକୁ ଏମିତି ପ୍ରଶ୍ନ କରି ନିଜେ ହସିଥିଲି ଓ ତାକୁ ମଧ୍ୟ ହସେଇଦେଲି । ସେଦିନର ମଧୁସ୍ମୃତିକୁ ମୁଁ ଶତଚେଷ୍ଟା କରି ମଧ୍ୟ ମନରୁ ପାଶୋରି ପାରୁନାହିଁ । ବିଶ୍ୱାସ କର ସଲୀଳା, ମୁଁ ବଡ଼ ହତଭାଗା—ବଡ଼ ଦୁଃଖୀ ମୁଁ ।

 

କଥା ବନ୍ଦ କରିବା ପୂର୍ବରୁ ଅଧ୍ୟାପକ ସଲୀଳାଙ୍କୁ ଛାତି ଉପରକୁ ଟାଣିନେଲେ । ଏପରି ଦୁଃସହ ପରିସ୍ଥିତି ପାଇଁ ସଲୀଳା ଆଦୌ ପ୍ରସ୍ତୁତ ନ ଥିଲେ । ଫଳରେ ଅଧ୍ୟାପକଙ୍କର ବାହୁବନ୍ଧନରୁ ମୁକ୍ତ ହେବା ପାଇଁ ସେ ଚିତ୍କାର କରି ଉଠିଲେ—

 

—ଆପଣ ଏ କ’ଣ କରୁଛନ୍ତି ? ମତେ ଛାଡ଼ିଦିଅନ୍ତୁ । ମୁଁ ଶିଶିରା ନୁହେଁ—ମୁଁ ସଲୀଳା..ଆପଣ ଏ ଭୁଲ୍‌ କରୁଛନ୍ତି କାହିଁକି ? ଦୟାକରି ଛାଡ଼ିଦିଅନ୍ତୁ ମତେ ।

 

ପ୍ରକୃତରେ ଅଧ୍ୟାପକଙ୍କର ଭୁଲ୍‌ ଭାଙ୍ଗିଗଲା । ସଲୀଳାଙ୍କର କାତର ନିବେଦନ ତାଙ୍କ କାନରେ ବାଜିବା ସଙ୍ଗେ ସଙ୍ଗେ ସେ ଦୂରେଇ ଯାଇ କହିଲେ—

 

—ଠିକ୍ କହିଚ । ତୁମେ ଶିଶିରା ନୁହଁ—ସଲୀଳା । ସବୁ ମୋରି ଭୁଲ । ହେଲେ ଏ ଧରଣର ଭୁଲ୍‌ ମୁଁ କାହିଁକି କଲି ? କିଏ ମତେ ଏ ହୀନ ପ୍ରବୃତ୍ତି ଦେଲା ?

 

ନିଜକୁ ନିଜେ ପ୍ରଶ୍ନ କରି ଅଧ୍ୟାପକ ଏଥର ଆଗେଇଗଲେ ଶିଶିରା ଦେବୀଙ୍କର ଫଟୋ ନିକଟକୁ । ସ୍ତ୍ରୀର ପ୍ରତିକୃତିକୁ ଚାହିଁ ମିନତିଭରା କଣ୍ଠରେ ସେ ପୁଣି କହିଲେ—କାହିଁକି ଏ ଦୁଃଖ ଦେଉଚ ଶିଶିରା ? କାହିଁକି ମତେ ବାରମ୍ୱାର ଅପଦସ୍ତ କରୁଚ ? କି ଦୋଷ ମୁଁ ତୁମର କରିଚି । ମୋର ବିବେକ ନିକଟରେ କାହିଁକି ତୁମେ ମତେ ଏମିତି ଛୋଟ କରି ଦେଉଚ ?

 

ସଲୀଳା‌କୁ ଲକ୍ଷ୍ୟ କରି ତାଙ୍କ କଣ୍ଠରୁ ଏଥର ଶୁଣାଗଲା–କିଛି ମନେ କରିବନି ସଲୀଳା । ମୁଁ ଅନ୍ୟାୟ କରିଚି, ମୁଁ ପାପ କରିଚି । ତେବେ ସେଇଟା ମୋର ଇଚ୍ଛାକୃତ ନୁହେଁ । ଶିଶିରାର ଚେହେରା ଆଉ ତୁମର ଚେହେରା ପୂରାପୂରି ସମାନ ଥିବାରୁ ହୁଏତ ମୁଁ ଭୁଲ ବାଟରେ ଆଗେଇ ଗଲି ମତେ କ୍ଷମାକର ତା’ ନ କରି ଶାସ୍ତି ଦେଲେ ବି ମୁଣ୍ତପାତି ଗ୍ରହଣ କରିନେବି । ହଁ–ହଁ—ପାପର ପ୍ରାୟଶ୍ଚିତ ମୋର ଦରକାର । ମୁଁ ପାପୀ...ମହାପାପୀ ।

 

କୌଣସି ଉତ୍ତରକୁ ଅପେକ୍ଷା କଲେ ନାହିଁ ଅଧ୍ୟାପକ । ସଙ୍ଗେ ସଙ୍ଗେ ସେ ଘରୁ ନିଷ୍କ୍ରାନ୍ତ ହୋଇଗଲେ । ସେତେବେଳକୁ ନାୟକଙ୍କ ଦୁଃଖରେ ଅଭିଭୂତା ହୋଇ ନାୟିକାଙ୍କ ଆଖିରେ ଅଶ୍ରୁର ପ୍ଳାବନ...

 

ଯୁଗଳ ଭାଇ ହାତତାଳି ଦେଇ କହିଲେ—ୟେ’ ତ ଗଳ୍ପ ନୁହେଁ ଶଙ୍କର ବାବୁ, ପୂରାପୂରି ରୋମାଞ୍ଚକର ନାଟକ । ଆପଣ ମହାପାତ୍ର ବାବୁଙ୍କ ମାରଫତ୍‌ରେ ମଞ୍ଚର ସାହାଯ୍ୟ ନିଅନ୍ତୁ—ହଜାର ହଜାର ଦର୍ଶକଙ୍କଠାରୁ ବାହାବା ପାଇବେ ।

 

ଶଙ୍କର ବାବୁ ବୋଧହୁଏ ବିଶ୍ରାମ ନେଉଥିଲେ । ଦିଆସିଲି ଉପରେ ସିଗାରେଟ୍‌କୁ ବାଡ଼େଇ ବାଡ଼େଇ ସେ କହିଲେ—

 

–ଜୀବନରଙ୍ଗଠାରୁ ସ୍ୱାଭାବିକ ଆଉ ବାସ୍ତବ କିଛି ନାହିଁ । ଗଳ୍ପ ହେଉ ବା ନାଟକ ହେଉ...ଘରେ ଘରେ ଯାହା ଘଟୁଚି, ତାକୁଇ କେନ୍ଦ୍ର କରି ମଞ୍ଚରୂପ ଦେଲେ ହୃଦୟଗ୍ରାହୀ ନିଶ୍ଚୟ ହେବ । ଅବାନ୍ତର, ଅସ୍ୱାଭାବିକ ଘଟଣା ପରିବେଷଣ କଲେ କାହାରି ସମର୍ଥନ ମିଳେନା ।

 

ଶରୀର ବାବୁଙ୍କର ପକ୍ଷନେଇ ମୁଁ କହିଲି—ଆପଣ ଠିକ୍‌ କହିଚନ୍ତି ଆଜ୍ଞା–ଆମ ଜୀବନର ନିତିଦିନିଆ ପ୍ରତିଛବି ଗଳ୍ପ ନାଟକରେ ସ୍ଥାନ ପାଇବା ଉଚିତ । ତେବେ ଘଟଣାକୁ ରସଯୁକ୍ତ କରିବାକୁ ଯାଇ ରଙ୍ଗଭରା କଲେ ବାସ୍ତବତାଠାରୁ ଆମେ ନିଶ୍ଚୟ ଦୂରେଇଯିବା ।

 

ମୋ କଥାର କିଛି ମନ୍ତବ୍ୟ ନ ଦେଇ ଯୁଗଳ ବାବୁ ପୁଣି କାହାଣୀ ବର୍ଣ୍ଣନା କରିବାରେ ଲାଗିଗଲେ—ସଲୀଳା ସ ଅଧ୍ୟାପକ ଯେତେବେଳେ ଗଳ୍ପ, ଆଲୋଚନାରେ ଉନ୍ମତ୍ତ ଥିଲେ, ତା’ ପୂର୍ବରୁ ଟୁକୁ ସେ ଘର ଛାଡ଼ି ଚାଲି ଯାଇଥିଲା, ଏକଥା ଆପଣମାନଙ୍କର ନିଶ୍ଚୟ ମନେଅଛି । ଆପଣ କ’ଣ ଭାବୁଚନ୍ତି, ବାପାଙ୍କୁ ଜବରଦସ୍ତ ଭିଡ଼ି ଭିଡ଼ି ଆଣି ନବବସ୍ତ୍ର ପରିହିତା ମାଆଙ୍କ ପାଖରେ ଛାଡ଼ିଦେଇ ଟୁକୁ କ’ଣ ଖୁସି ମନରେ ପଦାକୁ ଚାଲି ଯାଇଥିଲା ? ନା—କାହାଣୀର ସେ’ତ ଲିଟ୍‌ଲ୍‌ ହିରୋ—ତେଣୁ ତା’ର ଅବଦାନ ମଧ୍ୟ ଅଦ୍‌ଭୁତ ।

 

ବାପାଙ୍କୁ ମାଆଙ୍କ ପାଖରେ ଛାଡ଼ିଦେଇ ସେ ଗଲା ବଡ଼ ମା’ଙ୍କ ପାଖକୁ ଏ ସୁ–ଖବର ଦେବାକୁ । ବଡ଼ ମା’ ନାତି ମୁହଁରୁ ଯେତେବେଳେ ଶୁଣିଲେ ସଲୀଳା ବନାରସୀ ଶାଢ଼ି ପିନ୍ଧି ତାଙ୍କ ପୁଅଙ୍କ ସାଙ୍ଗରେ ହସଖୁସିରେ ଲାଗିପଡ଼ିଚି, ସେତେବେଳେ ସେ ଆନନ୍ଦରେ ଅଧୀର ହୋଇ ଉଠିଲେ । ଏପରିକି ମାଆ ମଙ୍ଗଳାଙ୍କୁ ମନମାଫି ଭୋଗ ଲଗେଇବେ ବୋଲି ସେ ମନେ ମନେ ଠିକ୍‌ କରିନେଲେ । ଏତିକିରେ ମଧ୍ୟ ତାଙ୍କର ମନ ମାନିଲା ନାହିଁ । ନିଜ ଆଖିରେ ସେ ଜୀବନ୍ତ ଦୃଶ୍ୟ ଦେଖି ଆସିବାକୁ ସେ ଧାଇଁ ଆସିଲେ ବାରଣ୍ତାକୁ । ଅବଶ୍ୟ ସାଙ୍ଗରେ ଥିଲା ଆମର ଶିଶୁ ନାୟକ ଟୁକୁ ।

 

ଘର ଭିତରେ ସେତେବେଳେ କି ଦୃଶ୍ୟ ଚାଲିଥିଲା, ଆପଣମାନେ ନିଶ୍ଚୟ ଅନୁମାନ କରି ପାରୁଥିବେ...ସଲୀଳାଙ୍କର ଅତି ପାଖରେ ଅଧ୍ୟାପକ... ଚାଲିଚି ହସ ଓ କଥାର ଢେର । ବୁଢୀମା’ଙ୍କ କାନପାଖରେ ଟୁକୁ ଅତି ନିମ୍ନସ୍ୱରରେ କହିଦେଲା—

 

—ଦେଖୁଚ ବଡ଼ ମାଆ, ମାଆଙ୍କୁ ବାପା କେମିତି ଆଦର କରୁଚନ୍ତି ।

 

ବୁଢ଼ୀ ନିଜ ଆଖିରେ ମଧୁ ମିଳନର ଦୃଶ୍ୟ ଦେଖି ଏତେ ବେଶୀ ତୃପ୍ତି ଲାଭ କରିଥିଲେ ଯେ, ସେଠି ସେ ଆଉ ଦଣ୍ତେ ରହିବାକୁ ଇଚ୍ଛା କଲେ ନାହିଁ ।

 

ଟୁକୁକୁ ବାଧ୍ୟ କରି ସେ ଟାଣି ନେଇଥିଲେ ।

 

ଅଧ୍ୟାପକଙ୍କର ମାଆ ସେଦିନ ଘର ଠାକୁରଙ୍କ ପାଖରେ ଭକ୍ତିରେ କେତେ ଯେ ମୁଣ୍ତିଆ ମାରିଚନ୍ତି, ତା’ର ଆଉ ଠିକଣା ନାହିଁ । ତାଙ୍କର ସ୍ଥିର ବିଶ୍ୱାସ ହେଲା..ସଲୀଳାଙ୍କୁ ସେ ଯେତେବେଳେ ତୁଣ୍ତ ଖୋଳି ପ୍ରସ୍ତାବ ଦେଇଚନ୍ତି, ସୁଫଳ ନିଶ୍ଚୟ ମିଳିବ । ସଲୀଳା ବୋଧହୁଏ ସେ ଶୁଭକର୍ମ ପୂର୍ବରୁ ଶୁଭ ମିଳନ ଆରମ୍ଭ କରି ଦେଇଚି ।

 

...ଶଙ୍କର ବାବୁ କଥାରେ ଫାଙ୍କ୍‌ ରଖି ଯୁଗଳ ଭାଇଙ୍କ ପ୍ରତି ଏକ ଅର୍ଥପୂର୍ଣ୍ଣ ଚାହାଣୀ ନିକ୍ଷେପ କରି କହିଲେ–ଏଥର ଆପଣ ନିଶ୍ଚୟ ବୁଝି ପାରୁଚନ୍ତି ଯେ, କାହାଣୀର ଗଣ୍ଠି ଶେଷଆଡ଼କୁ କିପରି ବେଶୀ ଶକ୍ତ ହେଇ ଉଠୁଚି । ବୁଢ଼ୀଙ୍କର ନିଶ୍ଚିତ ଧାରଣା ହେଲା, ସଲୀଳା ଅଧ୍ୟାପକଙ୍କୁ ମନଖୋଲା କଥାବାର୍ତ୍ତାରେ ମନେଇ ନେଇଚି । ଦୁହଁଙ୍କର ଜୀବନ ଏକ ହେବା ପୂର୍ବରୁ ଦୁହେଁ ମଜଲିସରେ ବ୍ୟସ୍ତ ରହିବା ଅତି ସ୍ୱାଭାବିକ ଘଟଣା । ବୁଝିଲେ ଯୁଗଳ ବାବୁ, ପୁରୁଣାକାଳିଆ ବୁଢ଼ୀ ତ । ତାଙ୍କର ବା ଦୋଷ କ’ଣ ? ସ୍ତ୍ରୀ ପୁରୁଷର ସମ୍ପର୍କ ତ ସେମାନଙ୍କ ଆଖିରେ ନିଆଁ ଆଉ ଘିଅର ସମ୍ୱନ୍ଧ । ନିଆଁର ଏତେ ପାଖରେ ଘିଅ ଥାଇ ଯେ ସେ ପର୍ଯ୍ୟନ୍ତ ତରଳି ଯାଇନି, ଏଇଟାଇ ସେମାନଙ୍କ ନିକଟରେ ଅତି ଆଶ୍ଚର୍ଯ୍ୟ କଥା ।

 

ଆଃ, ତା’ପରେ କ’ଣ ହେଲା କୁହନ୍ତୁନା...ଯୁଗଳ ଭାଇ ଅତି ବ୍ୟସ୍ତ ଭାବରେ କହିଲେ ।

 

—କ’ଣ ଆଉ ହେବ ? ସିଗାରେଟର କୁଣ୍ତଳୀକୃତ ଧୂଆଁ ଭିତରେ ଶଙ୍କର ବାବୁ କହିବାରେ ଲାଗିଲେ—ତା’ ପରଦିନ ସକାଳେ ପୁଅଙ୍କ ନିକଟରେ ମାଆଙ୍କର ପ୍ରଥମ ପ୍ରଶ୍ନ ହେଲା.…ତୋର ତା’ହେଲେ ଏ ବିବାହରେ ମତ ଅଛି ?

 

ଅଧ୍ୟାପକ ପ୍ରଶ୍ନଟା ପ୍ରଥମେ ବୁଝି ପାରିଲେ ନାହିଁ । ଆଶ୍ଚର୍ଯ୍ୟ ହେବା ସଙ୍ଗେ ସଙ୍ଗେ ବ୍ୟଥାଭରା କଣ୍ଠରେ ସେ କହିଲେ — କାହାର ବିବାହ କଥା କହୁଚ ମା’ ? ମୁଁ ତ କାହାକୁ କିଛି ମତ ଦେଇନି ।

 

ପୁଅଙ୍କର ଉତ୍ତର ଶୁଣି ମା’ଙ୍କର ସବୁ ଆଶା, ଭରସା ମୁହୂର୍ତ୍ତକ ମଧ୍ୟରେ ଉଭେଇଗଲା । ସବୁ କଥା ସେ ମୂଳରୁ ଆରମ୍ଭ କଲେ...ସଲୀଳାକୁ ଏ ଘରେ ବୋହୂର ସମ୍ମାନ ଦେବାକୁ ହେବ । ଶିଶିରାର ସ୍ଥାନ ପୂରଣ କରିବାକୁ ସେଇ ହେଲା ଏକମାତ୍ର ଝିଅ । ରୂପରେ, ଗୁଣରେ, ବ୍ୟବହାରରେ ସମସ୍ତଙ୍କର ମନ ଜୟ କରି ପାରିଚି ।

 

ସ୍ନେହଶୀଳା ମା’ଙ୍କୁ କି ଉତ୍ତର ଦେବେ ଅଧ୍ୟାପକ ? ଜଣେ ଅବିବାହିତା ଯୁବତୀକୁ ଘର କାମ କରିବାର ସୁଯୋଗ ଦେଇ ପରେ ତାକୁ ପତ୍ନୀ ରୂପେ ଗ୍ରହଣ କରିବା ସାମାଜିକ କଳଙ୍କ ଛଡ଼ା ଆଉ କିଛି ନୁହେଁ । ଯେଉଁ ବିବାହରେ ସମାଜର ସମର୍ଥନ ମିଳିବାର ସମ୍ଭାବନା ନାହିଁ, ଜଣେ ଉଚ୍ଚଶିକ୍ଷିତ ପ୍ରତିଷ୍ଠିତ ଅଧ୍ୟାପକ କ’ଣ ତାକୁ କେବଳ ଜନ୍ମଦାତ୍ରୀଙ୍କର ଅନୁରୋଧରେ ସ୍ୱାଗତ କରି ପାରନ୍ତି ?

 

ଅଧ୍ୟାପକ ମା’ଙ୍କୁ ରୋକ୍‌ଠୋକ୍‌ ମନା କରିଦେଲେ—ଏ ବିବାହ କେତେବେଳେ ହୋଇ ପାରେନା । ଏଥିରେ ଅଗ୍ରସର ହେଲେ ଏ ପରିବାରକୁ ଆହୁରି ପ୍ରଳୟଙ୍କାରୀ ବିପଦ ଗ୍ରାସ କରିଯିବ-

 

ପୁଅକୁ ସଂସାରୀ କରିବାକୁ ମାଆଙ୍କର ସବୁ ଯୁକ୍ତି, ସବୁ ଅନୁରୋଧ ବିଫଳ ହୋଇଗଲା-। ଆଲୋଚନାରେ ପୂର୍ଣ୍ଣଚ୍ଛେଦ ଟାଣି ଅଧ୍ୟାପକ ଜାଗାଛାଡ଼ି ଚାଲିଯିବାକୁ ଶେଷକୁ ବାଧ୍ୟ ହେଲେ...

 

ଏତିକି କହି ଶଙ୍କର ବାବୁ ନିଜ ଆସନରେ ଶୋଇ ପଡ଼ିବାର ଉପକ୍ରମ କଲେ । କାହାଣୀର ଶେଷ ଅଧ୍ୟାୟ ଶୁଣେଇବାକୁ ତାଙ୍କର ଯେପରି ଆଉ ଆଗ୍ରହ ନାହିଁ କି ଉତ୍ସାହ ନାହିଁ ।

 

ତାଙ୍କର ଏ କ୍ଳାନ୍ତି ପାଇଁ କପେ ଚା’ ଆସିବା ନିହାତି ଦରକାର । କିନ୍ତୁ ଏ ମଧ୍ୟ ରାତ୍ରିରେ ରେଷ୍ଟୁରାଣ୍ଟରେ ଆମର ଫରମାସ ପୂରଣ କରିବ କିଏ ? ଦିନଯାକ ଖଟି ଖଟି ସମସ୍ତେ ତ ପ୍ରାୟ ବିଛଣା ଧରିଲେଣି ।

 

ଯୁଗଳ ଭାଇଙ୍କର ଡାକରାରେ ଶେଷକୁ ନକୁଳ ଆସିବାକୁ ବାଧ୍ୟ ହେଲା ।

 

ବିଚରା ନିଜର କର୍ତ୍ତବ୍ୟ ଶେଷ କରି ଦି’ଖଣ୍ତ ଶୁଖିଲା ରୁଟି ଓ କିଛି ତରକାରୀ ଖାଇବାକୁ ଉପକ୍ରମ କରୁଥିଲା ।

 

ଏହା ପୂର୍ବରୁ ଶଙ୍କର ବାବୁ ଏଥର ବହୁଥର ତାକୁ ଏମିତି ହଇରାଣ କରିଛନ୍ତି । ତେଣୁ ତା’ର ପୁନରାବୃତ୍ତି ହେଲା । ଖାଇବା ଛାଡ଼ି ନକୁଳ ଚାଲିଲା ପାଣି ଗରମ କରି ଚା’ ତିଆରି କରିବାକୁ-

 

ଚା’ ଆସିବାଯାଏ ବକ୍ତା, ଶ୍ରୋତା ତିନିହେଁ ନୀରବରେ ବସି ରହିଲୁ । ବିନା ପେଟ୍ରୋଲରେ କ’ଣ ଗାଡ଼ି ଚାଲେ ?

 

ଚା’ପାନ ପରେ ଶଙ୍କର ବାବୁ ପୁଣି ତାଜା ହୋଇ ଉଠିଲେ । କୌଣସି ପୂର୍ବାଭାସ ନ ଦେଇ ହଠାତ୍ ଇଂଜିନ୍‌ରେ ଷ୍ଟାର୍ଟ ଦେଲେ—

 

—ସଲୀଳା ଦେବୀଙ୍କର ଚିନ୍ତାର ଆଉ ଥଳକୁଳ ନାହିଁ । ଅନ୍ତରାଳରେ ସେ ସିନା ସାନଭାଇଙ୍କୁ ଏଯାଏ ଠକି ଆସିଚନ୍ତି । କିନ୍ତୁ ବୁଢ଼ୀଙ୍କର ଆକୁଳ ଆବେଦନକୁ ସେ କିପରି ପ୍ରତ୍ୟାଖାନ କରିବେ ?

 

ଏ ଚିନ୍ତାରୁ ଅବ୍ୟାହତି ନେବା ପାଇଁ କିଛିଦିନ ସକାଶେ ଗାଁକୁ ଯିବାକୁ ସେ ଅଧ୍ୟାପକଙ୍କ ନିକଟରେ ପ୍ରସ୍ତାବ ଦେଲେ । ମୁନିବ ଅଧ୍ୟାପକ ମଧ୍ୟ ଅରାଜି ହେଲା ନାହିଁ । ସଙ୍ଗେ ସଙ୍ଗେ ଛୁଟି ମଞ୍ଜୁର କରିଦେଲେ ।

 

କଲ୍ୟାଣପୁରରେ ଗୋଡ଼ ଦେବା ସଙ୍ଗେ ସଙ୍ଗେ ସଳୀଳାଙ୍କର ଭାଇ, ଭଉଣୀମାନେ ତାଙ୍କ ପାଖକୁ ଦୌଡ଼ି ଆସିଲେ । ଅପା ଆସିଛନ୍ତି ସହରରୁ ବହୁଦିନ ପରେ । ନିଶ୍ଚୟ କିଛି ମନଲାଖି ଜିନିଷ ଆଣିଥିବେ ।

 

ଆନନ୍ଦ, ଆହ୍ଲାଦ ପର୍ବ ସରିଲା । ସଲୀଳାଙ୍କର ମାଆ ଝିଅକୁ ପାଖକୁ ଡାକି କହିଲେ—

 

—ତୋର ଚେହେରା ଦିନକୁ ଦିନ କାହିଁକି ଏମିତି ହେଉଚି ଝିଅ ? କ’ଣ ତୋର ଅସୁବିଧା, ମତେ କହ । ପର ଘରେ ଦିନରାତି ଖଟି ଖଟି ତୋ ଦେହରେ ତ କଣ୍ଟା ରହିଲାଣି ।

 

ମାତୃହୃଦୟ ଶତଖଣ୍ତ ହୋଇ ଯାଉଚି ଦେଖି ସଲୀଳା ହସି ହସି ଉତ୍ତର ଦେଲେ—

 

—ପର ଘରେ ଅଛି ସତ, ହେଲେ ଖାଟେଣୀ ମୋର ସେଠି କିଛି ନାହିଁ ମା’ । ବରଂ ମୋରି କଥାରେ ସେ ଘରେ ଚାକର ଚାକରାଣୀମାନେ ଦିନରାତି କାମ କରୁଥାଆନ୍ତି ।

 

ମାଆଙ୍କର ମନ ବୁଝିଲା ନାହିଁ । ବିରକ୍ତିରେ ସେ କହିଲେ—କାହିଁକି ଏ ବଡ଼ ବଡ଼ କଥା ମତେ ଶୁଣୋଉଚୁ ? ପିଲା ପାଳିବା କାମ ଯେ କେତେ କଷ୍ଟ, ସେ କଥା ମୋର ଆଉ ଅଜଣା ନାହିଁ-। ମା’ ଛେଉଣ୍ତ ପିଲାକୁ ମଣିଷ କରିବା ସହଜ କାମ ନୁହେଁ ଝିଅ– ରକ୍ତକୁ ପାଣି ଫଟେଇଲେ ସେ କାମ ପୂରଣ ହୁଏ ।

 

ମା’ଙ୍କର କଥା ଶୁଣି ହସି ହସି ଗଡ଼ିଗଲେ ସଲୀଳା ଦେବୀ । ସେ କହିଲେ—

 

—ସେ କ’ଣ ଆଉ ପିଲା ହୋଇ ଅଛି ମା’ ? ଦିନ ଯେତିକି ଯାଉଚି, ସେ ସେତିକି ବଢ଼ୁଚି । ସେ ଏବେ ବଡ଼ ହୋଇ ଗଲାଣି । ଗଲା ବୃତ୍ତି ପରୀକ୍ଷାରେ ସେ ପ୍ରଥମ ହୋଇ ପାସ୍ କରିଚି । ମୁଁ ତା’ର ଆଉ ଯତ୍ନ ନେବି କ’ଣ ? ଆଉ କେତେଦିନ ପରେ ସେ ମୋର ଯତ୍ନ ନେବ, ମୋର ଭଲ ମନ୍ଦ କଥା ବୁଝିବ । ମା’ ମା’ ବୋଲି ଡାକି ସେ ଯେ ମତେ କେତେ ଭଲ ପାଏ... ?

 

ସଲୀଳାଙ୍କ କଥାରେ ବାଧା ଦେଇ ମାଆ କହିଲେ—ହଉ ଥାଉ, ପର ପୁଅକୁ ଭରସା କରି ସୁଖ ସ୍ୱପ୍ନ ତୁ ଆଉ ଦେଖ୍‍ନା । ତୁ କ’ଣ ତୋର ବୟସ କଥା ଭୁଲି ଯାଉଚୁ ?

 

—ତୁମେ ଭୁଲ୍‌ କହୁଚ ମାଆ–ମୁଁ ପର ବୋଲି ସେ ଆଦୌ ଜାଣେନା । ସେ ସମସ୍ତଙ୍କ ଆଗରେ କହି ବୁଲେ..ମୁଁ ତା’ର ଜନ୍ମିତ ମାଆ...

 

ସଲୀଳାଙ୍କ ଉତ୍ତରରେ ମାଆ ଆହୁରି ତେଜି ଉଠିଲେ । ତାଙ୍କର କଣ୍ଠରେ ଶାସନର କଠୋର ଇଙ୍ଗିତ ଥିଲା । ସେ କହିଲେ ଯେ’ ତତେ ଏବେ ମାଆ ବୋଲି କହିବୁଲୁଚି, ବଡ଼ ହେଲେ ଦିନେ ସେ ନିଶ୍ଚୟ ଜାଣିବ, ତୁ ତା’ର ରକ୍ତର କେହି ନେହୁଁ । ଏବର ଭଲ ପାଇବା ସେତେବେଳକୁ ଏତେ ଟିକିଏ ବି ନ ଥିବ–ଆଉ କେତେଦିନ ପରେ ସେ ତତେ ଚିହ୍ନି ପାରିବନି ଝିଅ—ଆଉ କେତେଦିନ ପରେ ସେ ତତେ ଚିହ୍ନି ପାରିବନି ଝିଅ–ଆଉ କେତେଦିନ ତୁ ସେ ମାୟାମୃଗ ପଛରେ ଗୋଡ଼େଇବୁ ? ୟେ’ ଦୁନିଆକୁ ମୁଁ ତୋଠାରୁ ବେଶୀ ଚିହ୍ନିଚି—ବେଶୀ ଜାଣିଚି । ଶୁଖିଲା ପତର ହୋଇ ରହିଲିଣି, କେତେବେଳେ ଝଡ଼ି ପଡ଼ିବି ତା’ର ଠିକଣା ନାହିଁ । ତୋର ଘର–ସଂସାର ଦେଖିଲେ ମୁଁ ଶାନ୍ତିରେ ଆଖି ବୁଜିବି ଝିଅ—ତୋ କୋଳରେ ପିଲାଟିଏ ନ ଆସିବାଯାଏ ମୁଁ ଏମିତି ଡହଳ ବିକଳ ହେଉଥିବି ।

 

ମାଆ ଆଉ କେତେ କ’ଣ କହିଥାନ୍ତେ । ଝିଅକୁ ଶୁଣେଇବା ପାଇଁ ଅନେକ କଥା ତାଙ୍କର ଥାକ ମରା ହୋଇଥିଲା ।

 

କିନ୍ତୁ ସଲୀଳାଙ୍କର ଧୈର୍ଯ୍ୟଶକ୍ତି ସେତେ ପାକଳ ହୋଇନାହିଁ । ଚୁମ୍ୱକରେ ସେ ସବୁ ବିଷୟ ଜାଣିବାକୁ ଚାହାନ୍ତି । କଥାକୁ ଲମ୍ୱେଇଲେ ଲମ୍ବୁଥିବ—

 

ହସି ହସି ସଲୀଳା କହିଲେ—ବାହା ହେବାକୁ ଅରାଜି ନାହିଁ ମାଆ—ପର ଘରକୁ ବୋହୂ ହୋଇ ଯିବାକୁ ମୋର ମନ ଅଛି, ସାହସ ବି ଅଛି । କିନ୍ତୁ ମୋ ପାଇଁ ପାତ୍ର କାହିଁ ? କିଏ ମତେ ସ୍ତ୍ରୀ ବୋଲି ଗ୍ରହଣ କରିବ, କୁହ ?

 

–ବରପାତ୍ର ମହଜୁଦ୍‌ ଅଛି ଝିଅ । ତୁ ‘ହଁ’ କହିଲେ ଦିନ ଆଠଟାରେ ମୁଁ ସବୁ ଯୋଗାଡ଼ କରିଦେବି ।

 

ମାଆ ଯେ ଗାଁରେ ଥାଇ ବରପାତ୍ର ଠିକଣା କରିବାରେ ଲାଗିଛନ୍ତି, ଏକଥା ସଲୀଳା ଚିନ୍ତା ମଧ୍ୟ କରି ନ ଥିଲେ । କଥାଟା ସତ କି ମିଛ ଜାଣିବା ପାଇଁ ସେ ଅତି ଲଘୁ କଣ୍ଠରେ କହିଲେ–

 

—ତୁମେ ତା’ହେଲେ ଦୁଆର ଦୁଆର ବୋଲି ଝିଅ ପାଇଁ ଯୋଡ଼ିଦାର ଠିକ୍‌ କରିବାରେ ଲାଗିଯାଇଚ ? ଏ କଷ୍ଟ କାହିଁକି କରୁଚ ମା’ ? ଫଳ ବିପରୀତ ହେଲେ ଦୁଃଖର ମାତ୍ରା ତୁମର ଆହୁରି ବଢ଼ିଯିବ ।

 

ଝିଅର ଭବିଷ୍ୟତ ସୁଖ ପାଇଁ ମାଆଙ୍କର ଅନ୍ତର କିନ୍ତୁ ପ୍ରକୃତରେ ବଥେଇ ହେଉଥିଲା । ସଲୀଳାଙ୍କର ପାଖକୁ ଘୁଞ୍ଚିଆସି ସେ କହିଲେ—

 

—ଦୁଆର ଦୁଆର ବୁଲି ମୁଁ ବରପାତ୍ର ଖୋଜୁନି ଝିଅ, ବରପାତ୍ର ନିଜେ ଚିଠି ଲେଖି ତା’ର ସମ୍ମତି ଜଣେଇଚି ।

 

—ଚିଠି ? କିଏ ତୁମ ପାଖକୁ ଚିଠି ଦେଇଚି ମାଆ ?

 

—କେମିତି ଜାଣିବି ? ନାଁ, ଗା, ଠିକଣା କିଛି ଲେଖି ନାହିଁ । ତେବେ ତେବେ ତୋ ବିଷୟରେ ସେ ସବୁ ଜାଣେ । ତତେ ବିବାହ କଲେ ତା’ର ଜୀବନ ଧନ୍ୟ ହେବ ବୋଲି ଚିଠିରେ ସେ ତୁହାଇ ତୁହାଇ ଲେଖିଚି ।

 

ଏକଥା ଶୁଣି ସଲୀଳାଙ୍କର ହସ ହସ ମୁହଁଟି ଏକାବେଳେକେ ଝାଉଁଳି ଗଲା । ତାଙ୍କର ଅଜ୍ଞାତରେ ଏ କି ପ୍ରହସନ ଲାଗିଚି । ପତ୍ର ଜରିଆରେ ଭାବୀସ୍ୱାମୀଙ୍କର କାତର ନିବେଦନ !!

 

ସଲୀଳା ଏଥର ଶକ୍ତ ହୋଇ ଉଠିଲେ । ମାଆଙ୍କ ପ୍ରତି କଟାକ୍ଷ ଦୃଷ୍ଟି ପକାଇ ସେ କହିଲେ–ଏ ବେନାମୀ ଚିଠିକୁ ତୁମେ ସତ ବୋଲି ଭାବିବା ଠିକ୍‌ ନୁହେଁ । ନାଁ, ଗାଁ, ଦେବାର ଯାହାର ସତ୍‌ସାହସ ନାହିଁ, ସେ କ’ଣ କେବେ ତୁମ ଝିଅକୁ ଗ୍ରହଣ କରିପାରେ ? ଧରି ନିଅ ଏ ପ୍ରସ୍ତାବରେ ମୁଁ ରାଜି । ତୁମେ ତାକୁ ଏ ଖବର ଜଣେଇବ କିପରି ? ଚିଠିରେ ଠିକଣା ତ ନାହିଁ ।

 

ମାଆଙ୍କଠାରୁ ସଙ୍ଗେ ସଙ୍ଗେ ଉତ୍ତର ମିଳିଲା—ହଁ, ଚିଠିରେ ସେ ଏକଥା ବି ଲେଖିଚି, ମାସକ ପରେ ପୁଣି ଚିଠି ଦେଇ ସେ ଆମର ମତାମତ ଜାଣିଯିବ । ଦ୍ୱିତୀୟ ଚିଠିରେ ସେ ତା’ର ପୂରା ଠିକଣା ଦେବ ବୋଲି ମଧ୍ୟ ଲେଖିଚି ।

 

ସଲୀଳାଙ୍କର ଚିନ୍ତା କରିବାର ଖୋରାକ୍‌ ଯଥେଷ୍ଟ ବଢ଼ିଗଲା । କିଏ ଏହି ନେପଥ୍ୟେ ନାୟକ !! ଜଣେ ବୃତ୍ତିଜୀବୀ ସେବିକାର ଭାଗ୍ୟ ସହିତ ନିଜକୁ ସାମିଲ୍‌ କରିବାକୁ ଚାହେଁ ?

 

ଖାଲି ଚିନ୍ତା, ଭାବନାରେ ଏ ପ୍ରହେଳିକାର ସମାଧାନ ହୋଇ ପାରେନା । ଚିଠିଟି ତେଣୁ ନିଜେ ଦେଖିବା ପାଇଁ ସଲୀଳା ଜିଦ୍‌ ଧରି ବସିଲେ । ପ୍ରଥମେ ମାଆଙ୍କର ଆପତ୍ତି ଥିଲେ ମଧ୍ୟ ଝିଅର ସନ୍ଦେହ ଦୂର କରିବା ପାଇଁ ସେ ଚିଠିଟି ସଲୀଳାଙ୍କ ହାତକୁ ଶେଷରେ ବଢ଼େଇ ଦେଲେ ।

 

ଚିଠି ଦେଖି ସଲୀଳା ଅବାକ୍‌ ! ଏ ପର୍ଯ୍ୟନ୍ତ ତାଙ୍କର ଧାରଣା ଥିଲା ଯେ, ଜଣେ ବଦଖିଆଲୀ ଲୋକର ଏ ହୁଏତ ସାମୟିକ ଉତ୍ତେଜନାର ପରିପ୍ରକାଶ । କିନ୍ତୁ ଚିଠିରେ ଅତି ପରିଚିତ ଲୋକର ହସ୍ତାକ୍ଷର ଦେଖି ସଲୀଳାଙ୍କ ବୁକୁ ଭିତରେ ସୃଷ୍ଟି ହେଲା ପ୍ରବଳ ଭୂମିକମ୍ପ ।

 

...ଏଇ ତେବେ ପୁରୁଷତ୍ୱର ନମୁନା ? ବାରମ୍ବାର ମନା କଲେ ମଧ୍ୟ ଏମିତି ନିର୍ଲଜ ଭାବରେ ସେ ପ୍ରସ୍ତାବ ଦେଇ ଚାଲିଛନ୍ତି ? ଚିଠିଟି ମାଆଙ୍କ ହାତକୁ ବଢ଼େଇ ଦେଇ ସଲୀଳା ମନକୁ ମନ ଗୁମୁରି ଉଠିଲେ ।

 

—ତୁ କ’ଣ ଏ ଲୋକକୁ ଜାଣୁ ଝିଅ ? ଶଙ୍କିତ ହୃଦୟରେ ମାଆ ପ୍ରଶ୍ନ କଲେ ଟିକିଏ ପରେ ।

 

—ଜାଣେ ମାନେ; ୟାଙ୍କ ସହିତ ମୋର ରୋଜ ଦେଖାସାକ୍ଷାତ ହୁଏ । ବହୁବାର ମୁଁ ତାଙ୍କ ବାରଣ କରିଚି । ୟେ’ ଜନ୍ମରେ ତାଙ୍କ ସହିତ ମୋର ମିଳନ ସମ୍ଭବ ନୁହେଁ । ଏକଥା ତାଙ୍କୁ ସ୍ପଷ୍ଟ କହିଦେବା ପରେ ମଧ୍ୟ ଚିଠି ଲେଖି ତୁମ ମନରେ ଆଶା ବୈତରଣୀ ସୃଷ୍ଟି କରିବାର କି ଦରକାର ଥିଲା ?

 

—ଆଃ, ସେ କିଏ ମତେ ଟିକିଏ ବୁଝେଇ କହ...

 

—କ’ଣ ଆଉ କହିବି ମାଆ ? ମୁଁ ଯେଉଁ ପିଲାର ଦାୟିତ୍ୱ ନେଇଚି, ୟେ’ ହେଲେ ତାରି ଦାଦା । ବଡ଼ ଅଫିସରେ ଚାକିରି କରୁଚନ୍ତି—ହେଲେ ଆତ୍ମମର୍ଯ୍ୟାଦା ଜ୍ଞାନ ବିଲ୍‌ କୁଲ୍‌ ନାହିଁ ।

 

ହତାଶ ହେବା ପରିବର୍ତ୍ତରେ ମା’ଙ୍କର ଉତ୍ସାହ, ଆଗ୍ରହ ଆହୁରି ବଢ଼ିଗଲା । ତୃପ୍ତିର ନିଃଶ୍ୱାସ ମାରି ସେ କହିଲେ–ଏ ପ୍ରସ୍ତାବରେ ଅମତ ହେବାର ପ୍ରଶ୍ନ ଉଠୁନି ଝିଅ । ପାଠପଢ଼ି ଚାକିରି କରୁଚି–ବଡ଼ ଘର–ମନଖୋଲା । ଏମିତି ସୁନାଚାନ୍ଦ ବରପାତ୍ରକୁ ଦୂରକୁ ଠେଲିଦେଇ ଜଣେ ବାହାକଲା ପୁରୁଷ ସହିତ ସମ୍ପର୍କ ରଖିବା ତୋର କ’ଣ ଠିକ୍‌ ହେଉଚି ?

 

ମା’ଙ୍କର ଶେଷ ଟିପ୍‌ପଣୀଟା ସଲୀଳାଙ୍କୁ ଖୁବ୍‌ ବାଧିଲା । ରାଗ ଗର ଗର ହୋଇ ସେ ପ୍ରତିବାଦ କରି କହିଲେ—

 

—କାହିଁକି ଏ ଅବାନ୍ତର କଥା କହୁଚ ମା’ ? ମୁନିବ ସହିତ ମୋର ଯେଉଁ ସମ୍ପର୍କ, ତାକୁ ଅପବିତ୍ର, ଅପରାଧ ବୋଲି କହିବାକୁ ଜଗତରେ କାହାରି ସାଧ୍ୟ ନାହିଁ । ଏପରି ନୀତିମାନ, ଉଜ୍ଜଳ ଚରିତ୍ରର ଲୋକ ଆଜିକାଲିକାର ଦୁନିଆରେ ଦେଖିବାକୁ ସହଜରେ ମିଳେନା ମା’ । ସେ ଅତି ଶୁଦ୍ଧ । ଚରିତ୍ରଗତ ଦୁର୍ବଳତା ତାଙ୍କର ଆଦୌ ନାହିଁ । ନିଜର ଅହଙ୍କାର ରକ୍ଷାକରି ସ୍ତ୍ରୀ ଘର ଛାଡ଼ିଗଲା—ଆଜିଯାଏ ସେ ଦର୍ପ ତା’ର ଭାଙ୍ଗିନାହିଁ । ତଥାପି ଭଦ୍ରଲୋକ ତାକୁଇ ଫେରି ପାଇବାକୁ ଝୁରି ହେଉଛନ୍ତି । ମତେ ଧରି ନୂଆ ସଂସାର ଗଢ଼ିବାକୁ ତାଙ୍କର ମାଆ କେତେ ଅନୁନୟ ବିନୟ କରି କହୁଚନ୍ତି, ହେଲେ ତାଙ୍କ ନିଷ୍ପତ୍ତିରେ ସେ ଅଟଳ । ବିବାହିତ ସ୍ତ୍ରୀଛଡ଼ା ଅନ୍ୟ କାହାରି ଛବି ତାଙ୍କ ହୃଦୟରେ ନାହିଁ ।

 

ସଲୀଳାଙ୍କ ପ୍ରତିବାଦ ଶୁଣି ମା’ ବାଧ୍ୟ ହୋଇ କହିଲେ—ତା’ ହେଲେ ତାଙ୍କ ସହିତ ତୋର ହାତଗଣ୍ଠି ପଡ଼ିଯିବା ନିହାତି ଦରକାର । ମୋର କୌଣସି ଆପତ୍ତି ନାହିଁ ଝିଅ–ତୋର ଯେଉଁଠି ମନ ମାନୁଚି, ତୁ ସେଇଠି ବାହାକର ।

 

ଆଲୋଚନା ଆଉ ସହ୍ୟ ହେଲା ନାହିଁ ସଲୀଳାଙ୍କର । ଗଲା କେତେଦିନ ହେଲା ସେ କେବଳ ଏଇ ବାହାଘର କଥାଇ ଶୁଣୁଚନ୍ତି । ସହରରୁ ମଫସଲକୁ ଆସିଲେ, ତଥାପି ସେଥିରୁ ତାଙ୍କୁ ନିଷ୍କୃତି ମିଳିଲା ନାହିଁ ।

 

ପ୍ରକୃତରେ ସଲୀଳା ଦେବୀ ଅତିଷ୍ଠ ହୋଇ ଉଠିଲେ । ଭାଇ, ଭଉଣୀମାନଙ୍କ ସହିତ ହସିଖେଳି ଦିନ କେତେଟା ବିତେଇ ଦେବା ଆଉ ସମ୍ଭବ ହେଲା ନାହିଁ ।

 

ମାତ୍ର ଚାରିଦିନ ପରେ ସେ ପୁଣି ଫେରି ଆସିଲେ ତାଙ୍କର କର୍ମକ୍ଷେତ୍ରକୁ । ଟୁକୁର ସେଇ ପୁରୁଣା ଅଭିଯୋଗ ଆରମ୍ଭ ହୋଇଗଲା...ମତେ ଛାଡ଼ି କେଉଁଠି କି ଯାଇଥିଲ ? କାହିଁକି ଯାଇଥିଲ-? ମତେ ନ କହି ଚାଲିଗଲ କାହିଁକି ?

 

...ଘଟଣାର ଅଗ୍ରଗତି ବୋଧହୁଏ ଯୁଗଳ ଭାଇଙ୍କର ମନକୁ ପାଇଲା ନାହିଁ । ସେ ତେଣୁ ଅସନ୍ତୋଷ ପ୍ରକାଶ କରି କହିଲେ—

 

—ଆପଣଙ୍କର ମତଲବ ମୁଁ କିଛି ବୁଝିପାରୁନି ଶଙ୍କର ବାବୁ । ଆପଣଙ୍କ କାହାଣୀ ଗୋଟିଏ ଜାଗାରେ ସବୁବେଳେ ଘୁରୁଚି । ସେଇ ପୁରୁଣା ଦୃଶ୍ୟ, ସେଇ ପୁରୁଣା କଥାକୁ ଆପଣ ଓଲଟପାଲଟ କରିବାରେ ଲାଗିଛନ୍ତି । ନାଃ—ବଡ଼ ଏକଘାଇଁଆ ଲାଗିଲାଣି । ଆପଣଙ୍କ ଗଳ୍ପର ଆରମ୍ଭ ଅଛି ସତ, ହେଲେ ଶେଷ ନାହିଁ ।

 

ଏ ଧରଣର କଟୁ ଟିପ୍‍ପଣୀରେ ଶଙ୍କର ବାବୁ ହୁଏତ ରାଗରେ ଗର୍ଜି ଉଠିବେ ବୋଲି ମୁଁ ଭାବିଥିଲି । କିନ୍ତୁ ତାଙ୍କ ମୁହଁରେ ରାଗର ଚିହ୍ନବର୍ଣ୍ଣ ବି ଦେଖାଗଲା ନାହିଁ । ପୂର୍ବ ଅପେକ୍ଷା ସେ ବରଂ ଆହୁରି ସତେଜ ଦେଖାଗଲେ । ସେ ହସ ହସ ମୁହଁରେ ଯୁଗଳ ଭାଇଙ୍କୁ ଉତ୍ତର ଦେଲେ—

 

—କାହାଣୀ ଶୁଣିବା ଲୋକର ଧୈର୍ଯ୍ୟ, କାହାଣୀ କହିବା ଲୋକ ସବୁବେଳେ ପରୀକ୍ଷା କରି ଚାଲିଥାଏ । ଗଳ୍ପର ସମାପ୍ତି, ଶୁଣିବାକୁ ଆଗ୍ରହ ପ୍ରକାଶ ପାଇଲେ ଗଳ୍ପର ବିଷୟ ବସ୍ତୁ ଯେ ମନକୁ ଛୁଇଁ ପାରିଚି, ଏକଥା ଆପେ ଆପେ ପ୍ରମାଣିତ ହୋଇଯାଏ । ଆଉ ଭୟ ନାହିଁ ବନ୍ଧୁ, ଭରା ନଈର ପ୍ରଖର ସ୍ରୋତରେ ଭାସି ଭାସି ଆମେ ଏବେ ନିଶ୍ଚୟ କୂଳରେ ଲାଗିଯିବା । ସମୟ ଖୁବ୍‌ ପାଖେଇ ଆସିଲା ।

 

...ଅଧାପୋଡ଼ା ସିଗାରେଟ୍‌କୁ ଦୂରକୁ ଫିଙ୍ଗି ଦେଇ ନିଜ ଆସନରେ ପୂର୍ବ ଅପେକ୍ଷା ଆହୁରି ମଜଭୁତ ହୋଇ ବସି ଶଙ୍କର ବାବୁ ଆରମ୍ଭ କଲେ କାହାଣୀର ଶେଷ ପର୍ଯ୍ୟାୟ...

 

...ସଲୀଳା ଦେବୀ ଗାଁରୁ ଫେରି ପ୍ରଥମେ ମନେ ମନେ ଖୋଜି ବସିଲେ ଅଧ୍ୟାପକଙ୍କର ସାନଭାଇଙ୍କୁ । ସୁଯୋଗ ବି ମିଳିଗଲା । ଦିନେ ନିରୋଳାରେ ତାଙ୍କୁ ଦେଖି ସଲୀଳା ଅସହିଷ୍ଣୁ ଗଳାରେ କହିଲେ—ଆପଣ ଯେ’ କ’ଣ, ମୁଁ କିଛି ଭାବି ପାରୁନି । ଶେଷ ପର୍ଯ୍ୟନ୍ତ ଆପଣ କଥାଟାକୁ ମୋ ମାଆଙ୍କ କାନକୁ ନେଇଗଲେ ? ଛି–ଛି, ଲାଜରେ ମୋ ମୁଣ୍ଡ ତଳକୁ ହୋଇଗଲା ।

 

ନିର୍ଲିପ୍ତ କଣ୍ଠରେ ସାନଭାଇ ଉତ୍ତର ଦେଲେ—କାହିଁକି ? ଲାଜରେ ମୁଣ୍ଡ ତଳକୁ ହୋଇଯିବା କାରଣ ତ ମୁଁ କିଛି ଦେଖୁନାହିଁ । ବାହାଘରର ପ୍ରସ୍ତାବ ସମସ୍ତେ ଯେମିତି ଦେଇଥାନ୍ତି, ମୁଁ ସେମିତି ଦେଇଥିଲି । ସେଭଳି ପ୍ରସ୍ତାବ ଦେବା ତ ଆଇନସମ୍ମତ । ମୋର ଦୋଷ ରହିଲା କେଉଁଠି-?

 

—ପ୍ରସ୍ତାବ ଦେବା ଦୋଷାବହ ନୁହେ ସତ; କିନ୍ତୁ ବିରକ୍ତିକର ନିଶ୍ଚୟ । ମୋ ନିକଟରେ ପ୍ରସ୍ତାବ ଦେଇ ଫେଲ୍‌ ମାରିଲା ପରେ ଆପଣ ମୋ ମାଆଙ୍କୁ ପତ୍ର ଜରିଆରେ ପ୍ରବର୍ତ୍ତେଇବା ଠିକ୍ ହେଲା କି ଭୁଲ୍‌ ହେଲା, କୁହନ୍ତୁ ।

 

ସଲୀଳା ହୁଏତ ଆହୁରି ବିଷୋଦ୍‌ଗାର କରିଥାନ୍ତେ । କିନ୍ତୁ ସାନଭାଇ ତାଙ୍କ କଥାରେ ବାଧା ଦେଇ କହିଲେ—

 

—ମୋର ହୁଏତ ଭୁଲ୍‌ ହୋଇପାରେ । କିନ୍ତୁ ଆପଣ ଠିକ୍‌ ବାଟରେ ଚାଲିଚନ୍ତି । ଭାଇଙ୍କ ଗଳାରେ ମାଳା ଦେବାକୁ ଆଉ ତ ଅଳ୍ପଦିନ ରହିଲା । ଭବିଷ୍ୟତରେ ଆଉ ପ୍ରସ୍ତାବ ଉଠିବାର ଭୟ ନାହିଁ ।

 

—କିଏ ଆପଣଙ୍କୁ ଏ ଭୁଲ୍‌ ଖବର ଦେଇଚି ? ସଲୀଳା ଦୃଢ଼ କଣ୍ଠରେ ପ୍ରଶ୍ନ କଲେ ?

 

—ଖବର ନୁହେଁ–ସୁ-ଖବର...ଆପଣ ଲୁଚୋଉଛନ୍ତି କାହିଁକି ? ସତଟା କ’ଣ କେତେବେଳେ ମିଛ ହୋଇପାରେ ?

 

ସାନଭାଇର ଟାଣୁଆ ଉତ୍ତରରେ ସଲୀଳା ଆଉ ଭାଷା ପାଇଲେ ନାହିଁ ପ୍ରତିବାଦ ଜଣେଇବାକୁ । ସେ ସୁଯୋଗ ମଧ୍ୟ ସାନଭାଇ ତାଙ୍କୁ ଦେଲେ ନାହିଁ । ମୁହଁରେ ଯଥାସମ୍ଭବ ଜୋର ରଖି ସାନଭାଇ ପୁଣି କହିଲେ—

 

—ଆପଣଙ୍କ ଚଲାପଥରେ କଣ୍ଟାରୋପଣ ହେବାର ଆଉ ଭୟ ନାହିଁ । କିଛି ଦିନ ପାଇଁ ଶତ୍ରୁ ଆପେ ଆପେ ବିଦାୟ ନେଉଚି ଏ ଘରୁ ।

 

ଆପଣ ନୂଆବୋଉର ପଦମର୍ଯ୍ୟାଦା ପାଇବା ପରେ ଭକ୍ତି ଅର୍ଘ୍ୟ ଟେକି ଦେବାକୁ ଦିନେ ହୁଏତ ଫେରିପାରେ ।

 

ସଲୀଳା ଆଉ ନିଜକୁ ସମ୍ଭାଳି ରଖିପାରିଲେ ନାହିଁ । ଯାହାଙ୍କୁ ସେ ଅତୀତରେ ସବୁଦିନ ଏଡ଼େଇ ଏଡ଼େଇ ଆସିଚନ୍ତି, ଆଜି ତାଙ୍କରି ସାନ୍ନିଧ୍ୟ ଅତି ଜରୁରୀ ହୋଇ ପଡ଼ିଲା । ସାନଭାଇଙ୍କର ଅତି ନିକଟକୁ ଘୁଞ୍ଚିଯାଇ ତାଙ୍କର ଦୁଇଟି ହାତ ଧରି ଅତି ଆକୁଳ କଣ୍ଠରେ ସଲୀଳା ଦେବୀ କହିଲେ–

 

—ନା–ନା, ମତେ ଆପଣ ଭୁଲ ବୁଝନ୍ତୁ ନାହିଁ । ମୋର ପାରିପାର୍ଶ୍ୱିକ ଅବସ୍ଥା, ମୋର ବିପଦ ଥରେ ଚିନ୍ତା କରନ୍ତୁ । ମୁଁ ନିରୁପାୟ । ମୁଁ ଯେବେ ଆପଣଙ୍କ ଭାଇଙ୍କର ଅଙ୍କ ମଣ୍ଡନ କରେ, ତେବେ ମନେରଖନ୍ତୁ, ସେଇଟା ନିଶ୍ଚୟ ମୋର ଇଚ୍ଛା ବିରୁଦ୍ଧରେ...

 

ସଲୀଳାଙ୍କର କଣ୍ଠସ୍ୱର କ୍ରମଶଃ ଘନ ହୋଇ ଆସିଲା । ଅଶ୍ରୁ ସଜଳ ଆଖିରେ ସେ ଚାହିଁ ରହିଲେ କିଛି ସମ୍ବେଦନ ପାଇବା ଆଶାରେ ।

 

କିନ୍ତୁ ହାୟ, ଯାହାଙ୍କର ସାନ୍ନିଧ୍ୟ ଦିନେ ସାନଭାଇଙ୍କର ଶରୀରରେ ଶିହରଣ ସୃଷ୍ଟି କରୁଥିଲା, ଆଜି ସେଇ ସଲୀଳାଙ୍କର ଆବେଗପୂର୍ଣ୍ଣ ସ୍ପର୍ଶ ତାଙ୍କୁ ଟିକିଏ ହେଲେ ବିଚଳିତ ବା ବିଗଳିତ କରି ପାରିଲା ନାହିଁ । ଭ୍ରୃକୁଞ୍ଚନ କରି ସେ ସଲୀଳାଙ୍କୁ ଉତ୍ତର ଦେଲେ—

 

—ଥାଉ ସଲୀଳା ଦେବୀ । ମୁଁ ଭାବିଥିଲି ସଲୀଳ ପରି ଆପଣଙ୍କ ମନ ସ୍ୱଚ୍ଛ, ପବିତ୍ର । ହେଲେ କଳୁଷିତ ମନ ନେଇ ଆପଣ ଆଜି ପଥଚ୍ୟୁତା । ମନେରଖନ୍ତୁ ଦେବୀ, ଗୋଟିଏ କାନି ପଣତରେ ଦୁଇ ଜଣଙ୍କୁ ସମାନ ଭାବରେ ବାନ୍ଧି ରଖି ହୁଏନା...

 

ସାନଭାଇ ଆଉ ଗୋଟାଏ ମୁହୂର୍ତ୍ତ ଅପେକ୍ଷା ନ କରି ସଲୀଳାଙ୍କ ପାଖରୁ ଚାଲିଗଲେ । ଏଣେ ସଲୀଳାଙ୍କର ଆଖିରୁ ଅଜସ୍ର ଲୁହଧାର ଛୁଟି ଚାଲିଥାଏ । କନିଷ୍ଠଙ୍କଠାରୁ ଏପରି କୁତ୍ସିତ ଇଙ୍ଗିତ ପାଇବେ ବୋଲି ସେ ସ୍ୱପ୍ନରେ ସୁଦ୍ଧା ବିଶ୍ୱାସ କରି ନ ଥିଲେ । ମନର ବେଦନା କାହାକୁ ବା କହିବେ ସେ ? ସାନ୍ତ୍ୱନା ଦେବାକୁ କେହି ନାହାନ୍ତି । କାନ୍ଦି କାନ୍ଦି ତାଙ୍କର ମୁହଁ, ଆଖି ଫୁଲିଗଲା । କୋହ ପରେ କୋହ ଉଠିଲା ତାଙ୍କର । ଅଧ୍ୟାପକଙ୍କ ଘରେ ମୋଟା ଦରମାରେ ଚାକିରି କରିବାକୁ ଆସି କି ବିଷମୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଚି ? ୟା’ର ଶେଷ କେଉଁଠି ? ଏ ଦହନର ସମାପ୍ତି ଅଛି ନା ନାହିଁ ?

 

...ଯୁଗଳ ଭାଇ ଏଇଠି ଚିତ୍କାର କରି ଉଠିଲେ–ବନ୍ଦ କରନ୍ତୁ ଶଙ୍କର ବାବୁ, ଆଉ ଆମର କାହାଣୀ ଶୁଣିବା ଦରକାର ନାହିଁ । ଏଯାଏ ନାୟିକା ତ ବେଶ୍‌ ହସ ଆନନ୍ଦ ଭିତରେ ମସଗୁଲ ଥିଲେ । ଶେଷରେ ଆପଣ ତାଙ୍କୁ କନ୍ଦେଇବା ଆରମ୍ଭ କରି ଦେଲେଣି । ନା–ଆଉ ଆମର ଧୈର୍ଯ୍ୟ ନାହିଁ । ଲହୁଲୁହ ଭିତରେ ସନ୍ତୁଳି ହେବା ଅପେକ୍ଷା ଘରକୁ ଫେରିଯିବା ବରଂ ଶ୍ରେୟସ୍କର ।

 

ଉତ୍ତର ଦେବା ପୂର୍ବରୁ ଶଙ୍କର ବାବୁ ମୋ ଆଡ଼କୁ ଚାହିଁ ତାନେ ହସିଲେ ।

 

ସେ କହିଲେ–ଦେଖନ୍ତୁ ଯୁଗଳ ବାବୁ, ହସକାନ୍ଦର ଦୁନିଆ ଭିତରେ କେବଳ ହସି ହସି କାହାର ଜୀବନ କଟିଯାଏ ନାହିଁ । ସମସ୍ତଙ୍କୁ ଦିନେ ନା ଦିନେ କାନ୍ଦିବାକୁ ହୁଏ । ସଲୀଳା ଦେବୀ ଏଥିରୁ ବାଦ୍‌ ପଡ଼ିଯିବେ କିପରି ? ସେଇ କାନ୍ଦ ପରେ ସେ ଯେଉଁ ମହା ପରୀକ୍ଷାର ଶୀକାର ହେଲେ, ସେ ଘଟଣା ନ ଶୁଣିଲେ ମୁଁ ଆପଣଙ୍କୁ ବିଦାୟ ଦେଇ ପାରିବି ନାହିଁ ?

 

—ମହା ପରୀକ୍ଷା ? ଯୁଗଳ ଭାଇ ମନକୁ ମନ ପ୍ରଶ୍ନ କଲେ ।

 

—ହଁ, ଶୁଣନ୍ତୁ ନା...ସ୍ମିତହାସ୍ୟରେ ପୁଣି କହି ଚାଲିଲେ ଶଙ୍କର ବାବୁ–ଟୁକୁ ବୃତ୍ତି ପରୀକ୍ଷାରେ ପ୍ରଥମ ହୋଇ ପାଶ୍‌ କରିବାର ଖବର ତା’ର ଫଟୋ ସହିତ ସମ୍ବାଦପତ୍ରରେ ପ୍ରକାଶ ପାଇଲା । ପୂର୍ବର ସମସ୍ତ ରେକର୍ଡ ଭଙ୍ଗ କରି ସେ କୃତୀତ୍ୱ ହାସଲ କରିଛି । ଖବରକାଗଜରେ ଟୁକୁର ସଂକ୍ଷିପ୍ତ ପରିଚୟ ଦେବାକୁ ଯାଇ ସମ୍ପାଦକ ଅଧ୍ୟାପକଙ୍କ ନାମ ସହିତ ଶିଶିରା ଦେବୀଙ୍କର ନାମ ମଧ୍ୟ ଯୋଗ କରିଥିଲେ । ଆମର ଅଙ୍ଗେ ଲିଭେଇବା କାହାଣୀର ଚକ ଘୁରିଲା ଏଇଠି । ଦିନେ ଏକ ଉଜ୍ଜଳ ପ୍ରଭାତରେ ଶିଶିରା ଦେବୀ ଅଧ୍ୟାପକଙ୍କର ସଦର ଦରଜାକୁ ଆସି କଲିଂ ବେଲ୍‌ ଟିପିଲେ ।

 

ଘର ମଣିଷ ଯେତେବେଳେ ପର ହେବାର ସଂକଳ୍ପରେ ଆତ୍ମଗୋପନ କରିଥିଲେ, ଭିତରକୁ ସିଧା ସିଧା ଚାଲିଯିବାର ସତ୍‌ସାହସ ବା ତାଙ୍କର ଆସନ୍ତା କୁଆଡ଼ୁ ?

 

ଶିଶିରା ଦେବୀଙ୍କର ବେଶଭୂଷାରେ ଆଗର ସେଇ ନଗ୍ନ ସଭ୍ୟତାର ଉତ୍କଟ ଗନ୍ଧ ନ ଥିଲା । ପିନ୍ଧିଥିଲେ ସଫେତ୍‌ ଧଳା ଶାଢ଼ିଟିଏ । ସୋ, ପାଉଡ଼ର ବା ଲିପ୍‌ଷ୍ଟିକର ବହଳ ପ୍ରଲେପ ନ ଥିଲା ମୁହଁରେ ।

 

ଜଣେ ସାଧାରଣ ନାରୀ !!

 

ଘରର ନୂଆ ଚାକରକୁ ଦେଖିବା ସଙ୍ଗେ ସଙ୍ଗେ ଶିଶିରା ଦେବୀ ପ୍ରଶ୍ନ କଲେ—

 

—ବାବୁ ଘରେ ଅଛନ୍ତି ?

 

—ହଁ, ଗାଧୁଆ ଘରେ ଅଛନ୍ତି । ଆପଣଙ୍କ ନାଁ କୁହନ୍ତୁ, ଖବର ଦେବି ? ...ଚାକରଟି ଖୋଲାଖୋଲି ଉତ୍ତର ଦେଲା ।

 

ଶିଶିରା ଦେବୀ ସାମାନ୍ୟ ବିବ୍ରତ ଗଳାରେ କହିଲେ—ବାବୁ ଗାଧୁଆ ଘରେ ଅଛନ୍ତି ? ଆଚ୍ଛା, ତେବେ ବାବୁଙ୍କର ପୁଅକୁ ଡାକିଦିଅ ।

 

ଠିକ୍‌ ଏଇ ସମୟରେ ଟୁକୁ ସେ ଜାଗାରେ ପହଞ୍ଚିଗଲା । ଚାକରକୁ ଆଉ ଭିତରକୁ ଯିବାକୁ ପଡ଼ିଲା ନାହିଁ । ସେ କହିଲା—ଏଇତ ଟୁକୁ ବାବୁ ଆସି ଗଲେଣି ।

 

ଶିଶିରା ଦେବୀ ପୁଅକୁ ଦେଖୁ ଦେଖୁ ନିଜକୁ ଆଉ ସମ୍ଭାଳି ପାରିଲେ ନାହିଁ । ସଙ୍ଗେ ସଙ୍ଗେ ଟୁକୁକୁ କୋଳକୁ ଭିଡ଼ି ଆଣିଲେ । ଆନନ୍ଦ ଗଦଗଦରେ ସେ କହି ପକାଇଲେ–ମାସ କେତେଟାର ହୋଇଥିଲୁ, ବିଛଣାରେ ଶୁଆଇ ଦେଇ ଯାଇଥିଲି । ମୋ ଧନ କେତେ ବଡ଼ ହୋଇଗଲାଣି ରେ !!

 

ଟୁକୁର ସାରା ଦେହକୁ ସେ ଆଉଁଷିବାରେ ଲାଗିଗଲେ ।

 

ଅପରିଚିତାଙ୍କର କବଳରୁ ନିଜକୁ ମୁକ୍ତ କରିବାକୁ ଆପ୍ରାଣ ଚେଷ୍ଟା କଲା ଟୁକୁ ।

 

—ଆଃ, ଛାଡ଼ ମତେ । କିଏ ତୁମେ ? କାହିଁକି ଆସିଚ ଆମ ଘରକୁ ?

 

—ତତେଇ ଦେଖିବାକୁ ଆସିଚି ଟୁକୁ । ଖାଲି ତୋରି ପାଇଁ ମୋର ଅଜ୍ଞାତବାସ ଛାଡ଼ି ମୁଁ ୟେ’ ଲୋକାଳୟକୁ ଧାଇଁ ଆଇଁ ଆସିଚି । ମୁଁ ତୋର ମା’–ତୁ ମୋରି ପୁଅ ଟୁକୁ...ବିଶ୍ୱାସକର, ମୁଁ ତୋର ମାଆ...

 

ଶିଶିରାଙ୍କର କଣ୍ଠସ୍ୱର ଶେଷଆଡ଼କୁ ଜକେଇ ଆସିଲା ।

 

ଟୁକୁର ମନକୁ କିନ୍ତୁ ଏସବୁ କିଛି ପାଇଲା ନାହିଁ । ତାତ୍ସଲ୍ୟଭରା କଣ୍ଠରେ ସେ କହିଲା—

 

—ମାଆ ? କ’ଣ ତୁମେ ଏଣୁତେଣୁ କହିଚାଲିଚ ? ମୋ ମାଆ ତ ଉପରେ ଅଛନ୍ତି ।

 

—ମୁଁ ମରିଯାଇଚି ବୋଲି ତତେ ସମସ୍ତେ ବୁଝେଇ ଦେଇଚନ୍ତିରେ । ମୁଁ କିନ୍ତୁ ମରିନି ଟୁକୁ । ତତେ ଛାଡ଼ି ଏଯାଏ ମୁଁ ଆଶ୍ରମରେ କାଳ କାଟୁଥିଲି । କାହାକୁ ଖବର ଦେଇ ନାହିଁ । କେହି ମୋର ପତ୍ତା ପାଇ ନ ଥିଲେ ।

 

ଆଖିର ଲୁହଧାର ପୋଛୁ ପୋଛୁ ଶିଶିରା ଦେବୀ ପୁଣି ବିଗଳିତ କଣ୍ଠରେ କହିଲେ–

 

—ଉପରକୁ ଚାଲି ଯାଇଥିଲେ ଖୁବ୍‌ ଭଲ ହୋଇଥାନ୍ତା ଟୁକୁ—ସେ ସୌଭାଗ୍ୟ ମୋର ହେଲା ନାହିଁ । ଯେତେ ଚେଷ୍ଟା କଲେ ମଧ୍ୟ ମୁଁ ମରି ପାରିଲି ନାହିଁ ।

 

ଟୁକୁ ମୁହଁରେ ଏଥର ସାମାନ୍ୟ ହସ ଉକୁଟି ଉଠିଲା । ସେ କହିଲା—

 

—ଉପରେ ବୋଲି ମୁଁ ମରିବା କଥା କହିନି । ମୋ ମା’ ଦୋତଲା ଉପରେ ଅଛନ୍ତି । ଡାକିବି ତାଙ୍କୁ ?

 

—ତୋର ମା’ ଦୋତଲାରେ ଅଛନ୍ତି ? ବିସ୍ମୟରେ ଅଧୀରା ହୋଇ ଉଠିଲେ ଶିଶିରା ଦେବୀ ।

 

—କ’ଣ ତାଙ୍କର ନାଁ ଟୁକୁ ?

 

—ଶିଶିରା ଦେବୀ... ଚଟାପଟ୍‌ ଉତ୍ତର ଦେଲା ଟୁକୁ ।

 

—ମୋରି ନାଁ ଶିଶିରା । ମୁଁ ତୋରି ମାଆରେ...

 

ଏ ପର୍ଯ୍ୟନ୍ତ ଟୁକୁ ଆଗନ୍ତୁକାଙ୍କର ମୁହଁକୁ ଭଲ କରି ଚାହିଁ ନ ଥିଲା । ଏବେ ସେ ଶିଶିରାରାଙ୍କୁ ନିରୀକ୍ଷଣ କରି ଦେଖି ଅବାକ୍‌ ହୋଇଗଲା ।

 

...ଏକା ମୁହଁ, ଏକା ଆଖି, ଏକା ନାକ...ଟିକିଏ ହେଲେ ଫରକ ନାହିଁ । ଟୁକୁ ଅନୁଭବ କଲା, ତା’ ମାଆଙ୍କ ଚେହେରା ସଙ୍ଗେ ୟାଙ୍କ ଚେହେରା ପୂରାପୂରି ମିଶି ଯାଉଛି । ମାଆଙ୍କର ଭଉଣୀ ହେବେ ବୋଧହୁଏ ।

 

ପ୍ରକାଶ୍ୟରେ ଟୁକୁ ମଧ୍ୟ ସେଇ କଥା କହିଲା ।

 

ଶିଶିରା ଦେବୀ ପୂର୍ବପରି କମ୍ପିତ ଅବସ୍ଥାରେ ଥାଆନ୍ତି । ନିଜ ରକ୍ତର ସ୍ୱାକ୍ଷର ଆଜି ତାକୁ ଚିହ୍ନି ପାରୁନାହିଁ । ଥରିଲା କଣ୍ଠରେ ସେ ପୁଣି କହିଲେ—

 

—ତୋ ମାଆର ମୁଁ କାହିଁକି ଭଉଣୀ ହେବି ଟୁକୁ ? ମୁଁ ତୋର ପ୍ରକୃତ ମାଆ । ତୁ ତ ମୋରି ସୃଷ୍ଟି । ଆଉ କାହାକୁ ତୁ ‘ମାଆ’, ମାଆ’ ବୋଲି କହୁଚୁ ?

 

ବାହାରୁ କିଏ ଜଣେ ଆସି ମାଆର ପଦବୀ ବାରମ୍ବାର ଦାବୀ କରିବାରୁ ଟୁକୁ ବାଧ୍ୟ ହୋଇ ଏଥର ଚିତ୍କାର ଆରମ୍ଭ କରିଦେଲା—ମା’–ଦେଖ ମା’, ବାହାରୁ କିଏ ଆସି କ’ଣ ମତେ କହୁଚନ୍ତି ? ମାଆ...

 

ଟୁକୁର ପାଟି ଶୁଣି ଉପର ମହଲାରୁ ସମସ୍ତେ ଓହ୍ଲେଇ ଆସିଲେ । ଅଧ୍ୟାପକ ଥାଆନ୍ତି ସବୁରି ପଛରେ । ଶିଶିରାଙ୍କ ଉପରେ ନଜର ପଡ଼ିବା ସଙ୍ଗେ ସଙ୍ଗେ ତାଙ୍କ ତୁଣ୍ଡରୁ ଏକ ଅସ୍ପଷ୍ଟ ଗୁଂଜନ ଶୁଣାଗଲା...ଶିଶିରା !!! ତୁମେ ଫେରି ଆସିଚ ଶିଶିରା ?

 

ଅଣଆୟତ୍ତ ଅବସ୍ଥାରେ ଅଧ୍ୟାପକ ଏଥର ଧାଇଁଯାଇ ଶିଶିରାଙ୍କୁ କୁଣ୍ଢେଇ ପକାଇଲେ ।

 

ଏପରି ନାଟକୀୟ ଘଟଣା ଥିଏଟର କିମ୍ବା ସିନେମାରେ ସିନା ଦେଖିବାକୁ ମିଳେ । ଘର ଭିତରେ ଏପରି ଏକ ଅଚାନକ ଘଟଣା ଦେଖି ଟୁକୁ ଏକାବେଳେକେ କାଠ ପାଲଟିଗଲା ।

 

ଅସ୍ପଷ୍ଟ ସ୍ୱରରେ ସେ ରହି ରହି ପ୍ରଶ୍ନ କଲା—

 

—ଏ କିଏ ବାପା ?

 

ଟୁକୁର ପ୍ରଶ୍ନରେ ଅଧ୍ୟାପକଙ୍କର ଚେତନା ଫେରି ଆସିଲା । ସମସ୍ତଙ୍କ ଆଗରେ ଶିଶିରାଙ୍କୁ ଆଲିଙ୍ଗନ କରିବା ଶ୍ମିଳତାର ବାହାରେ । ତେଣୁ ଶିଶିରାଙ୍କୁ ଛାଡ଼ିଦେଇ ଟୁକୁକୁ ପାଖକୁ ଡାକି ସେ ଆବେଗଭରା କଣ୍ଠରେ କହିଲେ—

 

—ଏଇ ତୋର ମାଆ ଟୁକୁ । ତାଙ୍କୁ ପ୍ରଣାମ କର ।

 

ଟୁକୁ ଆଉ ଥରେ ଶିଶିରାଙ୍କ ମୁହଁକୁ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଚାହିଁଲା । ମନର ସଂଶୟ ତା’ର କମିଲା ନାହିଁ । ସେ ଭାବିଲା...ନା...ନା...ବାପା ହୁଏତ ଭୁଲ କହୁଚନ୍ତି । ବାହାରର ଜଣେ ସ୍ତ୍ରୀଲୋକ ମୋର ମା’ ହେବେ କାହିଁକି ? ଅସମ୍ଭବ । ଏହା ହୋଇ ପାରେନା...

 

ଏମିତି ଗୋଳମାଳିଆ ଚିନ୍ତାରେ ଟୁକୁର ଗୋଡ଼ଠୁ ମୁଣ୍ଡଯାଏ ଥରି ଉଠିଲା । ପିଲା ମନ ତ । ଚିନ୍ତାର ବୋଝ ସମ୍ଭାଳିବା ତା’ ପକ୍ଷରେ ନିଶ୍ଚୟ କଷ୍ଟକର ।

 

ଅଧୀର କଣ୍ଠରେ ଅଧ୍ୟାପକଙ୍କୁ ପ୍ରତିବାଦ ଜଣେଇ ସେ କହିଲା–

 

—ମିଛି କଥା ବାପା, ମିଛ କଥା । ୟେ’ ମୋର ମା’ ନୁହଁନ୍ତି । ନା–ନା, ମୁଁ ୟାଙ୍କୁ ପ୍ରଣାମ କରି ପାରିବିନି—କେବେହେଲେ ପାରିବିନି—ନା...ନା...ନା...

 

ଏଇ ଚିତ୍କାର ଭିତରେ ଟୁକୁ ଟଳି ପଡ଼ିଲା ଭୂଇଁରେ । ସଙ୍ଗେ ସଙ୍ଗେ ତା’ର ଜ୍ଞାନ ମଧ୍ୟ ଲୋପ ପାଇଗଲା ।

 

ଶିଶିରା ଦେବୀ ଆତଙ୍କରେ ଶିହରୀ ଉଠିଲେ । ତଳେ ଗଡ଼ୁଥିବା ଟୁକୁର ମୁଣ୍ଡଟାକୁ ନିଜର କୋଳକୁ ନେଇ କାନ୍ଦ କାନ୍ଦ ହୋଇ ସେ କହିଲେ—ପୁଅ ମୋର ଅଭିମାନ କରିଚି । ଶୀଘ୍ର ପାଣି ଲୋଟାଏ କିଏ ଆଣିଦିଅ । ମୋ ପୁଅ ଅଜ୍ଞାନ ହୋଇଗଲା । ଆଃ... ବେଗେ ଡାକ୍ତରଙ୍କୁ ଡାକ ଭଲା ।

 

ଶିଶିରା ଅଥୟ ହେବା ପୂର୍ବରୁ ସଲୀଳା ଧାଇଁଯାଇ ଘର ଭିତରୁ ସ୍ପେଲିଙ୍ଗ୍‌ ସଲ୍‌ଟ ନେଇ ଆସିଲା । ଟୁକୁର ନାକ ପାଖରେ ଶିଶିଟାକୁ ଖୋଲି ସଙ୍ଗେ ସଙ୍ଗେ ତା’ର ଚେତା ଫେରି ଆସିଲା । ଜ୍ଞାନ ହେବା ସଙ୍ଗେ ସଙ୍ଗେ ସେ ଶିଶିରାଙ୍କର କୋଳରୁ ଦୂରେଇ ଯାଇ ପୂର୍ବପରି ଭୀତତ୍ରସ୍ତ କଣ୍ଠରେ କହି ଚାଲିଲା—

 

—ଅସମ୍ଭବ । ଏକଥା ମୁଁ କେବେହେଲେ ମାନିବି ନାହିଁ ।

 

ସଲୀଳାଙ୍କୁ କୁଣ୍ଢେଇ ଧରି ସେ ପୁଣି କହିଲା–ୟାଙ୍କୁ ତୁମେ ଘର ଭିତରୁ ଯିବାକୁ କୁହ ମା’-। ବାପା କହୁଚନ୍ତି...ୟେ’ ମୋର ମାଆ । କାହିଁକି ଏ ମିଛ କଥା କହୁଚନ୍ତି ବାପା ? ନା–ନା...ବାପାଙ୍କର ଏ ଭୁଲ ତୁମେ ଭାଙ୍ଗିଦିଅ । ତୁମେଇ ମୋର ମାଆ—ସେ ଅଧିକାର ଆଉ କାହାରି ହୋଇ ପାରେନା... ତୁମେ ୟାଙ୍କୁ ଏଇ କଥା ସଫା ସଫା କହିଦିଅ ମା’—

 

କି ଉତ୍ତର ଦେବେ ସଲୀଳା ?

 

ଟୁକୁକୁ ଶାନ୍ତ କରିବା ପାଇଁ ସେ ତା’ ଦେହରେ ନୀରବରେ କେବଳ ହାତ ବୁଲେଇବାରେ ଲାଗିଲେ ।

 

ଶିଶିରାଙ୍କର ସେତେବେଳେ ପାଗଳ ଅବସ୍ଥା ପ୍ରାୟ । ଟୁକୁକୁ ଲକ୍ଷ୍ୟ କରି ଆହୁରି ଅନୁନୟ କଣ୍ଠରେ ସେ କହିଲେ—

 

—ଅବୁଝା ହୁଅନି ବାପ, ତତେ ସଂସାରକୁ ଆଣିବା ପରେ ପରେ ମୁଁ ଘର ଛାଡ଼ି ଚାଲି ଯାଇଥିଲିରେ । ଆଜିଯାଏ ଆଶ୍ରମରେ ଥିଲି । ତୋର ବୃତ୍ତି ପାଇବା ଖବର କାଗଜରେ ପଢ଼ି ନିଜକୁ ଆଉ ଛପେଇ ରଖି ପାରିଲି ନାହିଁ । ସମସ୍ତଙ୍କୁ ସିନା ପାଶୋରି ଯାଇଥିଲି ଟୁକୁ । ହେଲେ ତୋର ସେଇ ନାଲି ଟୁକୁଟୁକୁ ମୁହଁ ମୋ ଆଖିରେ ସବୁବେଳେ ନାଚି ଉଠୁଥିଲା । ଖାଲି ତତେ ଫେରି ପାଇବି ବୋଲି ସବୁ ଲାଜ ସରମକୁ ପଛକୁ ଠେଲି ଦେଇ ମୁଁ ଆଜି ଧାଇଁ ଆସିଚି । ମୋ ସୁନା ଚାନ୍ଦଟି ପରା... ଆ, ମୋ ପାଖକୁ ଆ...

 

କୋଳାଗ୍ରତ କରିବାକୁ ହାତ ବଢ଼େଇଲେ ଶିଶିରା ଦେବୀ ।

 

ଟୁକୁର ହାବଭାବ କିନ୍ତୁ ଠିକ୍‌ ବିପରୀତ । ସଲୀଳାଙ୍କ କୋଳକୁ ଚାଲିଯାଇ ସେଇ ଅମାନିଆ କଣ୍ଠରେ ସେ କହିଲା—

 

—କାହିଁକି ତୁମେ ମତେ ଥରକୁ ଥର ଡାକୁଚ ? ତୁମକୁ ମୁଁ କୋଉଦିନ ଦେଖିନି । ତୁମେ ମୋର ମା’ ହୋଇଥିଲେ ବି ସେ ଅଧିକାର ତୁମର ଆଉ ନାହିଁ । ଜ୍ଞାନ ହେବା ଦିନଠୁ ଯେ’ ମତେ ଆଦର ଯତ୍ନ କରି ମଣିଷ କରିଛନ୍ତି, ଯେତେ ପର ହେଲେ ବି ମୋର ସେଇ ହେଲେ ପୂଜନୀୟା ମାଆ...

 

ଶିଶିରା ୟା’ ପରେ ଭିନ୍ନ ବାଟ ଧରିଲେ । କାକୁତି ମିନତିରେ ହେଲା ନାହିଁ–ସ୍ନେହ ଆଦରରେ ଟୁକୁର ମନ ଫେରିଲା ନାହିଁ...ଏଣିକି ବଳପ୍ରୟୋଗ କରିବାକୁ ପଡ଼ିବ । ରୁକ୍ଷ ହେବାକୁ ପଡ଼ିବ—ନିର୍ଦ୍ଦୟ ହେବାକୁ ପଡ଼ିବ ।

 

ଶିଶିରା ତେଣୁ କଠିଣ ସ୍ୱରରେ ପ୍ରଶ୍ନ କଲେ ଅଧ୍ୟାପକଙ୍କୁ—ଟୁକୁ ଯାହାକୁ ମା’ ବୋଲି କହୁଚି, ତୁମେ କ’ଣ ତାକୁ ବିବାହ କରିଛ ? କୁହ, ସେ କ’ଣ ତୁମର ଆଇନାମୋଦିତ ସ୍ତ୍ରୀ ?

 

ଅଧ୍ୟାପକ ଏ ପ୍ରଶ୍ନ ଶୁଣି ପ୍ରଥମେ ଚମକି ଉଠିଲେ । କିନ୍ତୁ ଚଟାପଟ ଉତ୍ତର ଦେବାକୁ ସେ ପଛେଇଲେ ନାହିଁ । ସେ କହିଲେ—

 

—ନା–ନା, ବିବାହ କାହିଁକି କରିବି ? ଟୁକୁ ମା’, ମା’ ବୋଲି ଝୁରି ହେଲାରୁ ତୁମର ଅବିକଳ ଚେହେରା ଦେଖି ୟାକୁ ମାଆ ସଜେଇ ରଖା ହୋଇଚି । ପରିଚୟରେ ସେ ଜଣେ ସେବିକା । ତାଙ୍କର ପେଶା ହେଲା ନର୍ସିଂ ।

 

ଅଧ୍ୟାପକଙ୍କର ଉତ୍ତର ଶୁଣି ସଲୀଳାଙ୍କର ମୁହଁର ରଙ୍ଗ ଏକାବେଳେକେ ପାଉଁଶ ପାଲଟିଗଲା । ମନେପଡ଼ିଲା ତାଙ୍କର ମାଆଙ୍କର ଚେତାବନୀ...ପର କେବେ ନିଜର ହୋଇ ପାରନ୍ତି ନାହିଁ । ଦିନେ ନା ଦିନେ ତାଙ୍କର ସ୍ୱରୂପ ପ୍ରକାଶ ପାଏ । ...ଆଜି ସେ ଚେତାବନୀ ସତ୍ୟରେ ପରିଣତ ହେଲା । ସେବିକା ବୋଲି କେଉଁ ତଳକୁ ଅଧ୍ୟାପକ ତାଙ୍କୁ ଫୋପାଡ଼ି ଦେଲେ ।

 

ନିଜ ଭାବନାରେ ବୁଡ଼ି ରହିଲେ ସଲୀଳା । ଗୋଟାଏ ଶବ୍ଦ ବି ସେ ଉଚ୍ଚାରଣ କରି ପାରିଲେ ନାହିଁ ।

 

ଶିଶିରା ଦେବୀ ଏଇ ଅବସରରେ ସଲୀଳାଙ୍କର ରୂପ ସୌଷ୍ଟବକୁ ତନଖି କରି ନେଲେ । ପ୍ରକୃତରେ ତାଙ୍କରି ଆକୃତି—ଭିନ୍ନ ବୋଲି କିଛି ନାହିଁ । ମନର ଭାବକୁ କିନ୍ତୁ ଲୁଚେଇ ରଖି ସେ ରାଗରେ କହିଲେ—

 

—ପୁଅକୁ ଗରୁଡ଼ି ମନ୍ତ୍ରରେ ବେଶ୍‌ କାବୁ କରି ରଖି ପାରିଚ ତୁମେ । ତା’ ନ ହେଲେ ନିଜର ଜନ୍ମକଲା ମାଆକୁ ଆଗ୍ରାହ୍ୟ କରି ସେ କ’ଣ ତୁମ ପରି ପେଶାଦାରୀ ନର୍ସକୁ ଜାବୁଡ଼ି ଧରି ରହିଥାନ୍ତା ? ମୋର ଘର—ମୋର ସ୍ୱାମୀ—ମୋର ପୁଅ । ତୁମର ଏ ଘରେ ପ୍ରବେଶ କରିବା ଚରମ ଦୁଃସାହସର ନମୁନା ।

 

ଶିଶିରାଙ୍କର ରୁକ୍ଷ ମନ୍ତବ୍ୟଟା ଅଧ୍ୟାପକଙ୍କୁ ମଧ୍ୟ ବିରକ୍ତିକର ବୋଧ ହେଲା । ଏତେ ଦିନ ଆଶ୍ରମର ଶାନ୍ତି ଶୃଙ୍ଖଳା ଭିତରେ ରହି ମଧ୍ୟ ଶିଶିରାଙ୍କର ପୂର୍ବ ଅଭ୍ୟାସ ଭାଙ୍ଗି ନାହିଁ ? ମନରେ ଏ କଥା ଭାବିଲେ ମଧ୍ୟ ପ୍ରକାଶ୍ୟରେ କିଛି ସେ କହି ପାରିଲେ ନାହିଁ ।

 

ଏଥର ଶିଶିରାଙ୍କର ଆହୁରି କର୍କଶ କଣ୍ଠସ୍ୱର ଶୁଣାଗଲା—ଯଥେଷ୍ଟ କ୍ଷତି କରିଚ ମୋର-। ଗୋଟିଏ ମିନିଟ୍ ବି ଏ ଘରେ ତୁମର ସ୍ଥାନ ନାହିଁ । ବାହାରି ଯାଅ ଏଇ ମୁହୂର୍ତ୍ତରେ । ମୋ ଆଗରୁ ଦୂରେଇ ଯାଅ କହୁଚି ।

 

ଏ କଥାରେ ମାତୃଭକ୍ତ ଟୁକୁର ସାରା ଦେହ ଥରିବାରେ ଲାଗିଲା । ରାଗରେ ଗରଗର ହୋଇ ସେ କହିଲା—

 

—ମୋ ମାଆଙ୍କୁ ବାହାରି ଯିବାକୁ କେହି ହୁକୁମ ଦେଇ ପାରିବେ ନାହିଁ । ମୋରି ଆଗରେ ମୋ ମାଆଙ୍କର ଅପମାନ ମୁଁ କେଭେ ବରଦାସ୍ତ କରିବିନି । ମୁଁ ଯେଉଁଠି, ମୋ ମାଆ ସେଇଠି ରହିବେ ।

 

ଶିଶିରାଙ୍କର ଗଳା ଆହୁରି ବିକୃତ ହୋଇ ଉଠିଲା । ଚିହିଁକି ଉଠି ସେ ଟୁକୁକୁ କହିଲେ—

 

—ପୁଣି ମା’, ମା’ କହିବୁ ତ, ଗୋଟାଏ ଥାପଡ଼ରେ ତୋର ମୁହ ବଙ୍କା କରିଦେବି । ହତଭାଗା ! ପାଠ ପଢ଼ି ଏଇ ବୁଦ୍ଧି ଶିଖିଚୁ ? ନିଜର ଲୋକଙ୍କୁ ଛାଡ଼ି ତିଆର ହେଉଚୁ ପରଙ୍କ ପାଇଁ ଯୁଦ୍ଧ କରିବାକୁ ?

 

ଅଧ୍ୟାପକଙ୍କର ମା’ ଆଉ ଚୁପ୍‌ ହୋଇ ରହିପାରିଲା ନାହିଁ । ପରିସ୍ଥିତି ତାଙ୍କୁ ବାଧ୍ୟ କଲା ମୁହଁ ଖୋଲିବାକୁ । ଏକାବେଳେକେ ପଞ୍ଚମକୁ ଉଠି ସେ କହିଲେ—

 

—ଲାଜ ସରମକୁ ତୁ କ’ଣ ଏକାବେଳକେ ପୋଡ଼ି ଖାଇଦେଲୁ ବୋହୂ ? ଆଜି କହୁଚୁ...ତୋର ଘର—ତୋର ବର—ତୋର ପୁଅ । କିନ୍ତୁ ଯେଉଁଦିନ ଏ ଘରୁ ଗୋଡ଼ କାଢ଼ି ଚାଲିଗଲୁ, ସେଦିନ ଏ ଘରକରଣା ଜ୍ଞାନ ତୋର କୋଉଠି ଥିଲା ? କ୍ଷୀରଖିଆ ଅଜ୍ଞାନ ପିଲାଟାକୁ ଘରେ ଗଡ଼େଇ ଦେଇ ସୁଖ ପାଇବୁ ବୋଲି ଯେଉଁଠିକି ଚାଲି ଯାଇଥିଲୁ, ସେ ସୁଖ କ’ଣ ତୋର ଏଡ଼େ ବେଗି ସରିଗଲା ? ଗୋଟାଏ ବର୍ଷ ବି ପୂରଣ ହୋଇନି । ତୋରି ଚିନ୍ତାରେ ତୋ ଶ୍ୱଶୁର ଆଖି ବୁଜିଲେ । ଯାହାକୁ ଆଜି ଘରୁ ବାହାରି ଯିବାକୁ କହୁଚୁ, ଥରେ ଭାବିଚୁ–ସେ ନ ଥିଲେ ତୋ ପୁଅକୁ ଆଜିଯାଏ କିଏ ବଞ୍ଚେଇ ରଖିଥାନ୍ତା ? ତାକୁ ତ ନର୍ସ ବୋଲି ଅବଜ୍ଞା କରୁଚୁ ? ସେ ତ ମଣିଷ ନୁହେଁ–ଦେବୀ । ତାର ଗାରିମା ବୁଝିବାକୁ ତୋର ବିବେକ କାହିଁ ?

 

ଆହୁରି ଭର୍ତ୍ସନା, ଆହୁରି ତିରସ୍କାର କରି ଚାଲିଥାନ୍ତେ ମାଆ । ବୟସର ଆତିଶଯ୍ୟ ଯୋଗୁ ଦମ୍‌ ତାଙ୍କର ଅଟକି ଗଲା ।

 

ଶିଶିରା କ୍ଷଣକ ପାଇଁ ମଉଳିଗଲେ ଶାଶୁଙ୍କର ତାଡ଼ନାରେ । ପରେ ପରେ ପ୍ରତିବାଦ ଜଣେଇ ସେ କହିଲେ—

 

—ଦେବୀ ହେଉ କି ମାନବୀ ହେଉ ମୋର ରକ୍ତର ସଙ୍ଖାଳୀକୁ ସେ କ’ଣ ଜୋର କରି ମୋ ପାଖରୁ ନେଇ ଯାଇ ପାରିବ ?

 

ମ୍ଳାନ ହସି ମାଆ ପୁଣି ଉତ୍ତର ଦେଲେ—ଧନ୍ୟ ତୋର ମାତୃତ୍ୱ । କୁଆ ପିଲା ପାଳିଲା ପରେ କୋଇଲି ଆସି ଦାବୀ ଜଣାଉଚି ? ଦାବୀ କିନ୍ତୁ ଅସଙ୍ଗତ ନୁହେଁ । ହେଲେ ବୋହୂ, ତୁ ତ କେତେ ପାଠ ପଢ଼ିଚୁ । ପଶୁପକ୍ଷୀ ଯାହା କରନ୍ତି, ତୁ ଶିକ୍ଷା ପାଇ ସେ ରାସ୍ତା ଧରିଲୁ କେମିତି ?

 

ତତଲା କରେଇରେ ପାଣି ଛିଟିକା ପଡ଼ିଲେ ଯେଉଁ ଅବସ୍ଥା ହୁଏ, ଏବେ ସେମିତି ତାତି ଉଠିଲେ ଶିଶିରା ଦେବୀ । ଖରଖର ନିଃଶ୍ୱାସ ଛାଡ଼ି ସେ କହିଲେ—ଜଣେ ବାହାର ଲୋକ ସାମନାରେ ଆପଣ ମତେ ଏତେ କଥା କହୁଛନ୍ତି କେଉଁ ବିବେକରେ ? ମୋରି ଘରେ ବସି ମୁଁ ଅପମାନ ପାଇବି ?

 

କଣ୍ଠସ୍ୱର ଏଥର ଗରୁଆ ଶୁଣାଗଲା ଶିଶିରାଙ୍କର—ବେଶ୍‌ ଏ ଘରେ ଯେବେ ମୋର ଜାଗା ନାହିଁ, ତେବେ ମୁଁ ଏଇ ମୁହୂର୍ତ୍ତରେ ଘରଛାଡ଼ି ଚାଲି ଯାଉଚି । ତେବେ ଏକା ଯିବିନି—ସାଙ୍ଗରେ ପୁଅକୁ ବି ନେଇଯିବି ।

 

ପରିସ୍ଥିତିର ଚାପରେ ଅଧ୍ୟାପକ ସ୍ଥାଣୁ ପାଲଟି ଯାଇଥିଲେ । ଦୀର୍ଘଦିନ ପରେ ଜାହାଜ କୂଳକୁ ଆସି ମଧ୍ୟ ଦୋଦୂଲ୍ୟମାନ ଅବସ୍ଥା । ତେଣୁ ବାଧ୍ୟ ହୋଇ ଅଧ୍ୟାପକ ସ୍ୱର ଉତ୍ତୋଳନ କଲେ–

 

—ଆଚ୍ଛା ମା’, ଏତେ ଦିନ ପରେ ଘରର ବୋହୂ ଘରକୁ ଫେରିଚି । ତାକୁ ଶିଖେଇ ମନେଇ ଘରକୁ ନେବ କ’ଣ, ଓଲଟି ତାରି ନିନ୍ଦା ଗାଇ ଚାଲିଚ । ଲୋକେ ଶୁଣିଲେ ତୁମକୁ କ’ଣ କହିବେ ? ଏ ବୟସରେ ମଧ୍ୟ ତୁମର ଭଲମନ୍ଦ ଜ୍ଞାନ ରହୁନାହିଁ ?

 

ପୁଅଙ୍କର ତିକ୍ତ ଟିପ୍‌ପଣୀରେ ମା’ଙ୍କର ରାଗ ଆହୁରି ଶିଖରକୁ ଉଠିଗଲା । ସେ କହିଲେ–

 

—ମତେ ଶାସନ କରିବାକୁ ଚେଷ୍ଟା କରୁଚୁ ? ପଛ କଥାକୁ କେଡ଼େ ସହଜରେ ଭୁଲିଗଲୁ ତୁ ? ଘରର ବୋହୂ ତ ପଦାରେ ରହିଥିଲେ ନିଜ ଇଚ୍ଛାରେ । ରକ୍ତକୁ ପାଣି ଫଟେଇ ଯେ’ ଏ ଘରକୁ ଆଜିଯାଏ ସମ୍ଭାଳିଥିଲା, ପ୍ରକୃତ ବୋହୂର ମର୍ଯ୍ୟାଦା ସେଇ ଏକା ପାଇବାକୁ ହକ୍‌ଦାର । ମନେରଖ, ଖାଲି ଗର୍ଭଧାରଣୀ ହୋଇଗଲେ ମାଆର ଗୌରବ ସମସ୍ତଙ୍କୁ ମିଳେ ନାହିଁ । ସେବା ଯତ୍ନରେ କୋଳରେ ପିଠିରେ କରି ପିଲାକୁ ଯେ’ ମଣିଷ କରେ ସେଇ ହେଲା ପ୍ରକୃତ ମା’ ।

 

ଟୁକୁ ଅସହାୟ ବୋଧ କରୁଥିଲା । ବଡ଼ ମା’ ତା’ ପଛକୁ ଅଛନ୍ତି ଦେଖି ମନର ବଳ ତା’ର ଯଥେଷ୍ଟ ବଢିଗଲା । ସେ କହିଲା—

 

—ନୂଆ ହେଇ ଯେ’ ଘରକୁ ଆସିଚନ୍ତି, ତାକୁ ତୁମେ ଚାଲିଯିବାକୁ କୁହ ବଡ଼ ମା’ । ନ ହେଲେ ମୋ ମାଆ ଏ ଘରେ ରହିବେ କେମିତି ?

 

ଟୁକୁର ଏ କଥାରେ ଅଧ୍ୟାପକ ଗର୍ଜିଉଠି କହିଲେ–କାହାକୁ ତୁ କ’ଣ କହି ଯାଉଚୁ ମୂର୍ଖ ? ନିଜ ମାଆଙ୍କୁ କେମିତି କଥା କହିବାକୁ ହୁଏ, ସେ ଜ୍ଞାନ ତୋର ଆଜିଯାଏ ହେଲା ନାହିଁ ? ଅଭଦ୍ର, ଅଶିକ୍ଷିତ !!

 

କ୍ଷୁଦ୍ର ସର୍ପର ବିଷ ଉତ୍କଟତର । କ୍ଷୁଦ୍ର, ହେଲେ ବି ବିଷ ବାନ୍ତି କରିବାକୁ ଟୁକୁ ପଛେଇଲା ନାହିଁ । ସେ କହିଲା–

 

ଜ୍ଞାନଟା ଆପଣଙ୍କର ହଜି ଯାଇଥିଲା ବାପା । ଆପଣ ଆଜି ପର୍ଯ୍ୟନ୍ତ ମୋ ଆଗରେ ସବୁ କଥା ଲୁଚେଇ ରଖିଥିଲେ । କିଏ ଅସଲୀ, କିଏ ନକଲୀ ବହୁ ଆଗରୁ ଆପଣ ମତେ କହି ପାରିଥାନ୍ତେ । ଜଣଙ୍କୁ ମା’ ବୋଲି ଚିହ୍ନେଇ ଦେବା ପରେ ଆପଣ ପୁଣି ତାଙ୍କୁ ନର୍ସ ବୋଲି କୋଉ ଜ୍ଞାନରେ କହୁଛନ୍ତି, ମୁଁ ତ ବୁଝି ପାରୁନି । ପାଠରେ ପଢ଼ିଚି...ମାତା ବଡ଼ ପୃଥିବୀ ଅପେକ୍ଷା–ସେଇ ମାଆର ପରିଚୟ ଦେଲାବେଳେ ଆପଣଙ୍କର କ’ଣ ସତର୍କ ହେବା ଉଚିତ ନ ଥିଲା ?

 

—ବାଃ–ପୁଅ ତ ବାପ ବେକରେ ଶାଣିତ ତରବାରୀ ଚଳେଇ ଦେଲା ଶଙ୍କର ବାବୁ ? ପିଲା ବୁଦ୍ଧିରେ ଟୁକୁ ଏତେ କଥା କହି ପାରିଲା ଅଧ୍ୟାପକଙ୍କୁ ? ଯୁଗଳ ଭାଇ ତୃପ୍ତିର ଆଭାସ ଦେଇ ପ୍ରଶ୍ନ କଲେ ।

 

ଶଙ୍କର ବାବୁ ଉତ୍ତର ଦେଲେ–ଐଷୀ ଶକ୍ତିରେ ବଳିୟାନ ଥିଲା ଟୁକୁ । ତା’ ନ ହେଲେ ଏଡ଼େ ଦାମିକା ଦାମିକା କଥା ସେ କହିଥାନ୍ତା କେମିତି ? ଆଉ ତା’ଛଡ଼ା ପହଁରା ଜାଣି ନ ଥିବା ଲୋକ ପାଣିରେ ବୁଡ଼ି ଗଲାବେଳେ ହାତଗୋଡ଼ ବାଡ଼େଇ କୂଳକୁ ଆସିବାକୁ ଚେଷ୍ଟା କରେତ । ହୁଏତ ଟୁକୁ ସେମିତି ଚେଷ୍ଟାରେ ଆଗେଇ ଗଲା କିଛି ଦୂରକୁ ।

 

ଯୁଗଳ ଭାଇ ଯୁକ୍ତି ଛଳରେ ପୁଣି କହିଲେ—

 

—ଆପଣଙ୍କ ଟୁକୁର ଚରିତ୍ର କିନ୍ତୁ ଅତି ଅଦ୍‌ଭୁତ । ଅନେକ ନାଟକ ଉପନ୍ୟାସରେ ପଢ଼ିଚି ନକଲୀ ମାଆର ପରିଚୟ ପାଇବା ପରେ ଶିଶୁନାୟକ ଦୁଃଖରେ ମ୍ରିୟମାଣ ହୋଇ ପ୍ରକୃତ ମାଆ ପାଖକୁ ଯିବାକୁ ଆଗଭର ହୋଇ ଉଠନ୍ତି । କିନ୍ତୁ ଏ କ୍ଷେତ୍ରରେ ପୂରାପୂରି ବିପରୀତ କଥା ଶୁଣୁଚି । ଶେଷ ପର୍ଯ୍ୟନ୍ତ ନକଲୀ ମା’କୁ ଜାବୁଡ଼ି ଧରିବାକୁ ଶିଶୁନାୟକ ବଦ୍ଧ ପରିକର !

 

ଶଙ୍କର ବାବୁ କୁଞ୍ଚିତ ମୁଖରେ ଜବାବ ଦେଲେ–ନାଟକ–ଉପନ୍ୟାସ କଥା ଛାଡ଼ନ୍ତୁ । ବିଷୟବସ୍ତୁକୁ ଶୀର୍ଷ ସୋପାନକୁ ନେବାକୁ ଲେଖକ ଅନେକ ସମୟରେ କଳ୍ପନାର ଆଶ୍ରୟ ନିଏ । ଦର୍ଶକ ବା ପାଠକଙ୍କ ଆଖିରୁ କେତେ ଧାର ଲୁହ ଗଡ଼େଇବାକୁ କିଛିଟା ଅବାସ୍ତବ ପରିକଳ୍ପନା ସେମାନେ ଇଚ୍ଛା କରି କରନ୍ତି । କିନ୍ତୁ ମୋର କାହାଣୀ ତ ଆମ ସଂସାର ଭିତର କଥା—ଆମର ଜୀବନ ତ ଆଉ ନାଟକ, ନଭେଲ ନୁହେଁ ।

 

ଏଇଠି ପଦେ କହିବାକୁ ମୋର କାହିଁକି ଇଚ୍ଛା ହେଲା । ମୁଁ କହିଲି—ସେଇ ବାସ୍ତବତା ଦୃଷ୍ଟିରୁ ବିଚାର କଲେ ଟୁକୁର ଶିଶିରା ଦେବୀଙ୍କ ପାଖକୁ ଫେରି ଯିବାର କଥା । ଜନ୍ମିତ ମାଆଠାରୁ ସେବିକା ମା’ର ଆସନ କେବେ ଉଚ୍ଚ ହୋଇପାରେ ?

 

ଶଙ୍କର ବାବୁ ଏଥର ଅଟ୍ଟହାସ୍ୟ ଦେଇ କହିଲେ–ମୁଁ ଜାଣେ ମହାପାତ୍ର ବାବୁ, ଆପଣ ଜଣେ ପ୍ରଖ୍ୟାତ ନାଟ୍ୟକାର । ନିଜେ ଲେଖକ ବୋଲି ଲେଖକ ସଂପ୍ରଦାୟକୁ ଆପଣ ଅନ୍ଧଭାବରେ ସମର୍ଥନ କରିବେ । ଆପଣ ଯାହାକୁ ବାସ୍ତବ ବିଚାର ବୋଲି କହୁଛନ୍ତି, ମୁଁ କହିବି ତା’ ପଛରେ କୌଣସି ଯୁକ୍ତି ନାହିଁ । ଗୋଟିଏ ଛୋଟିଆ ଉଦାହରଣ ଦେଉଚି...ଆମ ଗାଁରେ ବରଗଛ କୋରଡ଼ରେ ମହାଦେବ ଆବିର୍ଭାବ ହୋଇଛନ୍ତି ବୋଲି ଲୋକେ ସରଳ ବିଶ୍ୱାସରେ ଧୂପ, ଦୀପ, ଭୋଗ ଲଗୋଉଥିଲେ । କାନକୁ କାନ କଥାଟା ଏତେ ଦୂର ରଟିଲା ଯେ, ନିଇତି ହଜାର ହଜାର ଲୋକ ସେଠି ରୁଣ୍ଡ ହେଲେ । ବରଗଛ ମୂଳ ହେଲା ପୂଜାର ପୀଠ । କିନ୍ତୁ ଏଇ ବିଶ୍ୱାସର ସୁବିଧା ନେଇ କେତେକ ମୁନାଫାଖୋର ଲୋକ ଚାନ୍ଦା ଭେଦା କରି ସେଠି ଗୋଟିଏ ମନ୍ଦିର ତୋଳେଇ ଦେଲେ । ତା’ପରେ ଅର୍ଡର ମୁତାବକ ପଥରର ଶିବ ମୂର୍ତ୍ତି ଆଣି ମନ୍ଦିରରେ ପ୍ରତିଷ୍ଠା କଲେ । ବିପୁଳ ଆୟୋଜନ ହେଲା ସତ, ହେଲେ ପଥରର ଶିବ ମୂର୍ତ୍ତି ଲୋକଙ୍କର ଭକ୍ତିଭାଜନ ହୋଇ ପାରିଲେ ନାହିଁ । ସେଇ ବରଗଛ କୋରଡ଼କୁ ଲୋକେ ପୁଣି ପୂଜା ଡାଲା ଧରି ଧାଇଁଲେ ।

 

ଶଙ୍କର ବାବୁଙ୍କର ଉଦାହରଣ ଶୁଣି ଯୁଗଳ ଭାଇ ମୋ ଆଡ଼କୁ ଚାହିଁ କହିଲେ—

 

—କ’ଣ କହୁଚନ୍ତି ମହାପାତ୍ର ବାବୁ, ଏ ଯୁକ୍ତିଟା ଆପଣଙ୍କ ନାଟକରେ ଦେଲେ ଚଳିବ ତ-?

 

ମୁଁ ନିରୁତ୍ତର ରହିଲି । କାରଣ ଶଙ୍କର ବାବୁଙ୍କ ସହିତ ତର୍କ କଲେ ସେ ହୁଏତ ଆଖର ବେଳକୁ କାହାଣୀ ବନ୍ଦ କରିଦେବେ । ଶେଷ ପର୍ଯ୍ୟାୟରେ ତାକୁ ଅଧିକ ଉତ୍ସାହିତ କରିବାକୁ ମୁଁ ଜୋର କରି ପାନଖଣ୍ଡିଏ ତାଙ୍କ ମୁହଁରେ ଗୁଂଜିଦେଲି । ମୋର ପାନଡ଼ବାରେ ସେଇଟିର ଜୀବନ ପ୍ରାୟ ସରି ଆସୁଥିଲା ।

 

ଶଙ୍କର ବାବୁ ପୁଣି କହି ଚାଲିଲେ—

 

—ବାପ ପୁଅଙ୍କର କଥା କଟାକଟି ପରେ ଅତି ସାଘାଂତିକ ଅବସ୍ଥା ସୃଷ୍ଟି ହେଲା । ବଡ଼ ମା’ ନାତି ଗୋଟାଏ ପଟେ–ଅନ୍ୟ ପଟେ ରହିଲେ ଶିଶିରା ଆଉ ଅଧ୍ୟାପକ । ମଝିରେ ଛଟପଟ ହେଲେ ସଲୀଳା ।

 

ଅଧ୍ୟାପକଙ୍କର ମାଆ ହୁଏତ ସେଇ ମୁହୂର୍ତ୍ତରେ ଘରଛାଡ଼ି ଚାଲି ଯାଇଥାନ୍ତେ । କିନ୍ତୁ କାହାର ଭରସାରେ ସେ ଯିବେ ? ସାନପୁଅଙ୍କର ତ କେତେଦିନ ହେଲା ଘରେ ଦେଖା ଦର୍ଶନ ନାହିଁ-। ଏପରି ସନ୍ଧିକ୍ଷଣରେ ସାନପୁଅ ସିନା ହେମତ୍‌ ଦେଇଥାନ୍ତା ।

 

ଠିକ୍‌ ଏଇ ସମୟରେ ସଲୀଳା ବିଦାୟ ନେବାର ଦୃଶ୍ୟ ଆରମ୍ଭ କରିଦେଲେ । ସେ ଭାବିଲେ ତାଙ୍କରି ପାଇଁ ଏତେ ବଡ଼ କନ୍ଦଳ ଆରମ୍ଭ ହୋଇଚି । ତାଙ୍କର ଆଉ ବା କ’ଣ ପ୍ରୟୋଜନ ଅଛି ଏ ଘରେ ?

 

ଛଳଛଳ ଆଖିରେ ସେ କହିଲେ–

 

—ମୋର ଅଭିନୟ ସରିଗଲା ବାବୁ । ଏବେ ମତେ ବିଦାୟ ଦିଅନ୍ତୁ ।

 

ଏତିକି କହି ସେ ପାଦ ବଢ଼େଇଲେ ସଦର ଦରଜା ଆଡ଼କୁ ।

 

ଚିତ୍କାର କରି କାନ୍ଦି ଉଠିଲା ଟୁକୁ ।

 

—ନା ମା’—ତୁମେ ଯାଅନି । ମୁଁ ତୁମକୁ କେବେହେଲେ ଛାଡ଼ି ଦେବିନି । ତୁମେ ଚାଲିଗଲେ ମୁଁ ମରିଯିବି ମା’, ଗୋଟାଏ ଘଣ୍ଟା ବି ବଞ୍ଚି ପାରିବିନି ।

 

ଏତିକି କହି ସେ ଅତି କରୁଣ ଭାବରେ ଅନେଇଁ ରହିଲା ବୁଢ଼ୀମା’ଙ୍କ ଆଡ଼କୁ । ବୁଢୀମା’ ଛଳଛଳ ଆଖିରେ ସଲୀଳାଙ୍କର ହାତ ଦୁଇଟି ଧରି ପକାଇ କହିଲେ—ପଥର ପାଲଟି ଯାଅନା ମା’–ଟୁକୁ କାନ୍ଦୁଚି । ଯାହାକୁ ତୁ ଜୀବନ ଦେଇଥିଲୁ, ତାରି ମଙ୍ଗଳ ପାଇଁ ଆଉ ଦିନ କେତେଟା ରହିଯା ।

 

ଧାର ଧାର ହୋଇ ଲୁହ ଗଡ଼ୁଥାଏ ସଲୀଳାଙ୍କର । ନିଜ କାନିରେ ନିଜେ ଲୁହ ପୋଛି ଦେଇ ବାଷ୍ପ ଗଦଗଦ କଣ୍ଠରେ ସେ କହିଲେ—

 

—ମୁଁ ଜଣେ ପେଶାଦାରୀ ନର୍ସ । ଆଉ କେଉଁ ଅଧିକାରରେ ଏ ଘରେ ମୁଁ ରହିବି ମା’ ? ଏ ଚାକିରି ଅଧ୍ୟାୟ ଯେତେବେଳେ ସରିଗଲା, ପେଟ ପାଇଁ ପୁଣି କିଛି ବେଉସା ଖୋଜି ନେବାକୁ ହେବ ।

 

ବୁଢ଼ୀ ହଠାତ୍‌ କିଛି ଉତ୍ତର ଦେଇ ପାରିଲେ ନାହିଁ । ଟିକିଏ ପରେ ଥରିଲା କଣ୍ଠରେ ସେ କହିଲେ ମୁଁ ବିଧବା ଅସହାୟ । ତତେ ଅଟକେଇ ରଖିବାକୁ ମୋର ସାଧ୍ୟ ନାହିଁ । ଯେ’ ତତେ ରଖିଥିଲା, ଯେ’ ତତେ ବାଧ୍ୟ କରି ଏ ଘରକୁ ନିମନ୍ତ୍ରଣ କରି ଆଣିଥିଲା, ସେ ଯେତେବେଳେ ମୂକ ପାଲଟି ଯାଇଚି, ମୋର ଆଉ ବଳ କାହିଁ ଝିଅ । ପଣ୍ଡିତ ପୁଅ ମୋର ହଠାତ୍‌ ମୂର୍ଖ ପାଲଟିଯିବ ମୁଁ କ’ଣ କେବେ ଏକଥା ଭାବିଥିଲି ?

 

ସଲୀଳା ଆହୁରି କିଛି ସମୟ ଅଟକି ଗଲେ । ଟୁକୁକୁ ପାଖକୁ ଟାଣିଆଣି ସେ ନିଜ କାନିରେ ତା’ ଆଖିରୁ ଲୁହ ପୋଛି ଦେଉଥାନ୍ତି । ଦୀର୍ଘଦିନର ମମତା !! ଏଡ଼େ ବେଗେ ତୁଚ୍ଛ କରିଦେବା କ’ଣ ସମ୍ଭବ ?

 

ଶିଶିରା ଏ ଦୃଶ୍ୟର ଯବନିକା ଟାଣିଦେବା ନିମନ୍ତେ ଶେଷ ଚେଷ୍ଟା କଲେ । ଅଧ୍ୟାପକଙ୍କ ଆଡ଼କୁ ବକ୍ର ଚାହାଣୀ ପକେଇ ସେ କହିଲେ—ତୁମ ଜୀବନରେ ମୋର ଉପସ୍ଥିତି ଏତେଟା ଅଦରକାରୀ ବୋଲି ଜାଣିଥିଲେ ମୁଁ ହୁଏତ ଏ ଘରେ ପାଦ ଦେଇ ନଥାନ୍ତି । ତୁମ ପାଖକୁ ଆସିବା ମୋର ନିହାତି ଭୁଲ୍‌ ହୋଇଚି । ସେବିକାକୁ ଧରି ଜୀବନର ବାକି ଅଂଶତକ ସୁଖରେ କଟେଇ ଦିଅ-। ଆପତ୍ତି କରିବିନି । ମୋ ବାଟରେ ମୁଁ ଏବେ ଫେରି ଯାଉଚି ।

 

ଅଧ୍ୟାପକ କିନ୍ତୁ ନିଜର ସହଧର୍ମିଣୀଙ୍କୁ ଆଉ ବିଦାୟ ଦେବାକୁ ସାହସ କଲେ ନାହିଁ । ଶିଶିରାଙ୍କର କଥାରେ ସେ ଅସ୍ଥିର ହୋଇ ଉଠିଲେ । ଉଦବେଳିତ କଣ୍ଠରେ ସେ କହିଲେ—ନା–ନା, ତୁମେ ଆଉ ଯାଇ ପାରିବନି । ତୁମର ଘର, ତୁମର ସଂସାର—ତୁମର ପୁଅ ।—ସବୁ ଐଶ୍ୱର୍ଯ୍ୟର ତୁମେ ହେବ ଅଧିକାରୀ । ତୁମେ ଯିବ କୁଆଡ଼େ ?

 

ୟାପରେ ସଲୀଳା ସେଠାରେ ଆଉ ରହିବା ସମ୍ଭବ ହେଲା ନାହିଁ । ଟୁକୁ ଓ ତା’ର ବଡ଼ ମା’ ଯେତେ କାକୁତି କଲେ, ଯେତେ ବାରଣ କଲେ ସବୁ ବିଫଳ ହୋଇଗଲା ।

 

ସଲୀଳା ଏକମୁହାଁ ହୋଇ କ୍ଷିପ୍ରଗତିରେ ବାହାରକୁ ଚାଲିଗଲେ । କ୍ରନ୍ଦନର ରୋଳ ଭାସି ଆସିଲା ଅଧ୍ୟାପକଙ୍କର ବୈଠକଖାନାରୁ...

 

ଶ୍ରୋତା ହେଲେ ମଧ୍ୟ ଯୁଗଳ ଭାଇ ଆଉ ନିଜକୁ ସମ୍ଭାଳି ରଖି ପାରିଲେ ନାହିଁ । ସଲୀଳାଙ୍କ ପ୍ରତି ତାଙ୍କର ଏକ ଅନୁରାଗ ଏଇ କାହାଣୀ ଶୁଣିବା ଭିତରେ ଜମି ଉଠିଥିଲା । ନିଜର ଆସନ ଛାଡ଼ି ଅତି ହତାଶିଆ କଣ୍ଠରେ ସେ କହିଲେ—

 

–କ’ଣ କଲେ ଆପଣମାନେ ? ଶେଷକୁ ଜଣେ ମହିମାମୟୀ ନାରୀକୁ ଏଇ ପୁରସ୍କାର ଦେଲେ ? ଟୁକୁର ଜୀବନ ରକ୍ଷା ପାଇଁ ଆପଣ ତ ନିଜେ ଯାଇ ଭଦ୍ରମହିଳାଙ୍କୁ ପ୍ରଥମେ ଆହ୍ୱାନ କରିଥିଲେ । ଏ ବିୟୋଗାନ୍ତ ଦୃଶ୍ୟରେ ଆପଣ କାହିଁକି ଅଧ୍ୟାପକଙ୍କ ଘରେ ହାଜର ହେଲେ ନାହିଁ । ଘର ଭିତରେ ଏତେ ଲୋକ ଥାଉ ଥାଉ କେହି ଜଣେ ହେଲେ ସଲୀଳାଙ୍କୁ ଅଟକେଇ ରଖି ପାରିଲେନି ? ମୁଁ ତ କହିବି...ୟେ’ ଦୁନିଆ ସ୍ୱାର୍ଥପର–ଆପଣମାନେ ବି ଜଘନ୍ୟ ସ୍ୱାର୍ଥପର । ଆପଣଙ୍କ ସୁବିଧାବାଦୀ ଅଧ୍ୟାପକଙ୍କୁ ଖାଲି ଚାବୁକ୍ ମାରି ଚେତେଇ ଦେବାର କଥା...

 

ଗମ୍ଭୀର ହୋଇ ଶଙ୍କର ବାବୁ କହିଲେ—

 

—ଉତ୍ତେଜିତ ହେବେନି ଯୁଗଳ ବାବୁ । ଆପଣ ଧୈର୍ଯ୍ୟ ଧରି ଶୁଣନ୍ତୁ...ଘଟଣାର ଗତି ପୁଣି କେଉଁ ଆଡ଼କୁ ଢଳିଲା ?

 

...ଶେଷ ପର୍ଯ୍ୟନ୍ତ ସଲୀଳା ଦେବୀ ଅଧ୍ୟାପକଙ୍କର ଫାଟକ ପାର ହୋଇ ପାରିଲେ ନାହିଁ-। ପ୍ରତିବନ୍ଧକ ଦେଖାଦେଲା । ବିଦାୟ ଲଗ୍ନରେ ସଲୀଳା ଯେଉଁ ଦୃଶ୍ୟ ଦେଖିଲେ, ସେଥିରେ ତ ତାଙ୍କର ଆଉ ପଦେ ମାତ୍ର ଅଗ୍ରସର ହେବାକୁ ଇଚ୍ଛା ହେଲା ନାହିଁ ।

 

...ଫାଟକ ଆଗରେ ଟ୍ୟାକ୍‌ସି—ତା’ ଭିତରୁ ଦୁଇଜଣ ଲୋକ ଟେକି ଟେକି ଅଧ୍ୟାପକଙ୍କର ସାନଭାଇଙ୍କୁ ଆଣୁଛନ୍ତି । ମୁଣ୍ଡରେ ବ୍ୟାଣ୍ଡେଜ୍‌—ହାତରେ ବ୍ୟାଣ୍ଡେଜ୍‌...

 

...ଘର ଭିତରେ ଏକ ହଇଚଇ ଅବସ୍ଥା ସୃଷ୍ଟି ହୋଇଗଲା । ଗର୍ଭଧାରିଣୀ ବୁଢ଼ୀ କାନ୍ଦି କାନ୍ଦି ଚିତ୍କାର ଆରମ୍ଭ କରିଦେଲେ ?

 

—ୟେ’ ତୁ କ’ଣ କଲୁ ମହେଶ ? ମୋର ଏ ସର୍ବନାଶ କାହିଁକି ।

 

ଯେଉଁ ଦୁଇଜଣ ସାନଭାଇ ମହେଶକୁ ସଙ୍ଗରେ ଆଣିଥିଲେ, ସେମାନେ କହିଲେ—ଆପଣ ବ୍ୟସ୍ତ ହେବେନି ମାଉସୀ । ମହେଶ ବାବୁ ଅଳ୍ପରେ ରକ୍ଷା ପାଇ ଯାଇଛନ୍ତି । ଦୁର୍ଘଟଣା ସେତେ ବଡ଼ ଧରଣର ହୋଇନାହିଁ । ମହେଶ ବାବୁ ଅନ୍ୟମନସ୍କ ହୋଇ ରାସ୍ତାରେ ଯାଉଥିଲେ । ମଟରଚାଳକ ବ୍ରେକ୍‌ ଦେଉ ଦେଉ ସାମାନ୍ୟ ଆଘାତ ଲାଗିଗଲା । ଡାକ୍ତରଖାନାର ବଡ଼ ବଡ଼ ଡାକ୍ତରମାନେ ମତ ଦେଇଛନ୍ତି... ଭୟର କିଛି କାରଣ ନାହିଁ । ଦିନ ଚାରିଟାରେ ସେ ସୁସ୍ଥ ହୋଇ ଉଠିବେ ।

 

ଏ ସବୁ ଆଲୋଚନା କିନ୍ତୁ ସାନଭାଇଙ୍କର କାନକୁ ଯାଉ ନ ଥିଲା । ଘରର ପରିବେଶ ଲକ୍ଷ୍ୟ କରିବା ସଙ୍ଗେ ସଙ୍ଗେ ତାଙ୍କର ନଜର ପଡ଼ିଲା ଶିଶିରା ଦେବୀଙ୍କ ଆଡ଼କୁ । ସେ ଭାବିଲେ; ତାଙ୍କର ଦୃଷ୍ଟିଶକ୍ତିରେ କିଛି ଭୁଲ ହୋଇ ନାହିଁ ତ ? ଏତେ ଦିନ ପରେ ଘରେ ସେ କାହାକୁ ଦେଖୁଛନ୍ତି ? ନୂଆବୋଉ ଶିଶିରା ଦେବୀ ??

 

ଖୁବ୍‌ ଅଳ୍ପ ସମୟ ମଧ୍ୟରେ ନିଜକୁ ଆୟତ୍ତକୁ ଆଣି ସାମାନ୍ୟ ଗୁରୁ କଣ୍ଠରେ ସେ କହିଲେ–ତୁମେ ତା’ହେଲେ ଫେରି ଆସିଚ ନୂଆବୋଉ ? ସବୁ ଅନର୍ଥର ମୂଳ କାରଣ ତୁମେ । ଖାଲି ତୁମରି ପାଇଁ ଏ ଘରେ ଅଣଚାଷ ପବନ ବହୁଥିଲା । ଅଶାନ୍ତିରେ ସମସ୍ତେ ଛଟପଟ ହେଉଥିଲେ-। ମଣିଷ ଜୀବନକୁ ତୁମେ କ’ଣ ପିଲାଖେଳ ବୋଲି ମନେକଲ ? ଯେତେବେଳେ ଯାହା ଖୁସି ବିନା ଚିନ୍ତାରେ କରିଯିବ ? ନା...ତୁମକୁ ମୁ ଏତେ ସହଜରେ ଛାଡ଼ି ଦେବିନି । ତୁମେ ଯେଉଁ ଭୁଲ୍‌ କରିଛ, ତା’ର ଶାସ୍ତି ତୁମେ ମୋରି ହାତରୁ ପାଇବ । ତୁମ ଭଳି ନାରୀଙ୍କୁ ଦଣ୍ଡବିଧାନ ନ ହେଲେ ଏ ଦୁନିଆରେ ନିଶ୍ଚିତ ବିଭ୍ରାଟ ସୃଷ୍ଟି ହୋଇଯିବ ।

 

ସାନଭାଇଙ୍କର କଥାରେ କେହି ବାଧା ଦେବାକୁ ସାହସ କଲେ ନାହିଁ । ତାଙ୍କର ବେପରୁଆ ସ୍ୱଭାବ ଚରିତ୍ର ଊଣା ଅଧିକରେ ସମସ୍ତଙ୍କୁ ଜଣାଥିଲା । କେବଳ ଅଧ୍ୟାପକ କିଛି କହିବାକୁ ଉଦ୍ୟତ ହେଉଥିଲେ । କିନ୍ତୁ ସଙ୍ଗେ ସଙ୍ଗେ ସାନଭାଇ ଧମକ ଦେଇ କହିଲେ...

 

—ତୁମେ ଆଉ ପାଟି ଫିଟାଅନି ଭାଇ । ସହଜ ସରଳରେ ବଙ୍କାକୁ ସିଧା କରି ହୁଏନା । ଖାଲି ତୁମରି ଅପାରଗତା ଯୋଗୁଁ ଆମ ପରିବାର ଭିତରେ ଏ ଅଶାନ୍ତ ବହ୍ନି ଜଳୁଚି । ମୋ ମତରେ ତୁମେ ବିବାହ ନ କରି ଚିରକୁମାର ରହିଥିଲେ ଆମ ପରିବାରର କଲ୍ୟାଣ ହୋଇଥାନ୍ତା ।

 

ଶିଶିରା ଦେବୀଙ୍କ ପାଖକୁ ସାମାନ୍ୟ ବକ୍ରଚାଲିରେ ଯାଇ ସାନଭାଇ ଏଥର ମୁହାଁମୁହିଁ ପ୍ରଶ୍ନ କଲେ—କୁହ ନୂଆବୋଉ, କୋଉ ଶାସ୍ତି ପାଇବାକୁ ତୁମେ ପ୍ରସ୍ତୁତ ଅଛ ?

 

ଅତି କରୁଣ କଣ୍ଠରେ ଶିଶିରା ଉତ୍ତର ଦେଲେ—ଆପତ୍ତି କରିବିନି ମହେଶ, ତୁମେ ଯେଉଁ ଶାସ୍ତି ଯେତେବେଳେ ଦେବ, ମୁଣ୍ଡପାତି ଗ୍ରହଣ କରିନେବି ।

 

ସାନଭାଇ କୁତ୍ରିମ କ୍ରୋଧରେ ପୁଣି କହିଲେ–ତୁମ ଶାସ୍ତିର ଆଦି ଅନ୍ତ ନାହିଁ ନୂଆବୋଉ-। ଏ ହାତରୁ ତୁମେ ଆଉ ବର୍ତ୍ତିଯାଇ ପାରିବନି । ଆମ ସଂସାର ଚକରେ ଚିରଦିନ ପାଇଁ ମୁଁ ତୁମକୁ ବାନ୍ଧି ରଖିବି । ଦରକାର ହେଲେ ଶକ୍ତ ରଜ୍ଜୁର ସାହାଯ୍ୟ ମଧ୍ୟ ନେବି ।

 

ହଠାତ୍‌ ସ୍ୱରକୁ ନରମେଇ ନେଇ ଅନୁଯୋଗ କଣ୍ଠରେ ଅନୁଜ ମହେଶ ଆରମ୍ଭ କଲେ–ବନବାସ ପରେ ସୀତା ଠାକୁରାଣୀଙ୍କୁ ଆଉ ବୈଠକଖାନା ସାଜେନା ନୂଆବୋଉ । ଭିତରକୁ ଯାଅ-। ଘରଣୀର ପବିତ୍ର ଦାୟିତ୍ୱ ତୁମେ ଠିକ୍‌ ଏବେ ତୁଲେଇ ନେଇ ପାରିବ । ଯାଅ ନୂଆବୋଉ-। ତୁମର ଆଦେଶକୁ ଏ ଅନୁଜ ଲକ୍ଷ୍ମଣ ଏବଂ ସ୍ୱୟଂ ରାମଚନ୍ଦ୍ର ମଧ୍ୟ ପାଳନ କରିବେ ।

 

ସଲୀଳା ଫାଟକ ନିକଟରୁ ଫେରି ଆସି ଏ ଦୃଶ୍ୟକୁ ପଲକହୀନ ଦୃଷ୍ଟିରେ ଦେଖୁଥିଲେ । ସାନଭାଇଙ୍କର କଥା ଶେଷ ହେବା ପରେ ପରେ ସେ ବୁଢ଼ୀଙ୍କର ପାଦଧୂଳି ନେଇ ପୁଣି ଥରେ ବିଦାୟ ନେବାକୁ ଉଦ୍ୟତ ହେଲେ ।

 

ବୁଢ଼ୀ କିନ୍ତୁ ଏଥର ଆଉ ଦୁର୍ବଳ ମନର ପରିଚୟ ଦେଲେ ନାହିଁ । ଚଢ଼ାକଣ୍ଠରେ ପଛରୁ ସେ ସଲୀଳାଙ୍କ ଉଦ୍ଦେଶ୍ୟରେ କହିଲେ—

 

—ଯାଅନା ସଲୀଳା, ତତେ ଏ ଘରେ ରହିବାକୁ ହେବ । ମୁଁ କହୁଚି...ଛିଡ଼ାହୁଅ ।

 

ତା’ପରେ ସାନପୁଅ ମହଶକୁ ପାଖକୁ ଡାକି ସ୍ନେହ ବିଗଳିତ କଣ୍ଠରେ କହିଲେ—

 

—ସମୟ ମୋର ସରି ଆସିଲା ପୁଅ । ଆଜିଯାଏ ତୋ ଖିଆଲରେ ତୁ ମାତିଥିଲୁ । ଏବେ ୟେ’ ବୁଢ଼ୀଟାର ଶେଷ ଅନୁରୋଧ ପୂରଣ କର...

 

ଏହା କହି ସେ ସଲୀଳାଙ୍କର ହାତ ଧରି ଟାଣି ଆଣିଲେ । ଦୁହିଁଙ୍କୁ ଦୁଇ ପାଖରେ ରଖି ଥର ଥର ସ୍ୱରରେ ସେ କହିଲେ—

 

—ସଲୀଳା ମୋର ସାନବୋହୂ ମହେଶ । ଏ ଘର ପ୍ରତି ତା’ର ଯେଉଁ ମମତା, ସେଥିରେ ମୁଁ ତାକୁ ବଞ୍ଚି ଥାଉ ଥାଉ ଦୂରେଇ ଦେଇ ପାରିବିନି । ମାଆର ଶେଷ ଦାନ ତୁ ହସି ହସି ଗ୍ରହଣ କରିନେ ମହେଶ, ଏଇ ମୋର ଶେଷ ଭିକ୍ଷା...

 

ରୋଗୀ ଯାହା ଖୋଜୁଥିଲା, ଯାହା ପାଇଁ ସାନ ନାୟକଙ୍କର ଆଖିକୁ ନିଦ ନ ଥିଲା, ଅପ୍ରତ୍ୟାଶିତ ଭାବରେ ସେ ରତ୍ନ ଯେତେବେଳେ ମିଳିଗଲା, ପୂରଣ କରିବାକୁ ଆଉ କ’ଣ ସମୟ ଦରକାର ହୁଏ ? ମହେଶଙ୍କ ମୁହଁରେ ଗଡ଼ ଜୟ କରିବାର ହସ । ...ଉଭୟେ ସଲୀଳା ଓ ସାନଭାଇ ମାଆଙ୍କର ପାଦତଳେ ପ୍ରଣାମ କଲେ । ଦୃଶ୍ୟପଟ ବଦଳିଗଲା । ଅଧ୍ୟାପକ ଶିଶିରା ମଧ୍ୟ ସେଇ ରାସ୍ତା ଧରିଲେ । ମାଆଙ୍କର ପାଦତଳେ ଆଜି ସମସ୍ତେ ଯେମିତି କରୁଣା ଭିକ୍ଷା କରୁଛନ୍ତି ।

 

ଟୁକୁର ଆନନ୍ଦ ଏଥର ଦେଖେ କିଏ ? ସଲୀଳା ଆଉ ଶିଶିରା ଦୁହିଁଙ୍କୁ ସେ ପାଇଲା—ତା’ର ଆଉ ଦୁଃଖ ନାହିଁ କି ଚିନ୍ତା ନାହିଁ ।

 

ହାତତାଳି ଦେଇ ନାଚି ନାଚି ସେ ବଡ଼ ମା’ଙ୍କୁ କହିଲା—ମୋର ଡବଲ ପ୍ରମୋଶନ ହୋଇଗଲା ବଡ଼ ମା’—ଠାକୁରେ ଦୟାକରି ମୋ ପାଇଁ ଦୁଇଟି ମାଆ ଖଞ୍ଜି ଦେଲେ ।

 

...ଗଭୀର ତୃପ୍ତିରେ ସେ ଆଉଜି ଗଲା ଶିଶିରାଙ୍କ କୋଳରେ । ଟିକିଏ ଦୂରରେ ସଲୀଳା ମଧ୍ୟ ଏ ଦୃଶ୍ୟକୁ ଅତି ତନ୍ମୟରେ ଉପଭୋଗ କରୁଥାଆନ୍ତି ।

 

ସେଇଦିନ ଏକାନ୍ତରେ ନିଜର ମନଗହନର ରାଣୀକୁ ଦେଖି ସାନଭାଇ ବିଚିତ୍ର ଭଙ୍ଗୀରେ କହିଲେ—ଧାତ୍ରୀର ଦାୟିତ୍ୱ ନେଇ ତୁମେ ଏ ଘରେ ପ୍ରଥମେ ପ୍ରବେଶ କରିଥିଲ । ଶିଶୁର ଯତ୍ନ ନେବା ପରେ ପରେ ତା’ର ଦାଦାର ଦାୟିତ୍ୱ ତୁମକୁ ଏବେ ଦିଆଯାଇଚି । ଅବଶ୍ୟ ପ୍ରଥମ ଦାୟିତ୍ୱଟା ଥିଲା ଅସ୍ଥାୟୀ—ହେଲେ ଆଜିଠାରୁ ଯେଉଁ ଗୁରୁଭାର ତୁମକୁ ଦିଆହେଲା, ସେଇଟା ପୂରାପୂରି ସ୍ଥାୟୀ... ନିଜର ହାତରେ ବ୍ୟାଣ୍ଡେଜ୍‌କୁ ଦେଖେଇ ସେ ପୁଣି ରହସ୍ୟ କରି କହିଲେ—

 

—ନିଅ ସିଷ୍ଟର...ପାର୍ଟଗୁଡ଼ାକ ଖୋଲି ଦେବାର ଶୀଘ୍ର ବ୍ୟବସ୍ଥା କଲ...

 

ତା’ ପରେ ରାଇକିଶୋରୀଙ୍କୁ ଛାତି ଉପରକୁ ସଜୋରେ ଟାଣି ଆଣିଲେ ସାନଭାଇ । ସଲୀଳାଙ୍କର ମୁଣ୍ଡ ଓ ଚିବୁକରେ ତାଙ୍କର ମୁହଁଟି ରକେଟ୍‌ ସ୍ପିଡରେ ଘୁରିବାକୁ ଲାଗିଲା...

 

...କାହାଣୀ ଶେଷ କହି ଶଙ୍କର ବାବୁ ଆସନରୁ ଉଠି ପଡ଼ିଲେ । ସେତେବେଳକୁ ରାତି ପାହି ଭୋର ହୋଇ ଆସୁଥିଲା । ରାସ୍ତାର ପାଣିକଳଗୁଡ଼ାକ ସୁ ସୁ ଶବ୍ଦରେ ସକ୍ରିୟ ହୋଇ ଉଠିଲେଣି ।

 

ଯୁଗଳ ଭାଇ ତୃପ୍ତିର ନିଃଶ୍ୱାସ ମାରି ଶେଷ ଟିପ୍‌ପଣୀ ଦେଲେ—

 

—ବାଃ—ଶଙ୍କର ବାବୁ ମନମୁତାବକ ପୁରସ୍କାର ଦେଲେ ନାୟିକା ସଲୀଳା ଦେବୀଙ୍କୁ । ଏଇ ତ ଦରକାର ଥିଲା । ଆପଣ ଆଉ ଡେରି କରିବେନି ମହାପାତ୍ର ବାବୁ । ପ୍ଲଟ୍‌ ତ ପାଇଗଲେ । ମଞ୍ଚ ପାଇଁ ଆଗାମୀ ସରସ ସୁନ୍ଦର ଆଲେଖ୍ୟ...‘‘ମନଗୁଣେ ଫଳ’’ ଆରମ୍ଭ କରି ଦିଅନ୍ତୁ...

 

ଶଙ୍କର ବାବୁ ହୋ ହୋ କରି ହସି ଉଠିଲେ ଟିକିଏ ଦୂରରେ...ସେଇ ହସ ଭିତରେ ସେ କହୁଥିଲେ...

 

ହଁ, ମନଗୁଣେ ଫଳ, ଶୁଣୁ ଶୁଣୁ ହେଲା ସକାଳ ।

Image